ହ୍ୱାଟସ୍ ଆପ : ରୋଜଗାର ଦେଉଛି – ଛଡେଇ ବି ନେଉଛି, ଗ୍ରାମୀଣ ମହିଳାଙ୍କ ପାଇଁ ଡିଜିଟାଲ ଦୁନିଆ କେମିତି ସଙ୍କଟ..
ଭୂବନେଶ୍ବର(ଐଶ୍ଵର୍ଯ୍ୟା ପରିଜା) : ଡିଜିଟାଲ ମୋଡରେ ଏବେ ସାରା ଦୁନିଆ । ଓଡ଼ିଶାର ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ମୋବାଇଲ୍ ଫୋନ୍ ଜୀବନରେଖା ପାଲଟିଛି । ମହିଳାଙ୍କ ପାଇଁ ଡିଜିଟାଲ ଦୁନିଆ କେତେବେଳେ ରୋଜଗାରର ମାଧ୍ୟମ ସାଜିଛି ତ ଆଉ କେତେବେଳେ ଭୟର ଉତ୍ସ ପାଲଟିଛି। ହ୍ୱାଟ୍ସଆପ୍ ମାଧ୍ୟମରେ ଛୋଟ ବ୍ୟବସାୟ ଚଳାଇବା ଠାରୁ ଆରମ୍ଭ କରି ସରକାରୀ ଯୋଜନାଗୁଡ଼ିକୁ ଅନଲାଇନରେ ପ୍ରବେଶ କରିବା ପର୍ଯ୍ୟନ୍ତ, ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ନୂତନ ସୁଯୋଗ ସୃଷ୍ଟି କରିଛି । କିନ୍ତୁ ସୁଯୋଗ ସହିତ ଡିଜିଟାଲ୍ ମାଧ୍ୟମରେ ହଇରାଣ, ଠକେଇ, ବ୍ଲାକମେଲ୍ ଏବଂ ଅନଲାଇନ୍ ନିର୍ଯାତନା ଆଦି ଅନେକ ମହିଳାଙ୍କୁ ଅସୁରକ୍ଷିତ କରି ରଖିଛି।
କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଗଞ୍ଜାମ, ନୂଆପଡ଼ା ଏବଂ କୋରାପୁଟ ଭଳି ଜିଲ୍ଲାର ଗ୍ରାମାଞ୍ଚଳରେ, ମହିଳାମାନେ – ବିଶେଷକରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଜୀବିକା ନିର୍ବାହ ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ତଥାପି, ସୀମିତ ଡିଜିଟାଲ୍ ସାକ୍ଷରତା, ପୁରୁଷ କୈନ୍ଦ୍ରିକ ସାମାଜିକ ଗଠନ ଏବଂ କମ୍ ରିପୋର୍ଟିଂ ବ୍ୟବସ୍ଥା ଡିଜିଟାଲ୍ ଦୁନିଆକୁ ଏକ ବିପଦପୂର୍ଣ୍ଣ କ୍ଷେତ୍ରରେ ପରିଣତ କରିଛି ।
ହ୍ୱାଟ୍ସଆପ୍ ବ୍ୟବସାୟ ସାଜିଲା ଚିନ୍ତାର କାରଣ
କେନ୍ଦ୍ରାପଡ଼ାର ଉପକୂଳବର୍ତ୍ତୀ ଅଞ୍ଚଳର ଜଣେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ସୁନୀତା (ନାମ ପରିବର୍ତ୍ତିତ) । ଡିଜିଟାଲ ମିଡ଼ିଆ ମାଧ୍ୟମରେ ଆଚାର ଏବଂ ଘରେ ତିଆରି ଖାଦ୍ୟ ବିକ୍ରୟ କରିବା ଆରମ୍ଭ କରିଥିଲେ। ହ୍ୱାଟ୍ସଆପ୍ ମାଧ୍ୟମରେ ବ୍ୟବସାୟ କରିବା ତାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହ ପ୍ରଗତିର ପଥ ଦେଖାଇଥିଲା । ମାତ୍ର ଅଳ୍ପ ଦିନ ଏହା ସଠିକ୍ ଭାବେ ଚାଲିବା ପରେ ସୁନିତାଙ୍କୁ ଅଜଣା ନମ୍ବରଗୁଡ଼ିକରୁ ବାରମ୍ବାର ଫୋନ୍ ଆସିବା ଆରମ୍ଭ ହୋଇଯାଇଥିଲା । ବିଳମ୍ବିତ ରାତିରେ ଅନୁପଯୁକ୍ତ ମେସେଜ୍ ପଠାଇବା ଏବଂ ଭିଡିଓ କଲ୍ କରିବା ଆରମ୍ଭ କରିଥିଲେ। ଶେଷରେ ସେ ତାଙ୍କ ସାମଗ୍ରୀର ଫଟୋ ପୋଷ୍ଟ କରିବା ବନ୍ଦ କରିଦେଲେ । ଏଥିପାଇଁ ପରିବାର ଲୋକେ ସାଇବର ପୁଲିସ ନିକଟରେ ଅଭିଯୋଗ କରିବା ପରିବର୍ତ୍ତେ ଆକାଉଣ୍ଟ୍ ବନ୍ଦ କରିବାକୁ ବାଧ୍ୟ କରିଥିଲେ, ବୋଲି ସୁନିତା କୁହନ୍ତି। ସାମାଜିକ କଳଙ୍କ ଭୟ ତାଙ୍କୁ ଅନଲାଇନ୍ ବ୍ୟବସାୟରୁ ଓହରି ଯିବାକୁ ବାଧ୍ୟ କରିଥିଲା, ଯାହାଦ୍ଵାରା ତାଙ୍କର ରୋଜଗାର ବି ବନ୍ଦ ହୋଇଯାଇଥିଲା।
କେବଳ ସୁନିତା ନୁହନ୍ତି, ତାଙ୍କ ଭଳି ଗ୍ରାମାଞ୍ଚଳରେ ଅନେକ ମହିଳା ଡିଜିଟାଲ୍ ଉପକରଣଗୁଡ଼ିକୁ ଅଧିକରୁ ଅଧିକ ବ୍ୟବହାର କରୁଥିବାରୁ, ଏ ଭିତରେ ଅନେକ ଅନଲାଇନ୍ ଉତ୍ପୀଡ଼ନ ଏବଂ ସାଇବର ଅପରାଧଠାରୁ ଆରମ୍ଭ କରି ଭୁଲ ସୂଚନା, ଆର୍ଥିକ ଠକେଇ ଆଦିର ଶିକାର ହେଉଛନ୍ତି। ଯାହା ପୂର୍ବରୁ ସଶକ୍ତୀକରଣର ଏକ ଉପକରଣ ଥିଲା ତାହା ଏବେ ଏକ ଜଟିଳ ଡିଜିଟାଲ୍ ଚକ୍ରବ୍ୟୁହରେ ପରିଣତ ହୋଇଛି। ଡିଜିଟାଲ୍ ପ୍ଲାଟଫର୍ମ ସହିତ ସମ୍ପ୍ରତି ପରିଚିତ ହୋଇଥିବା ଗ୍ରାମୀଣ ମହିଳାମାନଙ୍କ ପାଇଁ ଏହି ବୃଦ୍ଧି ବିଶେଷ ଭାବରେ ଚିନ୍ତାଜନକ। ଅନେକ ମହିଳା ବିନା କୌଣସି ଗୋପନୀୟତା ସେଟିଂସ୍ ଓ ସଚେତନ ନ ହୋଇ ପ୍ରଥମ ଅନଲାଇନ୍ ଅଭିଜ୍ଞତା ଭାବରେ ହ୍ୱାଟ୍ସଆପ୍ ଭଳି ମେସେଜିଂ ଆପ୍ ବ୍ୟବହାର କରୁଛନ୍ତି ।
ବର୍ତ୍ତମାନ ଗ୍ରାମୀଣ ଡିଜିଟାଲ୍ ସାକ୍ଷରତା ଉପରେ ଗୁରୁତ୍ଵ ଦିଆଯାଉଥିଲେ ସୁଦ୍ଧା ପ୍ରାୟତଃ ବୈଷୟିକ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଉଛି । ଯେପରିକି ପେମେଣ୍ଟ ପଠାଇବା କିମ୍ବା ମେସେଜ୍ ଦେଖିବା ଓ ପଠାଇବା ଉପରେ ପ୍ରଶିକ୍ଷଣ ଦିଆଯାଉଛି । କିନ୍ତୁ ଅଜଣା ନମ୍ବରରୁ କଲ୍ ଆସିବା(fake call), ଧମକପୂର୍ଣ୍ଣ ମେସେଜ୍ କିମ୍ବା ଲିଙ୍ଗ-ଭିତ୍ତିକ ଅନଲାଇନ୍ ଅପବ୍ୟବହାରକୁ କିପରି ପରିଚାଳନା କରିବେ ତାହା ଉପରେ କ୍ୱଚିତ୍ ପ୍ରଶିକ୍ଷଣ ଦିଆଯାଉଥିବାରୁ ମହିଳାମାନେ ଇଣ୍ଟର୍ନେଟ ବ୍ୟବହାର କରିବା ନେଇ ଭୟ ସୃଷ୍ଟି କରୁଛି ।
ହ୍ୱାଟ୍ସଆପ୍: ଡିଜିଟାଲ ଉପକରଣ ସାଜିଛି ଫାଶ ଜାଲ
ଓଡିଶାର ଗ୍ରାମାଞ୍ଚଳ ମହିଳାମାନଙ୍କ ମଧ୍ୟରେ ହ୍ୱାଟ୍ସଆପ୍ ହେଉଛି ସର୍ବାଧିକ ବ୍ୟବହୃତ ଡିଜିଟାଲ୍ ପ୍ଲାଟଫର୍ମ। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଯୋଜନା, ବୈଠକ ଏବଂ ଦେୟ ବିଷୟରେ ଅପଡେଟ୍ ସେୟାର କରିବା ପାଇଁ ନିୟମିତ ଭାବରେ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି। ମାତ୍ର ଏହା ସାଇବର ଉତ୍ପୀଡ଼ନ ଏବଂ ଠକେଇର ମାଧ୍ୟମ ପାଲଟିଛି ।
“ଆପଣ ଘରେ ବସି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ଦିନକୁ ମାତ୍ର ୨ରୁ ୩ ଘଣ୍ଟା ସମୟ ଦେଇ ନିଜ ମୋବାଇଲ୍ ମାଧ୍ୟମରେ ଆପଣ ମାସକୁ ୧୫ରୁ ୨୦ ହଜାର ରୋଜଗାର କରିପାରିବେ? ଆଗ୍ରହୀ ଗୃହିଣୀ ଓ ମହିଳାମାନେ ସଙ୍ଗେ ସଙ୍ଗେ ଏହି ହ୍ବାଟ୍ସ୍ ଆପ୍ ନମ୍ବରକୁ ଯୋଗାଯୋଗ କରନ୍ତୁ। ବାସ୍ ଘରେ ବସି କାମ କରିବାକୁ ଚାହୁଁଥିବା ମହିଳାଟିଏ ଏହି ଜାଲରେ ପଡ଼ିଯାଉଛି। ସାଇବର୍ ଠକଙ୍କୁ ଅଜଣା ନମ୍ବରରେ ଯୋଗାଯୋଗ କରି ଫସିଯାଉଛନ୍ତି ଓ ଟଙ୍କା ହରାଉଛନ୍ତି।
ମହାମାରୀ କରୋନା ସମୟରେ ରୋଜଗାରର ମାଧ୍ୟମ ଖୋଜୁଥିବା କଟକ ଜିଲ୍ଲାର ରୋଜାଲିନ(ପରିବର୍ତ୍ତିତ ନାମ) ହ୍ବାଟ୍ସ୍ ଆପ୍ ସାଜିଥିଲା କାଳ । ଘରେ ବସି କାମ କରିବା ଆଶାରେ ନିଜ ହ୍ବାଟ୍ସ୍ ଆପ୍କୁ ଆସିଥିବା ନମ୍ବରରେ ମେସେଜ୍ କରିଥିଲେ । କିଛି ସମୟ ପରେ ସେପଟୁ ଏକ ଓଟିପି ଆସିଥିଲା, ଓଟିପି ଦେବାର କିଛି ମୂହୁର୍ତ୍ତ ପରେ ରୋଜାଲିନଙ୍କ ଆକାଉଣ୍ଟରୁ ୪୦ହଜାର ଟଙ୍କା କଟି ଯାଇଥିଲା । କିଛି ବୁଝିବା ଆଗରୁ ସେ ସାଇବର ଠକେଇର ଶିକାର ହୋଇଯାଇଥିଲେ । ପରିବାର ଚଳାଇବା ତଥା ପିଲାମାନଙ୍କ ପାଠପଢା ପାଇଁ ରଖିଥିବା ସ୍ୱଳ୍ପ ସନ୍ତକ ତାଙ୍କର ଚାଲିଯିବାରୁ ତାଙ୍କର ଚତୁର୍ଦିଗ ଅନ୍ଧକାରମୟ ହୋଇଯାଇଥିଲା । ଶେଷରେ ଘର ଲୋକଙ୍କ ଭୟରେ ଆଉ କାହାରିକୁ କିଛି ନ କହି ଚୁପ ରହିଥିଲେ । ସାଇବର ଥାନାରେ ଅଭିଯୋଗ କରିବା ଏବଂ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସେ ଭୟଭୀତ ହୋଇଯାଇଥିଲେ । ଏନେଇ ରୋଜାଲିନ କୁହନ୍ତି, ସେହି ଦିନ ମୋ ଜୀବନର ଶେଷ ହ୍ବାଟ୍ସ୍ ଆପ୍ ଚଳାଇଥିଲେ । ଏହା ପରଠାରୁ ନିଜ ସାଙ୍ଗସାଥିଙ୍କ ସହ ମଧ୍ୟ ହ୍ବାଟ୍ସ୍ ଆପ୍ରେ କଥା ହୁଏ ନାହିଁ । କେବଳ ମୁଁ ନୁହେଁ ମୋ ଭଳି ଅନେକ ମହିଳା ଭୟ, ଅପମାନ ଏବଂ ସଚେତନତାର ଅଭାବ ଯୋଗୁଁ ଅପରାଧ ରିପୋର୍ଟ କରିବାରୁ ବଞ୍ଚିତ ହେଉଛନ୍ତି ।
ତଥ୍ୟ କହୁଛି, ସୋସିଆଲ ମିଡିଆ ମଞ୍ଚ ହ୍ବାଟ୍ସଆପ୍କୁ ସାଇବର ଠକ ସବୁଠାରୁ ଅଧିକ ଅପବ୍ୟବହାର କରୁଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ୨୦୨୪ର ପ୍ରଥମ ୩ ମାସରେ ସାଇବର୍ ଠକାମି ସଂକ୍ରାନ୍ତ ମୋଟ ୪୩,୭୯୭ଟି ଅଭିଯୋଗ କେବଳ ହ୍ବାଟ୍ସଆପ୍ ବିରୋଧରେ ହୋଇଛି। ଏହା ପଛକୁ ଟେଲିଗ୍ରାମ ବିରୋଧରେ ୨୨,୬୮୦ ଏବଂ ଇନଷ୍ଟାଗ୍ରାମ୍ ବିରୋଧରେ ୧୯,୮୦୦ ଅଭିଯୋଗ ରହିଛି। ୨୦୨୩-୨୪ ଏମଏଚ୍ଏ ବାର୍ଷିକ ରିପୋର୍ଟ ଅନୁଯାୟୀ ସାଇବର ଠକମାନେ ଅପରାଧ ଘଟାଇବା ପାଇଁ ଗୁଗଲ୍ ସର୍ଭିସ୍ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି।
ଓଡ଼ିଶାରେ ଏବେ ବି ଗୁରୁତ୍ୱପୂର୍ଣ୍ଣ ଲିଙ୍ଗ-ଭିତ୍ତିକ ଡିଜିଟାଲ୍ ବିଭାଜନ ଦେଖିବାକୁ ମିଳୁଛି । ରାଜ୍ୟର ଭିଜନ-୨୦୩୬ ତଥ୍ୟ ଅନୁଯାୟୀ, କେବଳ ୨୫% ମହିଳା ଇଣ୍ଟରନେଟ୍ ବ୍ୟବହାର କରୁଥିବାବେଳେ ୫୧% ପୁରୁଷ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ।
ସଚେତନ ହେଲେ ଡିଜିଟାଲ ଶିକାର କମିବ(ପ୍ରଶାନ୍ତ କୁମାର ସାହୁ, ସାଇବର ଏକ୍ସପର୍ଟ)
ହ୍ଵାଟ୍ସ୍ ଆପ ହେଉ ଅବା ଯେକୌଣସି ଆପ ଚଲାଇବା ବେଳେ ସଚେତନତାର ସହ ପରିଚାଳନା କରିବା ଆବଶ୍ୟକ । ଟୁ ଷ୍ଟେପ ଭେରିଫିକେସନ ନ କରିବା ଦ୍ଵାରା ହ୍ଵାଟ୍ସ୍ ଆପ ହ୍ୟାକ୍ ହୋଇଯାଏ । ବର୍ତ୍ତମାନ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଟଙ୍କା ମିଳୁଥିବା ବେଳେ ଡିଜିଟାଲ ମିଡ଼ିଆରେ ଏହାକୁ ନେଇ ଅନେକ ଲିଙ୍କ ଆସୁଛି, ଯାହାଦ୍ଵାରା ମହିଳାମାନେ ଏହାକୁ ଟଙ୍କା ପାଇବା ଆଶାରେ କ୍ଲିକ କରିବା ଦ୍ଵାରା ସାଇବର ଠକଙ୍କ ଶିକାର ହେଉଛନ୍ତି । ସେହିପରି ଘରେ ବସି କାମ କରିବାର ସୁଯୋଗ ଦେବା କଥା କହି ମଧ୍ୟ ଠକେଇର ଶିକାର କରୁଛନ୍ତି । ଏଥିପାଇଁ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । କୌଣସି ଅଜଣା ନମ୍ବର କିମ୍ବା ଲୋକ ଉପରେ ବିଶ୍ବାସ ନ କରି ସଚେତନତାର ସହ ପରିଚାଳନା କରିବା ଦରକାର । ଯେହେତୁ ସବୁକିଛି ଏବେ ଡିଜିଟାଲ ମୋଡ ହୋଇସାରିଛି । ପିଲାଙ୍କ ପାଠପଢାଠାରୁ ଆରମ୍ଭ କରି ରୋଜଗାରର ମାଧ୍ୟମ ମଧ୍ୟ ଇଣ୍ଟରନେଟ ଉପରେ ନିର୍ଭରଶୀଳ, ଏଥିପାଇଁ ଆମକୁ ସମୟ ସହ ତାଳ ଦେଇ ଚାଲିବାକୁ ପଡିବ । ଆମକୁ ପାଦେ ପାଦେରେ ଜଗିବାକୁ ପଡିବ । ଡିଜିଟାଲ ମିଛ କଲ, ମେସେଜରେ ନ ଡରି ସଚେତନତାର ସହ ପରିଚାଳନାର ଆବଶ୍ୟକତା ରହିଛି । ପୀଡିତାମାନେ ଜାତୀୟ ସାଇବର ଅପରାଧ ପୋର୍ଟାଲ୍ (୧୯୩୦ ହେଲ୍ପଲାଇନ୍ କିମ୍ବା cybercrime.gov.in) ରେ ଘଟଣାଗୁଡ଼ିକ ତୁରନ୍ତ ରିପୋର୍ଟ କରିବା ଉଚିତ ।
