ଭାରତ ପ୍ରତି ଆମେରିକା କଟକଣା ପାଇଁ ପ୍ରସ୍ତୁତ ରହିବା ଉଚିତ…. କାହିଁକି ଏପରି କହିଲେ କୁପର
ନୂଆଦିଲ୍ଲୀ : ଧାର୍ମିକ ଭେଦଭାବ ପ୍ରସଙ୍ଗରେ ପୁଣି ବିଶ୍ୱ ଦରବାରରେ ଭାରତକୁ ଲଜ୍ଜିତ ହେବାକୁ ପଡିଛି। ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (ୟୁଏସସିଆଇଆରଏଫ)ର ମୁଖ୍ୟ ରାବି ଆବ୍ରାହମ କୁପର ଏହି ପ୍ରସଙ୍ଗରେ ଅତି ସମ୍ବେଦନଶୀଳ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏପରିକି ଭାରତକୁ ଆଫଗାନିସ୍ତାନ ଓ ସିରିଆ ଭଳି ଦେଶ ସହ ତୁଳନା କରିଛନ୍ତି।
କୁପର ଦାବି କରିଛନ୍ତି ଯେ, ସମଗ୍ର ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ଧାର୍ମିକ ଭେଦଭାବ ଭୟଙ୍କର ସ୍ତରରେ ପହଞ୍ଚିଛି। ଯଦି ଭାରତରେ ସାମ୍ପ୍ରତିକ ସ୍ଥିତିରେ ସୁଧାର ନ ଆସେ ତେବେ ଆମେରିକା ସରକାରଙ୍କ କଟକଣା ପାଇଁ ପ୍ରସ୍ତୁତ ରହିବା ଉଚିତ। ବିଶେଷ କରି ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଭାରତକୁ ନିଜର ବାଟ ବଦଳାଇବାକୁ ପଡ଼ିବ। ପୂର୍ବରୁ ଭାରତ ଏହି କ୍ଷେତ୍ରରେ ଭଲ କାମ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଭାରତରେ ତାହା ନାହିଁ। ଭାରତରେ ଧାର୍ମିକ ଭେଦଭାବରେ ପୀଡ଼ିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଯାହା ଭୟଙ୍କର ବୋଲି ରାବି ଆବ୍ରାହମ କୁପର କହିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିଥିଲେ। ତାଙ୍କ ଗସ୍ତର କିଛିଦିନ ପରେ ଆମେରିକୀୟଙ୍କ ଏପରି ମତ ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି।