କେଉଁ ଅଫିସରଙ୍କ କଥାରେ ରଜନୀକାନ୍ତ ସିଂଙ୍କୁ ଦେବାକୁ ପଡିଲା ଇସ୍ତଫା….

ଅନୁଗୋଳ : ଦୁଇ ଦିନ ତଳେ ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ଖବର ରାଜଧାନୀ ଭୁବନେଶ୍ୱର, ଅନୁଗୋଳ ଏବଂ ବଅଁରପାଳ ଚର୍ଚ୍ଚା ହେଉଥିଲା। ବୁଧବାର ମଧ୍ୟାହ୍ନରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଗଣମାଧ୍ୟମ ବାର୍ତ୍ତା ସବୁ କିଛି ସ୍ପଷ୍ଟ କରିଦେଲା। ଉପ ବାଚସ୍ପତି ରଜନୀକାନ୍ତ ସିଂ ନିଜ ପଦରୁ ଇସ୍ତଫା ଦେଇଥିବା ଶ୍ରୀମତା ମଲ୍ଲିକ ସୂଚନା ଦେଇଥିଲେ। ରଜନୀଙ୍କ ଇସ୍ତଫା ପରେ ସେ ସଂଗଠନରେ ସକ୍ରିୟ ହେବେ ବୋଲି କୁହାଯାଉଛି। ମାତ୍ର ତାଙ୍କୁ ଦଳର ଶୀର୍ଷ ନେତୃତ୍ୱ ନିକଟରୁ ଏକ ପ୍ରକାର ରାଜନୈତିକ ଦଣ୍ଡ ଦିଆଯାଇଥିବା ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

       ରଜନୀ ସାମ୍ବିଧାନିକ ପଦରେ ରହିଥିଲେ ବି ନିଜ ପୁତ୍ର ଏବଂ କିଛି ସମର୍ଥକଙ୍କୁ ନେଇ ରାଜନୀତି କରି ଆସୁଥିଲେ। ପଞ୍ଚାୟତ ନିର୍ବାଚନ ସମୟରେ ଅନୁଗୋଳରେ ନୂଆ ଛାମୁଆ ନେତୃତ୍ୱ ତିଆରି କରିବା ପାଇଁ ତୃତୀୟ ମହଲା ଚେଷ୍ଟା କରିଥିଲା। ଏହି କ୍ରମରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ଭାବେ ଏକ ନୂତନ ଚେହେରା ଦେବାକୁ ତୃତୀୟ ମହଲା ପ୍ରସ୍ତାବ ଦେଇଥିଲା। ମାତ୍ର ଏହାକୁ ରଜନୀ ଏଡାଇ ଦେଇଥିଲେ। ନିଜର ଜଣେ ଦୃଢ ସମର୍ଥକଙ୍କୁ ବ୍ଲକ ଅଧ୍ୟକ୍ଷ ଭାବେ ଅଭିଷିକ୍ତ କରିଥିଲେ। ଅନୁଗୋଳରେ ତାଙ୍କ ବ୍ୟତୀତ ବିଜେଡିର ଦ୍ୱିତୀୟ ଏଜେନ୍ସି ନାହିଁ ବୋଲି ଗୋଟିଏ ବାର୍ତ୍ତା ଦେଇଥିଲେ। ମାତ୍ର ପ୍ରଥମ ଥର ପାଇଁ ବନ୍ଦା ପଞ୍ଚାୟତ ସମିତି ସଭ୍ୟ ଗଡ଼ନାୟକ ବାବୁଙ୍କ ଜଣେ ସମ୍ପର୍କୀୟ ଏହି କଥା ତୃତୀୟ ମହଲାର ଜଣେ ପ୍ରଭାବଶାଳୀ ଅଧିକାରୀଙ୍କୁ କହିଥିଲେ। ଏହା ପରେ ରଜନୀଙ୍କୁ ସମସ୍ତଙ୍କୁ ନେଇ ଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ସେପରି ହୋଇ ନ ଥିଲା।

ଏହାକୁ ଦେଖି ତୃତୀୟ ମହଲା ପ୍ରଥମ ଥର ପାଇଁ ମହେଶ ଧଳ ନାମକ ଜଣେ ଉଦ୍ୟୋଗୀଙ୍କୁ ସକ୍ରିୟ ହେବାକୁ ଇସାରା କରିଥିଲା। ଶ୍ରୀ ଧଳ ମଧ୍ୟ ଗତ ବର୍ଷ ପ୍ରାରମ୍ଭରୁ ନିଜର ପୋଷ୍ଟର, ବ୍ୟାନର ମାରିବା, ବନ୍ଧୁ ମିଳନ କରିବା ଆଦି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତାଙ୍କୁ ଟିକେଟ୍ ମିଳିବ ବୋଲି କିଛି ପ୍ରତିଶ୍ରୁତି ଦିଆଯାଇନାହିଁ। ମାତ୍ର ଜଣେ ଅଫିସର ରାଜନୀତି ଶହେ ସମ୍ଭାବନା ତୀର୍ଥ କ୍ଷେତ୍ର ବୋଲି କହିଛନ୍ତି। ସେ ସିଏ ଏଥର ହେଲେ ଭଲ। ନ ହେଲେ ଆର ଥରକ ମୂଲଚାଲ ନ୍ୟାୟରେ ନିଜ ସକ୍ରିୟତା ଜାରି ରଖିଛନ୍ତି। ଅନୁଗୋଳ ଜିଲ୍ଲା ସଭାପତି ଥିବା ମହେନ୍ଦ୍ର ବସ୍ତିଆ ରଜନୀଙ୍କ ଏକାନ୍ତ ଅନୁଗତ ହୋଇଥିବାରୁ ତାଙ୍କୁ ବଦଳାଇବା ପାଇଁ ମଧ୍ୟ ବିଚାରବିମର୍ଶ କରାଯାଉଛି। ମାତ୍ର ଏନେଇ କୌଣସି ଠୋସ୍ ନିଷ୍ପତ୍ତି ନିଆଯାଇନାହିଁ।  ଜିଲ୍ଲାରୁ ଆଉ ଜଣେ ବରିଷ୍ଠ ବିଧାୟକଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ରଜନୀଙ୍କ ସମର୍ଥକ(ଦୁଇ ଯମଜ ଭାତୃଦ୍ୱୟ)ଙ୍କୁ ଦଳରୁ ନିଲମ୍ବନ କରା ଯାଇ ସାରିଛି।  ରଜନୀଙ୍କ ସମର୍ଥକ ଯଦି ବିଜେଡି ନେତୃତ୍ୱକୁ ଅକଳରେ ପକାନ୍ତି, ତେବେ କେଉଁ କେଉଁ ଦୁର୍ବଳତା ଆଧାରରେ ତାଙ୍କୁ ଘେରି ହେବ, ତାହା ମଧ୍ୟ ପ୍ରସ୍ତୁତ ରହିଥିବା ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *