ଜୟନାରାୟଣଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇ ପାରନ୍ତି ନବ ନନ୍ଦନ ବିଶାଲ, ଆଉ ଦୁଇ ଜଣ ବି ରହିଛନ୍ତି ଦୌଡ଼ରେ …ସେମାନେ କିଏ…ଜାଣନ୍ତୁ…

ଭୁବନେଶ୍ୱର :  ବିଜୁ ଜନତା ଦଳ ଲଗାତର ତୃତୀୟ ଥର କୌଣସି ବିଧାନସଭା ନିର୍ବାଚନରେ ଶତାଧିକ ଆସନ ଜିତିବାରେ ସକ୍ଷମ ହୋଇ ଆସୁଛି। ଏହି ଧାରା ୨୦୦୯ ଠାରୁ ଆରମ୍ଭ ହୋଇ ୨୦୧୪ ଏବଂ ୨୦୧୯ରେ ମଧ୍ୟ ବଳବତ୍ତର ରହିଛି। ଶତାଧିକ ଆସନ ଜିତୁଥିଲେ ବି କେତେକ ଆସନରେ ୨୦୧୯ର ସ୍ଥିତି ବିଜେଡି ପାଇଁ ଆହ୍ୱାନପୂର୍ଣ୍ଣ ହେବାକୁ ଯାଉଛି। ବିଜୁ ଜନତା ଦଳ ପାଇଁ ଜିତିବା ପାଇଁ କଷ୍ଟର ଥିବା କିଛି ନିର୍ଦ୍ଦିଷ୍ଟ ବିଧାନସଭା ଆସନ ମଧ୍ୟରେ ସମ୍ବଲପୁର ଅନ୍ୟତମ। ଏହି ଆସନରୁ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରତିନିଧିତ୍ୱ କରୁଛନ୍ତି।

ଗତଥର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପରାସ୍ତ କରି ଶ୍ରୀ ମିଶ୍ର ଏହି ଠାରୁ ବିଜୟୀ ହୋଇଥିଲେ। ମାତ୍ର ଏବେ ଶାରୀରିକ ଅସୁସ୍ଥତା କାରଣରୁ ରାସେଶ୍ୱରୀ ପାଣିଗ୍ରାହୀ ଏତେଟା ଆକ୍ରମାଣାତ୍ମକ ରାଜନୈତିକ କାର୍ଯ୍ୟକ୍ରମ କରିପାରୁନାହାନ୍ତି। ସେଠାରେ କିଛି ନେତା ଏବଂ ପ୍ରମୋଦ ରଥଙ୍କ ଗୋଷ୍ଠୀ ରାସେଶ୍ୱରୀଙ୍କ ସପକ୍ଷରେ ନାହାନ୍ତି। ତେଣୁ ଏହି ଆସନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିବା ଏକ ପ୍ରକାର ନିଶ୍ଚିତ ରହିଛି।  ଏହି କ୍ରମରେ ସମ୍ବଲପୁର ପାଇଁ ତିନି ଜଣଙ୍କ ନାଁ ଚର୍ଚ୍ଚାରେ ରହିଛି। ଏହି ତିନି ଜଣ ହେଉଛନ୍ତି- ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ଉଦୀୟମାନ ଯୁବ ନେତା ସଞ୍ଜିତ ମହାନ୍ତି ଏବଂ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ।

 ପଶ୍ଚିମ ଓଡ଼ିଶାରେ ସବୁଠୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ହେଲେ ତାଙ୍କର ଦଳୀୟ କାର୍ଯ୍ୟକ୍ରମରେ ପ୍ରଭାବ ହ୍ରାସ ପାଇଛି। ସୁଶାନ୍ତ ସିଂ ଏବଂ ନବ ଦାସ ଦୁଇ ଜଣ ପ୍ରଭାବଶାଳୀ ନେତା ପଶ୍ଚିମ ଓଡିଶା ସଙ୍ଗଠନରେ ରହିଥିଲେ। ହେଲେ ନବଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କୁ ବିଭିନ୍ନ କଥା ଉଠୁଛି। ସୁଶାନ୍ତଙ୍କୁ ନିଜ ଜିଲ୍ଲାରେ ରୀତା ସାହୁ ଏବଂ ଆଚାର୍ଯ୍ୟ ପରିବାର ଠାରୁ ମଧ୍ୟ ବିରୋଧ ରହିଛି। ଝାରସୁଗୁଡ଼ା ନିର୍ବାଚନରେ ତାଙ୍କ ହସ୍ତକ୍ଷେପରୁ ସ୍ୱର୍ଗତ ଦାସଙ୍କ ପରିବାର ମଧ୍ୟ ଗ୍ରହଣ କରି ନ ଥିଲା। ତେଣୁ ଆର୍ଥିକ ଭାବେ ସ୍ୱଚ୍ଛଳ ଥିବା ନବ ଦାସଙ୍କ ପୁଅ ବିଶାଳ ଦାଶ ସମ୍ବଲପୁରରେ ତୃତୀୟ ପସନ୍ଦ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। ଝାରସୁଗୁଡ଼ା ପରି ନବଙ୍କ ବାଣିଜ୍ୟ ସାମ୍ରାଜ୍ୟ ସମ୍ବଲପୁରକୁ ମଧ୍ୟ ବ୍ୟାପିଛି। ନବଙ୍କ ସର୍କଲ ମଧ୍ୟ ବିଶାଲଙ୍କ ପ୍ରାର୍ଥୀତ୍ୱକୁ ସ୍ୱାଗତ କରିବ। ଅର୍ଥ ଓ ବାହୁବଳରେ ଜୟ ନାରାୟଣଙ୍କୁ ବିଶାଳ ମୁକାବିଲା କରିବାର ସାମର୍ଥ୍ୟ ରଖନ୍ତି। ଏହା ଦ୍ୱାରା ଫଳାଫଳ ଯାହା ହେଉ ନା କାହିଁକି, ଲଢେଇ ଜମିଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *