ରାଜ୍ୟ କଂଗ୍ରେସର ବୌଦ୍ଧିକ ଦେବାଳିଆ ପଣ ଇଣ୍ଡିଆକୁ ଓଡ଼ିଶାରେ କରିଦେଇପାରେ ଦୁର୍ବଳ… ହେଲେ ଜନତାଙ୍କ ପାଖରେ ବିକଳ୍ପ ବିଚାର କ’ଣ….

ଭୁବନେଶ୍ୱର : ଜାତୀୟସ୍ତରରେ ବିରୋଧି ମାନେ ଇଣ୍ଡିଆ ମେଣ୍ଟରେ ଏକାଠି ହୋଇ କାର୍ଯ୍ୟ ଆରମ୍ଭ କରିସାରିଲେଣି। ଏହି କ୍ରମରେ ଓଡ଼ିଶାରେ କଂଗ୍ରେସ ଆବାହକତ୍ୱରେ ଦୁଇଥର ମେଣ୍ଟ ବୈଠକ ବସିସାରିଲାଣି। ଜାତୀୟସ୍ତର ବୈଠକରେ ପ୍ରତି ବୈଠକରେ ନୂଆ ନୂଆ ରାଜନୈତିକ ସୂଚୀ ଧିରେ ଧିରେ ସାମନାକୁ ଆସୁଛି। ହେଲେ ରାଜ୍ୟରେ ଥିବା ଇଣ୍ଡିଆ କାର୍ଯ୍ୟକ୍ରମ ବିଷୟରେ କୌଣସି ସୂଚନା ମିଳୁନାହିଁ। ଅପରପକ୍ଷରେ ଭଞ୍ଜ ଭୂମି ବାରିପଦାରେ ଅଣ ବିଜେପି-ଅଣ ବିଜେଡି ଦଳର ସାମାଜିକ ନ୍ୟାୟକୁ ନେଇ ମେଳି ଆଉ ଏକ ରାଜନୈତିକ ଦିଗର ସମ୍ଭାବନା ସୃଷ୍ଟି କରିଛି। ଯାହାକୁ ନେଇ ସବୁ ପ୍ରମୁଖ ଦଳରେ ସାମାନ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ରାଜ୍ୟରେ ହୋଇଥିବା ଇଣ୍ଡିଆ ବୈଠକରେ ପ୍ରାୟ ସତରଟି ଦଳ ସାମିଲ ହୋଇଥିଲେ। ହେଲେ କାର୍ଯ୍ୟସୂଚୀ ନେଇ କୌଣସି ଆଭିମୁଖ୍ୟ ସ୍ପଷ୍ଟ କରି ନ ଥିଲେ। ହେଲେ ବାରିପଦାରେ ହୋଇଥିବା ବୈଠକରେ ସାମାଜିକ ନ୍ୟାୟ, ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ଜନଜୀବନର ଚିତ୍ରକୁ ନେଇ ଯେଉଁ ଆଲୋଚନା ହେଲା, ତାହା କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆରେ ଦେଖାଦେଇ ନାହିଁ। ବାରିପଦା ବୈଠକ ପରେ ଜାତୀୟ ରାଜନୀତିକୁ ପ୍ରଦେଶ କଂଗ୍ରେସ ବୁଝି ପାରୁ ନ ଥିବା ଅନେକେ ମତ ଦେଇଛନ୍ତି।

ବାରିପଦା ବୈଠକ ସାମାଜିକ ନ୍ୟାୟ ଅଭିଯାନ, ମୟୂରଭଞ୍ଜ ଶାଖା ଏବଂ ରାଜ୍ୟ କମିଟି ଦ୍ୱାରା କରାଯାଇଥିଲା। ସପ୍ତାହକ ପୂର୍ବରୁ ମିଟିଂର ଉଦ୍ଦେଶ୍ୟ ନେଇ ପ୍ରଚାର ଗାଡ଼ି ବୁଲିଥିଲା। ବହୁଜନ ବର୍ଗ ପାଇଁ ସବୁବେଳେ ସ୍ୱର ଉତ୍ତୋଳନ କରୁଥିବା ଅକ୍ଷୟ ମଲ୍ଲିକ ଏହାର ପରିଚାଳନା କରୁଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି- ଏହି ବୈଠକରେ ମମତା ବାନାର୍ଜୀଙ୍କ ଦଳର ନେତା ତଥା ମନ୍ତ୍ରୀ ଶ୍ରୀକାନ୍ତ ମହୋତୋ, ନୀତିଶ କୁମାରଙ୍କ ଦଳ ଜେଡିୟୁର ସାଂସଦ ଗିରିଧାରୀ ଯାଦବ ଏବଂ ଲାଲୁ ଯାଦବଙ୍କ ଦଳ ଦେବେନ୍ଦ୍ର ଯାଦବ(ପୂର୍ବତନ କେନ୍ଦ୍ର ମନ୍ତ୍ରୀ) ଯୋଗ ଦେଇଥିଲେ। ମୟୂରଭଞ୍ଜର ମହନ୍ତ ସମାଜ ଓ ଅନ୍ୟ ଆଦିବାସୀ ବର୍ଗରଲୋକମାନେ ଏହି ସଭାରେ ଉପସ୍ଥିତ ରହିଥିଲେ। ଜେଏମଏମ୍ , ସିପିଆଇଏମଏଲ, ସିପିଏମ୍ ମଧ୍ୟ ରହିଥିଲେ। ୟୁପିରେ ଏସପି-ବିଏସପି ଅଲଗା ଅଛନ୍ତି। ମାତ୍ର ଓଡ଼ିଶାରେ ସପା-ବସପାର ରାଜ୍ୟ ସଭାପତି ଉଭୟଙ୍କୁ ଦେଖିବାକୁ ମିଳିଥିଲା।

ଏହି ବୈଠକରେ ରାଜ୍ୟର ବହୁଜନ ବର୍ଗର ସ୍ୱାର୍ଥକୁ ନେଇ ଆଲୋଚନା କରାଯାଇଥିଲା। ବହୁଜନ ବର୍ଗରେ ୨୨ ପ୍ରତିଶତ ଆଦିବାସୀ, ୧୬ ପ୍ରତିଶତ ଦଳିତ, ୪ପ୍ରତିଶତ ସଂଖ୍ୟାଲଘୁ ଏବଂ ୫୪ ପ୍ରତିଶତ ପଛୁଆବର୍ଗ ଆସୁଛନ୍ତି। ଏହି ବର୍ଗକୁ କିପରି ଭାବେ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ, ଉଚ୍ଚଶିକ୍ଷା ସଂରକ୍ଷଣରୁ ବଂଚିତ କରାଯାଇଛି। ତାହାକୁ ଅତି ଉତ୍ତମ ଭାବେ ବୁଝାଇ ଦେଇଥିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଆଉ ତା ସହିତ କହିଥିଲେ ଓଡ଼ିଶାଖଣିଜ ସମ୍ପଦର ଲୁଟ୍ କଥା। ରାଜ୍ୟର ହାତଗଣତି ପରିବାର ଏବଂ ଗଣ୍ଡେ କର୍ପୋରେଟଙ୍କ ରତ୍ନଭଣ୍ଡାର ଲୁଟ୍ କାହାଣୀର ଟ୍ରେଲର ରଖିଥିଲେ ଶ୍ରୀକାନ୍ତ। ବିଶ୍ୱ ଓ ଜାତୀୟ ଅର୍ଥନୀତି କିପରି କ୍ରୋନି କ୍ୟାପିଟାଲିଜିମର ଶୀକାର ହୋଇଛି ତାହା କହିଥିଲେ ସିପିଆଇଏମଏଲ ନେତା ରାଧାକାନ୍ତ ସେଠୀ। ଏହି ବୈଠକର ସ୍ପଷ୍ଟ ଉଦ୍ଦେଶ୍ୟ ରହିଥିଲା । ହେଲେ କଂଗ୍ରେସ ଇଣ୍ଡିଆର ଉଦ୍ଦେଶ୍ୟ କଣ ତାହା ସହଯୋଗୀ ଦଳକୁ ଅଜଣା। ତେଣୁ ବିଜେଡି-ବିଜେପିକୁ କେଉଁ ମେଣ୍ଟ ପ୍ରକୃତରେ ମୁକାବିଲା କରିପାରିବାର ନୈତିକତା ରଖେ, ତାହା ଆସନ୍ତା ଜୟ ପ୍ରକାଶ ଜୟନ୍ତୀ ପୂର୍ବରୁ ସ୍ପଷ୍ଟ ହେବାକୁ ଯାଉଛି।
