Congress ବିଜେପିକୁ ଶକ୍ତିଶାଳୀ କରିବାରେ କିଛି କମ୍ ଭୂମିକା ଗ୍ରହଣ କରି ନାହିଁ
ଭୁବନେଶ୍ୱର :(ରଙ୍ଗାଚରଣ ପ୍ରଧାନ)-ବିଜେପିକୁ ଶକ୍ତିଶାଳୀ କରିବାରେ ମୁଖ୍ୟ ଭୁମିକା ରାହୁଳ ଗାନ୍ଧୀଙ୍କର । ମୁଁ ରାହୁଳ ଗାନ୍ଧୀଙ୍କର ନିନ୍ଦୁକ ନୁହେଁ କି ସମର୍ଥକ ନୁହେଁ ।
ଯେଉଁମାନେ କହୁଛନ୍ତି ରାହୁଳ ଗାନ୍ଧୀଙ୍କର ଚାରିପଟେ ଭେଣୁଗୋପାଳ ଆଦି କୁଚକ୍ରୀ ଗୋଷ୍ଠୀ ଅଛନ୍ତି ସେମାନଙ୍କ ସହ ମୁଁ ଏକମତ ନୁହେଁ । ସେମାନେ ହେଉଛନ୍ତି ସେହିଭଳି କ୍ରିକେଟ ଦର୍ଶକ ଯେଉଁମାନେ ଦିନସାରା ମ୍ୟାଚ୍ ଦେଖି ସାରିବା ପରେ ଭାରତ ହାରିବା ପରେ କୁହନ୍ତି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ କାହିଁକି ନିଷ୍ପତ୍ତି ନେଲ ।
ରାହୁଳ ଗାନ୍ଧୀ ଓ କଂଗ୍ରେସର ପୁରା ଅଧିକାର ଅଛି ପଶ୍ଚିମବଙ୍ଗ, କେରଳ ଓ ପଞ୍ଜାବରେ ଅଣବିଜେପି ଦଳ ମାନଙ୍କୁ ସମାଲୋଚନା କରିବା । ସେଥିରେ ତାଙ୍କର ତିଳେ ମାତ୍ର ଭୁଲ୍ ନାହିଁ ।
ମନେ ପକାନ୍ତୁ । ବାଜପେୟୀ ଯେତେବେଳେ ସରକାର ଗଢିଥିଲେ ସେତେବେଳେ ୨୪ଟି ଦଳ ସହିତ ମିଶି ସରକାର ଗଢିଥିଲେ । ଗଠବନ୍ଧନ ଅଂଶିଦାରମାନଙ୍କର ସମସ୍ତ ସର୍ତ୍ତ ମାନୁଥିଲେ । ମହାରାଷ୍ଟ୍ରରେ ଶିବସେନା ସହିତ ବହୁଦିନ ଜୁନିଅର ପାର୍ଟନର ହୋଇ ବିଜେପି ନିର୍ବାଚନ ଲଢିଲା । ଶିବସେନାର ସର୍ତ୍ତରେ ଆସନ ବୁଝାମଣା ହେଉଥିଲା ।
ଦୁଇ ଦୁଇ ଥର ନୀତିଶ କୁମାରଙ୍କ ଜେଡିୟୁ ପାର୍ଟି ଛୋଟ ପାର୍ଟି ହୋଇ ଜିତିଥିଲେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବସାଇଲେ । ତିନିଥର କେନ୍ଦ୍ରରେ ସରକାର କରିବା ପରେ ମଧ୍ୟ ସେଥିନେଇ ଅହଙ୍କାରକୁ ଚାପି ରଖି ତାଙ୍କୁ ମୁଖ୍ୟମନ୍ତ୍ରୀ କରି ସୁଯୋଗ ଅପେକ୍ଷାରେ ରହିଲେ ।
କିନ୍ତୁ ଅନ୍ୟ ପକ୍ଷରେ କଂଗ୍ରେସ ?
ସେମାନେ ଗର୍ବ କରନ୍ତି ଆମେ ହେଉଛି ସବୁଠାରୁ ବଡ ଅଣବିଜେପି ଦଳ ଓ ମୁଖ୍ୟ ବିପକ୍ଷ ଦଳ । ଅବଶ୍ୟ ଏହା ଠିକ୍ । ସେମାନେ କୁହନ୍ତି ଏବେ ବି ସେମାନଙ୍କର ସାରା ଭାରତରେ ୨୦% ଭୋଟ ଅଛି । ଅବଶ୍ୟ ସେମାନଙ୍କର ସର୍ବନିମ୍ ୨୦% ପକ୍କା ଭୋଟ ଅଛି ।
କିନ୍ତୁ ଅନ୍ୟ ଦିଗକୁ ଲକ୍ଷ କରନ୍ତୁ । କଂଗ୍ରେସ ଭଳି ଗୋଟିଏ ଜାତୀୟ ଦଳ, ଯାହାର ସାରା ଭାରତରେ ଉପସ୍ଥିତି ଅଛି, ଲଗାତର ତିନିଥର କେନ୍ଦ୍ରରେ ସରକାର ଗଢିବାରୁ ବଞ୍ଚିତ ହୋଇଛି । ଏହା ଛୋଟିଆ କଥା ନୁହେଁ । ଲୋକସଭାରେ ସଭ୍ୟ ସଂଖ୍ୟା ୪୫ରୁ ୯୯କୁ ବୃଦ୍ଧି ହେବା କେବଳ ଏକ ଛଦ୍ମ ଆତ୍ମସନ୍ତୋଷ ।
ଆପଣଙ୍କୁ ମନେ ପକାଇ ଦେଉଛି, ଇଣ୍ଡିଆ ଗଠବନ୍ଧନ ତିଆରିର ସମସ୍ତ ପ୍ରସ୍ତୁତି କରିଥିଲେ ନୀତିଶ କୁମାର । ସେ ସବୁ ଦଳର ନେତାଙ୍କୁ ଭେଟି ଏଥିପାଇଁ ରାଜି କରାଇ ଥିଲେ । ମାତ୍ର ତାଙ୍କୁ ଏହାର ମୁଖ୍ୟ କରା ନଯାଇ ମଲ୍ଲିକାର୍ଜୁନ ଖଡଗେଙ୍କୁ ମୁଖ୍ୟ କରାଗଲା । ମୁଁ କହୁନି ଯେ ନୀତିଶ କୁମାର ଜଣେ ଭଲ ଓ ବିଶ୍ବାସଯୋଗ୍ୟ ଲୋକ । କିନ୍ତୁ ସେ ସମୟରେ ତାଙ୍କୁ ବିଶ୍ବାସ କରି ଯଦି ଏକାଠି ହୋଇ ପାରିଲ, ତେବେ ତାଙ୍କୁ ମୁଖ୍ୟ କରିବାରେ କଣ ଅସୁବିଧା ଥିଲା ? ପଲିଟିକ୍ସରେ ସୁଯୋଗକୁ ଅପେକ୍ଷା କରାଯାଏ । ପୁଣି ମୁଖ୍ୟ ଶତୃ ହେଉଛି ବିଜେପି । ମନେ ରଖନ୍ତୁ, NDA ରେ ବିଜେପି ମୁଖ୍ୟ ଦଳ ହୋଇଥିଲେ ସୁଦ୍ଧା ଚନ୍ଦ୍ରବାବୁ ନାଇଡୁ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ଏହାର କନଭେନର ଥିଲେ ।
ତେବେ ସେ ଯାହା ହେଉ, ନୀତିଶ କୁମାର ଇଣ୍ଡିଆ ଗଠବନ୍ଧନ ଛାଡିଲେ । ଖଡଗେ ହେଲେ ମୁଖ୍ୟ । କିନ୍ତୁ ସେ ପୁରାପୁରି ବସିଗଲେ । ଇଣ୍ଡିଆ ଗଠବନ୍ଧନ ବହୁତ ବଢିଆ ବଢିଆ ନିଷ୍ପତ୍ତି ନେଇଥିଲା । ବିଭିନ୍ନ କମିଟି ତିଆରି ହୋଇଥିଲା । ନିଷ୍ପତ୍ତି ଥିଲା ଗୋଦି ମିଡିଆକୁ ବୟକଟ କରାଯିବ । ମେନିଫେଷ୍ଟୋ କମିଟି ତିଆରି ହୋଇଥିଲା । ଗୋଟିଏ ପ୍ରବକ୍ତା ଟିମ୍ ତିଆରି ହେବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା । ଇଣ୍ଡିଆ ଗଠବନ୍ଧନର ଗୋଟିଏ ସ୍ବତନ୍ତ୍ର ସେକ୍ରେଟାରିଏଟ୍ ତିଆରି ହେବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା । କିନ୍ତୁ ଖଡଗେ ସଭାପତି ହେବାପରେ ଏସବୁ ନିଷ୍ପତ୍ତି କିଛି କାର୍ଯ୍ୟକାରୀ ହେଲା ନାହିଁ । ଇଣ୍ଡିଆ ଗଠବନ୍ଧନ ନିର୍ବାଚନ ମଧ୍ୟକୁ sleep walking କଲା ।
ତଥାପି ବିଜେପି ୨୪୦କୁ ଖସି ଆସିଲା ଓ ସଂଖ୍ୟାଗରିଷ୍ଠତା ହରାଇଲା । ଯଦି ଇଣ୍ଡିଆ ଗଠବନ୍ଧନ sleep walking ନକରି ପୁରା ଦମରେ ଏବଂ ପୁର୍ବ ନିଷ୍ପତ୍ତି କାର୍ଯ୍ୟକାରୀ କରି ନିର୍ବାଚନ ଲଢିଥାନ୍ତା ତେବେ ଆଜି ମୋଦୀ ସରକାର ହୁଏତ ନଥାନ୍ତା ।
୨୦୦୪ରେ ବାଜପେୟୀଙ୍କ ଲୋକପ୍ରୀୟତା ସତ୍ତ୍ବେ , ବିଜେପିର ଅହଙ୍କାର ଯୋଗୁଁ ସେମାନେ ଉପଯୁକ୍ତ ଗଠବନ୍ଧନ କରି ନଥିଲେ । ତେଣୁ ନିର୍ବାଚନ ହାରିଲେ । ଅନ୍ୟ ପକ୍ଷରେ ସେତେବେଳେ ସୋନିଆ ଗାନ୍ଧୀ ପାଦରେ ଚାଲି ଚାଲି ରାମବିଳାସ ପାଶ୍ବାନଙ୍କ ଘରକୁ ଯାଇ ଗଠବନ୍ଧନ କଲେ । ଶତୃ ଦଳ ଡିଏମକେ ମୁଖ୍ୟ କରୁଣାନିଧିଙ୍କୁ ଜନ୍ମଦିନର ଶୁଭେଛା ଜଣାଇ ସମ୍ପର୍କର ବରଫ ତରଳାଇଲେ । ତାପରେ ଯାହା ହେଲା ତାହା ଇତିହାସ ।
ମୁଁ କହୁନି ଯେ କେବଳ କଂଗ୍ରେସ ଦଳର ଭୁଲ୍ ଥିଲା ଓ ଇଣ୍ଡିଆ ଗଠବନ୍ଧନର ଅଂଶିଦାର ଦଳ ମାନଙ୍କର କିଛି ଭୁଲ୍ ନଥିଲା । କିନ୍ତୁ ସବୁଠାରୁ ବଡ ଦଳ କିଏ ଥିଲା ? ସବୁଠାରୁ ବଡ ଦଳ ହିସାବରେ ସମସ୍ତଙ୍କୁ ଏକାଠି ରଖିବାର ଦାୟିତ୍ତ୍ବ କାହାର ଥିଲା ?
ଇଣ୍ଡିଆ ଗଠବନ୍ଧନର ଫାଇଦା କେବଳ ଆସନର ଗଠବନ୍ଧନ ନଥିଲା । ଏହାକୁ ଶକ୍ତିର ଗଠବନ୍ଧନ ହିସାବରେ ଦେଖିବାକୁ ହେବ ।
ହୁଏତ କେନ୍ଦ୍ରରେ ବିଜେପିକୁ ହରାଇବା ପାଇଁ ଗଠବନ୍ଧନ ଏକମାତ୍ର ରାସ୍ତା ହୋଇ ନପାରେ । ଅନ୍ୟ ରାସ୍ତାଟି ହେଲା କଂଗ୍ରେସ ଅତ୍ୟନ୍ତ ଶକ୍ତିଶାଳୀ ହେବା ଓ ରାହୁଳ ଗାନ୍ଧୀଙ୍କୁ ସବୁଠାରୁ ବେଶି ଲୋକପ୍ରୀୟ ଓ ସମାବେଶି ନେତା କରି ଉପସ୍ଥାପିତ କରିବା । କିନ୍ତୁ ତାହା ହୋଇ ପାରିଛି କି ? ନା ।
ତଥାପି, କଂଗ୍ରେସ ତାହାର ରାସ୍ତା ବଦଳାଉ ନାହିଁ । କେତେବେଳେ କହିଲେ ‘ଡରୋ ମତ୍’ । କେତେବେଳେ କହିଲେ ‘ ଜିତନି ଆବାଦି ଉତନି ହକ୍ । ୮ ଦଶନ୍ଧି ପୁର୍ବେ ମରିଥିବା ସବରକରକୁ ଗାଳି ଦେଲେ । ଅବଶ୍ୟ ଏ ସବୁଥିରେ ମୁଁ ରାହୁଳ ଗାନ୍ଧୀଙ୍କ ସହ ଏକମତ । କିନ୍ତୁ ଏହା ଯଥେଷ୍ଟ କି ? ରାହୁଳ ଗାନ୍ଧୀ କାହିଁକି ଟିଭି ଚ୍ୟାନେଲକୁ ଆଭଏଡ୍ କରୁଛନ୍ତି ? ସେମାନଙ୍କ ମଞ୍ଚକୁ ଯାଇ ସେଠାରେ ନିଆଁ ଲଗାଇବା କଥା । ଲୋକସଭା ସଭ୍ୟପଦ ହରାଇବା ପରେ ପୁଣିଥରେ ସୁପ୍ରୀମକୋର୍ଟରେ ଲଢି ସଭ୍ୟପଦ ଫେରି ପାଇବା କଣ ଦରକାର ଥିଲା ? ତାହା ନକରି ସେ ଦେଶସାରା ବୁଲି ସିମ୍ପାଥୀ ସଂଗ୍ରହ କରିବାର ଥିଲା । ସବରକର କିଏ କେତେଜଣ ଜାଣିଛନ୍ତି ?
ତଥାପି ତାଙ୍କ ସମର୍ଥକମାନେ କହୁଛନ୍ତି ରାହୁଳ ଏକମାତ୍ର ନେତା ଯିଏ ମୋଦୀ ସହ ଲଢୁଛନ୍ତି । ସେ ଜନନାୟକ । କେବଳ କଂଗ୍ରେସ ହିଁ ଧର୍ମନିରପେକ୍ଷ ଓ ଅନ୍ୟମାନେ ବିଜେପିର ବି-ଟିମ୍ । ମିନିଟକ ପାଇଁ ମୁଁ ଧରି ନେଉଛି ଏସବୁ ସତ । କିନ୍ତୁ ଏହା ଯଥେଷ୍ଟ ହେଉଛି କି ? ଏସବୁ ଯଥେଷ୍ଟ ହେବା ପାଇଁ ଯେତିକି ଟଙ୍କା ଦରକାର ତାହାର କାଣିଚାଏ ବି କଂଗ୍ରେସ ପାଖରେ ନାହିଁ, ଯାହା ଫଳରେ ୨୦୧୪ରେ ମୋଦୀଙ୍କୁ ଯେମିତି ସବୁଠାରୁ ଶକ୍ତିଶାଳୀ ନେତା ଭାବେ ଦେଶବାସୀଙ୍କ ପାଖରେ ଥୁଆ ଯାଇଥିଲା ଏବେ ସେମିତି ରାହୁଳଙ୍କୁ ଦେଶବାସୀଙ୍କ ଆଗରେ ଉପସ୍ଥାପିତ କରା ଯାଇପାରିବ ।
ଯେଉଁ ରାଜ୍ୟ ଗୁଡିକରେ ଅନ୍ୟ ଅଣବିଜେପି ଦଳ ନାହାନ୍ତି ସେସବୁ ରାଜ୍ୟରେ କଂଗ୍ରେସ ସଫଳ ହେଉଛି କି ? ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମରେ କଂଗ୍ରେସକୁ କେଉଁ ଅନ୍ୟ ଅଣବିଜେପି ଦଳ ରୋକୁଛି ? ଯଦି ନିଜେ ଏକକ ବିରୋଧୀ ଦଳ ଥିବା ରାଜ୍ଯଗୁଡିକରେ କଂଗ୍ରେସ ସଫଳତା ପାଉନି, କେଉଁ ଦିନ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟରେ ଅଣବିଜେପି ଓ ଅଣକଂଗ୍ରେସ ଦଳ ସମାପ୍ତ ହେବା ପାଇଁ କଂଗ୍ରେସ ଅପେକ୍ଷା କରିବ ?
କଂଗ୍ରେସ ଏସବୁ କରୁଛି ତାହାର ହୃତ ଗୌରବ ଫେରାଇ ଆଣିବା ପାଇଁ । କଂଗ୍ରେସ ଠାରୁ ଦୁରେଇ ଯାଇଥିବା ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଓ ପଛୁଆବର୍ଗ ଭୋଟ ଫେରି ପାଇବା ପାଇଁ ଠିକ୍ । କିନ୍ତୁ ଏସବୁ ଡ୍ରଇଂରୁମ୍ ଓ ୟୁଟ୍ୟୁବ୍ ଆଲୋଚନା ପାଇଁ ଠିକ୍ । ଲୋକସଭାରେ ଶକ୍ତି ଦୃଷ୍ଟିରୁ କଂଗ୍ରେସ ପାଇଁ ସବୁଠାରୁ ଭଲ ସମୟ ଥିଲା ୧୯୮୦ରୁ ୧୯୮୪ । କିନ୍ତୁ ତା ପରଠାରୁ କଂଗ୍ରେସର ଶକ୍ତି କମି କମି ଚାଲିଛି । ତଥାପି ଏବେ ବି ୨୦% ଭୋଟ ରଖିବା ଅନ୍ୟ ଅଣବିଜେପି ଦଳମାନଙ୍କ ତୁଳନାରେ ବେଶି । କିନ୍ତୁ ତାହା ବିଜେପି ତୁଳନାରେ ବେଶି କି ?
ଲୋକସଭାରେ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସର ଆଜି ଯେଉଁ ସ୍ଥିତି, ବିଜେପିର ଦିନେ ସେହି ସ୍ଥିତି ଥିଲା । ବିଜେପି ଧୈର୍ଯ୍ୟର ସହିତ ଗଠବନ୍ଧନ କରି ଶକ୍ତି ବୃଦ୍ଧି କଲା । କିନ୍ତୁ କଂଗ୍ରେସ ଏବେ କହୁଛି ସେ ଏକୁଟିଆ ଲଢୁଛି । ଆଉ ସମସ୍ତେ ବି-ଟିମ୍ ।
ବିଜେପି ଓ ମୋଦୀ ୨୦୧୯ ପୁର୍ବରୁ ଜନମତ ହରାଇ ସାରିଛି । ଶାସନରେ ଏତେ ଅସଫଳତା ସତ୍ତ୍ବେ କେଉଁ ବି ଦଳ ଦ୍ବିତୀୟ ଥର ପାଇଁ ଜିତିବା ଅସମ୍ଭବ । ତଥାପି ଜିତୁଛି । ଆଜି ବିଜେପିର ଅନ୍ଧଭକ୍ତମାନେ ବି ମନେ ମନେ ଓ ପ୍ରାଇଭେଟରେ ସ୍ବୀକାର କରୁଛନ୍ତି ଅର୍ଥନୀତି ମନମୋହନ ସିଂ ସରକାର ସମୟରେ ଭଲ ଥିଲା । ବିଦେଶରେ ଭାରତର କିରିକିରି ହେଉଛି । ମିଡିଆ ଆଜିକାଲି ବିଜେପିକୁ ସେତେଟା ସାହାଯ୍ୟ କରି ପାରୁନାହିଁ । ସେଥିପାଇଁ ସେମାନେ କୋର୍ଟ ଓ ନିର୍ବାଚନ କମିଶନକୁ ହାତବାରସୀ କରି ଜିତୁଛନ୍ତି । ଏସବୁ ଖୋଲାଖୋଲି ଆମ ଆଖି ସାମ୍ନାରେ ହେଉଛି । ମୁଁ ଜାଣିନି ହିଟଲର୍ ଅଧିକ କଣ କରୁଥିଲା ।
ମୋ ଲେଖା ଅନେକଙ୍କୁ ପସନ୍ଦ ଆସି ନପାରେ । କାରଣ ସେମାନେ ସତ୍ୟହିନ୍ଦି ଦେଖି ଜାଣିଛନ୍ତି ମୋଦୀ ସରକାର ଆସିବା ପାଇଁ ଆଜିକୁ ୧୨ ବର୍ଷ ପୁର୍ବେ ହୋଇଥିବା ଆନ୍ନା ଆନ୍ଦୋଳନ ଦାୟୀ ଥିଲା । ପୁଣି ସେ ଆନ୍ଦୋଳନ ଏତେ ଶକ୍ତିଶାଳୀ ଥିଲା ଯେ ସେଥିପାଇଁ ମୋଦୀ ୨୦୧୪ରେ ତ ପ୍ରଧାନମନ୍ତ୍ରୀ ହୋଇଗଲେ, ତା ସହିତ ୨୦୧୯ରେ ହୋଇଗଲେ ଓ ୨୦୨୪ରେ ବି ହୋଇଗଲେ । ମୁଁ କହୁନି ଅନ୍ଯ ଆଞ୍ଚଳିକ ଦଳମାନଙ୍କର କିଛି ଭୁଲ ନାହିଁ । କିନ୍ତୁ ମୋଦୀ ଶାସନର ଅନ୍ତ କରିବାର ବଡ ଦାୟିତ୍ତ୍ବ ହେଉଛି କଂଗ୍ରେସର ।
