ବିଜେଡିର ବହୁଜନ – ସାମାଜିକ ନ୍ୟାୟ ରାଜନୀତିକୁ ବବି ମାରିବେ ଜାବୁଡ଼ା …
ଭୁବନେଶ୍ୱର : ଗତ ସାଧାରଣ ନିର୍ବାଚନରେ ବିଜେଡି ଲୋକସଭାରୁ ମୂଳପୋଛ ହୋଇଯାଇଛି। କୌଣସି ବିଧାନସଭା ନିର୍ବାଚନରେ ପରାସ୍ତ ହୋଇ ପ୍ରଥମ ଥର ପାଇଁ ବିରୋଧୀ ଦଳକୁ ଆସିଛି। ଏହା ପୂର୍ବରୁ ଅଳ୍ପ ସମୟ 1998ରୁ 2000 ମସିହା ଯାଏଁ ବିଧାନସଭାରେ କ୍ଷୁଦ୍ର ଅବଧି ପାଇଁ ବିରୋଧୀ ଦଳରେ ରହିଥିଲା। ଅଢେଇ ଦଶନ୍ଧି ମଧ୍ୟରେ ଦେଶ ଓ ରାଜ୍ୟର ରାଜନୀତି ବହୁତ ପରିବର୍ତ୍ତନ ହୋଇଛି। ବିଜେପି ଓ କଂଗ୍ରେସ ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଜାବୁଡି ଧରିଛନ୍ତି। ବିଜେପି ରାଷ୍ଟ୍ରପତି ଆଦିବାସୀ, ପଛୁଆବର୍ଗ ପ୍ରଧାନମନ୍ତ୍ରୀ ସମେତ କେନ୍ଦ୍ର କ୍ୟାବିନେଟ୍ ରେ 27 ଓବିସି ମନ୍ତ୍ରୀ ରହିଛନ୍ତି। ପୂର୍ବରୁ ଦଳିତ ରାଷ୍ଟ୍ରପତି, ଅଧିକାଂଶ ରାଜ୍ୟରେ ପଛୁଆବର୍ଗର ମୁଖ୍ୟମନ୍ତ୍ରୀ କରିଛି। ଏକଦା ମଣ୍ଡଳ କମିଶନକୁ ବିରୋଧ କରିଥିବା କଂଗ୍ରେସ ମଧ୍ୟ ଜାତି ଜନଗଣନା ଓ ସାମ୍ବିଧାନିକ ସଂରକ୍ଷଣକୁ ମୁଖ୍ୟ ପ୍ରସଙ୍ଗ କରିଛି। ଇଏ ତ ଗଲା ଦେଶ କଥା।
ଆସନ୍ତୁ ଓଡ଼ିଶା କଥା ଆଲୋଚନା କରିବା। ନିର୍ବାଚନ ପୂର୍ବରୁ ବିଜେଡି ନିଜର ଓବିସି ସେଲର କାର୍ଯ୍ୟକାରିଣୀ କଲା। ପ୍ରତି ଜିଲ୍ଲାରେ କମିଟି ଏବଂ ବୈଠକ କଲା। ଦଳର ସଭାପତି ମନମୋହନ ସାମଲ ପଛୁଆବର୍ଗର। କେନ୍ଦ୍ରରେ ପ୍ରଭାବଶାଳୀ ନେତା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଛୁଆବର୍ଗ। ଅନ୍ୟ ଜଣେ ମନ୍ତ୍ରୀ ଜୁଏଲ ଓରାମ ଆଦିବାସୀ। ଦଳିତ ବର୍ଗର ଦୁଇ ଯୁବ ଚେହେରା ସୂରଜ ସୂର୍ଯ୍ୟବଂଶୀ ଏବଂ ମୁକେଶ ମହାଲିଙ୍ଗ ଆଜି ମନ୍ତ୍ରୀ। ବୋଧହୁଏ ପ୍ରଥମ ଥର ଓଡ଼ିଶା କ୍ୟାବିନେଟରେ କେହି କାୟସ୍ଥ ତଥା କରଣ ନାହାନ୍ତି। ଆଗାମୀ ଦିନରେ କ୍ୟାବିନେଟକୁ ଆସିପାରନ୍ତି। ଓଡ଼ିଶାକୁ ଦୀର୍ଘଦିନ ଧରି ଶାସନ କରିଥିବା ତିନି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଜାନକୀ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକ ଏହି ବର୍ଗର। ମାତ୍ର ବିଜେପି କାହାରିକୁ ଜଣଙ୍କୁ ମନ୍ତ୍ରୀ କଲାନାହିଁ। ଏକଦା କଂଗ୍ରେସ କରଣଙ୍କ ଦଳ ମଧ୍ୟ ପ୍ରତୀୟମାନ ହେଉଥିଲା। ହେଲେ କଂଗ୍ରେସ ବିଧାୟକ ଦଳ ନେତା ଜଣେ ଆଦିବାସୀ। ରାମଚନ୍ଦ୍ର କାଡମ, ଯାହାଙ୍କ ପ୍ରଭାବ ଗତ ବିଧାନସଭା ଅଧିବେସନରେ ଦେଖିବାକୁ ମିଳିଛି। ଏକଦା ସାମାଜିକ ନ୍ୟାୟ କଥା କହିଥିବାରୁ ରାଜ୍ୟ କଂଗ୍ରେସରୁ ଶ୍ରୀକାନ୍ତ ଜେନାଙ୍କୁ ବିଦା ହେବାକୁ ପଡିଥିଲା। ଅବଶ୍ୟ ସେ ସମୟରେ ଖଣି ବ୍ୟବସାୟୀ ଡିଆର ପଟ୍ଟନାୟକଙ୍କ ଭାଇ ନିରଞ୍ଜନ ପଟ୍ଟନାୟକ ସଭାପତି ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ କମିସନକୁ ବିରୋଧ କରି ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢିଥିବା ନରସିଂହ ମିଶ୍ର ବିଧାୟକ ଦଳ ରହିଥିଲେ। ହେଲେ ଗତ ସପ୍ତାହରେ ଶ୍ରୀ ଜେନା ଓ ଶ୍ରୀ କାଡାମ ଏବଂ ଅନନ୍ତ ସେଠୀଙ୍କ ଖବରଦାତା ସମ୍ମିଳନୀ କଂଗ୍ରେସ ରାଜନୀତିକୁ ହଲଚଲ କରିଦେଇଛି।
ବିଜେଡି କଥା ବଡ଼ ବିଚିତ୍ର। ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେଡି ରହିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଉପ ମୁଖ୍ୟ ସଚେତକ ପ୍ରତାପ ଦେବ। ଏହି ତିନି ନେତା ରାଜ୍ୟର 5 ପ୍ରତିଶତ ଜନତାର ମଧ୍ୟ ପ୍ରତିନିଦିତ୍ୱ କରୁନାହାନ୍ତି। ଦଳିତ ବର୍ଗରୁ ଆସିଥିବା ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ ଅଛନ୍ତି। ଉଷା ଦେବୀ କି ଅନୁଗୋଳ ରାଣୀ ନିର୍ବାଚନ ଜିତିଥିଲେ ଏହି ପଦ ବି ତାଙ୍କ ଭାଗ୍ୟରେ ପଡି ନଥାନ୍ତା। କିଛିଦିନ ତଳେ ବିଜୁ ଜନତା ଦଳ ବୈଠକରେ ଆମ୍ବେଦକରଙ୍କ ଫଟୋ ଦେଖିବାକୁ ମିଳିଥିଲା। ଏହା ପରେ ଜଣେ ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଦଳୀୟ କାର୍ଯ୍ୟାଳୟରେ ଓବିସି ପ୍ରସଙ୍ଗରେ ପ୍ରେସ୍ ମିଟ୍ କଲେ। ବିଧାନସଭାରେ ଦୁଇ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ ଉଚ୍ଚକୋଟୀର ବିତର୍କ କଲେ। ହେଲେ ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ବିଜେଡି ମହାଭୁଲ୍ କରିବାକୁ ଯାଉଛି।
ଯାଜପୁର ବିଧାନସଭା ଆସନରୁ ବିଧାୟିକା ହୋଇଥିବା ସୁଜାତା ସାହୁଙ୍କୁ ଇସ୍ତଫା କରାଇ ଉପ ନିର୍ବାଚନ ପରିସ୍ଥିତି ସପକ୍ଷରେ ବବି ମନ ବଳାଉଛନ୍ତି। ଏହା ଦ୍ୱାରା ସେ ପୁଣି ନିର୍ବାଚନ ଲଢି ଜିତିବାକୁ ଚାହୁଁଛନ୍ତି। ମାତ୍ର ଏହି ପଦକ୍ଷେପ ବିଶେଷ କରି ଜଣେ ପଛୁଆବର୍ଗର ଜଣେ ମହିଳାଙ୍କୁ ଇସ୍ତଫା କରାଇବା ପଦକ୍ଷେପ ଦଳକୁ ବୁମେରାଂ ହୋଇପାରେ। ନିର୍ବାଚନ ହାରିବା ପରେ ଓଡ଼ିଶା ମାତ୍ର ଛଅ ପ୍ରତିଶତ ବର୍ଗରୁ ବିରୋଧୀ ଦଳ ନେତା, ଉପନେତା, ଉପମୁଖ୍ୟ ସଚେତକ, ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ, ଲୋକସମ୍ପର୍କ ଅଧିକାରୀ, ବ୍ୟକ୍ତିଗତ ସହାୟକ କରିବା ପରେ ଦଳର ଏପରି ନିଷ୍ପତ୍ତି ବିଜେଡିର ତଥାକଥିତ ସାମାଜିକ ନ୍ୟାୟ ରାଜନୀତିକୁ ଶକ୍ତ ଚାପୁଡା ବୋଲି କୁହାଯାଉଛି।