ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦ଜଣଙ୍କୁ କି ପ୍ରଶିକ୍ଷଣ ଦେଉଛି ବିଜେଡି…ଜାଣନ୍ତୁ…

ଭୁବନେଶ୍ୱର : ଯେ କୌଣସି ମୁହୂର୍ତ୍ତରେ ସାଧାରଣ ନିର୍ବାଚନ ଘୋଷଣା ହୋଇଯାଇପାରେ। ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସହ ଭୋଟର ଟ୍ୟାଗିଂକୁ ଗୁରୁତ୍ୱ ଦିଅ। ଯେଉଁ ପରିବାର ଓ ଭୋଟର ବିଜେଡିକୁ ଭୋଟ ଦେବ ନାହିଁ ବୋଲି ମନେ ହେଉଛି, ତାହାର କାରଣ ପଚାରିବୁଝ। ସୋସିଆଲ ମିଡିଆରେ ଦଳର କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କର। ଦଳର କର୍ମୀ ଏବଂ ଛାମୁଆ କାର୍ଯ୍ୟକର୍ତ୍ତା ସାମାଜିକ ଗଣମାଧ୍ୟମରୁ ଗୁରୁତ୍ୱକୁ ହୃଦବୋଧ କରନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତା ଏପରି ଭାବେ ପ୍ରଶିକ୍ଷଣ ଦେଉଛନ୍ତି। ପୂର୍ବରୁ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ସକ୍ରିୟତା ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷ ମଧ୍ୟ ବିଜେଡି କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।

ପ୍ରତିଦିନ ଚାରୋଟି ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପଂଚାୟତ ଏବଂ ପୌରାଞ୍ଚଳର 4 ଜଣ ଲେଖାଏଁ କର୍ମୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି। ସାମଗ୍ରିକ ଭାବେ ଗୋଟିଏ ନିର୍ବାଚନ ମଣ୍ଡଳୀରୁ 200 ମାଷ୍ଟ୍ରର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ସମସ୍ତଙ୍କ ଘରେ ଶଙ୍ଖ ଚିହ୍ନ ପୋଷ୍ଟର ମାରିବାକୁ କୁହାଯାଉଛି। ଯେଉଁମାନେ ମାରିବାକୁ ମନା କରୁଛନ୍ତି, ସେମାନଙ୍କୁ ବିଜେଡି ବିପକ୍ଷରେ ଯାଉଥିବା ଭୋଟ ବୋଲି ବିଚାର କରି , ସେହି ସଂଖ୍ୟା ହ୍ରାସ କରିବାକୁ କୁହାଯାଇଛି। ପ୍ରତି ପ୍ରଶିକ୍ଷଣ ଦେଢଘଣ୍ଟାରୁ ଦୁଇ ଘଣ୍ଟା ସମୟ ନିଆଯାଉଛି। ଶଙ୍ଖଭବନ ମଧ୍ୟରେ କର୍ମୀଙ୍କ ସକାଳ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ପ୍ରଶିକ୍ଷଣ ଏବଂ ଉଦବୋଧନ ପରେ ସମସ୍ତ ପ୍ରକାର ମୋବାଇଲ ବ୍ୟବହାରକୁ ବାରଣ କରାଯାଇଛି।