ରେଭେନସା କଲେଜରୁ ବିଦାୟ

ସତେ ଆଜି ଜନନୀ ! ଏ ଅଧମ ତନୟ
ସଂସାର ଘଟଣା-ବଳେ
ଭାସି ଶୋକ-ଦୁଃଖ ଜଳେ
ଛାଡିଲା ତୁମ୍ଭର ଚାରୁ ଅଙ୍କ ମଧୁମୟ
ନିଃସହାୟ ଲୋଡେ ଏବେ ସଂସାର ଆଶ୍ରୟ।

ସଂସାର-ବିଷମ ସ୍ଥାନ
ନାହିଁ ଜ୍ଞାନ,ନାହିଁ ଧ୍ୟାନ
ଅଜ୍ଞାନ ସକଳେ ଏଥି ସତତ ଚଞ୍ଚଳ
ତୋ କୋଳ ସମାନ ନାହିଁ ଶାନ୍ତିମୟ ସ୍ଥଳ।

କେତେ ଦିବ୍ୟ ଭାବରାଶି
ମୋ ହୃଦ ତରଙ୍ଗେ ଭାସି
ଯାଉଥିଲା ଥିଲି ଯେବେ ତୋର କୋଳ ଭୋଳେ
ସେ ସବୁ ରହିବଟିକି ଏବେ ଭାବ ଭୋଳେ।

ତୋ ମନୋହର ଉଦ୍ୟାନେ
ନିକାଞ୍ଚନେ ଏକ ଧ୍ୟାନେ
ଚନ୍ଦ୍ରାଲୋକେ ବିହରିଣ ପୁଷ୍ପ-ବନ୍ଧୁ ମେଳେ
ଦେଖିଛି ଅପୂର୍ବ କେତେ-ଚିତ୍ର ବେଳେ ବେଳେ।

ଦେଲେ ଏ ଯେ ନର ଦେହ
ଥିଲେ କରିଥାନ୍ତେ ସ୍ନେହ
ସ୍ୱପ୍ନେ ଦିନେ ଦେଖି ନାହିଁ ତାଙ୍କ ସୁଧାମୁଖ
ଆଜନମକାଳୁ ମୋର ଚିର ସଖା ଦୁଃଖ।

କିନ୍ତୁ ମୋ ମନ ନୟନ
କରି ମାତ ଉନ୍ମୀଳନ
ଚଖାଇଛ ମୋତେ ଯେଉଁ ସାମାନ୍ୟ ଅମୃତ
ଆମରଣ ତହିଁ ଯୋଗେ ହେବି କୃତକୃତ୍ୟ।

ଥିଲେ ଯହିଁ ତହିଁ ମାତ
ଅଜ୍ଞାତ କି ଅବା ଖ୍ୟାତ
ଜାଗ୍ରତ ଥିବ ମୋ ମନେ ତୁମ୍ଭ କଥା ନିତି
ହୁଏ ଯେତେ ବର୍ଷିୟାନ୍
ଥିବ ତୁମ୍ଭ ପଦେ ଧ୍ୟାନ
ତୁମ୍ଭ ହିତେ ଜନନୀ ଗୋ ଲଭିବଇଁ ପ୍ରୀତି।

ପୂର୍ବେ ଉଇଁ ଦିବାକର
କ୍ରମେ ଉଠେ ସେତେ ଦୂର
ବଢଇ ମମତା ତେତେ ଶୈଶବ ସଦନେ
ଅସ୍ତାଚଳ ଶିର ଦେଶେ
ପରବେଶି ଦିବା ଶେଷ
ପରଶେ ସ୍ଥବିର କରେ ପୂର୍ବାଶା ଚରଣେ।

ଶିଖାଇଛ ଯେଉଁ ଶିକ୍ଷା
ଦେଇଅଛ ଯେଉଁ ଦୀକ୍ଷା
ନିରନ୍ତର ପ୍ରତିଫଳ ତାହା ମୋ ଜୀବନେ
ଏଇ ଭିକ୍ଷା ଅକିଞ୍ଚନ କରେ ଶ୍ରୀଚରଣେ।

°°°°°

“ଅବକାଶ ଚିନ୍ତା” ରୁ ଏଇ ପଦ୍ୟଟି ଗୃହୀତ।

“ତୁମ୍ଭ ହିତେ ଜନନୀଗୋ ଲଭିବଇଁ ପ୍ରୀତି”।
କବି: ଗୋପବନ୍ଧୁ ଦାସ

Leave a Reply

Your email address will not be published. Required fields are marked *