Battle of Biju Pattnaik – Bjp ଓଡିଶା ରାଜନୀତିର ଘଟୁ ଥିବା ଘଟଣାର ଅନ୍ତରାଳେ

ଭୁବନେଶ୍ୱର :(ବିଜୟ ସାହୁ)-କିଛିଦିନ ତଳେ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କେମିତି ପ୍ରତିଦ୍ବନ୍ଦିତାମୂଳକ ଥିଲା ତାହା ସୋସିଆଲ ମିଡ଼ିଆର ଖବର ଗୁଡିକରେ ପ୍ରଚାର ଓ ପ୍ରସାର ଦେଖି ଖୁବ ଭଲ ଲାଗିଲା । ଯେ କୌଣସି ପ୍ରତିଦ୍ବନ୍ଦିତା ମୋତେ ଭଲ ଲାଗେ । କିନ୍ତୁ କାଲି ବିଜୁ ଲିଗାସୀ ପ୍ରତିଦ୍ବନ୍ଦିତା ଅଧିକ ଭଲ ଲାଗିଥିଲା,ଏହା Nothing political ବୋଲି ଯେତେବେଳେ ବିଜୁ ନାଗରିକ ମଞ୍ଚର ଅଘୋଷିତ ମୁଖପାତ୍ର ଓ ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଅମର ପ୍ରସାଦ ଶତପଥୀ କହୁଥିବା ଶୁଣିଲି ।
ଏହି nothing political ଶ୍ରାଦ୍ଧ ପାଳନ ପରିପ୍ରେକ୍ଷୀରେ ବିଜୁବାବୁଙ୍କ ସହ ଘନିଷ୍ଠ ଭାବରେ ଜଡିତ ଥିବା ସୁକିନ୍ଦା ବାଘ ପ୍ରଫୁଲ୍ଲ ଭାଇନା, ବିଜୁବାବୁଙ୍କ ଅବୁଝା ପୁଅ ଶ୍ରୀକାନ୍ତ ଜେନା , ଆମ ଧାନମଣ୍ଡଳ ଠାରେ ଏକଦା ପ୍ରତିଷ୍ଠା ହେଇଥିବା କଳିଙ୍ଗ ଫାଉଣ୍ଡରୀର ମାଲିକ ଚିତ୍ତରଞ୍ଜନ ନାୟକଙ୍କ ସୁପୁତ୍ର  ଦେବାଶିଷ ନାୟକ ପ୍ରମୁଖଙ୍କ
ସାକ୍ଷାତକାରଗୁଡିକ ଶୁଣିବା ସୁଯୋଗ ମିଳିଲା । ସମସ୍ତଙ୍କ ସାକ୍ଷାତକାର ତଥ୍ୟଗୁଡିକ ନିଶ୍ଚିତ ବିଜୁବାବୁଙ୍କ ପରବର୍ତ୍ତୀ ପିଢ଼ିର ବିଜୁ ପ୍ରଶଂସକଙ୍କୁ ବିଜୁବାବୁଙ୍କୁ ଅଧିକରୁ ଅଧିକ ଭଲ ପାଇବା ପାଇଁ ସୁଯୋଗ ଦେବ । ତେଣୁ ବିଭିନ୍ନ ସ୍ଥାନରେ ବିଭିନ୍ନ ବାଟରେ ପାଳନ କରିଥିବା ବିଜୁ ଶ୍ରାଦ୍ଧ ଆୟୋଜକଙ୍କୁ ଧନ୍ୟବାଦ ଜଣାଉଛି ।
ଯେଉଁ ସାମ୍ବାଦିକ/ସାମ୍ବାଦିକା ସାକ୍ଷାତକାର ନେଉଥିଲେ ସେମାନଙ୍କ ଗୋଟିଏ ଚମତ୍କାର ପ୍ରଶ୍ନ ପ୍ରାୟ ସମସ୍ତଙ୍କୁ ଥିଲା- ବିଜୁବାବୁ ଓଡ଼ିଆଙ୍କୁ କେତେ ଭଲ ପାଉଥିଲେ ଓ ଓଡ଼ିଆ ବିଜୁ ବାବୁଙ୍କୁ କେତେ ଭଲ ପାଉଥିଲେ । ଏହାର ଉତ୍ତର ଦେବାଶିଷ ନାୟକ କିଛିଟା ଦେବାକୁ ଚେଷ୍ଟା କରିଥିଲେ ।
ମୋଟାମୋଟି ଭାବରେ ଜାଣିଲି ବିଜୁବାବୁ ଆହତ ଖାରବେଳ ଥିଲେ ।
ମୋର ମଧ୍ୟ ବିଜୁବାବୁଙ୍କ ସମ୍ପର୍କରେ ବିଭିନ୍ନ ସମୟରେ କିଛି କିଛି ମତ ରଖିଛି ।
ମୁଁ ବିଜୁବାବୁଙ୍କୁ ପିଲାଦିନୁ ମୋ ଜନ୍ମସ୍ଥାନ ହାଇସ୍କୁଲ ପଡିଆରେ ଦେଖିଥିଲି କୌଣସି ଏକ ସାଧାରଣ ସଭାରେ । 1967 ମସିହା ହେବ ।ପୁଣି ରମ୍ଭାରେ ଆମ ଗାଁର କିଛି କଂଗ୍ରେସ ନେତାଙ୍କ ସହ ଶଗଡ଼ରେ ଯାଇ ଦେଖିଥିଲି । ଏହି ସଭାରେ ବିଜୁବାବୁଙ୍କ ସମେତ କାମରାଜ ନାଦେର ,ମୋ ଲୋକସଭା ନିର୍ବାଚନ ମଣ୍ଡଳୀ ବ୍ରହ୍ମପୁରର ବହୁଥର ପ୍ରତିନିଧିତ୍ୱ କରିଥିବା ଓ ସେଥର ବୋଧେ ପ୍ରଥମ ଥର ପ୍ରାର୍ଥୀ ହେଇଥିବା ରାଚାକୋଣ୍ଡା ଜଗନ୍ନାଥ ରାଓଙ୍କୁ ( R Jagannath Rao ) !
ତେଣୁ ଆମ ଜିଲ୍ଲାର ଏତେ ବଡ଼ ଡେଙ୍ଗା ନେତା ପ୍ରତି ପିଲାଦିନେ ସ୍ୱାଭାବିକ କୌତୁହଳ ଓ ଆକର୍ଷଣ ରହିବା କଥା । ମୋର ମଧ୍ୟ ଥିଲା । ଯଦିଓ ପିଲାଦିନେ ହିଁ ସେଇ ନିର୍ବାଚନ ବେଳେ ବିଜୁ ବିରେନ ଯେଉଁଠି … ସ୍ଲୋଗାନ ପାଟିରୁ ବାହାରି ଥିଲା ।କାରଣ କମ୍ୟୁନିଷ୍ଟ ଓ ସୋସାଲିଷ୍ଟମାନେ ସେହି ସମୟରେ ତୀବ୍ର ବିଜୁ ପଟ୍ଟନାୟକ ବିରୋଧୀ ଥିଲେ ଓ ମୋ ଜିଲ୍ଲାରେ ସୋସାଲିଷ୍ଟ / କମ୍ୟୁନିଷ୍ଟଙ୍କ ବହୁତ ପ୍ରଭାବ ଥିଲା ।
ଏଥିରେ ନିଶ୍ଚିତ ଭାବରେ 1962 ଭାରତ ଚୀନ ଯୁଦ୍ଧ ସମୟରେ  କିଛି ବିବାଦ, ନେହେରୁଙ୍କ ମୃତ୍ୟୁ ପରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନବ କଂଗ୍ରେସର ଅଭ୍ୟୁଦୟ ତଥା ଓଡ଼ିଶା ରାଜନୀତିରେ ପ୍ରବୀଣ- ନବୀନ କ୍ଷମତା ଲଢେଇର କିଛି ଭୂମିକା ଥାଇପାରେ । ତଥାପି ବିଜୁବାବୁଙ୍କ ରାଜନୈତିକ ଜୀବନରେ ଅନେକ ଉତ୍ଥାନ ପତନ ଆଣିଥିବା ସତ୍ତ୍ୱେ ଗଞ୍ଜାମର ଅବଦାନ ବହୁତ ବେଶୀ । ଗଞ୍ଜାମ ତାଙ୍କୁ ଦୁଇଥର ବିଧାନସଭାକୁ ପଠେଇଛି ଓ ଶେଷ ଥର ଲୋକସଭାକୁ ପଠେଇଛି । ଅବଶ୍ୟ ଥରେ 1971 ମସିହାରେ କମ୍ରେଡ଼ ଦ୍ୟୁତିକୃଷ୍ଣ ପଣ୍ଡା ଭାଇନା ତାଙ୍କୁ ଲୋକସଭା ନିର୍ବାଚନରେ ହରେଇ ଦେଇଥିଲେ ।
ତଥାପି ବିଜୁ ଲିଗାସୀର ବେଶି ଦାବୀଦାର ଅବିଭକ୍ତ ଗଞ୍ଜାମ ଜିଲ୍ଲା ହେବା କଥା । ବିଜୁ ଲିଗାସୀ ନେତାମାନେ ଆରମ୍ଭ ସମୟଟାକୁ ବେଶୀ ଆଲୋଚନା କରୁ ନାହାନ୍ତି । ତେଣୁ ଭାବିଲି ଅଣ-ବିଜୁ ପରିବାର ଭିତରୁ ମୁଁ ମଧ୍ୟ କିଛି କଥା କହିଦିଏ ।
ଦେବାଶିଷ ନାୟକ କହୁଥିଲେ ବିଜୁବାବୁଙ୍କ ନିଜ ପରିବାର ପିଲେ ଅର୍ଥାତ ପତ୍ନୀ ଜ୍ଞାନ ପଟ୍ଟନାୟକ, ପୁତ୍ର ପ୍ରେମ ଓ ନବୀନ ପଟ୍ଟନାୟକ ଓ କନ୍ୟା ଗୀତା ମେହେତା ବିଜୁବାବୁଙ୍କ ଉପରେ ବହୁତ କ୍ଷୁବ୍ଧ ଥିଲେ । ହେବା କଥା । ନାୟକଙ୍କ ତଥ୍ୟରୁ ଯାହା ଜାଣିଲି ବିଜୁବାବୁ ଜଣେ ଶିଳ୍ପପତି ଭାବରେ ଟାଟା ଙ୍କ ଠାରୁ ବି ଆଗରେ ଥିଲେ । ଲଣ୍ଡନ,ପାକିସ୍ତାନ, ବମ୍ବେ ନରୀମ୍ୟାନ ପଏଣ୍ଟ ଓ ଦିଲ୍ଲୀ ଘର ବିକ୍ରି କରି ଦେଇଥିଲେ ।ପରିବାର ବିରୋଧ ସତ୍ତ୍ୱେ । କେବଳ ଗୋଟିଏ ପାର୍ଟି ଛାଡି / ଭାଙ୍ଗି ଆଉ ଗୋଟିଏ ପାର୍ଟି ଗଠନ କରିବା ଯୋଗୁଁ । ତଥ୍ୟଟି ମିଥ୍ୟା ନୁହେଁ । ତେଣୁ ବେଳେ ବେଳେ ଭାବିଛି ବିଜୁବାବୁ ରାଜନୀତିର ବୁଢ଼ିଆଣି ଜାଲ ଭିତରେ ବେଶୀ ଛନ୍ଦି ନ ହେଇ ଶିଳ୍ପପତି ଭାବରେ ରହିଥିଲେ ଅଥବା ସେତେବେଳେ କଂଗ୍ରେସ ଦିଲ୍ଲୀ ନେତୃତ୍ୱ ସହ ସମଝୋତା ହେଇ ଯାଇଥିଲେ ନିଶ୍ଚିତ ଭାବରେ ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଉନ୍ନତି କରିଥାନ୍ତା ଓ ଓଡ଼ିଆ ପୁଅ ଲାଭବାନ ହେଇଥାନ୍ତେ । ଓଡ଼ିଶାକୁ ବମ୍ବେ କରିବା ସ୍ୱପ୍ନ ଅନେକ ପରିମାଣରେ ସାକାର ହେଇଥାନ୍ତା ।ବୋଧେ ଓଡ଼ିଶାର ରାଜନୈତିକ ପାଣିପାଗ ତାଙ୍କ ପାଇଁ ଅନୁକୂଳ ହେଲାନି କିମ୍ବା ସେ ଓଡ଼ିଶାର ପାଣିପାଗ ସହ  ସମଝୋତା କରି ପାରି ନଥିଲେ ।
1990 ମସିହା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା କିଛି ଦିନ ପରେ ତାଙ୍କର ଚେମ୍ବରରେ ଜଣେ ଉଦାସ ବିଜୁ ପଟ୍ଟନାୟକଙ୍କୁ ମୁଁ ଦେଖିଥିଲି । ସେତେବେଳ ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଇ ନଥାଏ ।
ମୁଁ ,ଏସ ୟୁ ସି ଆଇ (କମ୍ୟୁନିଷ୍ଟ ପାର୍ଟି ) ବିଧାୟକ କମ୍ରେଡ଼ ଶମ୍ଭୁନାଥ ନାୟକଙ୍କ ସହ ତାଙ୍କ ପାଖକୁ ଯାଇଥିଲି । ସେଥର କମ୍ରେଡ଼ ଶମ୍ଭୁନାଥ ନାୟକ ଅଳ୍ପ ଭୋଟର ହାରି ଯାଇଥାନ୍ତି । ତେଣୁ ନିର୍ବାଚନ ଫଳ ଘୋଷଣା ଦୁଇ ଦିନ ପରେ ଜନତାଦଳରୁ ଜିତିଥିବା ବିଧାୟକ ମଙ୍ଗଲ ସିଂହ ମୋଦୀ ତୁରନ୍ତ କ୍ୱାର୍ଟର ଖାଲି କରେଇବା ପାଇଁ ଲାଗିଗଲେ ଓ କମ୍ରେଡ଼ ଶମ୍ବୁବାବୁଙ୍କୁ ନୋଟିସ ମଧ୍ୟ ହାତାହାତି ମିଳିଗଲା ।
ଆମେ ସେଇ ନୋଟିସ ଧରି ବିଜୁବାବୁଙ୍କ ଚେମ୍ବର ଯାଇଥିଲୁ । କୌଣସି ଅପେକ୍ଷା କରିବାକୁ ପଡି ନଥିଲା । ବିଜୁବାବୁ ଚେମ୍ବରରେ ଏକେଲା ବସିଥିଲେ । ଶମ୍ଭୁ ବାବୁଙ୍କୁ ଦେଖି ବିଜୁବାବୁଙ୍କ ପ୍ରଥମ ପ୍ରଶ୍ନ ଥିଲା, ତୁ କେମିତି ହାରିଲୁ ? ଶମ୍ବୁବାବୁ କହିଲେ, ଆପଣ କେବଳ ମୋତେ ହରେଇବା ପାଇଁ ଦୁଇଥର ଯଶୀପୁର ହେଲିକେପ୍ଟର ନେଇ ଯାଇଥିଲେ ପରା ?
ବିଜୁ ବାବୁ କହିଲେ,ଦଳେ ଚୋର ଡକାୟତ,ଗୁଣ୍ଡା ଜିତି ଆସିଲେ, ତୁ ହାରିଗଲୁ ? ଛାଡ଼,ସବୁ ହାୱା ।ଏଠାରେ ଉଲ୍ଲେଖଯୋଗ୍ୟ ଯେ 1990 ମସିହା ଭୋଟ ଗଣତି କେନ୍ଦ୍ର ଗୁଡିକରେ ଅରାଜକତା ର ଏକ ବାତାବରଣ ସୃଷ୍ଟି ହେଇଥିଲା ।
ତାପରେ ଆମର ଦରଖାସ୍ତ ଦେଖି ପଚାରିଲେ ତୋ କ୍ୱାର୍ଟର ଖାଲି କରିବାକୁ କିଏ ନିର୍ଦ୍ଦେଶ ଦେଲା ? ବିଶେଷ ସ୍ପଷ୍ଟୀକରଣ ଦେବାକୁ ପଡ଼ିଲା ନାହିଁ ।
ପ୍ରାଇଭେଟ ସେକ୍ରେଟାରୀଙ୍କୁ ଡାକି ଦରଖାସ୍ତଟି ବଢ଼େଇ ଦେଲେ । ସେଥିରେ ଲେଖାଥିଲା , He will continue till alternative allotment is not done for his party .
ପୁଣି ନୀରବ ହେଇଗଲେ । ମୁଁ ପଚାରିଲି ଦ୍ଵିତୀୟ ଇସ୍ପାତ କାରଖାନା କରିବେ ?
ନା, ଆଉ ପବ୍ଲିକ ସେକ୍ଟର ଚାନ୍ସ ନାହିଁ ।
ବିଜୁବାବୁ ଦ୍ଵିତୀୟ ଇସ୍ପାତ କାରଖାନା ସ୍ୱପ୍ନ ଦେଖିଥିଲେ । ଓଡ଼ିଶାରେ ବହୁତ ଆନ୍ଦୋଳନ ପୂର୍ବରୁ ମଧ୍ୟ ହେଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଷାଠିଏ ଦଶକରେ MN DASTUR & CO ରାଉରକେଲା ଇସ୍ପାତ କାରଖାନା ପରେ ଦେଶରେ ଆଉ ଗୋଟିଏ ବୃହତ ଇସ୍ପାତ କାରଖାନା ପାଇଁ 28ଟି ସ୍ଥାନ ବ୍ୟାପକ ଭାବରେ ସର୍ଭେ କରିଥିଲେ । ରିପୋର୍ଟରେ ଓଡ଼ିଶାର ତିନୋଟି ସ୍ଥାନ ଗୁରୁତ୍ୱ ପାଇଥିଲା ଓ କେନ୍ଦୁଝରର ନୟାଗଡ଼ ଅଞ୍ଚଳ ବିଭିନ୍ନ କାରଣରୁ ସର୍ବୋତ୍କୃଷ୍ଟ ସ୍ଥାନ ଭାବରେ ବିଚାର ହେଇଥିଲା ।  ଦୈତାରୀ-ପାରାଦ୍ୱୀପ ଓଡ଼ିଶା ରାଜପଥ ମଧ୍ୟ ଥିଲା । ବନ୍ଦର ଥିଲା । କଞ୍ଚାମାଲ ସୁଲଭ ଥିଲା ।ଆବଶ୍ୟକ ଶ୍ରମ ଶକ୍ତି , ସରକାରୀ ଜମି ମଧ୍ୟ ଥିଲା । ବୋଧେ ଟାଟା କମ୍ପାନୀ ଓ ରୁଷି ମୋଦୀ ଏହାକୁ କରେଇ ଦେଇ ନଥିଲେ । ପୁଣି ବିହାରର ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ବେଳେ ତାଙ୍କ ଭାଇ ରେଳବାଇ ମନ୍ତ୍ରୀ ଲଳିତ ନାରାୟଣ ମିଶ୍ର ଏକ ସଭାରେ ବୋମା ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିଲେ । ଏଥି ନେଇ ବିଭିନ୍ନ ପ୍ରକାର Conspiracy Theory ମଧ୍ୟ ପ୍ରଚାର ହେଇଥିଲା । ତେଣୁ ଶ୍ରୀମତୀ ଗାନ୍ଧୀଙ୍କ ଆଶୀର୍ବାଦ ବୋକାରୋ ଆଡେ ଚାଲି ଯାଇଥିଲା । ବିଜୁବାବୁଙ୍କ ବହୁ ପୂର୍ବର ପ୍ରତିଶ୍ରୁତି/ ସ୍ୱପ୍ନ ସାକାର ହେଇ ନଥିଲା । ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସହିତ ବିଜୁବାବୁଙ୍କ ଦ୍ବନ୍ଦ୍ୱର ଏହା ମଧ୍ୟ ଏକ କାରଣ ହେଇପାରେ ।
ସେଇ ଦିନରୁ ବିଜୁବାବୁ ମଧ୍ୟ ଖୋଲାଖୋଲି ଟାଟା ବିରୋଧୀ ହେଇଥିଲେ ।
କିନ୍ତୁ ତାଙ୍କ ପାଖରେ ବୋଧେ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେଲା ବେଳକୁ 60 ଦଶକର ରାଜନୈତିକ ପ୍ରଭାବ ନଥିଲା , ନେହେରୁଙ୍କ ଆଶୀର୍ବାଦ ମଧ୍ୟ ନଥିଲା । 1977 ମସିହା କେନ୍ଦ୍ରରେ ଇସ୍ପାତ ଓ ଖଣିମନ୍ତ୍ରୀ ହେବା ସତ୍ତ୍ୱେ ଏକ୍ଷେତ୍ରରେ କୌଣସି ସହାୟତା ପାଇ ନଥିଲେ । ସେଥିପାଇଁ ବୋଧେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଘୋଷଣା କରିଥିଲେ ଓଡ଼ିଶା ଭାରତରୁ ଅଲଗା ହେଇଯିବ ଯଦି କେନ୍ଦ୍ର ଓଡ଼ିଶା କଥା ଶୁଣିବ ନାହିଁ । ଏହି କଥା ପାର୍ଲିଆମେଣ୍ଟ ରେ ପ୍ରଚଣ୍ଡ ଆଲୋଡନ ସୃଷ୍ଟି କରିଥିଲା । ଏପରି କି ବିଜୁବାବୁଙ୍କୁ ରାଷ୍ଟ୍ରଦ୍ରୋହୀ ବୋଲି ସମସ୍ତେ ଅଭିଯୋଗ କରିଥିଲେ । ସେତେବେଳେ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ । ତେଣୁ ମ୍ୟାନେଜ କରି ଦେଇଥିଲେ ।
ଏହି ଭଳି କଥା ଏକଦା ପ୍ରାୟ 100 ବର୍ଷ ତଳେ ଭାରତୀୟ ଜାତୀୟ କଂଗ୍ରେସ ଗଠନର ଆଦ୍ୟ ପର୍ଯ୍ୟାୟରେ ମଧୁବାବୁ କହିଥିଲେ – ଯଦି ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକତ୍ରୀ କରଣ ନ ହୁଏ ତାହେଲେ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନ ଓଡ଼ିଶାରେ କାହିଁକି ହେବ , ମୁଁ କାହିଁକି କଂଗ୍ରେସ ରେ ରହିବି ? ଦଳେ ତାଙ୍କୁ ବ୍ରିଟିଶ ଦଲାଲ ମଧ୍ୟ କରି ଦେଇଥିଲେ । ଏଇଠୁଁ ହିଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପ୍ରକ୍ରିୟା ଜୋର ଧରିଥିଲା ।
ପୁଣି ମୂଳ ପ୍ରସଙ୍ଗକୁ ଆସୁଛି । ସେଦିନ ମୁଁ ଓ ଶମ୍ଭୁବାବୁ ପ୍ରାୟ ଘଂଟାଏ କାଳ ତାଙ୍କ ଚେମ୍ବର ରେ ବସିଥିଲୁ ଓ ସେ ଫେରିବାକୁ ଦେଇ ନଥିଲେ । ସମ୍ଭବତଃ ନିଜକୁ ବହୁତ ଅସହାୟ ମନେ କରୁଥିଲେ । ମୁଁ ଜାଣିନି , ସେତେବେଳେ କଣ ବିଜୁବାବୁଙ୍କୁ କେବଳ ମୁଖ୍ୟମନ୍ତ୍ରୀ ଚେୟାର ରେ ବସେଇ କିଛି ବିଜୁ ଲିଗାସୀ ଵାଲା ନିଜ ବାଟରେ ଶାସନ କରିବାକୁ ଚାହୁଁ ଥିଲେ କି ? ଏ ଜବାବ କେବଳ ସେ ଦେଇ ପାରିଥାନ୍ତେ । ଅନ୍ୟମାନେ ଯେତେ ଦେଲେ ବି ସେମାନେ ଲାଭାର୍ଥୀ ଭାବରେ ଅର୍ଦ୍ଧ ସତ୍ୟ ବୟାନ ଦେବେ ।
ସେଦିନ ବିଜୁବାବୁ ଲଞ୍ଚ ଟାଇମ ହେବାରୁ ତଳକୁ ଆସିଲେ । ଆମେ ଅଲଗା ଆସିବାକୁ ଚାହୁଁଥିଲୁ, କିନ୍ତୁ ଲିଫ୍ଟରେ ଆସିବାକୁ ବାଧ୍ୟ କରିଥିଲେ । ମୁଁ ମନସ୍ତାତ୍ଵିକ ଦିଗରୁ ସେଦିନ ଘଟଣା ବୁଝିବାକୁ ବହୁଥର ଚେଷ୍ଟା କରିଛି । କିଛି ଉତ୍ତର ଯେଉଁଦିନ ସଚିବାଳୟ କର୍ମଚାରୀ ମରଣାତ୍ମକ ଆକ୍ରମଣ କରିଥିଲେ ସେଥିରୁ ମଧ୍ୟ ପାଇଛି । ଏହା ବିଜୁ ଲିଗାସୀଙ୍କ କୌଣସି Conspiracy ନଥିଲା ତ ?
ବିଜୁବାବୁ, ପୁଣି ମୁଖ୍ୟମନ୍ତ୍ରୀ ପଦବୀ ହରେଇ ଯେତେବେଳେ ପାର୍ଲିଆମେଣ୍ଟ ଯାଇଥିଲେ ଓ ସୁଷମା ସ୍ୱରାଜ ସମେତ ପୂରା ବିଜେପି ବ୍ରିଗେଡର ବୈଠୋ ବୈଠୋ … ଶୁଣିଥିଲେ ଓ ତାଙ୍କୁ କୁହାଇ ଦେଇ ନଥିଲେ ,ସେଦିନ ବିଜୁ ବାବୁଙ୍କ ଅପଦସ୍ତ କଥା କେହି ମନେ ରଖି ନଥିଲେ ବୋଧେ । ଅନ୍ୟଥା ଶ୍ରାଦ୍ଧ ପାଳନ ନାଁ ରେ ସେଇ ବୈଠୋ ବୈଠୋ ଗ୍ୟାଙ୍ଗରେ ସାମିଲ ହେଇ ନଥାନ୍ତେ ।
ନବୀନ ପଟ୍ଟନାୟକଙ୍କ ବିଜୁବାବୁଙ୍କ ଉପରେ ମନ ଭିତରେ କ୍ରୋଧ ରହିପାରେ ।
ତେଣୁ ବିଜୁବାବୁଙ୍କ ପାଇଁ କିଛି କଲେ ନାହିଁ । କାରଣ ମଧ୍ୟ ଦେବାଶିଷ ନାୟକ ଉଲ୍ଲେଖ କରିଛନ୍ତି, କିନ୍ତୁ ଯେଉଁମାନେ ବିଜୁବାବୁଙ୍କ ଦ୍ଵାରା ରାଜନୈତିକ ଦିଗରୁ ଲାଭାର୍ଥୀ ହେଇଛନ୍ତି ସେମାନେ କେମିତି ଏତେ ଶୀଘ୍ର ସବୁକଥା ଭୁଲି ଯାଇ ବିଜେପି ମୁହାଁ ହେଇଗଲେ ?

ଅପରପକ୍ଷରେ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଚାଲିଛି ବିଜୁବାବୁଙ୍କ ବାକିଥିବା ସମ୍ପତ୍ତି ହଡ଼ପ ଉପରେ । ଅବଶ୍ୟ କେତେ ସମ୍ପତ୍ତି ଅଛି ଆମେ ସାଧାରଣ ଲୋକେ କହି ପାରିବା ନାହିଁ । ତଥାପି ଆଖିଦୃଶିଆ ସମ୍ପତ୍ତି ହେଉଛି ନବୀନ ନିବାସ । ତା ଭିତରେ ଯଦି ବିଜୁବାବୁ କିଛି ସୁନାମୁଣ୍ଡା ରଖିଥିବେ ଆମେ ଜାଣିବା ସୁଯୋଗ ନାହିଁ । ତାଙ୍କର ପାଖ ଲୋକ ଜାଣିଥିବେ । ତଥାପି ବିଜୁବାବୁଙ୍କ ସୁନା ପିନ୍ଧିଥିବା ଫଟୋ ମୁଁ କେବେ ଦେଖିନାହିଁ । ଯେତେବେଳେ ପାଖରୁ ଦେଖିଛି ,ଏପରି କି ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ସମୟରେ ନବୀନ ନିବାସ ଉପରେ ତାଙ୍କର ବିଶେଷ ଚେୟାରରେ ବସିଥିବା ଦେଖିଛି ସେତେବେଳେ କେବଳ ହାତରେ ଗୋଟିଏ ଘଣ୍ଟା ଦେଖିଥିଲି । ତାହା ସେଇ ମାନ୍ଧାତା ଅମଳର ଚେନ ଲଗା ଘଣ୍ଟା । ମାଗଣାରେ ଦେଇଥିଲେ ମୁଁ ନେଇ ନଥାନ୍ତି । ତେଣୁ ସୁନା ଘର ଭିତରେ ନଥିବ । କିଛି କ୍ୟାସ ରହି ଥାଇପାରେ ।
ଘରେ ଯଦି ପୂର୍ବରୁ କିଛି ସୁନା ରଖିଥିବେ ତାହେଲେ ବୁଢ଼ୀ ପଟନାୟକ ଯେତେବେଳେ ଆସୁଥିଲେ ସେତେବେଳେ ନେଇ ଯାଇଥିବେ । ବିଜୁବାବୁ କିଛି କହି ନଥିବେ । ଥରେ କୁଆଡ଼େ କିଛି ରାଗିକିରି କହି ଦେଇଥିଲେ ଯେ ବୁଢ଼ୀ ରୁଷି କିରି ଭୁବନେଶ୍ୱରରେ ଫେରାର ହେଇ ଯାଇଥିଲେ , ବିଜୁବାବୁଙ୍କୁ ଚାରିଆଡେ ଖୋଜିବାକୁ ପଡିଥିଲା ।

ଲିଗାସୀ ନେତାଙ୍କ ଦାବୀ ହେଲା ବିଜୁବାବୁ ଯେଣୁ ଓଡ଼ିଆ ,ତେଣୁ ତାଙ୍କର ଯାହା ସମ୍ପତ୍ତି ରହିଛି ଅଣ ଓଡ଼ିଆ ନବୀନ ପଟ୍ଟନାୟକଙ୍କ ହାତରୁ ଛଡେଇ ନେଇ ପ୍ରକୃତ ବିଜୁ ଲିଗାସୀ ନାଁ ରେ କରି ଦିଆଯାଉ । ଏଠାରେ କେବଳ ମୁଁ ଗୋଟିଏ କଥା ବୁଝି ପାରୁନି ଓଡ଼ିଶାର ତ ଅନେକ ମୁଖ୍ୟମନ୍ତ୍ରୀ ଥିଲେ । ସମସ୍ତଙ୍କ ନିଶ୍ଚୟ ସମ୍ପତ୍ତି ଥିବ । କେବଳ ଯେତିକି ଜାଣିଛୁ ନବବାବୁଙ୍କ କୌଣସି ବ୍ୟକ୍ତିଗତ ସମ୍ପତ୍ତି ଏପରିକି ପୈତୃକ ସମ୍ପତ୍ତି ନଥିଲା । ଯାହା କିଛି ସମ୍ପତ୍ତି ତାଙ୍କର ଅନୁଗୁଳ ବାଜିରାଉତ ଯୋଗୀ ଆଶ୍ରମ । ବାକି ସବୁ ଦେଶ ପାଇଁ ଦାନ କରି ଦେଇଥିଲେ । ଆଉ ଜଣେ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ର । ତାଙ୍କର ମୃତ୍ୟୁ ବେଳର ଦୃଶ୍ୟ ଦେଖିଛି ବଡ଼ ମେଡ଼ିକାଲ ବେଡ଼ ରେ ( କଟେଜ) । ଶେଷ ବେଳକୁ ପିଠି ଘା ହେଇ ଯାଇଥିଲା ।  ବିଡ଼ି ଖଣ୍ଡେ ପାଇଁ ପଇସା ମାଗୁଥିଲେ । ତେଣୁ ତାଙ୍କର ସମ୍ପତ୍ତି ଶେଷ ବେଳକୁ ନଥିଲା । ଏପରି କି ଜନଶକ୍ତି ପ୍ରେସ ବଡ଼ ଜାଗା ମଧ୍ୟ ଆୟକର ବିଭାଗ ଜବତ କରି ନେଇଥିଲା । ମୃତ୍ୟୁ ଏମିତି ସମୟରେ ହେଇଥିଲା ବିଶେଷ କେହି ଜାଣି ପାରିଲେ ନାହିଁ । ଏକଦା ସେ କଟକର ସାହି ବସ୍ତିର ପ୍ରିୟ ବିରେନ ଦା ଥିଲେ ।

କିନ୍ତୁ ଅନ୍ୟ ମୁଖ୍ୟମନ୍ତ୍ରୀ କିମ୍ବା ସେମାନଙ୍କ ସନ୍ତାନମାନଙ୍କ ସମ୍ପତ୍ତି ଅନେକ ସମ୍ପତ୍ତି ନିଶ୍ଚୟ ରହିଛି । କିନ୍ତୁ ରାଜ୍ୟକରଣ କରିବା ଦାବୀ ଉଠୁନି କାହିଁକି ?

ପୂର୍ବରୁ ଦେବାଶିଷ ନାୟକଙ୍କ ସାକ୍ଷାତକାରରୁ କିଛି ତଥ୍ୟ ଉଲ୍ଲେଖ କରି ଗୋଟିଏ ପୋଷ୍ଟ କରିଥିଲି । ଭାବିଲି କଥାଟି ଆଉ ଟିକିଏ ସମ୍ପ୍ରସାରଣ କରିବା କିପରି ବିଜୁ ଲିଗାସୀ ନେତାମାନେ ବିଜୁବାବୁଙ୍କ ସମ୍ପତ୍ତି ସୃଷ୍ଟି ପାଇଁ ଝାଳ ନାଳ ବୁହାଇ ଦେଇଥିଲେ ।
ମୁଁ କିନ୍ତୁ କିଛି ବର୍ଷ ବିଜୁବାବୁଙ୍କ ବିଶେଷ ପ୍ରକୃତି ଦେଖିଛି , ଯେଉଁଥିରୁ ମୋର ଧାରଣା ଏବେ ବି ରହିଛି ବିଜୁ ରାଜନୈତିକ ପରିବାର ଅର୍ଥାତ ଲିଗାସୀ ପରିବାର ବିଜୁବାବୁଙ୍କ ପିଠିରେ ଲାଉ ହିଁ ହେଉଥିଲେ । ଏମିତି ଲାଉ ହେଉଥିଲେ ଯେ ଦୁଇ ପଟ ରୁଟି ଓ ଟିକିଏ ତଡକା ପଇସା ଦେବା ପାଇଁ ବିଜୁବାବୁଙ୍କ ପଞ୍ଜାବୀ ପକେଟ ଆଡେ ନଜର ରଖୁଥିଲେ । ଏପରି କି ଚଣ୍ଡୀଖୋଲ ଛକରେ କାକୁଡି ଗୋଟେ ଦୁଇଟା ଖାଇ ପୂରା ଝୁଡ଼ି କାକୁଡ଼ି ତାଙ୍କ ଚାରି ପାଖରେ ରୁଣ୍ଡ ହେଇଥିବା ଲୋକଙ୍କ ମଧ୍ୟରେ ବାଣ୍ଟି ଦେବାକୁ କହୁଥିଲା ବେଳେ  ପଞ୍ଜାବୀ ପକେଟରୁ ଯେତିକି ନୋଟ ବାହାରୁ ଥିଲା କାକୁଡି ଵାଲାକୁ ଦେଇ ଦେଉଥିଲେ , ପାଖରେ ଥିବା ଅଥବା ସାଙ୍ଗରେ ଯାଉଥିବା କୌଣସି ନେତା ଆପଣ ରଖନ୍ତୁ ମୁଁ ଦେଉଛି କହୁ ନଥିଲେ ।

ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ ଆଉ କିଛି କଥା ଲେଖୁଛି ।
1983 ମସିହାର ବୋଧେ ମେ ମାସ ହେବ । ସେଦିନ କ୍ରିକେଟ ବିଶ୍ୱକପ ମ୍ୟାଚ ଇଂଲଣ୍ଡ -ଭାରତ ଭିତରେ ଥାଏ , ସେମି ଫାଇନାଲ ।
ସେଦିନ ସନ୍ଧ୍ୟାରେ ପୂର୍ଵ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜନତା ପାର୍ଟି ଅଫିସରେ ଅଣ- କଂଗ୍ରେସ ଦଳ ଓ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ନେତାମାନଙ୍କ ଗୋଟିଏ ବୈଠକ ହେବାର ଥିଲା  । ସେଇ ବୈଠକରେ ସିପିଆଇ, ସିପିଏମ, ଏସୟୁସିଆଇ, ବିଜେପି ପ୍ରତିନିଧିମାନେ ଯୋଗ ଦେଇଥିଲେ । ଭବିଷ୍ୟତରେ ନାମକରା ନେତା ହେଇଥିବା  ବିଶ୍ୱଭୂଷଣ ହରିଚନ୍ଦନ, କଳ୍ପତରୁ ଦାସ ଓ କୃଷ୍ଣଚନ୍ଦ୍ର ଜଗଦ୍ଦେବ ( ବିଜେପି) ଅଂଶ ଗ୍ରହଣ କରିଥିଲେ । ଭୁବନେଶ୍ୱରରୁ କମ୍ରେଡ଼ ଶିବାଜୀ ପଟନାୟକ, ଲମ୍ବୋଦର ନାୟକ ( ସିପିଏମ), କମ୍ରେଡ଼ ଦୁର୍ଗାଚରଣ ମହାନ୍ତି( ସିପିଆଇ) ,ପ୍ରତାପ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । କମ୍ରେଡ଼ ପ୍ରବୀର ପାଲିତ,ରାଜୁ ସିଂହ ,କୃଷ୍ଣଚନ୍ଦ୍ର ପାତ୍ର ଓ ମୁଁ ପ୍ରବୀରଦାଙ୍କ ଆମ୍ବାସାଡାର ଗାଡ଼ିରେ ଭୁବନେଶ୍ୱର ଯାଇଥିଲୁ ।
ଏହି ବୈଠକର କାରଣ ଟିକିଏ ଉଲ୍ଲେଖ କରିଦିଏ ।

ପୂର୍ବରୁ କଟକ ମୁନିସିପାଲିଟି କର୍ମଚାରୀ ସଙ୍ଘ ଅଫିସରେ ବିଶ୍ୱନାଥ ପଣ୍ଡିତଙ୍କ ଉପସ୍ଥିତିରେ ଗୋଟିଏ ବଡ଼ ବୈଠକ ହେଇଥିଲା ଓ କିଛି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ନେବା ପାଇଁ ନିଷ୍ପତ୍ତି ହେଇଥିଲା । 1980 ମସିହା ଛାତ୍ର ଆନ୍ଦୋଳନ ବର୍ଷେ ପରେ  ଉଭେଇ ଯାଇଥିଲା ଓ 1982 ପ୍ରଳୟଙ୍କରୀ ବନ୍ୟା ଓ ତା ପୂର୍ବରୁ ଛବିରାଣୀ ହତ୍ୟାକାଣ୍ଡ ଜନିତ ଆନ୍ଦୋଳନ ଚର୍ଚ୍ଚା ଭିତରେ ଥିଲା ।
1982 ବନ୍ୟା ଓ ଜାନକୀ ବାବୁଙ୍କ ସରକାରଙ୍କ ପୂର୍ଵ ସୂଚନା, ରିଲିଫ, ଥଇଥାନ କ୍ଷେତ୍ରରେ ଚରମ ବିଫଳତା ଯୋଗୁଁ ରାଜ୍ୟରେ ଅସନ୍ତୋଷ ରହିଥିଲା । ସେତେବେଳେ କଂଗ୍ରେସ ମନ୍ତ୍ରୀମଣ୍ଡଳୀର ରାଷ୍ଟ୍ରମନ୍ତ୍ରୀ ବସନ୍ତ ବିଶ୍ବାଳ ବସ୍ତୁତଃ ମୁଖ୍ୟମନ୍ତ୍ରୀ ଭଳି ସବୁ ବିଭାଗ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଓ ବିଭିନ୍ନ କାରଣରୁ ଚର୍ଚ୍ଚିତ ମନ୍ତ୍ରୀ ଥିଲେ । ସମାଜ ତାଙ୍କ କ୍ରିୟାକଳାପ ଉପରେ ସମାଲୋଚନାମୂଳକ ଲେଖା ପ୍ରକାଶ କରୁଥିବାରୁ ସମାଜ ଅଫିସ ଭିତରକୁ ମଧ୍ୟ ବୋମା ନିକ୍ଷେପଣ ହେଇଥିଲା ଓ ରାଧାନାଥ ରଥ ଏବଂ କମ୍ରେଡ଼ ଗଙ୍ଗାଧର ପାଇକରାୟ ଗୋଟିଏ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ମରଣାତ୍ମକ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ ।
ବସନ୍ତ ବାବୁ ବିଭିନ୍ନ ସଭା ସମିତି ରେ ଝିଟିପିଟିକୁ ପିଟିପିଟି ମାର, ଯା ମାଇପ ବେକରେ ସୁନା ଚେନ ତା ସ୍ବାମୀ ଜଣେ ଶିକ୍ଷକ  ନେତା ଇତ୍ୟାଦି ଖୋଲାଖୋଲି କହୁଥିଲେ ( କାରଣ କମ୍ରେଡ଼ ଅବନୀ ବରାଳ, ବିବେକାନନ୍ଦ ଦାସ, ରାଜକିଶୋର ପଟନାୟକ , କୈଳାସ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଶିକ୍ଷକ ମହାସଂଘ ବିଶାଳ ରୂପ ନେଇଥିଲା । କେବଳ ସରକାରୀ ହାଇସ୍କୁଲ ଶିକ୍ଷକ ଓ ସରକାରୀ କଲେଜ ଶିକ୍ଷକ ସେଥିରେ ନଥିଲେ । କାରଣ ସବୁବେଳେ ଓଡ଼ିଶାରେ ସରକାରୀ ମାଷ୍ଟ୍ରେ / ଅଧ୍ୟାପକ ଭୟାଳୁ ।
ପୂର୍ବରୁ ଛବିରାଣୀ ହତ୍ୟାକାଣ୍ଡ , 1982 ଦଳେଈଘାଇ ପ୍ରଳୟଙ୍କରୀ ବନ୍ୟା ଓ ରାଜ୍ୟ ସରକାରଙ୍କ ରିଲିଫ ଓ ଥଇଥାନରେ ଚରମ ଅବହେଳା କଥା ମଧ୍ୟ ଥିଲା । ତେଣୁ ଓଡ଼ିଶାରେ ଆନ୍ଦୋଳନ କରିବା ପାଇଁ କଟକ ବୈଠକରେ ସ୍ଥିର ହେଇଥିଲା । ବୈଠକରେ ମତ ଆସୁଥିଲା ବିଜୁବାବୁଙ୍କୁ ଏଥିରେ ସାମିଲ କରିବା । ସେଥିପାଇଁ ଗୋଟିଏ ଟିମ ଭୁବନେଶ୍ୱର ଯାଇ ବିଜୁବାବୁଙ୍କ ସହ ଆଲୋଚନା କରିବା କଥା ସ୍ଥିର ହେଇଥିଲା । ଏହି ପ୍ରେକ୍ଷାପଟରେ ଆମେ କଟକରୁ ଯାଇଥିଲୁ ।
ବିଜୁବାବୁଙ୍କ ଉପସ୍ଥିତିରେ ପ୍ରାୟ ରାତି 11 ପର୍ଯ୍ୟନ୍ତ ଆଲୋଚନା ଚାଲିଲା । ବିଜୁ ବାବୁ ଆନ୍ଦୋଳନ ପାଇଁ ରାଜି ହେଲେ । କିନ୍ତୁ ସେ କୌଣସି କମିଟି ଫମିଟି ଉପରେ ବିଶ୍ୱାସ ନାହିଁ ବୋଲି କହିଲେ । ତାଙ୍କର ମତ ହେଲା ଜଣେ ଡିକ୍ଟେଟର ରହିବା ଦରକାର । ଆମେ ଅର୍ଥ ବୁଝିଗଲୁ । ବୁଝେଇବାକୁ ଚେଷ୍ଟା କଲୁ ସମସ୍ତ ଅଂଶୀଦାର ଦଳ ଓ ଶ୍ରମିକ ସଂଗଠନକୁ ନେଇ 10 ଜଣିଆ କମିଟି ରହିବ । ବିଜୁ ବାବୁ କହିଲେ ତାହେଲେ ଆମ ପ୍ରତାପ (ପ୍ରତାପ ମହାନ୍ତି )ରହିବ ।ଶେଷରେ କମିଟି ହେଲା ଓ ସଂଯୋଜକ ଭାବରେ ରାଜେନ୍ଦ୍ର ପ୍ରସାଦ ସିଂହ ରହିଲେ । ପ୍ରତାପ ମହାନ୍ତି ରହିଲେ ନାହିଁ ।
ଏତିକି ବେଳେ କିଏ ଆସି ବିଜୁବାବୁଙ୍କୁ କହିଲା ଭାରତ ଭଲ ଖେଳୁଛି । ବିଜୁ ବାବୁ ସାଙ୍ଗେ ସାଙ୍ଗେ କହିଲେ ସମସ୍ତେ ରୁହ ଖେଳ ଦେଖିବା । କିନ୍ତୁ ଆମ ଭିତରୁ କିଏ କହିଲା ଭୋକ ହେଲାଣି । ବିଜୁ ବାବୁ ନିଜ ପକେଟରୁ କିଛି ଟଙ୍କା ବାହାର କରି ଡ୍ରାଇଭରକୁ ନିର୍ଦ୍ଦେଶ ଦେଲେ ରାଜଭୂବନ ହୋଟେଲରୁ ଭଲ ଖାଇବା ନେଇ ଆସିବୁ, କୁକୁଡ଼ା ମାଂସ ଆଣିବୁ, ମୁଁ ଖାଇବି । ଭାବିଥିଲୁ ମଟନ , କୁକୁଡ଼ା ମାଂସ ଓ ରୁଟି ଆସିବ ।
ବିଶ୍ୱଭୂଷଣ ବାବୁ ନନଭେଜ ଶୁଣି ଚାଲିଗଲେ । ତାଙ୍କ ସାଙ୍ଗରେ ତାଙ୍କ ଦଳ ନେତା ଚାଲିଗଲେ ।
। କ୍ରିକେଟ ଦେଖିବା ଆଶାରେ ଆମେ କଟକ ଵାଲା ରହିଗଲୁ ।
ଘଣ୍ଟାଏ ଦୁଇଘଣ୍ଟା ପରେ ଅଳ୍ପ କିଛି ରୁଟି, ତଡକା ,ପିଆଜ ଆସିଲା ।
ଆଉ କିଛି ହୋଟେଲରେ ନଥିଲା । କେବଳ ବିଜୁବାବୁଙ୍କ ନାଁ ଶୁଣି ହୋଟେଲ ଵାଲା ଶୁନ୍ୟ ହାତରେ ଫେରେଇ ନଥିଲା ।
ଯାହା ଆସିଥିଲା 5 ଜଣ ବି ଖାଇଦେବେ । ବିଜୁବାବୁ ଇଡିଏଟ, ରାସ୍କେଲ ଇତ୍ୟାଦି ଡ୍ରାଇଭର, ହୋଟେଲ ଉଦେଶ୍ୟ ରେ କହି ପାର୍ଟି ଅଫିସ ଛାଡି ନବୀନ ନିବାସ ଚାଲିଗଲେ । ଅବଶ୍ୟ ଗଲା ବେଳେ କହିଲେ ଅଳ୍ପ ଯେହେତୁ ଅଛି ଭୁବନେଶ୍ୱର ନେତା ଯାଅ ଘରେ ଖାଇବ, କଟକ ଵାଲା କେବଳ ଖାଇବେ । ମୁଁ ବୈଠକରେ ସର୍ବ କନିଷ୍ଠ ଥିଲି । ମୋର ପ୍ରକୃତିଗତ    ଗୁଣ ଯୋଗୁଁ ବିଜୁବାବୁଙ୍କ ଉଦେଶ୍ୟରେ କହିଲି, ଆମ କଟକ ରାଜଧାନୀ ଭଲ ଥିଲା । ଭୁବନେଶ୍ୱରରେ କିଛି ନାହିଁ ।
କାହିଁକି ଏଠି ରାଜଧାନୀ କରିଥିଲେ । ଉପାସରେ ଯିବାକୁ ପଡୁଛି ।ବିଜୁବାବୁ ଇଡିଏଟ, ଚୁପ ଇତ୍ୟାଦି ଟିପ୍ପଣୀ କରି ଗଲେ । କିନ୍ତୁ ଖାଇବା ବ୍ୟବସ୍ଥା ହେଇ ନପାରିବାରୁ ମନଦୁଃଖ ନିଶ୍ଚୟ କରିଥିଲେ । ଆମେ କ୍ରିକେଟ ଦେଖି ଅଧା ପେଟ ଅଧା ପାଣି ରେ ରାତି 3ଟା ପରେ କଟକ ଫେରିଥିଲୁ ।
ବିଜୁ ବାବୁ ଖାଇବା ଓ ଖୋଇବା କ୍ଷେତ୍ରରେ ଉଦାରବାଦୀ ଥିଲେ ।
ଓଡିଶାରୁ ଜୟ ପ୍ରକାଶ 1975 ରେ ଫେରିବା ପରେ ତାଙ୍କର କଟକ ଆନନ୍ଦ ଭବନ ଠାରେ ଓଡ଼ିଶା ସଂଘର୍ଷ ସମିତିର ଭୋଜି    ର କୁକୁଡ଼ା ଓ ମାଛକଣ୍ଟା କୁଢ଼ କଥା ଯେଉଁମାନେ ଜାଣିଛନ୍ତି ସେମାନେ ନିଶ୍ଚୟ ସ୍ୱୀକାର କରିବେ ବିଜୁବାବୁ ଖୋଇବାକୁ
ଦେବାରେ କଞ୍ଜୁସ ନଥିଲେ ।
ତେଣୁ ସେ ନିଶ୍ଚୟ ତାଙ୍କର ଦଳୀୟ ନେତାଙ୍କ ପେଟପାଟଣା ବୁଝୁଥିଲେ । ମୋର ବ୍ୟକ୍ତିଗତ ଅଭିଜ୍ଞତା ହେଉଛି କଟକ ନେତାମାନେ ବୈଠକ ବା ଆସର ଡାକିଲେ ଭୋଜନ ଅଥବା ଜଳଯୋଗ ବ୍ୟବସ୍ଥା କରୁଥିଲେ ।
ସେହି ସମୟରେ ଅନ୍ୟ ତିନି/ ଚାରିଜଣ ଜଣ ନେତାଙ୍କ ବିରୋଧୀ ପକ୍ଷର ବୈଠକ ନିଜ ଘରେ/ ଅଫିସରେ ଡକେଇ ଖୁଆଇବା ଭିତରେ ଆଗ୍ରହ ଦେଖିଛି । ପ୍ରବୀର ଦା ଓ ବାରିଷ୍ଟର ରଣଜିତ ମହାନ୍ତି ତାଙ୍କ ଘରେ, ବିଶ୍ୱନାଥ ପଣ୍ଡିତ ତାଙ୍କର ମୁନିସିପାଲିଟି କର୍ମଚାରୀ ସଙ୍ଘ ଅଫିସରେ ।
ପ୍ରବୀର ଦା,ରଣଜିତ ମହାନ୍ତି ସ୍ୱତନ୍ତ୍ର ରୋଷେଇ ବ୍ୟବସ୍ଥା କରୁଥିଲେ, ବିଶ୍ୱନାଥ ପଣ୍ଡିତଙ୍କ ବାଦାମ, ମୁଡ଼ି ଇତ୍ୟାଦି ଓ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବରା, ପିଆଜି ଇତ୍ୟାଦି ।
1990 ପର୍ଯ୍ୟନ୍ତ ଅନେକ ଆନ୍ଦୋଳନ ହେଇଛି । 1980 ଛାତ୍ର ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟ ଆନ୍ଦୋଳନ,1984 ବୁର୍ଲା ଇଞ୍ଜିନିୟରିଂ ଛାତ୍ରଙ୍କ ଅପମୃତ୍ୟୁ ଜନିତ ଆନ୍ଦୋଳନ ଇତ୍ୟାଦି ଯୋଗୁଁ ରାଜ୍ୟରେ ଯେଉଁ କଂଗ୍ରେସ ବିରୋଧୀ ଜନମତ ସୃଷ୍ଟି ହେଇଥିଲା ସେଥିରେ ଓଡ଼ିଶାର ଛାତ୍ର, ଯୁବ , ଶ୍ରମିକ ଓ କର୍ମଚାରୀ ସଂଗଠନ, ଶିକ୍ଷକ ସଂଗଠନ, ବ୍ୟାଙ୍କ ବୀମା କର୍ମଚାରୀ ସଂଗଠନ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥିଲେ । ସବୁ ଆନ୍ଦୋଳନ ରେ ବାମପନ୍ଥୀଙ୍କ ଛାପ ରହିଥିଲା ।
କିନ୍ତୁ ଯାହା ସ୍ୱାଭାବିକ ଭାବରେ ଘଟିଥାଏ ପ୍ରତ୍ୟେକ ଆନ୍ଦୋଳନ ଶେଷରେ ନିର୍ବାଚନ ମୁହାଁ ହେଇଯାଏ ଓ ଡେଙ୍ଗା ମୁଣ୍ଡରେ ପଗଡ଼ି ବନ୍ଧା ଯାଇଥାଏ । ଆନ୍ଦୋଳନ ବେଳର ସ୍ୱପ୍ନ ସମସ୍ତେ ଭୁଲି ଯାଆନ୍ତି ଓ ଯେଉଁମାନେ ଲାଭାର୍ଥୀ ହେଇ ଯାଆନ୍ତି ସେମାନେ ନିଜ ସୁବିଧା ଅନୁଯାୟୀ ବୟାନ ବାଜିକରନ୍ତି । ପୁଣି ଯଦି କେତେବେଳେ ଯୋଡ଼ା ଯୋଡି, ଭଙ୍ଗୀଭଙ୍ଗୀରେ ମାତନ୍ତି ସେତେବେଳେ ବି ସେଇ ଭୋଟ ଲକ୍ଷ୍ୟ ।
ହଉ , ଭଲ କଥା ।କିନ୍ତୁ ବିଜୁବାବୁଙ୍କ ସମ୍ପତ୍ତି ଆଉ କେହି ହଡପ ନ କରନ୍ତୁ । ନବୀନ ପଟ୍ଟନାୟକ ସେ ଦିଗରୁ ସଚେତନ ।

Leave a Reply

Your email address will not be published. Required fields are marked *