ଫାଶୀ ଦିବସରେ ମନେ ପଡ଼ିଲେ ଶହୀଦ ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁ…

ଭୁବନେଶ୍ୱର : ଇଂରେଜ ଶାସନ ବିରୋଧରେ  ଆମ ଦେଶର ସ୍ୱାଧୀନତା ସଂଗ୍ରାମରେ ଦେଶପ୍ରେମ, ବୀରତ୍ୱ ତଥା ଆତ୍ମବଳିଦାନର ଯେଉଁସବୁ ଶ୍ରେଷ୍ଠ ଉଦାହରଣ ରହିଛି, ଶହୀଦ ଭଗତ ସିଂଙ୍କ ବ୍ୟକ୍ତିତ୍ୱରେ ସେସବୁର ଏକ ପରିପକ୍ୱ, ଉନ୍ନତ ଓ ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ । ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ଉପନିବେଶବାଦୀ ଶାସକମାନେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ୍ ସିଂ ଓ ତାଙ୍କର ଦୁଇ ସାଥି ସୁଖଦେବ୍ ଓ ରାଜଗୁରୁଙ୍କୁ ଲାହୋରର କେନ୍ଦ୍ରୀୟ କାରାଗାରରେ ଫାଶୀ ଦେଇଥିଲେ । ଦେଶର ସ୍ୱାଧୀନତା ଓ ମୁକ୍ତି ପାଇଁ  ମାତ୍ର ୨୩ ବର୍ଷ ବୟସରେ ହସି ହସି ନିଜ ଜୀବନକୁ ବଳି ଦେଇଥିବା ଏହି ମହାନ ବିପ୍ଳବୀ ଭାରତର ସ୍ୱାଧୀନତା ସଂଗ୍ରାମରେ ଆପୋଷହୀନ ଧାରାର ପ୍ରତୀକ ଥିଲେ । ଦେଶ ପ୍ରତି ନିଜର ଅପୂର୍ବ ତ୍ୟାଗ, ବଳିଦାନ, ଆଦର୍ଶ ପ୍ରତି ନିଷ୍ଠା ତଥା ସର୍ବୋପରି ନିଜର ବିପ୍ଳବୀ ବିଚାରଧାରା ପାଇଁ ସେ ସର୍ବଦା କୋଟି କୋଟି ଭାରତୀୟଙ୍କ ହୃଦୟରେ ସ୍ଥାନ ପାଇ ଆସିଛନ୍ତି । ବ୍ରିଟିଶ ଉପନିବେଶବାଦ ବିରୁଦ୍ଧରେ ଭାରତୀୟମାନଙ୍କ ସ୍ୱାଧୀନତା ସଂଗ୍ରାମରେ ସ୍ପଷ୍ଟ ଭାବେ ଦୁଇଟି ଧାରା ରହିଥିଲା । ଗାନ୍ଧୀ ଓ କଂଗ୍ରେସ ନେତୃତ୍ୱଧୀନ ଆନ୍ଦୋଳନଟିର ଜନ ଆଧାର ଓ ପ୍ରଭାବଟି ଯଦିଓ ବହୁତ ବଡ଼ ଥିଲା କିନ୍ତୁ ତାହା ଶାନ୍ତିପୂର୍ଣ୍ଣ ମାର୍ଗରେ ବ୍ରିଟିଶମାନଙ୍କ ସହ ଆପୋଷ ବୁଝାମଣାରେ ଦେଶକୁ ସ୍ୱାଧୀନ କରିବା କଥା କହୁଥିଲା । ଆମ ଦେଶରେ ଟାଟା, ବିରଳା ପରି ତତ୍କାଳିନ ବଡ଼ ପୁଞ୍ଜିପତି ଏବଂ ସାମନ୍ତବାଦୀ ରାଜା-ଜମିଦାର ଗୋଷ୍ଠୀ କଂଗ୍ରେସର ଆନ୍ଦୋଳନକୁ ନିଜର ସ୍ୱାର୍ଥର ଅନୁକୂଳ ବୋଲି ବିଚାର କରି ଦୃଢ଼ ଭାବେ ସମର୍ଥନ କରୁଥିଲେ । ଅନ୍ୟପଟେ ଭଗତ୍ ସିଂ ଓ ତାଙ୍କ ପରି ବିପ୍ଳବୀମାନଙ୍କ ପାଇଁ ଦେଶର ସ୍ୱାଧୀନତା ଓ ମୁକ୍ତିର ଅର୍ଥ ସଂପୂର୍ଣ୍ଣ ଭିନ୍ନ ଥିଲା । କଂଗ୍ରେସ ପରି ସେମାନେ ଦେଶରୁ ବ୍ରିଟିଶ ସାମ୍ରାଜ୍ୟବାଦୀମାନଙ୍କୁ ହଟାଇ ତାରି ସ୍ଥାନରେ ଜମିଦାର ଓ ପୁଞ୍ଜିପତ୍ତି ଶ୍ରେଣୀର ଶାସନ ଚାହୁଁ ନଥିଲେ । ସ୍ୱାଧୀନତା ଆନ୍ଦୋଳନରେ ଭଗତ୍ ସିଂ ଉଭୟ ଗାନ୍ଧୀ ଓ କଂଗ୍ରେସର ଆପୋଷକାମୀ ରାଜନୀତିର ନିର୍ମମ ସମାଲୋଚକ ଥିଲେ । ଯଦିଓ ସୁବାଷ ବୋଷ ଓ ଅନ୍ୟ କିଛି ଜାତୀୟ ନେତାଙ୍କ ସହ ଗାନ୍ଧୀଙ୍କ ମତଭେଦ ରହିଥିଲା କିନ୍ତୁ ଆଦର୍ଶଗତ ଭାବେ ସେମାନେ ତାଙ୍କ ଠାରୁ ବେଶୀ ଦୂରରେ ନଥିଲେ । ଅଥଚ ଆଦର୍ଶଗତ ଭାବେ ଭଗତ୍ ସିଂଙ୍କ ସହ ହିଁ ଗାନ୍ଧୀଙ୍କ ତୀକ୍ଷଣ ମତଭେଦ ଥିଲା । ରାଜନୈତିକ ଭାବେ ସେ ସବୁଠାରୁ ଗାନ୍ଧୀଙ୍କର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦୀ ଥିଲେ । ଜାତୀୟ ସ୍ତରରେ ସେ ଗାନ୍ଧୀ ତଥା କଂଗ୍ରେସର ପୁଞ୍ଜିବାଦୀ-ଜମିଦାର ସପକ୍ଷବାଦୀ ରାଜନୀତିର ତୀବ୍ର ସମାଲୋଚକ ଭାବେ ନିଜର ଆପୋଷହୀନ ସଂଗ୍ରାମ ପାଇଁ ସେ ବେଶ୍ ଲୋକପ୍ରିୟ ଥିଲେ । ଖୋଦ୍ କଂଗ୍ରେସର ପୂର୍ବତନ ସଭାପତି ପଟ୍ଟାଭି ସୀତାରାମେୟାଙ୍କ ଅନୁଯାୟୀ ସେତେବେଳେ ଜାତୀୟ ସ୍ତରରେ ଲୋକପ୍ରିୟତାରେ ଭାଗତ ସିଂ ହିଁ ଗାନ୍ଧୀଙ୍କ ସମକକ୍ଷ ଥିଲେ ।

 ବହୁଲୋକଙ୍କ ଧାରଣା ଯେ ଗାନ୍ଧୀ ଓ ଭଗତ ସିଂଙ୍କ ମଧ୍ୟରେ ମତଭେଦଟି କେବଳ ହିଂସା ଓ ଅହିଂସାକୁ କେନ୍ଦ୍ର କରି ହିଁ ରହିଥିଲା । କିନ୍ତୁ ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ଏହା ସତ ଯେ ‘ହିଂସା’ ଓ ‘ଅହିଂସା’ ପ୍ରସଙ୍ଗରେ ସେ ନିଜର ବିଚାରକୁ ସ୍ପଷ୍ଟ କରି ଗାନ୍ଧୀଙ୍କ ‘ବୋମାର ସଂସ୍କୃତି’ ଲେଖାର ଜବାବରେ  ‘ବୋମାର ଦର୍ଶନ’ ଶୀର୍ଷକ ନିଜର ଏକ ଲେଖା ଲେଖିଥିଲେ । ତାଙ୍କ ମତରେ ଗାନ୍ଧୀ ଯଦିଓ ସରକାରଙ୍କ ବିରୁଦ୍ଧରେ ଜନଗଣଙ୍କ ହିଂସାକୁ ଦୃଢ଼ ବିରୋଧ କରୁଥିଲେ କିନ୍ତୁ ସେ ରାଷ୍ଟ୍ର ବା ସରକାରଙ୍କ ଦ୍ୱାରା ଜନଗଣଙ୍କ ଉପରେ ସଂଗଠିତ ହିଂସାର ଆଦୌ ବିରୋଧି ନଥିଲେ । ତେବେ ଗାନ୍ଧୀଙ୍କ ସହ ତାଙ୍କର ମତଭେଦଟି କେବଳ ହିଂସା ଓ ଅହିଂସାକୁ ନେଇ ସିମୀତ ନଥିଲା ବରଂ ତାହା ମୂଳତଃ ସ୍ୱାଧୀନତା ସଂଗ୍ରାମର ଅନ୍ତିମ ଲକ୍ଷ୍ୟକୁ ନେଇ ହିଁ ରହିଥିଲା । ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ଭାରତକୁ ପୁଞ୍ଜିବାଦୀ ରାସ୍ତାରେ ନେବାକୁ ଚାହୁଁଥିବା ବେଳେ ଭଗତ୍ ସିଂ ଓ ତାଙ୍କ ସାଥିମାନେ ଏକ ସମାଜବାଦୀ ଭାରତର ପରିକଳ୍ପନା କରିଥିଲେ । ତାଙ୍କ ଦ୍ୱାରା ଗଠିତ ସଂଗଠନ ହିନ୍ଦୁସ୍ଥାନ ସୋସାଲିଷ୍ଟ ରିପବ୍ଳିକାନ୍ ଆର୍ମିର ଲକ୍ଷ୍ୟ ଦେଶରେ ସମାଜବାଦର ପ୍ରତିଷ୍ଠା କରିବା ରହିଥିଲା । 

 ଭଗତ୍ ସିଂ କେବଳ ଜଣେ ବ୍ୟକ୍ତି ନଥିଲେ । ସେ ଦେଶ ଓ ଦୁନିଆର ବିପ୍ଳବୀ ବିଚାରର ଆତ୍ମମନ୍ଥନରୁ ଜନ୍ମ ନେଉଥିବା ପ୍ରଗତିଶୀଳ ବିଚାରର ଏକ ଶକ୍ତିଶାଳୀ ପ୍ରତୀକ ଥିଲେ । ସେ ଜନ ଆନ୍ଦୋଳନରୁ ଜନ୍ମ ନେଇ ସେଥିରେ ତାଲିମ ନେବା ସହ ଶେଷରେ ସେହି ଆନ୍ଦୋଳନର ସର୍ବୋଚ୍ଚ ପ୍ରତୀକରେ ପରିଣତ  ହୋଇଥିଲେ । ଶହୀଦ୍ ଭଗତ ସିଂ ଜଣେ ନିଚ୍ଛକ ସ୍ୱପ୍ନ ବିଳାସୀ ନଥିଲେ । ଏକ ଶୋଷଣ ବିହୀନ ସମାଜବାଦୀ ବ୍ୟବସ୍ଥା ନିର୍ମାଣର ସ୍ୱପ୍ନକୁ ସାକାର କରିବା ପାଇଁ ସେ ତାର ଏକ ରୂପରେଖ ପ୍ରସ୍ତୁତ କରିବା ସହ ସେହି କାମରେ ଦେଶର ଜନଗଣ ବିଶେଷ କରି ଯୁବକମାନଙ୍କୁ ସାମିଲ କରିବାକୁ ଶେଷ ପର୍ଯ୍ୟନ୍ତ ଚେଷ୍ଟାରତ ଥିଲେ । ସେ ଚାହିଁଥିଲେ ଫଶୀଦଣ୍ଡରୁ ମୁକୁଳି ପାରିଥାନ୍ତେ ! କିନ୍ତୁ ହୁଏତ ନିଜର ବଳିଦାନ ଦେଶର ଯୁବକମାନଙ୍କୁ ମୁକ୍ତି ସଂଗ୍ରାମରେ ଯୋଗଦେବାକୁ ଅଧିକରୁ ଅଧିକ ଅନୁପ୍ରାଣିତ କରିବ ବୋଲି ମନେକରି ସେ ଜାଣିଶୁଣି ଫାଶୀଖୁଣ୍ଟରେ ଚଢ଼ିଥିଲେ । ସେ ମୃତ୍ୟୁ ପର୍ଯ୍ୟନ୍ତ ବ୍ରିଟିଶ ଶାସନ ବିରୁଦ୍ଧରେ ଦେଶର ଯୁବକମାନଙ୍କୁ ସଙ୍ଗଠିତ କରି ଏକ ସଶସ୍ତ୍ର ବିଦ୍ରୋହ ସଙ୍ଗଠିତ କରିବା ପାଇଁ ଚେଷ୍ଟାରତ ରହିବା ସହିତ ବିଭିନ୍ନ ରାଜନୈତିକ ଓ ବିଚାରଗତ ପ୍ରଶ୍ନ ଉପରେ ଗଭୀର ଅଧ୍ୟୟନ କରୁଥିଲେ । ନିଜର ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେ ବିଶ୍ୱ ଇତିହାସ ଠାରୁ ଆରମ୍ଭ କରି ଦର୍ଶନ, ରାଜନୀତି, ଅର୍ଥନୀତି, ସାହିତ୍ୟ ଆଦି ଅଧ୍ୟୟନର ସମସ୍ତ କ୍ଷେତ୍ରରେ ସେ ପ୍ରବେଶ କରିଥିଲେ । ଏହା ସହିତ ସେ ସମସାମୟିକ ବିଭିନ୍ନ ପ୍ରସଙ୍ଗରେ ନିଜର ଛଦ୍ମ ନାମରେ ଲେଖା ମାଧ୍ୟମରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ନିଜର ମତ ପୋଷଣ କରୁଥିଲେ । ‘ଅଚ୍ଛୁତ ସମସ୍ୟା’ ଶୀର୍ଷକ ଲେଖାରେ ସେ ଭାରତର ଜାତି ବ୍ୟବସ୍ଥାକୁ ପ୍ରଶ୍ନ କରିବା ସହିତ ଏଭଳି ଅମାନବୀୟ ବ୍ୟବସ୍ଥାର ଉନ୍ମୁଳନ ପାଇଁ କାମ କରିବାକୁ ବିପ୍ଳବୀମାନଙ୍କୁ ଆହ୍ୱାନ ଦେଇଥଲେ । ‘ସାଂପ୍ରଦାୟିକ ଦଙ୍ଗା ଓ ତାର ନିରାକରଣ’ ଶୀର୍ଷକ ନିଜର ଲେଖାରେ ସେ ଧର୍ମ ନାମରେ ଦଙ୍ଗା କରୁଥିବା ଲୋକେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ କିପରି ବିଭାଜିତ କରି ବ୍ରିଟିଶମାନଙ୍କ ସହାୟତା କରୁଛନ୍ତି ତାହା ସ୍ପଷ୍ଟ ଭାବେ ଦର୍ଶାଇଥିଲେ ।

 ଆଜି ଭଗତ୍ ସିଂଙ୍କ ଶହୀଦତ୍ୱର ଏତେ ବର୍ଷ ପରେ ବି ଦେଶରେ ଅର୍ଥନୈତିକ ଶୋଷଣ ଓ ବୈଷମ୍ୟ କେବଳ ଅବ୍ୟାହତ ରହିନି ବରଂ ବଢ଼ିବାରେ ଲାଗିଛି । ଦେଶର ଅଧିକାଂଶ ଲୋକ ଦାରିଦ୍ର‌୍ୟ ଓ ବେକାରୀରେ ଷଢ଼ୁଥିବା ବେଳେ ମାତ୍ର କିଛି ହାତଗଣତି କର୍ପୋରେଟଙ୍କ ହାତରେ ଦେଶର ଅଧିକାଂଶ ସମ୍ପତ୍ତି  ଠୁଳ ହୋଇ ରହିଛି । ଧନୀ ଓ ଦରିଦ୍ର ମଧ୍ୟରେ ପାର୍ଥକ୍ୟଟି ଆଜି ଶହେ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଂଚିଛି । ଦେଶର ୧% କର୍ପୋରେଟ୍‌ଙ୍କ ପାଖରେ ସମଗ୍ର ଦେଶର ୪୦% ସମ୍ପତ୍ତି ଠୁଳ ହୋଇଛି । ଜନସଂଖ୍ୟାର ୫୦% ଲୋକ ମାତ୍ର ୩% ସମ୍ପତ୍ତିର ମାଲିକ ହୋଇ ରହିଛନ୍ତି । ଦେଶରେ ବିକାଶ, ଗରିବୀ ଉନ୍ମୁଳନ ନେଇ ସରକାରଙ୍କ ବଡ଼ ବଡ଼ ଦାବୀ ସତ୍ତ୍ୱେ ଆଜି ସ୍ୱାଧୀନତାର ୭୭ ବର୍ଷରେ ବି ଦେଶର ୮୦ କୋଟିରୁ ଅଧିକ ଲୋକ ସରକାରଙ୍କ ମାଗଣା ରାସନର ଦୟାରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ଭଗତ୍ ସିଂଙ୍କ ଆଦର୍ଶର ବିପରୀତ ଦେଶରେ ଧର୍ମ ଓ ଜାତି ନାଁରେ ବିଭାଜନ, ହିଂସା ସହିତ ସାଧାରଣ ଜନତାଙ୍କ ଶୋଷଣ ଓ ଅତ୍ୟାଚାର ବଢ଼ିବାରେ ଲାଗିଛି । ଆଜି ଦେଶର ରାଜନୈତିକ କ୍ଷମତାରେ ସିଧାସଳଖ ବିଦେଶୀମାନେ ନଥିଲେ ମଧ୍ୟ ଆମ ଦେଶ ଏବେ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ଚରାଭୂଇଁରେ ପରିଣତ ହୋଇଛି । ବ୍ୟାଙ୍କ, ବୀମା, ଦୂରସଂଚାର, ବିମାନ ଚଳାଚଳ ଠାରୁ ଆରମ୍ଭ କରି ପ୍ରତିରକ୍ଷା, ରେଳବାଇ ପର୍ଯ୍ୟନ୍ତ ଅର୍ଥନୀତିର ସବୁ କ୍ଷେତ୍ରରେ ବିଦେଶୀ ସାମ୍ରାଜ୍ୟବାଦୀ ପୁଞ୍ଜିକୁ ଆମନ୍ତ୍ରଣ କରି ମାଲିକାନା ଦେବାରେ ଆମ ଶାସକମାନେ ନିଜକୁ ଗୌରାବାନ୍ମିତ ମନେ କରୁଛନ୍ତି । ଶାସକ ଶ୍ରେଣୀର ଦଳ ଓ କର୍ପୋରେଟ୍‌ମାନଙ୍କ ମଧ୍ୟରେ ରହିଥିବା ଅଶୁଭ ମେଣ୍ଟଟି ଆଜି ଇଲୋକ୍ଟୋରାଲ ବଣ୍ଡର ତଥ୍ୟ ଉଜାଗର ହେବା ପରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ଇଲୋକ୍ଟୋରାଲ ବଣ୍ଡ ଜରିଆରେ ବିଜେପି ଓ ଆରଏସଏସ୍ ଯେ ଇଡି ଓ ସିବିଆଇକୁ ବ୍ୟବହାର କରି ବଡ ବଡ କମ୍ପାନୀମାନଙ୍କ ଠାରୁ ବିପୁଳ ପରିମାଣର ଚାନ୍ଦା ଆଦାୟ କରିଛନ୍ତି, ତାହା ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ଷ୍ଟେଟ ବ୍ୟାଙ୍କ୍ ଜମାକାରୀ ଓ ଲାଭାର୍ଥୀଙ୍କ ସମ୍ପର୍କରେ ତଥ୍ୟ ଜଣାଇବା ପରେ ଉଜାଗର ହୋଇଯାଇଛି । ଅନ୍ୟପଟେ ବ୍ରିଟିଶ ଶାସନ ସମୟରୁ ଦେଶର ଶ୍ରମିକ ଶ୍ରେଣୀ ନିଜର ସଂଗ୍ରାମ ଓ ବଳିଦାନ ବଳରେ ହାସଲ କରିଥିବା ସମସ୍ତ ଶ୍ରମ ଅଧିକାରକୁ କର୍ପୋରେଟ୍‌ମାନଙ୍କ ସ୍ୱାର୍ଥରେ ସମାପ୍ତ କରିଦେବାକୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଦାରିଦ୍ର‌୍ୟ, କ୍ଷୁଧା, ପୁଷ୍ଟିହୀନତା, ଅଶିକ୍ଷା, ନାରୀ  ନିର୍ଯ୍ୟାତନା, ପ୍ରେସ ସ୍ୱାଧୀନତା, ମାନବିକ ଅଧିକାରର ଉଲଂଘନ ଆଦି ଅନେକ କ୍ଷେତ୍ରରେ ବିଶ୍ୱର ଅନେକ ଦେଶ ତୁଳନାରେ ଆମର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଶାସକ ଶ୍ରେଣୀର ଜନବିରୋଧୀ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏପରିକି ଭିନ୍ନମତ ପୋଷଣ କରିବାକୁ ବି ଦେଶଦ୍ରୋହର ପର୍ଯ୍ୟାୟବାଚୀ କରି ଦିଆଯାଉଛି । ମୋଦି ନେତୃତ୍ଵାଧୀନ କେନ୍ଦ୍ରର ବିଜେପି ଓ ଆରଏସଏସର ଫାଶୀବାଦୀ ସରକାର ଗୋଟିଏ ପଟେ ୟୁଏପିଏ, ଏନଆଇଏ ପରି କଳା ଆଇନ ଜରିଆରେ ଭିନ୍ନମତ ପୋଷଣ କରୁଥିବା ବୁଦ୍ଧିଜୀବି ଓ ସାମାଜିକ -ରାଜନୈତିକ କର୍ମୀ ମାନଙ୍କୁ ମିଥ୍ୟା ମକଦ୍ଦମାରେ ଗିରଫ କରି ବର୍ଷ ବର୍ଷ ଧରି ଜେଲରେ ଅଟକାଇ ରଖୁଥିବା ବେଳେ ନିଜର ରାଜନୈତିକ ବିରୋଧିମାନଙ୍କୁ ଚୁପ୍ କରି ଏକଛତ୍ରବାଦୀ ଶାସନ ଚଳାଇବାକୁ ସିବିଆଇ, ଆୟକର ବିଭାଗ ଓ ଇଡିର ମନଇଛା ବ୍ୟବହାର କରୁଛନ୍ତି । ଦେଶଦ୍ରୋହ ଆଇନ, ୟୁଏପିଏ, ଆଫସ୍ପା ଭଳି କଳା ଆଇନ ଜରିଆରେ ସାଧାରଣ ଜନତାଙ୍କୁ ବିଶେଷ କରି ଭିନ୍ନମତକୁ ଦମନ କରିବାର ଫାଶୀବାଦୀ ତରିକା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଏକ ପ୍ରକୃତ ଧର୍ମନିରପେକ୍ଷ, ଶୋଷଣ ବିହୀନ, ଗଣତାନ୍ତ୍ରିକ ତଥା ସମାଜବାଦୀ ଭାରତର ନିର୍ମାଣ ପାଇଁ ଶହୀଦ୍ ଭଗତ୍ ସିଂ ଓ ତାଙ୍କ ସାଥିମାନେ ଯେଉଁ ସ୍ୱପ୍ନ ଦେଖୁଥିଲେ, ତା’ର ପ୍ରାସଙ୍ଗିକତା ଆଜି ପୂର୍ବାପେକ୍ଷା ଅଧିକ ଅନୁଭୁତ ହେଉଛି । ଆଜି ବଳିଦାନ ଦିବସରେ ଭାରତର ଏହି ମହାନ ସନ୍ତାନମାନଙ୍କୁ ବିପୁଳ ଶ୍ରଦ୍ଧା ସହିତ ସେମାନଙ୍କ ବୈପ୍ଳବିକ ବିଚାରକୁ କୋଟି କୋଟି ଶ୍ରଦ୍ଧାଞ୍ଜଳି ।

(ଏହି ଲେଖାଟିକୁ ସମ୍ପୂର୍ଣ୍ଣ ଭାବେ ପ୍ରଗତିଶୀଳ ଲେଖକ ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରୁ ଅଣାଯାଇଛି)

Leave a Reply

Your email address will not be published. Required fields are marked *