ଏଆଇସିସି ବୁଝିଲାଣି, ପିସିସି ଜାଣିଶୁଣି ଅବୁଝା……କେବେ ମାଗିବେ ଭୁଲ୍
ଭୁବନେଶ୍ୱର : ପଛୁଆବର୍ଗଙ୍କ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ଅତୀତରେ ଯାହା କରିବାର ଥିଲା। ତାହା କରିପାରିନାହିଁ। ଏଥିପାଇଁ ଶତ ପ୍ରତିଶତ ଅନୁତପ୍ତ। ଏହି କାରଣରୁ ସମସ୍ତଙ୍କୁ କଂଗ୍ରେସ କ୍ଷମା ମାଗୁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଆଗାମୀ ଦିନରେ କଂଗ୍ରେସ ସମର୍ଥନରେ ସରକାର ଆସିଲେ ଜାତିଭିତ୍ତିକ ଜନଗଣନା କରାଯିବ। ସଂଖ୍ୟା ଯାହାର ଯେତେ ଭାଗ ପାଇବେ ସେମାନେ ସେତେ ନ୍ୟାୟରେ ପଛୁଆବର୍ଗ ଏବଂ ସଂଖ୍ୟାଲଘୁଙ୍କୁ ସଂରକ୍ଷଣ ଦିଆଯିବ ବୋଲି ରାହୁଲ କହିଛନ୍ତି।
ରାହୁଲ ଗାନ୍ଧୀଙ୍କ ପରି ସୋନିଆ ଗାନ୍ଧୀ ମଧ୍ୟ ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ମହିଳାଙ୍କ ପାଇଁ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଦାବି କରିସାରିଛନ୍ତି। ହେଲେ ସାମାଜିକ ନ୍ୟାୟ ପ୍ରସଙ୍ଗରେ ଓଡ଼ିଶା କଂଗ୍ରେସର ଆଭିମୁଖ୍ୟ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। କଂଗ୍ରେସ ଅଧ୍ୟକ୍ଷ ଅନୁସୂଚିତ ଜାତି, କଂଗ୍ରେସ ତିନି ପ୍ରମୁଖ ରାଜ୍ୟରେ ପଛୁଆବର୍ଗ ମୁଖ୍ୟମନ୍ତ୍ରୀ କରିଛି। ହେଲେ ଓଡ଼ିଶାରେ ପିସିସି ସଭାପତି, ବିଧାନସଭା ବିଧାୟକ ଦଳ ନେତା ଓ ମୁଖ୍ୟ ସଚେତକ, ପ୍ରଚାର କମିଟି ଅଧ୍ୟକ୍ଷ, ଇସ୍ତାହାର କମିଟି ମୁଖ୍ୟ କେହିବି ପଛୁଆବର୍ଗ କିମ୍ବା ଏସସି,ଏସଟି ନୁହଁନ୍ତି। ଅତୀତରେ ଏସସି,ଏସଟି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ତଳେ ପଡ଼ି ଆପତ୍ତି ଅଭିଯୋଗ କରିବା ପାଇଁ ବିଧାୟକ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ନେଇ ନରସିଂହ ମିଶ୍ର ଦଳୀୟ ଫୋରମରେ ମଧ୍ୟ ସ୍ୱୀକାର କରିସାରିଛନ୍ତି। ଦୀର୍ଘଦିନ ଧରି କଂଗ୍ରେସ ପଛୁଆ ସେଲ୍ ଅଧ୍ୟକ୍ଷଟିଏ ନିଯୁକ୍ତି କରିପାରିନାହିଁ। ଏକଦା ଅନୁସୂଚିତ ଜାତି ସେଲରେ ବୈଠକ ପାଇଁ କଂଗ୍ରେସ ଭବନରେ ସ୍ଥାନ ଦିଆଯାଇ ନ ଥିଲା। କୋରାପୁଟ ସାଂସଦ ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କ ସ୍ୱାର୍ଥ ଅପେକ୍ଷା କମ୍ପାନୀ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ପଶ୍ଚିମ ଓଡ଼ିଶାରେ ଏକାଧିକ ପ୍ରମୁଖ ନେତା ବେଦାନ୍ତ କମ୍ପାନୀ ପ୍ରତିନିଧି ଭାବେ ବ୍ୟବସ୍ଥା ମଧ୍ୟରେ କାମ କରୁଛନ୍ତି। ଓବିସି ପ୍ରସଙ୍ଗ ଗୁରୁତ୍ୱ ହ୍ରାସ କରିବାକୁ ଯାଇ ଜଣେ ବିଜେଡି ନେତାଙ୍କ ବହିଷ୍କାରକୁ ନେଇ ଅଧିକ ବ୍ୟସ୍ତ ହୋଇ ପଡୁଛନ୍ତି। ଜାତିଭିତ୍ତିକ ଜନଗଣନା, ରାଜ୍ୟରେ ମଣ୍ଡଳ କମିସନ ସୁପାରିଶ ଅନୁଯାୟୀ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ, ଉଚ୍ଚଶିକ୍ଷାରେ ଏସସି,ଏସଟିଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ଓ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ନେଇ ପିସିସି ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ତେଣୁ ଆଗାମୀ ଦିନରେ ଓଡ଼ିଶା କଂଗ୍ରେସ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରଦତ୍ତ ମାର୍ଗରେ ଯାଉଛି ନା ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।