ଆହତଙ୍କୁ ଭେଟିବାକୁ ଓଡ଼ିଶାରେ ମମତା, ମୃତକଙ୍କୁ ପରିବାରର ଜଣଙ୍କୁ ହୋମଗାର୍ଡ ଚାକିରୀ
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାର ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଶତାଧିକ ଲୋକ ମରିଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। କେତେକଙ୍କ ମୃତ ଦେହ ପଶ୍ଚିମବଙ୍ଗ ଯାଇସାରିଛି। ଆଉ କେତେକ ଚିହ୍ନଟ ପରେ ବଙ୍ଗ ଯିବ। ଏହି କ୍ରମରେ ପଶ୍ଚିମବଙ୍ଗର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଦେଖିବାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଓ କଟକ ଏସସିବିରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ଡାକ୍ତରମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସେହିପରି ପଶ୍ଚିମବଙ୍ଗର ୩୧ ଜଣ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ସଂପର୍କରେ କିଛି ସୂଚନା ମିଳୁନାହିଁ ବୋଲି ମମତା ବାନାର୍ଜୀ ଓଡ଼ିଶା ସରକାରଙ୍କୁ ଅବଗତ କରିଛନ୍ତି।
ରୋଗୀଙ୍କୁ ଭେଟିବା ପରେ ମମତା କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ଯେଉଁ ଲୋକମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ସ୍ପେଶାଲ ହୋମଗାର୍ଡ ଚାକିରି ଦିଆଯିବ ବୋଲି ମମତା କହିଛନ୍ତି। ସେହିପରି ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୮୭ଟି ମୃତଦେହ ତାଙ୍କ ରାଜ୍ୟରେ ପହଞ୍ଚିଛି। ଓଡ଼ିଶାରେ ଏବେ ୯୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ କଟକ ଏସ୍ସିବିରେ କେବଳ ୫୩ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ବାନାର୍ଜୀ କହିଥିଲେ। ଆଜି ସିବିଆଇ ତଦନ୍ତ ସମ୍ପର୍କରେ କିଛି ମୁହଁ ଖୋଲି ନ ଥିଲେ। ସେ ଖାଲି କହିଥିଲେ ଯେ, ନୋ କମେଣ୍ଟ। ସତ ସାମ୍ନାକୁ ଆସୁ। ସତ ଦବି ନଯାଉ। ଏତେ ଲୋକଙ୍କ ଜୀବନ ଯାଇଛି। ତେଣୁ ସତ ସାମ୍ନାକୁ ଆସୁ ବୋଲି କହି ବାକ୍ୟ ବିବାଦରୁ ନିଜକୁ ଦୂରେଇ ରଖିଥିଲେ। ପଶ୍ଚିମବଙ୍ଗ ସରକାର ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ମଧ୍ୟ ଦିଆଯିବ। ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଆହତ ନହୋଇଥିଲେ ମଧ୍ୟ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ପଶ୍ଚିମବଙ୍ଗ ସରକାର ଘୋଷଣା କରିଛି।