ପାଲଲହଡାରୁ ପ୍ରତିଥର ହୁଏ ପ୍ରାର୍ଥୀ ବଦଳ, ତେବେ ବିଜେଡିରୁ ଟିକେଟ୍ ପାଇବ କିଏ ?

ଅନୁଗୋଳ : ଅନୁଗୋଳ ଜିଲ୍ଲାର ତଥା ଢେଙ୍କାନାଳ ଲୋକସଭା ଅଧିନରେ ପାଲଲହଡ଼ା ବିଧାନସଭା ଆସନ ଆସୁଛି। ଏହା କ୍ରମିକ ସଂଖ୍ୟା ହେଉଛି ୫୯ । ବିଜେଡ଼ି ବିଜେପି ମେଣ୍ଟ ଥିବା ବେଳେ ଏହା ବିଜେପି ଭାଗରେ ରହିଥିଲା । ଆଜିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୦୦ମସିହାରୁ ଏହି ପାଲଲହଡାରୁ ବିଧାୟକ ନିର୍ବାଚିତ ହୋଇ ରାଜନୀତି ଆରମ୍ଭ କରିଥିଲେ । ମାତ୍ର ୨୦୦୪ ମସିହାରେ ମେଣ୍ଟ ପ୍ରାର୍ଥୀ ଭାବରେ ଡ ଦେବେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀ ତଥା ଆଜିର ପରଜଙ୍ଗ ବିଧାୟକ ଡ ନୃସିଂହ ସାହୁଙ୍କ ଠାରୁ ପରାଜିତ ହୋଇଥିଲେ । ସେବେଠାରୁ ଦେବେନ୍ଦ୍ର ବାବୁ ରାଜନୀତିରୁ ଏକ ପ୍ରକାର ସନ୍ୟାସ ନେଇଥିବା କହିଲେ ଚଳେ।
ହେଲେ ମେଣ୍ଟ ଭାଙ୍ଗିବା ପରେ୨୦୦୯ ରୁ ଆଜି ଯାଏ ଅନୁଷ୍ଠିତ ତିନୋଟି ନିର୍ବାଚନରେ ବିଜେଡି ବାଜିମାତ କରିଛି । ଗୋଟିଏ ସଂଯୋଗର କଥା ହେଉଛି ପ୍ରତିଥର ବିଜେଡ଼ି ନୂତନ ପ୍ରାର୍ଥୀ ମଇଦାନକୁ ଦେଇଥାଏ । ୨୦୦୯ରେ ରବି ନାରାୟଣ ପାଣି ବିଜେଡି ପ୍ରାର୍ଥୀ ହୋଇଥିଲା ବେଳେ ୨୦୧୪ ମହେଶ ସାହୁ ଏବଂ ୨୦୧୯ ରେ ମୁକେଶ ପାଳଙ୍କୁ ବିଜେଡି ପ୍ରାର୍ଥୀ କରି ସଫଳ ହୋଇଛି । ଏବେଠୁ ଚର୍ଚ୍ଚା ହେଲାଣି ଯେ ଆଗାମୀ୨୦୨୪ ରେ ବିଜେଡି ତାହାର ନୀତି ଅର୍ଥାତ ପ୍ରାର୍ଥୀ ବଦଳାଇ ପାରେ । ଯଦି ପ୍ରାର୍ଥୀ ବଦଳାଇବ ତେବେ କିଏ ? ଯାହା ଏବେ ଶାସକ ଦଳ ଶିବିରରେ ଚର୍ଚ୍ଚାର କାରଣ ହୋଇଛି। ଏବେଠୁ ବର୍ତ୍ତମାନ ବିଧାୟକଙ୍କୁ କଡା ଟକ୍କର ଦେଉଛନ୍ତି ଟାମଡା ତଥା ରାଜ୍ୟ ଖାଦ୍ୟନିଗମ ଅଧ୍ୟକ୍ଷ ଅଵନୀ ସାହୁ । ସେ ପାଲଲହଡ଼ାରେ ବିଜେଡି ସଂଗଟନ କରିଚାଲିଛନ୍ତି । ତାଙ୍କ ସମର୍ଥକ ସେ ଏଥର ସୁଯୋଗ ପାଇବେ ବୋଲି ଦୃଢ ନିଶ୍ଚିନ୍ତ ହୋଇ କହିବୁଲିଲେଣି । ପ୍ରତିଥର ଏଠୁ ପ୍ରାର୍ଥୀ ବଦଳି ହେବା ନଜିର ରହିଛି। ବିଧାୟକ ପରବର୍ତ୍ତୀ ନିର୍ବାଚନରେ ଟିକେଟ ପାଇ ନାହାଁନ୍ତି ।ଏ ନୀତି ଏଥର ବି ଲାଗୁ ହେବ ଏ ପ୍ରକାରର କଥାରେ ବିଶ୍ୱାସୀ ଅଵନୀ ସାହୁଙ୍କ ସମର୍ଥକ ।
ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ପାଲଲହଡାରୁ ପ୍ରାର୍ଥୀ କରି ପାରେ ବିଜେଡି ।ଏହା ଦ୍ୱାରା ଅଵନୀ ସାହୁ ଓ ବିଧାୟକ ମୁକେଶ ପାଳ ଗୋଷ୍ଠୀଙ୍କ ମଧ୍ୟରେ ଥିବା ବିବାଦ ଦୂର କରାଯାଇପାରିବ ବୋଲି ଅନେକଙ୍କ ମତ ରଖିଛନ୍ତି । ନିକଟରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ପାଲଲହଡା ନିର୍ବାଚନ ମଣ୍ଡଳୀର ଦୁଇ ନେତା ଯେଉଁ ମାନେ ଜିଲ୍ଲା ସଙ୍ଗଠନ ପଦପଦବୀରେ ଥିଲେ ତାଙ୍କୁ ନିଲମ୍ବନ କରାଯାଇଛି । ତେଣୁ ଅଵନୀଙ୍କ ପାଇଁ ସୁଯୋଗ କମ୍ ବୋଲି ମଧ୍ୟ ଏକ ଧାରଣା ହୋଇଛି। ବ୍ରଜ ପ୍ରଧାନଙ୍କୁ ପାଲଲହଡାରେ ଛିଡା କରାଇ ତାଳଚେରରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପିକୁ ଉଭୟ ତାଳଚେର ଓ ପାଲଲହଡାରେ ଚକମା ଦେବା ଲକ୍ଷ୍ୟରେ ରହିଛି ଶାସକ ଦଳ ।ଏପରି ହେଲେ ବ୍ରଜ ପ୍ରଧାନ ପାଲଲହଡାରେ ଜିତିବା ସହଜ ହେବ ଏବଂ ବିଧାୟକ ପାଳ ଓ ଟାମଡା ଅଧ୍ୟକ୍ଷ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ମଧ୍ୟ ସମାଧାନ ହୋଇପାରିବ । ଆଉ କିଛି କହୁଛନ୍ତି ଏଥର ବିଜେଡି ପୁରୁଣା ପରମ୍ପରା ଭାଙ୍ଗି ବିଧାୟକ ପ୍ରାର୍ଥୀଙ୍କୁ ପୁଣି ସୁଯୋଗ ଦେବ। ତେଣୁ ସମୟ କହିବ, କାହା ସମର୍ଥକ ନିଶ୍ଚିତ ଥିଲେ। ଆଉ କାହା ସମର୍ଥକ ଗାଲୁ କରୁଥିଲେ।