ମନେ ରହିବେ ସ୍ୱାମୀନାଥନ୍, ଭାରତୀୟ କୃଷିକୁ ଦେଇଥିଲେ ପ୍ରଭାବୀ ଦିଗଦର୍ଶନ

ଚିକିତ୍ସା ବିଜ୍ଞାନ ବହୁଳ ପ୍ରଚାର ପ୍ରସାର ପରେ ଜନସଂଖ୍ୟା ବୃଦ୍ଧି ପାଇଥିଲା। ମାତ୍ର ବହୁ କାଳ ଧରି ଜନସଂଖ୍ୟା ଅଭିବୃଦ୍ଧି ନେଇ ସମଗ୍ର  ବିଶ୍ୱ ବିଶେଷ ଉଦବେଗ୍ ପ୍ରକାଶ କରି ନଥିଲା । ହେଲେ ଅଷ୍ଟଦଶ ଶତାବ୍ଦୀରେ ପ୍ରଥମେ ଜନସଂଖ୍ୟା ବୃଦ୍ଧି ପଶ୍ଚିମ ଜଗତରେ ଚର୍ଚ୍ଚାର ବିଷୟ ହେଲା । ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ରପାତିର ଉଦ୍ଭାବନ ଯୋଗୁଁ ଶିଳ୍ପ ବିପ୍ଳବ ହଠାତ ଜନସଂଖ୍ୟା ବୃଦ୍ଧି ହାରକୁ ବଢ଼େଇ ଦେଲା । ତେଣୁ ପଶ୍ଚିମ ଦୁନିଆର ସମାଜ ବିଜ୍ଞାନୀମାନେ ଚିନ୍ତା ବ୍ୟକ୍ତ କରି ବିଭିନ୍ନ ତତ୍ତ୍ୱ ଠିଆକଲେ । ଇଂରେଜ ଅର୍ଥନୀତିଜ୍ଞ ଥୋମାସ ରବର୍ଟ ମାଲଥୟୁସ ଗୋଟିଏ ତତ୍ତ୍ୱ ଠିଆକଲେ ।

୧୭୭୮ ରେ ତାଙ୍କର ବହୁଚର୍ଚିତ  ଅର୍ଥନୈତିକ ଦସ୍ତାବିଜ  “Theory of population ” ପ୍ରକାଶ କଲେ ।  ଏହି ତତ୍ତ୍ୱର ମୂଳକଥା ଥିଲା ପୁରୁଷ ଓ ମହିଳା ଯୌନତୃଷ୍ଣା ପରସ୍ପରକୁ ଏତେ ଆକର୍ଷିତ କରୁଛି ଯେ ଜନସଂଖ୍ୟା ବୃଦ୍ଧି ପ୍ରତି ୨୫ ବର୍ଷରେ ଦ୍ୱିଗୁଣିତ ହେଇ ଖାଦ୍ୟ ସଙ୍କଟ ସୃଷ୍ଟି କରିବ । ଜନସଂଖ୍ୟା ଜ୍ୟାମିତିକ ହାରରେ ବଢ଼ୁଥିଲା ବେଳେ ଖାଦ୍ୟ ଉତ୍ପାଦନ ପାଟି ଗଣିତ ହାରରେ ବୃଦ୍ଧି ପାଉଛି । ଏହାର ସମାଧାନ ସୂତ୍ର ଭାବେ ସେ ଯୁଦ୍ଧ, ପ୍ରକୃତିକ ବିପର୍ଯ୍ୟୟ ଭଳି ନରସଂହାର ଘଟଣାବଳୀକୁ ଅପରିହାର୍ଯ୍ୟ ବୋଲି କହିଲେ ।

ଉନବିଂଶ ଶତାବ୍ଦୀର ମହାନ ସମାଜବିଜ୍ଞାନୀ ଓ ବୈଜ୍ଞାନିକ ସମାଜବାଦୀ ଦର୍ଶନର ଜନକ କାର୍ଲ ମାର୍କ୍ସ ଏହି ତତ୍ତ୍ୱକୁ ଖଣ୍ଡନ କରି ତତ୍ତ୍ୱ ରଖିଥିଲେ । ସେ ପୁଞ୍ଜିବାଦୀ ଅର୍ଥନୀତିକୁ ସମାଲୋଚନା କରି ଜନସଂଖ୍ୟା ବୃଦ୍ଧିର ଭିନ୍ନ ଚିନ୍ତନ ରଖିଥିଲେ । ସେ କହିଥିଲେ, ଏହି ସବୁ ସାମାଜିକ ସଙ୍କଟ ପାଇଁ ଗରୀବ  ମେହନତି ମଣିଷ ଦାୟି ନୁହଁନ୍ତି, ଶୋଷଣ ମୂଳକ ପୁଞ୍ଜିବାଦୀ ଅର୍ଥନୈତିକ ବ୍ୟବସ୍ଥା ଦାୟୀ । ବ୍ରିଟିଶ ଉପନିବେଶ କାଳରେ 1946ର ବେଙ୍ଗଲ ଦୁର୍ଭିକ୍ଷ ଓ 1960 ଦଶକର ଭାରତର ଉତ୍କଟ ଖାଦ୍ୟ ସଙ୍କଟ ଦେଖି ପୁଣି ପଶ୍ଚିମ ଦେଶରେ ମାଲଥୟୁସଙ୍କ ସେଇ ଜନସଂଖ୍ୟା ଭୂତ ଚର୍ଚ୍ଚାର ଵିଷୟ ହେଲା । ଅନେକ ପୁସ୍ତକ ପ୍ରକାଶ ହେଇଥିଲା । ବିଶିଷ୍ଟ ଆମେରିକୀୟ ଜନସଂଖ୍ୟା ବିଶେଷଜ୍ଞ ତଥା ଜୀଵତତ୍ତ୍ୱବିତ Paul R Ehirlich କହିଥିଲେ, “ଥର୍ମୋନିଉକ୍ଲିୟର ବୋମାଦ୍ୱାରା ଭାରତୀୟଙ୍କୁ ସଫା କରାନଯାଇଛି, ସେ ପର୍ଯ୍ୟନ୍ତ ଭାରତର କୌଣସି ଭବିଷ୍ୟତ ନାହିଁ ।” ଆଉ ଦଳେ ବିଶେଷଜ୍ଞ କହିଥିଲେ, “କଂସେଇଖାନାକୁ ଯାଉଥିବା ଛାଗଳଙ୍କ ଭଳି ଏମାନେ ମରିବେ । ଆମେ ନିଷ୍ପତ୍ତି କରିଛୁ, ଏଭଳି ହେବାକୁ ଦେବୁନାହଁ ।”ସେଇ କଥା ମନେ ପକେଇ ଡ ସ୍ୱାମୀନାଥନ ୧୯୯୯ ରେ ଗୋଟିଏ ମନ୍ତବ୍ୟ ଦେଇଥିଲେ, “ମୁଁ ନିଜକୁ ପଚାରିଲି, ମୁଁ କାହିଁକି ଆନୁବଂଶିକ ଅଧ୍ୟୟନ  କଲି ? ” ତାର ଉତ୍ତର ଦେଇ କହିଥିଲେ, ” ଭାରତ ପାଇଁ ପର୍ଯ୍ୟାପ୍ତ ଭୋଜନ ଉତ୍ପାଦନ କରିବାର ଥିଲା, ତେଣୁ ମୁଁ ଭାରତ ଫେରି ଆସିଥିଲି ” ।

ତାଙ୍କର ପିତା ଜଣେ ଡାକ୍ତର ହେଇଥିବା ବେଳେ ଓ ଚତୁର୍ଥ ଦଶକରେ ମେଡ଼ିସିନ ଓ ଇଂଜିନିୟରିଂ ଡିଗ୍ରୀ ଛାତ୍ରଙ୍କ ବିଶେଷ ଚାହିଦା ଥିବା ବେଳେ ତାମିଲନାଡୁର ଏକ କୃଷି ପରିବାରେ ଜନ୍ମ ହେଇଥିବା ସ୍ୱାମୀନାଥନ ମାଡ୍ରାସର ଏକ କୃଷି ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପାଇବା ପରେ ନିଦରଲାଣ୍ଡ ଓ ଇଂଲଣ୍ଡରେ ପାଦପ ଆନୁବଂଶିକରେ ଅଧ୍ୟୟନ କଲେ । ସେଠାରେ ସ୍ନାତକୋତ୍ତର ଡିଗ୍ରୀ ପରେ କେମ୍ବ୍ରିଜ ରୁ ପିଏଚଡି ହାସଲ କଲେ ।  ୧୯୫୫ରେ ଇଂଲଣ୍ଡରେ ସେ ଜୀବନ ସାଥୀ ସହ ବିବାହ କଲେ । ସେ ସେଠାରେ ଯୁବ ବୈଜ୍ଞାନିକ ଭାବେ ଆଳୁ ପ୍ରଜନନରେ ବିଶେଷତା ଅର୍ଜନ କଲେ ।ଏହା ପରେ ଆମେରିକାର ଉଇସ୍କନସିନ ବିଶ୍ୱବିଦ୍ୟାଳୟ ରେ ପୋଷ୍ଟ ଡକ୍ଟରେଟ ଗବେଷଣା ପାଇଁ ନିମନ୍ତ୍ରଣ ପାଇ ଗଲେ । ସେଠାରେ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦବୀ ନିମନ୍ତ୍ରଣ ପାଇବା ସତ୍ତ୍ୱେ ୧୯୬୪ ରେ ଭାରତ ଚାଲି ଆସିଲେ ।  ୧୯୯୯ରେ ତାଙ୍କର ମନ୍ତବ୍ୟ ସେଇ ସନ୍ଦର୍ଭ ରେ ଥିଲା ।

ଏକ ଘଟଣା ଯାହା ସ୍ୱାମୀନାଥନଙ୍କୁ ବୈଶ୍ବିକ ସୁଖ୍ୟାତି ଦେଇଥିଲା । ୧୯୬୦ ଦଶକର ପ୍ରଥମ ଅବସ୍ଥାରେ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରେ ଜଣେ ପାଦପ ଆନୁବଂଶିକ ବୈଜ୍ଞାନିକ ଭାବେ ଗହମର ଅସାଧାରଣ ଓ ଶକ୍ତ ଅମଳ ପ୍ରଜାତି ସମ୍ପର୍କରେ ତଥ୍ୟ ଅର୍ଜନ କଲେ । ଏହାର ପରୀକ୍ଷଣ ଆମେରିକୀୟ ବୈଜ୍ଞାନିକ ନର୍ମାନ ଇ ବୋରଲଙ୍ଗ ମେକ୍ସିକୋରେ କରିଥିଲେ । ସ୍ୱାମୀନାଥନ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନର ମୁଖ୍ୟଙ୍କୁ ଅନୁରୋଧ କଲେ ବୋରଲଙ୍ଗଙ୍କୁ ଭାରତ ନିମନ୍ତ୍ରଣ କରିବା ପାଇଁ । ସ୍ୱାମୀନାଥନଙ୍କ ନମ୍ର ବ୍ୟବହାରରେ ପ୍ରଭାବିତ ହେଇ  ପ୍ରତିଷ୍ଠାନର ମୁଖ୍ୟ ବୋରଲଙ୍ଗଙ୍କୁ ଭାରତ ନିମନ୍ତ୍ରଣ କଲେ । ବୋରଲଙ୍ଗ ୧୯୬୩ରେ ଭାରତ ଆସିବା ପରେ ତାଙ୍କୁ ସାଙ୍ଗରେ ଧରି ସ୍ୱାମୀନାଥନ ପଞ୍ଜାବ ଓ ହରିୟାଣା ଏବଂ ପଶ୍ଚିମ ଭାରତର ଛୋଟ ଛୋଟ କ୍ଷେତ୍ର ପରିଦର୍ଶନ କଲେ । ଦୁହେଁ ମିଶି ଗୋଟିଏ ବୀଜ ଉଦ୍ଭାବନ କଲେ ।ସ୍ୱାମୀନାଥନ ମେକ୍ସିକୋ ଓ ଜାପାନର ପ୍ରଜାତିକୁ Cross Breeding କଲେ ।ଏହି ସମିଶ୍ରଣରୁ ଭାରତର ପାଣିପାଗ ଓ ମୃତ୍ତିକା ଅନୁକୂଳ ଶକ୍ତ ଆନୁବଂଶିକ ଗହମ ଉତ୍ପାଦକ ସୃଷ୍ଟି ହେଲା ଯାହା ଭାରତର ସବୁଜ ବିପ୍ଳବର ଦିଗନ୍ତ ସୃଷ୍ଟି କଲା ।୧୯୬୬ରେ ସେ ଯେତେବେଳେ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ହେଲେ ସେତେବେଳେ ମେକ୍ସିକୋରୁ 18000 ମେଟ୍ରିକ ଟନ ବୀଜ ଆମଦାନୀ ପାଇଁ ସରକାରଙ୍କୁ ପ୍ରଭାବିତ କଲେ ।ଏହି ବୀଜରୁ ତାଙ୍କର ଅନୁମାନ ବାହାରେ ତିନିଗୁଣ ଉତ୍ପାଦନ ହେଲା ।ଏହି ସଫଳତା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଭାବିତ କଲା ଓ ସେ ସ୍ୱାମୀନାଥନଙ୍କୁ ପ୍ରଶାସନିକ, ଅନୁସନ୍ଧାନ ଓ କୃଷି ନୀତିର ବୁନିଆଦି ଢାଞ୍ଚା ପୁନଃନିର୍ମାଣ ଦାୟିତ୍ୱ ଅର୍ପଣ କଲେ ।୧୯୮୭ରେ ବୋରଲାଙ୍ଗଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର ପାଇଲେ । ସେହି ସମୟରେ ଜାତିସଂଘ ମହାସଚିବ ଜେଭିୟର ପେରେଜ ଡି କୁଲିୟାର ସ୍ୱାମୀନାଥନଙ୍କୁ ଜଣେ ଜୀଵିତ କିମ୍ବଦନ୍ତୀ ବୋଲି ଘୋଷଣା କଲେ ଓ ତାହାପରେ ସେ ଜଣେ ଦୁର୍ଲ୍ଲଭ ବିଶ୍ୱ ବୈଜ୍ଞାନିକ ଭାବେ ପରିଚିତ ହେଲେ । ସ୍ୱାମୀନାଥନ ବିଶ୍ୱର ୧୦୦ରୁ ଉର୍ଦ୍ଧ୍ବ ପୁରସ୍କାର ପାଇଥିଲେ ।

ଡ ବୋରଲାଙ୍ଗଙ୍କୁ ଯେତେବେଳେ ବିଶ୍ୱ କ୍ଷୁଧା ନିବାରଣ ବୀଜ ଆବିଷ୍କାର ପାଇଁ ୧୯୭୦ ରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଗଲା ସେତେବେଳେ ଡ ବୋରଲଙ୍ଗ ସ୍ୱାମୀନାଥନ ପ୍ରତି ନିଜର ଅଭିବ୍ୟକ୍ତି ପ୍ରଦାନ କରି କହିଥିଲେ ” To you, Dr Swaminathan, a great deal of the credit must go for first recognising the potential value of Mexican dwarfs. Had this not  occured ,it is quite possible there would not have been a green revolution in Asia .” ସାତ ଦଶକରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ସେ ଭାରତର ସବୁଜ ବିପ୍ଳବର ଜନକ ଭାବେ  ଦୁନିଆରେ ପରିଚିତ ଥିଲେ । Newyork Timesର ଏକ ଲେଖରେ ତାଙ୍କର ଅବଦାନ ଉପରେ ଉଲ୍ଲେଖ କରି ଲେଖା ଯାଇଛି, ” Dr Swaminathan steadily built one of history’s  most formidable career in crop science and food production .He got his shoes muddy in farm fields and strained his eyes in laboratories on three continents as a young scientist ” ଡ ସ୍ୱାମୀନାଥନ ଜୀବନର ଅନ୍ତିମ ଅବସ୍ଥାରେ ତାଙ୍କର ଗୋଟିଏ ସ୍ୱପ୍ନ ଅପୂରଣ ରହିଗଲା । ତାମିଲନାଡୁର ଏକ କ୍ଷୁଦ୍ର ଅଞ୍ଚଳରେ କୃଷି ଓ କୃଷକର ଯେଉଁ ଅବସ୍ଥା ଦେଖି କୃଷି ବିଜ୍ଞାନ ଆଡକୁ ମୁହାଁଇଥିଲେ ତାହା ଭାରତ ଓ ବିଶ୍ୱକୁ ତ ସଫଳତା ଦେଲା, କିନ୍ତୁ ବିଶ୍ୱ ଓ ଭାରତକୁ କ୍ଷୁଧାରୁ ମୁକ୍ତ କରିବାରେ ଯେଉଁ କୃଷି ଶ୍ରମଜୀବୀ ଅବଦାନ ରଖିଲେ ତାର ଉପଯୁକ୍ତ ମୂଲ୍ୟ ପାଇବାରୁ ସେମାନେ ବଂଚିତ ରହିଗଲେ । ଏପରି କି ତାଙ୍କର ସୁପାରିଶ ମଧ୍ୟ ଭାରତ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କଲା ନାହିଁ ।

ଦିନେ ଉତ୍ପାଦନ ବିହୁନେ ଭାରତ ନାଶ ହେବ ବୋଲି ଯେଉଁମାନେ ଭବିଷ୍ୟ ବାଣୀ ଦେଉଥିଲେ , ସ୍ୱାମୀନାଥନ ସେଇ ମାଲଥୟୁସଙ୍କ ଭୂତ ମାନଙ୍କୁ ଚାଲେଞ୍ଜ କରି ପ୍ରମାଣିତ କରିଥିଲେ ବିଜ୍ଞାନର କ୍ଷମତା ଅସୁମାରୀ ଓ ଏହା ବିଶ୍ୱକୁ ଉତ୍ପାଦନ ବହୁଳ କରି ପାରିବା କ୍ଷମତା ରଖିଛି । କିନ୍ତୁ ତାଙ୍କର ଅବଦାନର ସୁଫଳ କୃଷି ଜୀବୀ ପାଇବାରୁ ବଞ୍ଚିତ ହେଇ ରହିଛନ୍ତି ବୋଲି ବୁଦ୍ଧିଜୀବୀ ବିଜୟ ସାହୁ କହିଛନ୍ତି।  ସ୍ୱାମୀନାଥନ ଏହାର କାରଣ ସ୍ପଷ୍ଟ କରିନଥିଲେ ବି ପରୋକ୍ଷ ଭାବେ ତାଙ୍କର ଲେଖା ମାଧ୍ୟମରେ ଭାରତ ଓ ବିଶ୍ଵର  ମିଲିଭଗତ ପୁଞ୍ଜିବାଦକୁ ଦାୟୀ କରିଛନ୍ତି ଯାହା ଉନବିଂଶ ଶତାବ୍ଦୀରେ କାର୍ଲ ମାର୍କ୍ସ କହିଥିଲେ “ଏହି ସବୁ ସମାଜିକ ସଙ୍କଟ ପାଇଁ ମେହନତି ମଣିଷ ଦାୟୀ ନୁହେଁ, ଶୋଷଣ ମୂଳକ ପୁଞ୍ଜିବାଦୀ ବ୍ୟବସ୍ଥା ଦାୟୀ ।

Leave a Reply

Your email address will not be published. Required fields are marked *