ବୋଉ-ବୁଟୁ-ଭୂତ ଓଡ଼ିଆ ସିନେମାର ଲମ୍ବା ଭବିଷ୍ୟତକୁ ଟର୍ଚ୍ଚ ପକେଇଛି

ଭୁବନେଶ୍ୱର:(ଜୟନ୍ତ ସେଠ)-ଏସନ ରଜ ହେଉଛି ଓଡ଼ିଆ ସିନେମାର ପର୍ବ । ବଡ଼ କଥା ଏଥର ପ୍ରତିଯୋଗିତା ନୁହେଁ ବରଂ ଦୁଇଟି ଯାକ ସିନେମା ଓଲିଉଡ଼ରେ ସମ୍ଭାବନାର ବିଷଲ୍ୟ କରଣୀ ଆଣିଦେଇଛି । ସମାନ୍ତରାଳ ଭାବେ ଦର୍ଶକଙ୍କୁ ଟାଣିଛି ।

ବୋଉ ଦେହରେ ଲାଗିଛି ଜେଜେଙ୍କ ଭୂତ । ତା’ ପୁଣି ତାଙ୍କ ଶ୍ରାଦ୍ଧ କର୍ମ ସମୟରେ । ଜେଜେଙ୍କ ଭୂତ ମାଗୁଛି ମଟନ ଆଉ ଓର୍ଲଡ ମଙ୍କ ରମ। ଏମିତି ଅନେକ କୌତୁହଳ ପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି ବାବୁଶାନ ଅର୍ଚ୍ଚିତାଙ୍କ ଫିଲ୍ମ ‘ବୋଉ ବୁଟ୍ଟୁ ଭୂତ’ରେ l ଏ ଫିଲ୍ମରେ ବାବୁଶାନ ସିନା ହିରୋ, କିନ୍ତୁ ପ୍ରତ୍ୟେକଟି ସିନରେ ଆମ ଭଳି ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରୁଛନ୍ତି ତାଙ୍କ ମାଆ ଅପରାଜିତା । ମାଆ -ପୁଅଙ୍କ ଯୋଡ଼ି ପୁରା ଜମିଛି ଏଥର । ଅପରାଜିତାଙ୍କ ଠାଣିମାଣି, ଆଖିର ଭାଷା ଆଉ ଅଭିନୟ ପୁରାପୁରି ସିନେମାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେତେବେଳେ ଡରଉଛି, କେତେବେଳେ ହସେଇ ହସେଇ ପେଟ ଫଟାଉଛି ସେକଥାର ହିସାବ ମନେ ନାହିଁ । ଆଖି ଆଉ ମନ ଖାଲି ପରଦାରେ ଦେଖୁଛନ୍ତି ବୋଉ, ବୁଟୁ ଆଉ ଭୂତର କାରସାଦି । ବେଶ କିଛି ବର୍ଷ ଧରି ଓଡ଼ିଆ ସିନେମା, ଦର୍ଶକମରୁଡ଼ି ଦେଖିବା ପରେ ଏ ସନ ରଜରେ ଦେଖୁଛି ହଲ ରେ ସବୁ ବୟସର ଦର୍ଶକଙ୍କ ଗହଳି ଚହଳି । ଓଡ଼ିଆ ସିନେମା ନଦେଖିବା ଲୋକ ହିଁ ନାଇଟ ଶୋ ରେ ପରଦାକୁ ପୁରା ଜାବୁଡିକ ଦେଖୁଛନ୍ତି । ସିନେମାର କାହାଣୀ ସମ୍ପର୍କରେ ଲେଖିବାକୁ ଚାହୁଁନି, କିନ୍ତୁ ସିନେମାରେ ସବୁ କଳାକାରଙ୍କ ନୂଆ ଅବତାର ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ସଂଳାପ, ସମ୍ପାଦନା, ସବୁ କ୍ଷେତ୍ରରେ ବୋଉ ବୁଟୁ ଭୂତ ଖାଲି ଅଲଗା ନୁହଁ, ବରଂ ବଲିଉଡ ସିନେମା କୁ ଟକ୍କର ଦେଲାଭଳି । ଶେଷ ପର୍ଯ୍ୟନ୍ତ ଆମ ମନରେ ସସ୍ପେନ୍ସ : ଏ ଭୂତ କାହାର, ବୁଟୁକୁ କାହିଁକି ଲାଗିଛି, ବୋଉ ତାକୁ କେମିତି ଛଡ଼େଇବ? ପୁରା ସିନେମା ଗୋଟେ ରୋଲରକୋଷ୍ଟର ରାଇଡ କହିଲେ ଭୁଲ ହେବନି । ଥରେ ବସିଲେ ନା ଓଲ୍ହେଇ ହେବ, ନା ଭୟମିଶ୍ରିତ ଶିହରଣକୁ ଏଡେଇ ହେବ । ହ୍ୟାଙ୍ଗଓଭର ଟା ରାଇଡ଼ ଶେଷ ପର୍ଯ୍ୟନ୍ତ ରହିବ । ଠିକ ସେମିତି ସିନେମା ଦେଖି ସାରିକି ଘରେ ପହଂଚି ଶୋଇ କି ଉଠିବାର ତିରିଶ ଘଣ୍ଟା ପରେ ଵି ସେଇ ହ୍ୟାଙ୍ଗଓଭର ଅଛି । ଜଗଦୀଶ ମିଶ୍ରଙ୍କ କାମ ଦେଖିଥିଲି ଜ୍ଞାଙ୍ଗସ ଅଫ ପୁରୀ, ସିଜିନ-୧ରେ । ସେତେବେଳେ ଭାବୁଥିଲି କିଏ ନିର୍ଦେଶକ (ଅନୁପମଙ୍କ ସହିତ ଯୁଗ୍ମ ଭାବରେ ) କିନ୍ତୁ ସିଜିନ -୨ଟା ଏତେ ଭଲ ଲାଗିନଥିଲା । ଏବେ ଭାବୁଛି ଜଗଦୀଶ ମିଶ୍ର ନଥିଲେ ତ ବୋଧହୁଏ ସେଥିପାଇଁ । ଯାହାହେଉ ଜଗଦୀଶ ଦେଖେଇଦେଲେ, ଓଡ଼ିଶାରେ କମ ବଜେଟ, ସୀମିତି ସମ୍ବଳ ଭିତରେ ଵି ଭଲ ସିନେମା କରିହେବ । ବାବୁସାନଙ୍କର ତ ରକ୍ତରେ ଅଭିନୟ ଅଛି, ଏଥିରେ ତାଙ୍କ ଅଭିନୟକୁ ପ୍ରଶଂସା କରିବା ଧୃଷ୍ଟତା ହେବ ।ଖାଲି ତାଙ୍କର ଗୋଟେ କଥା ମନେ ପଡୁଛି । ସିଏ ଗୋଟିଏ ପଡ଼କାଷ୍ଟରେ କହିଥିଲେ ଯେ ତାଙ୍କୁ ଅଭିନୟ ଆସେନି । ସିଏ କେବଳ କ୍ୟାମେରା ସାମ୍ନାରେ ରିୟଲ ଲାଇଫ ଭଳି କଥାବାର୍ତ୍ତା କରନ୍ତି ଆଉ ଚଳପ୍ରଚଳ ହୁଅନ୍ତି । ବୋଉ ବୁଟୁ ଭୂତ ଦେଖିବା ପରେ ମନେ ହେଲା ବାବୁସାନ ବୋଧେ ଅଭିନୟର ଗୋଟେ ନୂଆ ପଦ୍ଧତ୍ତି ଆରମ୍ଭ କରିଛନ୍ତି l ତାଙ୍କ ହାସ୍ୟରସ ଦର୍ଶକଙ୍କୁ ଚେତନାର ଆଉ ଗୋଟେ ସ୍ତରକୁ ନେଇଯାଉଛି । ଯାହା ଘଟିଥିଲା ‘ ପାବାର ‘ ସିନେମାରେ । ଆଉ ଅପରାଜିତା ମ୍ୟାଡାମ, ସିଏ ହିଁ ସିନେମାକୁ ନିଜ କାନ୍ଧରେ କାନ୍ଧେଇଛନ୍ତି । ଅର୍ଚିତାଙ୍କ ସମେତ ସବୁ କଳାକାରଙ୍କ ଅଭିନୟ ବିଷୟ ରେ କେବଳ ଗୋଟିଏ କଥା କହି ହେବ, ବାଃ ।

ଆଉ ଗୋଟେ ସରପ୍ରାଇଜ ଦେଖିଲି । ଭାରତୀୟ ନାଟ୍ୟ ଜଗତର ପ୍ରଣମ୍ୟ ପୁରୁଷ, ଏନଏସଡିର ପ୍ରଫେସର ରବୀନ ଦାସଙ୍କୁ ବହୁ ବର୍ଷ ପରେ ଓଡ଼ିଆ ସିନେମାରେ ଦେଖିଲି । ଶେଷଥର ଦେଖିଥିଲି ‘ଇନ୍ଦ୍ରଧନୁର ଛାଇ’ରେ । ତା’ପରେ ହୁଏତ କିଛି ଓଡ଼ିଆ ସିନେମା କରିଥିବେ, କିନ୍ତୁ ଦୁର୍ଭାଗ୍ୟ ବଶତଃ ମୁଁ ଜାଣିନି। ଧନ୍ୟବାଦ ପ୍ରଯୋଜିକା ତୃପ୍ତି, ଅର୍ଚ୍ଚିତା ଏବଂ ଜଗଦୀଶଙ୍କୁ ଯେ ସେମାନେ ଏଭଳି ଜଣେ କୃତୀ ନାଟ୍ୟ ପଣ୍ଡିତଙ୍କୁ ନେଇଛନ୍ତି, ଯାହାଁଙ୍କୁ ଆମେ ପ୍ରିୟଙ୍କା ଚୋପ୍ରାଙ୍କ ବାପା ଭୂମିକାରେ ଦେଖିଛୁ । ଆଉ ଗୋଟେ ସରପ୍ରାଇଜ: ନୃତ୍ୟ ବିଶେଷଜ୍ଞ ମନ୍ଦାକିନୀ ଜେନା ପୁଣି ଭୂତ ଭୂମିକାରେ । ତାଙ୍କର ନିଜ ଜିଭକୁ ନିଜେ କାମୁଡି ଛିଣ୍ଡେଇଦେବାର ଦୃଶ୍ୟ କୁ ଏପର୍ଯ୍ୟନ୍ତ ଭୁଲି ପାରୁନି । ମନ୍ଦାକିନୀ କିଭଳି ସେହି ଚରିତ୍ରକୁ ଜୀବନ୍ୟାସ ଦେଇଛନ୍ତି, ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି ।
ପ୍ରଣବ ପ୍ରସନ୍ନ ରଥ ଆଗକୁ ଲମ୍ବା ଦୌଡ଼ିବେ ଓଲିଉଡ଼ରେ । ପ୍ରସ୍ତୁତ ରୁହନ୍ତୁ । ଆପଣଙ୍କ ସଂଳାପ ଗୋଟେ ସ୍ୱତନ୍ତ୍ର ଷ୍ଟାଇଲର ପ୍ରବର୍ତ୍ତକ ହେବାକୁ ଯାଉଛି ।

କିନ୍ତୁ ଚନ୍ଦ୍ରରେ କଳଙ୍କ ଭଳି ବୋଉ ବୁଟୁ ଭୂତ ର ଗୋଟିଏ ଦୁର୍ବଳତା ଅଛି। ଗୀତ ଦୃଷ୍ଟିରୁ ନିରାଶ କରିଛନ୍ତି ଗୌରବ ଆନନ୍ଦ ।ରୋମାଣ୍ଟିକ, ହେଉ କିମ୍ବା ଆଇଟମ ଗୀତ, ଏତେ ଆକୃଷ୍ଟ କରିପାରିନି । ଗୌରବ ଜଣେ ଭଲ କମ୍ପୋଜର। କିନ୍ତୁ ଗୁଣୁ ଗୁଣୁ ହେଲାଭଳିଆ ଗୀତ କାହିଁକି କେଜାଣି ନଦେଇ ପାରିଲା ଭଳି ମନେ ହେଉଛି । କିନ୍ତୁ ଏହା ସତ୍ତ୍ୱେ ବୋଉ ବୁଟ୍ଟୁ ଭୂତ ଏଣ୍ଟେରଟେନମେଣ୍ଟର ଫୁଲ ପ୍ୟାକେଜ । ଗର୍ବ ଵି ଲାଗୁଛି ଯେ ଓଡ଼ିଆ ସିନେମା ଏମିତି ତିଆରି ହେଉଛି । ମୋର ତ କାହିଁକି ମନେ ହେଉଛି, ସତକୁ ସତ ଓଡ଼ିଆ ସିନେମାର ଭଲ ସମୟ ଆସିଗଲା । ଶେଷରେ ଦୁଇଟି କଥା କହିବି । ପ୍ରଯୋଜକ ଅକ୍ଷୟ ପରିଜାଙ୍କ ମନ୍ତବ୍ୟ ଅନୁଯାୟୀ କୁମାର ସି ଦେବ ଆଉ ଜଗଦୀଶ ମିଶ୍ର ଓଡ଼ିଆ ସିନେମାକୁ ନୂଆ ଟ୍ରାକରେ ଦୌଡ଼େଇଲେ। ଆଉ ଏସନ ରଜ ରିଲିଜ ରେ ହିରୋ ନୁହନ୍ତି, ହିରୋଙ୍କ ମାଆ ଦୁହେଁ ( ବୁଟ୍ଟୁର ମାଆ ଏବଂ ଅନନ୍ତାର ମାଆ )ଦର୍ଶକଙ୍କ ହୃଦୟକୁ ଜିତିଲେ ।

ଏ ଲେଖାଟି କେବଳ ଟିକେଟ କାଟି ଦେଖିଥିବା ଜଣେ ଦର୍ଶକର ପ୍ରତିକ୍ରିୟା, ସମୀକ୍ଷକଙ୍କ ଜୀରାରୁ ଶିରା କଢ଼ା ତର୍ଜମା ଆଦୌ ନୁହେଁ l ଭାଇ, ଆମର ଵି ହକ ଅଛି, ସିନେମା ଦେଖିସାରି ପଦେ ଲେଖିବା ପାଇଁ। ଆଉ ଏଥର ସିନେମା ସିନେମା ଭିତରେ ଲଢ଼େଇ ନୁହେଁ, ଦୁଇଟି ଯାକ ସିନେମା ଦେଖିବା ପାଇଁ ଗୋଟେ ଭିନ୍ନ ଆକର୍ଷଣ ସୃଷ୍ଟି ହେଇଛି ।

ଆସନ୍ତୁ, ଏଇ ଦୁଇଟି ସିନେମାକୁ ପରିବାର ସହ ଦେଖନ୍ତୁ, ଆପଣଙ୍କ ମନ ରେ ଓଡ଼ିଆ ସିନେମାକୁ ନେଇ ହୀନମନ୍ୟତା ନୁହେଁ ସ୍ୱାଭିମାନ ଓ ଗର୍ବ ର ଅନୁଭବ ସୃଷ୍ଟି ହେବ ।

ସମୀକ୍ଷା ନମ୍ବର ୨- (ଶୁଭ୍ରାଂଶୁ ପଣ୍ଡା )- ବୋଉ, ବୁଟ୍ଟୁ, ଭୂତ ଓ ଓଡ଼ିଶା

ଏ ସିନେମାଟି ଛୋଟ ପିଲାଙ୍କ ପାଇଁ ନୁହେଁ, କାରଣ ଏଥିରେ ଅଳ୍ପ କେତୋଟି ଦୃଶ୍ୟ ଏଭଳି ଅଛି ଯାହା କମ ବୟସର ପିଲା ନ ଦେଖିବା ଭଲ। ତଥାପି ମୁଁ ମୋର ପୁଅଝିଙ୍କ ସହ ଏ ଚଳଚ୍ଚିତ୍ରଟି ଦେଖିଲି; ସେମାନଙ୍କ ପାଇଁ ଆକର୍ଷଣ ଥିଲା ଭୂତ, ମୋ ପାଇଁ ଆକର୍ଷଣ ଥିଲା ଓଡ଼ିଶାର କାହାଣୀ।

ସିନେମାର ସମୀକ୍ଷା କରିବା ଆଗରୁ କହିରଖେ, ଦୁଇମାସ ତଳେ ପୁରୀ ସାହିତ୍ୟ ଉତ୍ସବରେ ଓଡ଼ିଆ କାହାଣୀ ସମ୍ପର୍କିତ ଏକ ଆଲୋଚନାରେ ଅତିଥି ଭାବରେ ଭାଗ ନେଇ “ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ କ’ଣ ରହିବା ଉଚିତ” ଶୀର୍ଷକ ଜିଜ୍ଞାସାର ଉତ୍ତରରେ ମୁଁ କହିଥିଲି, “ଓଡ଼ିଆ କାହାଣୀରେ ଓଡ଼ିଶାର କଥା ରହିବା ଉଚିତ। ଭୂତ, ପ୍ରେତ, ହାଡ଼ବାଇ, ଗୁଣି, ଗାରେଡ଼ି ଆଦି ଅବିଶ୍ବସନୀୟ ଓ କେତେକ କ୍ଷେତ୍ରରେ ଆଇନବିରୋଧୀ ହେଲେ ହେଁ ଆମ ବିଶ୍ବାସ ଓ ଆମ ଚଳଣିର ଅଂଶ ଭାବରେ ଏସବୁ କାହାଣୀ ମାଧ୍ୟମରେ ସାଇତା ହୋଇ ରହିବା ଆବଶ୍ୟକ।” ଆମ ବିଶ୍ବାସ (ଓ ଅନ୍ଧବିଶ୍ବାସ), ଆମ ପରମ୍ପରା, ଆମ ଚାଲିଚଳଣ ଓ ଆମ ସଂସ୍କୃତିର କଥା କହିବାବେଳେ ଆମେ ଆଦୌ ନିଜକୁ ଦୋଷୀ ଭାବିବା ଅନୁଚିତ।” ଗ୍ଲୋାବାଲ କାହାଣୀ ବାବଦରେ କହିବାକୁ ଯାଇ ମୋର ମତ ଥିଲା, “ଆମେରିକା କି ୟୁରୋପ୍‌ର ଲେଖକଙ୍କ ଭଳି ଲେଖିବା ଆଦୌ ଗ୍ଲୋବାଲ କାହାଣୀର ଲକ୍ଷଣ ନୁହେଁ। ଆମ କଥାକୁ ବିଶ୍ବ ଆଗରେ ଉପସ୍ଥାପନା କରିବା ହିଁ ଗ୍ଲୋବାଲ କାହାଣୀର ମୁଖ୍ୟ ପରିଚୟ ହେବା ଉଚିତ, ତାହା ପଛକେ ଅବିଶ୍ବସନୀୟ ଏପରିକି ହାସ୍ୟାସ୍ପଦ ହୋଇଥାଉ।”

ମୁଁ “ବୋଉ ବୁଟ୍ଟୁ ଭୂତ” ଚଳଚ୍ଚିତ୍ରକୁ ଓଡ଼ିଶାରୁ ତିଆରି ଏକ ଗ୍ଲୋବାଲ ଚଳଚ୍ଚିତ୍ରର ଆଖ୍ୟା ଦେବି। ଗୀତ ଓ ସଂଳାପ ବେଶ୍‌ ଭଲ ହୋଇଛି। ତେବେ ଗୀତଗୁଡ଼ିକୁ ଏବଂ ଅଳ୍ପ କେତୋଟି ଅନାବଶ୍ୟକ କଥାକୁ ବାଦଦେଲେ ଏହା ଏକ ଭିନ୍ନ ଗୁଳାର ଚଳଚ୍ଚିତ୍ର (cult cinema) ବୋଲାଇବାର ସମସ୍ତ ଉପାଦାନ ବହନ କରେ। ତନ୍ତ୍ରସାଧନ, ମାରଣ, ମୋହନ, ବଶୀକରଣ, ଗୁଣି, ଗାରେଡ଼ି, ଭୂତ ଲାଗିବା, ଭୂତ ଛଡ଼ାଇବା, ତନ୍ତ୍ର ବଳରେ ପୋଖରୀରୁ ମାଛ ଚୋରି କରିନେବା ସମେତ ଓଡ଼ିଆ ଗାଁର ବିଶ୍ବାସ, ଲୋକଚରିତ୍ରକୁ ବେଶ୍‌ ସାବଲୀଳ ଢଙ୍ଗରେ ଉପସ୍ଥାପନ କରିଛନ୍ତି କାହାଣୀକାର ଓ ନିର୍ଦ୍ଦେଶକ।

ଏ ଚଳଚ୍ଚିତ୍ରରେ ଯେଉଁ ସବୁ ଚରିତ୍ର ଓ ଘଟଣା ରହିଛି ତାହା ଆମ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରଚଳିତ ବା ଅପସୃତ ଘଟଣା ଓ ଚରିତ୍ର। ଚରିତ୍ରମାନଙ୍କ ଅଭିନୟ ମଧ୍ୟ ନିଚ୍ଛକ ଓଡ଼ିଆ। ରତ୍ନମାଳା ଚରିତ୍ରରେ ଅପରାଜିତା ଏ ଚଳଚ୍ଚିତ୍ର ମାଧ୍ୟମରେ ନିଜ ସାମର୍ଥ୍ୟର ଏକ ନୂଆ ଦିଗ ଦେଖାଇଛନ୍ତି। ଅତି ନାଟକୀୟତା ବିନା କିଭଳି ଅଭିନୟ କରିହୁଏ ତାହା ଏ ଚଳଚ୍ଚିତ୍ରର ସବୁ ଚରିତ୍ରଙ୍କଠାରୁ ଶିଖିବାର କଥା। କେବଳ ଏ ଚଳଚ୍ଚିତ୍ରରେ ନୁହେଁ, ବିଗତ କେତୋଟି ସିନେମାରେ ଅଭିନୟ ମାଧ୍ୟମରେ ବାବୁଶାନ ନିଜ ନିଖୁଣ ପାରଦର୍ଶିତାର ପରିଚୟ ଦେଇଛନ୍ତି। ଅର୍ଚ୍ଚିତା ମଧ୍ୟ ଅଭିନୟରେ ନିରୀହତା ଓ ଅକୃତିମତା ମାଧ୍ୟମରେ ଓଡ଼ିଶାର ଅନ୍ୟ ନାୟିକାମାନଙ୍କ ଠାରୁ ଢେର ଆଗରେ ଅଛନ୍ତି। ଉଭୟେ ଓଡ଼ିଆ ଚଳଚ୍ଚିତ୍ର ଅଭିନୟ ଜଗତର ଦୁଇ ରତ୍ନ।

ବଲିଉଡକୁ ଅନୁସରଣ କରିବା ଓ ଦକ୍ଷିଣୀ ଚଳଚ୍ଚିତ୍ରକୁ ନକଲ କରିବାର ଭିଡ଼ ଭିତରେ “ବୋଉ ବୁଟ୍ଟୁ ଭୂତ” ଓଡ଼ିଆତ୍ବର ଏକ ସାବଲୀଳ ନିଦର୍ଶନ। ଚଳଚ୍ଚିତ୍ରଟିକୁ କେବଳ କାହାଣୀସର୍ବସ୍ବ ନ କରି ମନୋରଞ୍ଜନ ଧର୍ମୀ କରିବା ପାଇଁ ପ୍ରଯୋଜକ ଏଥିରେ ଗୀତ ସଂଯୋଜିତ କରିଛନ୍ତି। ତେବେ ଗୀତଗୁଡ଼ିକ ନ ଥିଲେ ଏହା ଭାରତର ଏକ କଲ୍ଟ ସିନେମା ଭାବରେ ପ୍ରତିନିଧିତ୍ବ କରିପାରନ୍ତା। ଚଳଚ୍ଚିତ୍ରରେ ଅଳ୍ପ କେତୋଟି ତ୍ରୁଟି ରହିଛି, ଯେମିତି – ଅମରୀ ମୁଣ୍ଡରେ ଏତେ ବଡ଼ ଲୁହା କଣ୍ଟା ପିଟାଯାଉଛି ଯେ ତାହା ମୁଣ୍ଡ ଭେଦି ଗଛରେ ପଶିଯାଉଛି। ସେ କଣ୍ଟାଟି ଯେତେବେଳେ ଉଦ୍ଧାର ହେଉଛି ତାହା ଛୋଟିଆ ଲୁହା କଣ୍ଟାଟିଏ ପାଲଟି ଯାଇଛି ଯାହା ବାଇକ୍‌ର ଚାବି ଭାବରେ ବ୍ୟବହୃତ ହୋଇ ପାରୁଛି। ବାଟରେ ଗଲାବେଳେ ରତ୍ନମାଳାଙ୍କୁ ଲି’ କହୁଛନ୍ତି ଯେ ଯଦି ଲୁହାକଣ୍ଟାଟା ମିଳିପାରନ୍ତା ତେବେ ବୁଟ୍ଟୁକୁ ଉଦ୍ଧାର କରିହୁଅନ୍ତା। ସେଇଠି ବୁଟୁର ସାଙ୍ଗ ଅଛି, ତା ପକେଟରେ କଣ୍ଟା ବି ଅଛି ଅଥଚ ସେ ମୁହଁ ଖୋଲୁନାହିଁ। ଯେତେବେଳେ ସାରା ଗାଁଲୋକଙ୍କ ଆଗରେ ବୁଟ୍ଟୁ ଉଡ଼ୁଛି, ସେତିକିବେଳେ ଯାଇ ସେ କଣ୍ଟାଟି ପକେଟରୁ କାଢ଼ୁଛି। ବୁଟୁର ବାପା ବେତାଳ ସାଧନା କରୁଛନ୍ତି ଆଉ ରତ୍ନମାଳାଙ୍କୁ ନିରୀହ ଗାଁ ସ୍ତ୍ରୀ ଲୋକଟିଏ ଭାବରେ ଦେଖାଯାଇଛି। ନିରୀହ ରତ୍ନମାଳା କେମିତି ଗୁଣିଆ ହେଲେ ତାହା ପ୍ରତିଷ୍ଠାହୋଇ ପାରୁନାହିଁ। ମାଛ ପୋଖରିଟି ମଧ୍ୟ ପୋଖରି ବଦଳରେ ଛୋଟ ଗାଡ଼ିଆ ଭଳି ଲାଗୁଛି। ତେବେ ଚଳଚ୍ଚିତ୍ରଟି ଏତେ ମନୋହର ହୋଇଛି ଯେ ଅତି ନିରେଖି ନ ଦେଖିଲେ ଏଥିରେ ଗୋଟିଏ ବି ତ୍ରୁଟି ବାରିହେବ ନାହିଁ।

ଚଳଚ୍ଚିତ୍ର ଭିତରେ ଓଡ଼ିଆ ଭାଷାକୁ ଗୁରୁତ୍ବ ମିଳିଛି। ଅନୁରୂପ ଭାବରେ ପୋଷ୍ଟରରେ ଓ ସାମାଜିକ ଗଣମାଧ୍ୟମରେ ଇଂରାଜୀ ବଦଳରେ ଓଡ଼ିଆରେ ଲେଖିଥିଲେ ଅଧିକ ଆପଣାର ବୋଧ ହୋଇଥାଆନ୍ତା। ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରୁଛି ଏବଂ ବାହାର ରାଜ୍ୟରେ ବି ପ୍ରଦର୍ଶିତ ହେଉଛି। ଭବିଷ୍ୟତରେ ଏହା ହିନ୍ଦୀ ଓ ଅନ୍ୟ ଭାରତୀୟ ଭାଷାରେ ବି ମୁକ୍ତିଲାଭ କରୁ ବୋଲି ଆଶା କରିବି।

Leave a Reply

Your email address will not be published. Required fields are marked *