କାହିଁକି ଲୋଡା ପଡିଲେ ସଞ୍ଜୟ, କେଉଁ ତିନି ଅଫିସର ସଞ୍ଜୟଙ୍କ ସପକ୍ଷରେ ବାଢିଥିଲେ ଯୁକ୍ତି….

ଭୁବନେଶ୍ୱର : ଦୀର୍ଘଦିନର ବ୍ୟବଧାନ ପରେ ବିଜେଡି ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ତୃତୀୟ ମହଲା ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମାଙ୍କୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରିଛି। ଏହା କୌଣସି ବଡ଼ ଦାୟିତ୍ୱ ନ ହେଲେ ବି ସାମ୍ପ୍ରତିକ ସ୍ଥିତିରେ ଯଥେଷ୍ଟ ରାଜନୈତିକ ଗୁରୁତ୍ୱ ମନେ କରୁଛି। ବିଜେପି ସଭାପତି ମନମୋହନ ସାମଲ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସକ୍ରିୟ ଥିବା ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ବହୁ ଆଲୋଚନା ପରେ ଉଭୟ ବିଜେଡି ଶୀର୍ଷ କ୍ଷମତା କେନ୍ଦ୍ର ଏବଂ ତୃତୀୟ ମହଲା ଶ୍ରୀ ଦାସବର୍ମାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। ଦାୟିତ୍ୱ ଦେବା ପୂର୍ବରୁ ବିଭିନ୍ନ ସମୟରେ ସଞ୍ଜୟଙ୍କ ସହ ଏକାଧିକ ଥର ଆଲୋଚନା ହୋଇଥିବା ସୂତ୍ରରୁ ପ୍ରକାଶ।
ଭଦ୍ରକ ରାଜନୀତିର ଗୋଳିଆ ସ୍ଥିତିରୁ ବିଜେପି ରାଜନୈତିକ ଫାଇଦା ଯେପରି ନ ଉଠାଇବ, ସେଥିପ୍ରତି ଧ୍ୟାନ ଦିଆଯାଇଛି। ଚାନ୍ଦବାଲିରୁ ମନମୋହନ ସାମଲ ଲଢିବାକୁ ଥିବା ବେଳେ ଭଣ୍ଡାରୀପୋଖରୀରୁ ବର୍ଷିୟାନ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢିବେ। ବିଦ୍ରୋହୀ ବିଜେଡି ପ୍ରାର୍ଥୀ ରାଜୁ ଦାସ ବିଜେପି ଯାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ମୁକ୍ତିକାନ୍ତ ମଣ୍ଡଳ ଏବଂ ସୂର୍ଯ୍ୟବଂଶୀ ସୂରଜ ଗୁପ୍ତ ବୁଝାମାଣା ବିଜେଡି ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କେତେକ ସମୀକ୍ଷକ ମତ ଦେଇଛନ୍ତି। ଭଦ୍ରକରେ ଅସିତ ପଟ୍ଟନାୟକ ଏବଂ ବାସୁଦେବପୁରରେ ବାଣୀକଲ୍ୟାଣ ଗୋଷ୍ଠୀ ସକ୍ରିୟ ରହିଛନ୍ତି। ତେଣୁ ଏହି ଦୁଇ ନିର୍ବାଚନମଣ୍ଡଲୀରେ ଅସନ୍ତୋଷକୁ ପ୍ରଶମିତ କରିବା ଆବଶ୍ୟକ। ତେଣୁ ନିର୍ବାଚନର ଯଥେଷ୍ଟ ପୂର୍ବରୁ ବିଜେଡିର ଶୀର୍ଷ ନେତୃତ୍ୱ ସଞ୍ଜୟଙ୍କୁ ନେଇ ପରୀକ୍ଷା କରିବାକୁ ଚାହୁଁଛି। ଅନୁରୂପ ଭାବେ ଭଦ୍ରକ ଲୋକସଭାରେ ବିଜେଡି ପ୍ରାର୍ଥୀ-ବିଜେପି ପ୍ରାର୍ଥୀ ବ୍ୟବଧାନର ତିରିଶ ହଜାରରୁ ସାମାନ୍ୟ କମ୍ ରହିଛି। ବିଜେପିର ଭୋଟ ପ୍ରତିଶତ ପୂର୍ବାପେକ୍ଷା ଲୋକସଭାରେ କୋଡିଏ ପ୍ରତିଶତ ଅଧିକ ରହିଛି। ବିଜେଡିର ଭୋଟ ପ୍ରତିଶତ ପାଞ୍ଚ ପ୍ରତିଶତ ବୃଦ୍ଧି ପାଇଛି। କଂଗ୍ରେସ ଭୋଟର ଏକ ବୃହତ ଅଂଶ ସିଧାସଳଖ ବିଜେପିକୁ ଯାଉଛି। ମୁସଲମାନଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାରେ ବିଜେପି ପାଇଁ ସାମ୍ପ୍ରଦାୟିକତା ରାଜନୀତି କରିବାର ଏକ ସୁଯୋଗ ରହୁଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ରାଜ୍ୟ ତଥା ବିଜେଡ଼ି ନେତୃତ୍ୱକୁ ବଦନାମ କରିପାରେ । ତେଣୁ ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ଭାବେ ଦକ୍ଷ ଥିବା ସଞ୍ଜୟଙ୍କୁ ଏକ ସୁଯୋଗ ପ୍ରଦାନ କରାଯାଇଛି। ବିଗତ ଦଶନ୍ଧିରେ ଧାମନଗର ଉପନିର୍ବାଚନରେ ହିଁ ବିଜେଡି ପରାଜିତ ହୋଇଥିଲା। ଯାହା ବିଜେଡି ନିର୍ବାଚନୀ ବିଫଳତାର ଏକ ନମୁନା ଭାବେ ଗଣାଯାଉଛି। ତେଣୁ ବିଜେଡିର ଜଣେ ଲୋକସଭା ସାଂସଦ, ବିଜେଡିର ଅନ୍ୟ କେତେକ ନେତା ସଞ୍ଜୟ ଦାସବର୍ମାଙ୍କୁ କୋଣଠେସା କରାଯାଉଥିବା ଏକ ବାର୍ତ୍ତା ପ୍ରଦାନ କରୁଥିଲେ। ଜଣେ ଅନ୍ୟ ଦଳର ବ୍ୟକ୍ତିଙ୍କୁ ତାଙ୍କ ସ୍ଥାନରେ ପ୍ରାର୍ଥୀ କରାଯିବ ବୋଲି ବ୍ରହ୍ମଗିରୀରେ ବାର୍ତ୍ତା ଦେଇଥିଲେ। ମାତ୍ର ଜନସମ୍ପର୍କ ପଦଯାତ୍ରା ଏବଂ ସରକାରୀ କାର୍ଯ୍ୟକ୍ରମରେ ସଞ୍ଜୟଙ୍କ ଜନ ସମର୍ଥନ ଗୁଇନ୍ଦା ଏବଂ ତୃତୀୟ ମହଲାର ମତ ପରିବର୍ତ୍ତନ କରିଥିବା ଜଣାପଡିଛି।
ସଞ୍ଜୟଙ୍କୁ ଏହା ଦାୟିତ୍ୱ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଇ ସପ୍ତାହ ତଳେ ବ୍ୟକ୍ତିଗତ ଭାବେ ଭେଟିଥିଲେ। ସିଏମଓର ସବୁଠୁ ପ୍ରଭାବଶୀଳୀ ଆଇପିଏସ୍ , ଗୁଇନ୍ଦା ବିଭାଗର ଜଣେ ଆଇପିଏସ୍ ଏବଂ ପୁରୀ ଜିଲ୍ଲାର ଜଣେ ପୂର୍ବତନ ଏସପି ତୃତୀୟ ମହଲାକୁ ସଞ୍ଜୟଙ୍କ ସପକ୍ଷରେ ମତ ଦେଇଥିଲେ। ଜଣେ ରାଜ୍ୟସଭା ସାଂସଦ ଶୀର୍ଷ ନେତୃତ୍ୱ ଏବଂ ସଞ୍ଜୟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ଆସୁଥିଲେ।
One thought on “କାହିଁକି ଲୋଡା ପଡିଲେ ସଞ୍ଜୟ, କେଉଁ ତିନି ଅଫିସର ସଞ୍ଜୟଙ୍କ ସପକ୍ଷରେ ବାଢିଥିଲେ ଯୁକ୍ତି….”