ବର୍ଷ ଆରମ୍ଭରୁ ସତର୍କ ବିଜେଡି, କୌଣସି ପ୍ରକାର ବିଷମ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁନି ତୃତୀୟ ମହଲା…ସବକା ସାଥ୍ ନୀତିରେ ରଣନୀତି..
ଭୁବନେଶ୍ୱର : ୨୦୨୪ ବର୍ଷ ଆସୁ ଆସୁ ରାଜ୍ୟର ପ୍ରଶାସନିକ ଓ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗଛି। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଏହି ଉତ୍କଣ୍ଠା ଆହୁରି ଅଧିକ ରହୁଛି। ଦେଶର ସାଧାରଣ ନିର୍ବାଚନ ସହ ଓଡ଼ିଶାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେଡି ଅଢେଇ ଦଶନ୍ଧି ଧରି କ୍ଷମତାରେ ରହିଛି। ତେଣୁ ଶାସକ ଦଳ ବିଜେଡି ନିର୍ବାଚନକୁ ନେଇ ଅଧିକ ସତର୍କ ରହୁଥିବା ଜଣାପଡିଛି। ଦଳ କୌଣସି ପରିସ୍ଥିତିରେ କିଛି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁନାହିଁ। ଯାହା ନିକଟରେ ହୋଇଥିବା ତିନି ନିଯୁକ୍ତିରୁ ସ୍ପଷ୍ଟ ସଙ୍କେତ ମିଳିଛି। ଏହି ତିନି ନିଯୁକ୍ତି ମଧ୍ୟରୁ ଗୋଟିଏ ରାଜନୈତିକ ନିଯୁକ୍ତି ହୋଇଥିବା ବେଳେ ଅନ୍ୟ ଦୁଇଟି ପ୍ରଶାସନିକ ନିଯୁକ୍ତି।
ପ୍ରଥମତଃ କିଛି ମାସ ପୂର୍ବରୁ ସଞ୍ଜୟ ଦାସବର୍ମାଙ୍କୁ ଦଳୀୟ ଏବଂ ପ୍ରଶାସନ କାର୍ଯ୍ୟରୁ ଶିଖିମନାଇ ଗୋଷ୍ଠୀ ଦୂରେଇ ରଖୁଥିଲା। ମାତ୍ର ଭି.କେ ପାଣ୍ଡିଆନଙ୍କ ପୁରୀ ଗସ୍ତ ପୂର୍ବରୁ ତୃତୀୟ ମହଲା ସମ୍ବାଦ ଆରମ୍ଭ କରିଥିଲା। ସିଏମଓର ସବୁଠୁ ପ୍ରଭାବଶାଳୀ ଆଇପିଏସ୍ ଅଧିକାରୀ ଏବଂ ପୁରୀ ଜିଲ୍ଲାରୁ ପୂର୍ବରୁ ଏସପି ରହିଥିବା ଦୁଇ ଆଇପିଏସ୍ ଏହି ସମ୍ବାଦରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ବୈଠକ ସଫଳ ହେବା ପରେ ହିଁ କାର୍ତ୍ତିକେୟନ ନିଜ ପୁରୀ, ବ୍ରହ୍ମଗିରୀ, ସତ୍ୟବାଦୀ ଏବଂ ପିପିଲି ଗସ୍ତ କଲେ। ଏହା ପରେ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ହୁଏ। ମାତ୍ର ସ୍ୱର୍ଗତ ମହାନ୍ତି ଚିକିତ୍ସାଧିନ ଥିବା ଅବସ୍ଥାରେ ହିଁ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରାଗଲା। ଏହା କୌଣସି ବଡ଼ ଦାୟିତ୍ୱ ନ ଥିଲା। ମାତ୍ର ପୁରୀ ଏବଂ ଭଦ୍ରକ ବିଜେଡି ରାଜନୀତିକୁ ଏକ ଭିନ୍ନ ମୋଡ଼ ଦେଇଥିଲା। ଆଗକୁ ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ତେଣୁ ସଞ୍ଜୟଙ୍କ ସହ ସୁସମ୍ବାଦ ତୃତୀୟ ମହଲା ଜଣେ ସାଂସଦ ଏବଂ ଦଳର ସାଙ୍ଗଠନିକ ସମ୍ପାଦକ ସହ ଜାରି ରଖିଛି। ସଞ୍ଜୟ ସାଙ୍ଗଠନିକ ଭାବେ ପରିପକ୍ୱ ହୋଇଥିବାରୁ ଏକାଧିକ ବିଧାନସଭା ଓ ଲୋକସଭା ଆସନରେ ପ୍ରଭାବିତ କରିବାର କ୍ଷମତା ରଖିଛନ୍ତି। ଯାହା ତୃତୀୟ ମହଲା ଅନୁଭବ କରିଥିଲା। ତେଣୁ ସାଧାରଣ ନିର୍ବାଚନର ଯଥେଷ୍ଟ ପୂର୍ବରୁ ବିଜେଡି ସଞ୍ଜୟ ପ୍ରକରଣରେ ଏକ ପୂର୍ଣ୍ଣଚ୍ଛେଦ ଟାଣିଲା।
ଦ୍ୱିତୀୟତଃ ମୁଖ୍ୟ ଶାସନ ସଚିବ ପଦରେ ପ୍ରଦୀପ କୁମାର ଜେନାଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଗଲା। ତୃତୀୟ ମହଲାରେ ପ୍ରଦୀପ ଜେନାକୁ ନେଇ ପ୍ରାଥମିକ ଭାବେ ସହମତି ନ ଥିଲା। ମାତ୍ର ସାମ୍ପ୍ରତିକ ପରିସ୍ଥିତି ପ୍ରଦୀପ ଜେନାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ବାଧ୍ୟ କରିଥିଲା। ପ୍ରଦୀପଙ୍କ କାର୍ଯ୍ୟକାଳ ନ ବଢି ଯଦି କୌଣସି ଅଣ ଓଡ଼ିଆଙ୍କୁ ଦିଆଯାଇ ଥାଆନ୍ତା, ତେବେ ଅନେକ ରାଜନୈତିକ ପ୍ରଶ୍ନ ଓ ପ୍ରସଙ୍ଗର କାରଣ ହେବ ତୃତୀୟ ମହଲା ଅନୁଭବ କରିଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ-ଅଣ ଓଡ଼ିଆ ବିବାଦରେ ସରକାର ଜାଣିଶୁଣି ଅଧିକ ଘିଅ ଢାଳିବାକୁ ଚାହିଁଲେ ନାହିଁ। ପ୍ରଦୀପ ଜେନା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ବାସିନ୍ଦା। ରାଜନେତା-ପ୍ରଶାସନ-ବୁଦ୍ଧିଜୀବୀ-ଗଣମାଧ୍ୟମ ପ୍ରତିନିଧି-କର୍ପୋରେଟ ବର୍ଗ ସହ ଅତ୍ୟନ୍ତ ସୁସମ୍ପର୍କ ରଖୁଥିବା ବ୍ୟକ୍ତି। ଓଡ଼ିଶାର ସବୁ ଅଞ୍ଚଳର ପ୍ରଶାସନିକ ଅନୁଭବ ରହିଛି। ତେଣୁ ତାଙ୍କ କାର୍ଯ୍ୟକାଳ ବଢାଇ ଅନେକ ଆଲୋଚନାରେ ସରକାର ବିରାମ ଲଗାଇଲେ।
ତୃତୀୟରେ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଅରୁଣ ଷଡ଼ଙ୍ଗୀ ଭାରାପ୍ରାପ୍ତ ଦାୟିତ୍ୱ ନେଇଛନ୍ତି। ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ସରିବା ପରେ ସେ ଏହି ଦାୟିତ୍ୱ ପାଇଛନ୍ତି। କିଛି ସମୟର ବ୍ୟବଧାନ ପରେ ଜଣେ ଓଡ଼ିଆ ଏହି ପଦରେ ଅବସ୍ଥାପିତ ହେଲେ। ତୃତୀୟ ମହଲାର ସବୁ ପ୍ରଭାବଶାଳୀ ଆଇପିଏସ୍ ଅଧିକାରୀମାନଙ୍କ ଠାରୁ ଅରୁଣ ଢେର ବରିଷ୍ଠ ଓ ଅଭିଜ୍ଞ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ବହୁତ ଘନିଷ୍ଠ। ପ୍ରଶାସନ ବାହାରେ ଅରୁଣଙ୍କ ପରିବାର ସହ ଶ୍ରୀ ପଟ୍ଟନାୟକ ଉତ୍ତମ ସାମାଜିକ ସମ୍ପର୍କ ରଖିଥାନ୍ତି। କିଛି ମାସ ପୂର୍ବରୁ ଅରୁଣଙ୍କୁ ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବା, ସେ ଏତେଟା ସକ୍ରିୟ ଦିଶୁ ନ ଥିବା କୁହାଯାଉଥିଲା। ମାତ୍ର ନିକଟରେ ତାଙ୍କୁ ଦିଆଯାଇଥିବା ନିଯୁକ୍ତି ସେ ଆଲୋଚନାକୁ ପୂର୍ଣ୍ଣଚ୍ଛେଦ ଟାଣିଲା। ଏସବୁ ବ୍ୟତୀତ ନୂଆବର୍ଷ ଦିନ ବରିଷ୍ଠ ନେତା ଦାମୋଦର ରାଉତଙ୍କ ବହିଷ୍କାର ଉଠିବା ମଧ୍ୟ ବିଜେଡିର ରାଜନୈତିକ ସମ୍ବେଦନଶୀଳତାକୁ ଦର୍ଶାଉଛି। ନିର୍ବାଚନ ପୂର୍ବରୁ କୌଣସି ପ୍ରକାର ତ୍ରୁଟି-ବିଚ୍ୟୁତି କରିବାରୁ ବିଜେଡି ନିଜକୁ ଦୂରେଇ ରଖୁଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।