ନିଲମ୍ବନ ଉଠିଲା ପରେ ଭକୁଆ ହେବେନି ତ ଚିରଞ୍ଜୀବ ଓ ମୋକ୍କିମ୍….

ଭୁବନେଶ୍ୱର : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି। ଗତ ମାସରେ ନୂଆ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେଇ ସାରିଥିଲେ। କୁମାର ମଧ୍ୟ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ରହିଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ ଗସ୍ତ ପୂର୍ବରୁ ଅଜୟ କୁମାର ଦୀର୍ଘଦିନ ଓଡ଼ିଶାରେ ରହିବେ। ଏହି ସମୟରେ ନିଲମ୍ବିତ ହୋଇଥିବା ଏକାଧିକ ନେତାଙ୍କ ଉପରୁ ନିଲମ୍ବନ ହଟିବ ବୋଲି ଆଲୋଚନା ହେଉଛି। ଏହା ମଧ୍ୟରେ ଦୁଇ ନେତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୁଇଜଣ ହେଉଛନ୍ତି- ଚିରଞ୍ଜିବୀ ବିଶ୍ୱାଳ ଓ ମହମ୍ମଦ ମୋକ୍କିମ। ଶ୍ରୀ ବିଶ୍ୱାଳ ପୂର୍ବରୁ ବିଧାୟକ ଏବଂ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଇ ସାରିଛନ୍ତି। ସେହିପରି ମୋକ୍କିମ ପିସିସି କୋଷାଧ୍ୟକ୍ଷ ଦାୟିତ୍ୱ ତୁଲାଇବା ସହ ବିଧାୟକ ମଧ୍ୟ ରହିଛନ୍ତି। ଏହି ଦୁଇ ଜଣ ମଧ୍ୟ ନିଜ ଆଡୁ ନିଲମ୍ବନ ଉଠିବା ପାଇଁ ପରୋକ୍ଷ ପ୍ରୟାସ କରିଥିବା ସୂଚନା ମିଳୁଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ନିଲମ୍ବନ ଉଠିବା ନେଇ ଘୋଷଣା ହୋଇପାରେ। ମାତ୍ର ନିଲମ୍ବନ ଉଠିଗଲେ , ଏହି ଦୁଇ ନେତା ନିଜର ପୂର୍ବ ଗୁରୁତ୍ୱ ହରାଇବେ ବୋଲି ଜଣେ ପୂର୍ବତନ ପିସିସି ସଭାପତି କହିଛନ୍ତି। ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ, ପିସିସି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ କମିଟି ଗଠନ କରିସାରିଛି। ସେହିପରି ଲୋକସଭା ଏବଂ ବିଧାନସଭା ପ୍ରଭାରୀ ମଧ୍ୟ ଘୋଷଣା ସରିଛି। ଯେଉଁ କମିଟି ସବୁ ବାକି ରହିଥିଲା। ତାହା ମଧ୍ୟ ପିସିସି ପକ୍ଷରୁ ସୁପାରିସ୍ କରାଯାଇଛି। କିଛିଦିନ ମଧ୍ୟରେ ଏହା ଅନୁମୋଦିତ ହେବ। ପ୍ରଶ୍ନ ଉଠେ ଶ୍ରୀ ବିଶ୍ୱାଳ ଏବଂ ବିଧାୟକ ମୋକ୍କିମଙ୍କୁ ଏହି ସବୁ କମିଟିରେ ସ୍ଥାନ ମିଳିବ କି ନାହିଁ। ନିଲମ୍ବନ ଥିବା ସମୟରେ ସେମାନଙ୍କ ନିର୍ବାଚନମଣ୍ଡଳୀ ଏବଂ ପ୍ରଭାବ ଥିବା ଜିଲ୍ଲା ସମ୍ପର୍କିତ ନିଷ୍ପତ୍ତି ଦ୍ୱାରା ତାଙ୍କୁ ଦୁର୍ବଳ କରି ଦିଆ ଯାଇ ନାହିଁ ତ। ଏହି ଦୁଇ ଜଣ ଫେରିଲେ କେବଳ ଟିକେଟ୍ ଖଣ୍ଡ ପାଇଁ ସନ୍ତୁଷ୍ଟି ରହିବାକୁ ପଡେ ବୋଲି ସେହି ବରିଷ୍ଠ କଂଗ୍ରେସ ନେତା ଜଣଙ୍କ କହିଛନ୍ତି।

ଭଦ୍ରକ ଜିଲ୍ଲାରୁ ଆସୁଥିବା ଜଣେ ବରିଷ୍ଠ ଅନୁସୂଚିତ ଜାତି ବର୍ଗର ନେତା କୁହନ୍ତି ଯେ, ଚିରଞ୍ଜୀବ ବିଶ୍ୱାଳଙ୍କ ପ୍ରଭାବ ଜଗତସିଂହପୁର ଜିଲ୍ଲା ଉପରେ ରହିଛି। ଅନ୍ୟ କିଛା ସ୍ଥାନରେ ସେମାନଙ୍କ ସମର୍ଥକ ରହିଛନ୍ତି। ଜଗତସିଂହପୁର ଲୋକସଭା, ଜଗତସିଂହପୁର ଓ ତିର୍ତ୍ତୋଲ ବିଧାନସଭା ବିଶ୍ୱାଳ ପରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସେହିପରି ମୋକ୍କିମ ଆଗାମୀ ଦିନରେ ରାଜ୍ୟ ନେତୃତ୍ୱ ନେବା ପାଇଁ ଆକାଂକ୍ଷା ରଖୁଥିଲେ। ତେଣୁ ତାଙ୍କୁ ନିଲମ୍ବନ କରିବା ପଛରେ ନିରଞ୍ଜନ ପଟ୍ଟନାୟକଙ୍କ ପରୋକ୍ଷ ହାତ ରହିଛି। ଏହି ଦୁଇ ନେତାଙ୍କ ନିଲମ୍ବନ ପରେ କମିଟି ଗଠନ କରି ଏକ ମାଷ୍ଟ୍ରରଷ୍ଟୋକ୍ ଖେଳାଯାଇଛି। ପିସିସିର ସବୁ କମିଟିରେ ନିରଞ୍ଜନଙ୍କ ଗୋଷ୍ଠୀର ସର୍ବାଧିକ ଲୋକ ରହିଛନ୍ତି। ଯେଉଁମାନେ ଆଗାମୀ ଦିନରେ ତାଙ୍କ ପୁତ୍ର ନବଜ୍ୟୋତି ପଟ୍ଟନାୟକଙ୍କ ଟିମ୍ ମେମ୍ବର ହୋଇ କାର୍ଯ୍ୟ କରିବେ। ଆସନ୍ତା ସାଧାରଣ ନିର୍ବାଚନ ପରେ ମୋକ୍କିମ ଏବଂ ଚିରଞ୍ଜୀବ ଗୌଣ ହୋଇଯିବେ। ତେଣୁ ମୋକ୍କିମ ଏବଂ ଚିରଞ୍ଜୀବଙ୍କ ଯେଉଁ କ୍ଷତି କରିବାକୁ ଯୋଜନା କରାଯାଇଥିଲା, ତାହା ସଫଳ ହୋଇଥିବା ସେହି ଭଦ୍ରକ ନେତା ଜଣଙ୍କ କହିଛନ୍ତି।

ଏହି ସବୁ ପ୍ରସଙ୍ଗରେ ଏଆଇସିସି କଣ କିଛି ଜାଣୁନି ବୋଲି ଆମେ ପ୍ରଶ୍ନ କରିଥିଲୁ। ଦିଲ୍ଲୀ କଂଗ୍ରେସ ରାଜନୀତିକୁ ଅତି ପାଖରୁ ଦେଖିଥିବା ଜଣେ ଉପକୂଳ ଓଡ଼ିଶାର ଯୁବ ନେତା କୁହନ୍ତି ଯେ, ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ଓଡ଼ିଶା ମାମଲାରେ କେସି ବେଣୁଗୋପାଳଙ୍କ ଉପରେ ନିର୍ଭରଶୀଳ। କେସି ବେଣୁ ଗୋପାଳ ସମ୍ପୂର୍ଣ୍ଣ ଭାବେ ପୂର୍ବତନ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପରେ ନିର୍ଭରଶୀଳ। ଜିତେନ୍ଦ୍ର ସିଂ ଦିଲ୍ଲୀ କଂଗ୍ରେସ ରାଜନୀତିରେ ନିରଞ୍ଜନଙ୍କ ସାନ ଭାଇ ଭଳି କାମ କରନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଜିତେନ୍ଦ୍ରଙ୍କୁ ବହୁତ ବିଶ୍ୱାସକୁ ନିଅନ୍ତି। ନିରଞ୍ଜନ-ଜିତେନ୍ଦ୍ର ସିଂ-ନବଜ୍ୟୋତିଙ୍କ ମିଳନର ଟ୍ରେଲର ଓ ସିନେମା ଗତ ନିର୍ବାଚନରେ ଦେଖାଯାଇଛି। ତେଣୁ କିଛି ପରିବର୍ତ୍ତନ ହେବାର ନାହିଁ। କଂଗ୍ରେସ ସଙ୍ଗଠନକୁ ନବଜ୍ୟୋତିଙ୍କ ପାରିଷଦ ପାଇଁ ପ୍ରସ୍ତୁତ କରାଯାଉଥିବା ସେହି ଯୁବ ନେତା ଜଣଙ୍କ କହିଛନ୍ତି।