ନିର୍ବାଚନ ପାଖେଇ ଆସିଲାଣି, ସବୁ ଠିକ୍ ଲାଗୁ ଥିଲେ ବି ଏହି ସବୁ ପ୍ରସଙ୍ଗ ବିଜେଡି ଗଣିତ ବିଗାଡ଼ିଦେବ..ଆଶଙ୍କା କରୁଛନ୍ତି ସର୍ଭେକ୍ଷଣ ଟିମ୍

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଓଡ଼ିଶାରେ ସର୍ବାଧିକ ରାଜନୈତିକ ସକ୍ରିୟତା ବିଜେଡି ଦଳରେ ଦେଖା ଦେଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଚାର ଜାରି ରହିଛି। ଏହା ପରେ ଭତ୍ତା ବୃଦ୍ଧି ଘୋଷଣା କରାଯିବ। ନିୟମିତ ବିଭିନ୍ନ ଘୋଷଣା, ନିଯୁକ୍ତି ଏବଂ ଲୋକାର୍ପଣ ଜାରି ରହିଛି। ଏହା ସତ୍ତ୍ୱେ ଦୀର୍ଘ ଅଢେଇ ଦଶନ୍ଧିର ସରକାର ହୋଇଥିବାରୁ ଏକ ଶାସକ ବିରୋଧୀ ମତ ରହିଛି। ପୂର୍ବ ଅପେକ୍ଷା ସରକାରୀ କଳ ଏବଂ ପ୍ରଚାରରେ ବିଜେପି ସଙ୍ଗଠିତ ରହିଛି। ଓଡ଼ିଶାରେ ବିଜେପି ସକ୍ରିୟତା ଦେଖାଇ ନାହିଁ। ଯଦି ସରକାରୀ କଳ ଏବଂ ଅର୍ଥ ବଳକୁ ବ୍ୟବହାର କରି  ବିଜେପି ଲଢେ, ତେବେ ବିଜେଡି ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ଅଧିକ ଆହ୍ୱାନପୂର୍ଣ୍ଣ ବାତାବରଣର ସମ୍ମୁଖୀନ ହେବ। ସେହିପରି ଇଣ୍ଡିଆ ମେଣ୍ଟ କଂଗ୍ରେସ ଯଦି ଶକ୍ତିଶାଳୀ ହୁଏ, ତେବେ ଦକ୍ଷିଣ ଓଡ଼ିଶାରେ ବିଜେଡି ଅଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। କେତେକ ଆସନରେ ତ୍ରିକୋଣୀୟ ମୁକାବିଲା ପରୋକ୍ଷରେ ବିଜେଡ଼ି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ଏହିପରି କେତେକ ପ୍ରସଙ୍ଗ ରହିଛି, ଯାହା ବିଜେଡିର ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି।

ଅଣ-ଲାଭାର୍ଥୀ

ରାଜ୍ୟରେ ବିଭିନ୍ନ ଯୋଜନାରେ ସରକାରୀ ଦଳ ହିତାଧିକାରୀ ସୃଷ୍ଟି କରିଛି। ଏହି ବର୍ଗ ଏକ ବିରାଟ ଭୋଟ ବ୍ୟାଙ୍କ୍। ମାତ୍ର ବିଭିନ୍ନ ଯୋଜନାରୁ ବଞ୍ଚିତ ଏକ ବର୍ଗ ରହିଛନ୍ତି। ତୃଣମୂଳ ରାଜନୀତି ହେଉ କିମ୍ବା ପ୍ରଶାସନିକ ସ୍ଥାଣୁତା ଯୋଗୁ ଅନେକ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିନାହିଁ। ତେଣୁ ଏହି ବର୍ଗର ଆକାଂକ୍ଷାକୁ ପୂରଣ କରି ନ ପାରିବା ସ୍ୱାଭାବିକ ଭାବେ ଏକ ବିରୋଧି ଭୋଟ ବ୍ୟାଙ୍କ୍ ସୃଷ୍ଟି କରିଛି। ବିଶେଷକରି ପକ୍କାଘର, ଭତ୍ତା, କାଳିଆ, କଳାକାର ଭତ୍ତା  ଓ ବିଏସକେଓ୍ୱାଇ ଆଦି ଯୋଜନା ନ ହେବା ଏକ ବିରୋଧି ଭୋଟ୍ ବ୍ୟାଙ୍କ୍ ସୃଷ୍ଟି କରିଛି।

ଚାଷ, ଚାଷୀ,ମଣ୍ଡି ଓ ଶୀତଳ ଭଣ୍ଡାର

ରାଜ୍ୟର ପ୍ରାୟ ସବୁ ପ୍ରାନ୍ତରେ ଶୀତଳ ଭଣ୍ଡାର ନାହିଁ। ଏକଦା ସରକାର ପ୍ରତିଟି ବ୍ଲକରେ ଶୀତଳ ଭଣ୍ଡାର କରିବା ନେଇ ଘୋଷଣା କରିଥିଲେ। ପଶ୍ଚିମ ଓଡ଼ିଶାରେ ଏନେଇ ଚାଷୀ ବର୍ଗରେ ଏକ ଅସନ୍ତୋଷ ରହିଛି। ଏହି ଅସନ୍ତୋଷ ସହ ଧାନର ଅଭାବୀ ବିକ୍ରି ଶାସକ ଦଳ ବିରୋଧରେ ଏକ ଜନମତ ସୃଷ୍ଟି କରିଛି। ଆଗ ଅପେକ୍ଷା ଚାଷୀ ସଙ୍ଗଠନ ଗୁଡ଼ିକ ସକ୍ରିୟତା ପ୍ରକାଶ କରୁଛନ୍ତି। ତେଣୁ ପ୍ରସଙ୍ଗକୁ ହାଲୁକା ଭାବେ ନେବା ଉଚିତ ହେବ ନାହିଁ। ଜଳସେଚନରେ ନେଇ ମଧ୍ୟ ଅସନ୍ତୋଷ ରହିଛି।

ଚିଟଫଣ୍ଡ ଟଙ୍କା ଜମାକାରୀ

ପ୍ରାୟ ଦୁଇଟି ନିର୍ବାଚନରେ ଏହି ପ୍ରସଙ୍ଗ ଉଠିଥିଲା। ମାତ୍ର ଏହାର କୌଣସି ରାଜନୈତିକ ଫାଇଦା ବିରୋଧିଙ୍କୁ ମିଳିପାରି ନ ଥିଲା। ଏହି ନିର୍ବାଚନରେ ଏହାର ଏକ କ୍ଷୁଦ୍ର ପ୍ରଭାବ ରହିବ। ଛତିଶଗଡ଼ର ମହାଦେବ ଆପ୍ ସ୍କାମ୍ ଏବଂ ସାହାରା ଟଙ୍କା ମିଳିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଦକ୍ଷେପ ଏହି ପ୍ରସଙ୍ଗକୁ ଉଜ୍ଜୀବିତ କରିଛି। ବିଶେଷ କରି ଉତ୍ତର ଓଡ଼ିଶାରେ କେତୋଟି ବ୍ଲକରେ ଏହି ପ୍ରସଙ୍ଗ ବିରୋଧୀ ପରିଚାଳନା କରିପାରିଲେ ଶାସକ ଦଳ ଅଡୁଆରେ ପଡିବ ବୋଲି କୁହାଯାଉଛି।

 ସ୍ଥାୟୀ ଜମି, ଘର ପ୍ରସଙ୍ଗ

ରାଜ୍ୟ ସରକାର ବିଭିନ୍ନ ସମୟରେ ସ୍ଥାୟୀ ଜମି ଏବଂ ପଟ୍ଟା ଦେବା ନେଇ ଘୋଷଣା କରିଛନ୍ତି। ହେଲେ ସାଧାରଣ ଲୋକଟିଏ ଘର କରିବା, ବନ୍ଧକ ରଖିବା ସମୟରେ ଯଦି ସେବା ନ ପାଉଛି, ତେବେ ଏହି ଘୋଷଣା ଏକ ନକରାତ୍ମକ ପ୍ରଭାବ ପକାଉଛି। ପୁରୀ, ଜଟଣୀରେ ଏହି ପ୍ରସଙ୍ଗ ଗତ ନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।  ଆଦିବାସୀମାନଙ୍କୁ ଜମି ପଟ୍ଟା ଯେଉଁ ସଂଖ୍ୟାରେ ମିଳିବା କଥା, ତାହା ମିଳି ପାରିନାହିଁ। ସେମାନଙ୍କ ଜମିକୁ ଅଣ-ଆଦିବାସୀମାନଙ୍କୁ ଟେକି ଦେବା ପାଇଁ ଯୋଜନା କରାଯାଉଛି। ନିକଟରେ ଏହି ପ୍ରସଙ୍ଗରେ ରାଜଧାନୀରେ ଆଦିବାସୀମାନଙ୍କ ମେଳି ଦେଖିବାକୁ ମିଳିଥିଲା। ତେଣୁ ଏହି ପ୍ରସଙ୍ଗ ବିଜେଡି ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି।

ସାମାଜିକ ନ୍ୟାୟ ପ୍ରସଙ୍ଗ

ଓଡ଼ିଶାର ଆଦିବାସୀ, ଦଳିତ ଏବଂ ପଛୁଆବର୍ଗଙ୍କ ସଂଖ୍ୟାନୁପାତରେ ସଂରକ୍ଷଣ ପ୍ରଦାନ କରାଯାଇପାରିନାହିଁ। ବିଶେଷ କରି ଦଳିତ ଏବଂ ଆଦିବାସୀ ବର୍ଗ ଏନେଇ ସଚେତନ ହେବାରେ ଲାଗିଲେଣି। ଶିକ୍ଷିତ ଦଳିତ-ଆଦିବାସୀ ଯୁବକ ସଚେତନ ହେବା ସହ ନିଜ ସମାଜକୁ ସଚେତନ କରିବା ପାଇଁ ଆଗେଇ ଆସିଲେଣି। ପଛୁଆବର୍ଗ ସଂରକ୍ଷଣ ନେଇ ଉପକୂଳ ଓଡ଼ିଶାରେ ମୁଖ୍ୟ ଗଣମାଧ୍ୟମରେ ଆଲୋଚନା ହେଉନାହିଁ। ମାତ୍ର ଓଡ଼ିଶାରଅନ୍ୟ ପ୍ରାନ୍ତରେ ଏହା ସୁଦୂର ପ୍ରଭାବ ରହିଛି। ଅନ୍ୟାନ୍ୟ ପଛୁଆବର୍ଗ ଏବଂ ମହା ଦଳିତ ମାନଙ୍କ ବୈଠକ ଆୟୋଜନ କରାଯାଉଛି। ବିଜେଡି ସ୍ୱତନ୍ତ୍ର ଭାବେ ଓବିସି କମିଟି କରି ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ବିଜେଡି ଓ ପୁରାତନ ବିରୋଧି ଦଳର କଂଗ୍ରେସର ନେତୃତ୍ୱ ସଂଖ୍ୟାଲଘୁ ବର୍ଗ କରଣଙ୍କ ନିକଟରେ ରହିଛି। ତେଣୁ ଏହି ପ୍ରସଙ୍ଗ ମଧ୍ୟ ସରକାରଙ୍କ ଚିନ୍ତାର କାରଣ ହେବ ବୋଲି କୁହାଯାଉଛି।

ପାନୀୟ ଜଳ ପ୍ରସଙ୍ଗ

ପାନୀୟ ଜଳ ଯୋଜନାରେ ବିଭିନ୍ନ ଗ୍ରାମାଞ୍ଚଳର କାମ ହୋଇଛି। ମାତ୍ର ଏହି ଯୋଜନାର ଆରମ୍ଭର କିଛି ଦିନ ପରେ ଏହାର ଗୁଣାତ୍ମକମାନ ହ୍ରାସ ପାଇବାରେ ଲାଗିଛି। ଏହି ସମସ୍ୟା ଆଗାମୀ ଗ୍ରୀଷ୍ଣ ସମୟରେ ବଢିବାର ଆଶଙ୍କା କରାଯାଉଛି। ପ୍ରସଙ୍ଗଟି ଉପରକୁ ଏତେଟା ଜଣା ପଡୁ ନ ଥିଲେ ବି ତୃଣମୂଳରେ ମୁଣ୍ଡବିନ୍ଧାର କାରଣ ହୋଇଛି।

Leave a Reply

Your email address will not be published. Required fields are marked *