କଳା ଆମକୁ ସୃଜନଶୀଳ କରାଏ… ହେଲେ ଏବେ ମାନସିକ ଅସୁସ୍ଥ କରାଉଛି…

Bhubaneswar: (ବିଶ୍ୱରାଜ ନାୟକ)-“ଧୂରନ୍ଧର” ଦେଖିଲି। ବ୍ୟସ୍ତ ଥିବା କାରଣରୁ ଓ ଚଳଚ୍ଚିତ୍ରଟି ଦୀର୍ଘ ହୋଇଥିବା କାରଣରୁ ଏ ଯାଏଁ ଦେଖି ପାରି ନ ଥିଲି। ଚଳଚିତ୍ରଟିର ବ୍ୟବସାୟିକ ସଫଳତା ପରେ ମୋତେ କିପରି ଲାଗିଲା, ତାହା କୌଣସି ଗୁରୁତ୍ଵ ରଖେ ନାହିଁ। କିନ୍ତୁ ଜଣେ ବାପା ହିସାବରେ ମୁଁ ଏହାର ଆଲୋଚନା କରିବି।

ହିଂସାକୁ ଅତିରଞ୍ଜିତ ( Exaggerated), ପୁଙ୍ଖାନୁପୁଙ୍ଖ ( Indetail) ଓ ଅସମ୍ବେଦନଶୀଳ ( Insensitive) ଭାବେ ଚିତ୍ରଣ କରିଥିବା ଇଏ ଆଉ ଏକ ଚଳଚ୍ଚିତ୍ର, ପୂର୍ବରୁ ସଫଳ ହୋଇଥିବା “ଏନିମଲ୍” ପରି।

ଆମ ମନସ୍ତତ୍ତ୍ୱରେ “ହିଂସା” ଏକ ଜଟିଳ, ଅନ୍ଧାରୀ ଉପତ୍ୟକା। ଆମେ ଅନେକ ସମୟରେ ଏହାକୁ ପ୍ରକାଶ କରି ପାରୁ, ଅନେକ ସମୟରେ ନିଜ ଅବଚେତନରେ ଏହାକୁ ଚାପି ଦେଉ। ହିଂସା ପ୍ରତି ଆମ ମନରେ ଆକର୍ଷଣ, ଭୟ, ଉଦବେଗ, ଓ ଘୃଣାର ଏକ ବିଚିତ୍ର ଫେଣ୍ଟା-ଫେଣ୍ଟି ଆବେଗ ରହି ଥାଏ। ଛେଳି ବା କୁକୁଡ଼ା କଟା ହେବାକୁ ଆମେ ଦେଖି ପାରୁ ନା, ଆମେ ନିଜେ କାଟି ପାରୁ ନା, କିନ୍ତୁ ରୂପେଲି ପରଦାରେ ମଣିଷକୁ ବିଭତ୍ସ ଭାବେ କଟା ଯାଉଥିବା ଦୃଶ୍ୟକୁ ଦେଖି ଆମ ତାଳି ମାରୁ। କାହିଁକି ? କାରଣ ପରିପ୍ରକାଶ ହୋଇ ପାରି ନ ଥିବା ଅନେକ ହିଂସାତ୍ମକ ଚିନ୍ତା ପାଇଁ ଏହା ପ୍ରକାଶର ମାଧ୍ୟମ (Catharsis) ସାଜେ। ଏବଂ ଆମର ଏହି ମନସ୍ତାତ୍ତ୍ୱିକ ଅବସ୍ଥାର ଲାଭ ଉଠାଇ ଥାଏ ଏନିମଲ ବା ଧୂରନ୍ଧର ପରି ଚଳଚ୍ଚିତ୍ର।

ଏସବୁ ଚଳଚ୍ଚିତ୍ରର ଗୋଟିଏ ଲକ୍ଷ୍ୟ, ଦର୍ଶକଙ୍କୁ ରୋମାଞ୍ଚ ( Adrenaline Rush) ଦେବା। ନିଜ ନିପାରିଲାପଣିଆକୁ ନେଇ ରହିଥିବା ହତାଶାରୁ ଏକ କଳ୍ପନା ରାଜ୍ୟକୁ ନେଇଯିବା, ଯେଉଁଠି ମଣିଷଟି ( ଧୂରନ୍ଧର ବା ରେହମାନ୍ ) ନିଜ ଇଚ୍ଛା ମୁତାବକ ବ୍ୟବହାର କରିପାରେ, ପ୍ରତିକୂଳ ପ୍ରତିକ୍ରିୟା ବା ଫଳାଫଳକୁ ବେଖାତିର୍ କରି।

ପୂର୍ବରୁ ସଙ୍ଗୀତ ଆମ ଆବେଗକୁ ନିୟନ୍ତ୍ରିତ କରୁଥିଲେ। କେତେବେଳେ ଆମକୁ ମଳୟର ସ୍ପର୍ଶ ( Soothing effect) ଦେଉଥିଲେ, ତ କେତେବେଳେ ଆମ ପ୍ରେମ -ବିରହ-ଦେଶପ୍ରେମ ପରି ଆବେଗକୁ ( sentiment) ପ୍ରଭାବିତ କରୁ ଥିଲେ। ଏନିମଲ ବା ଧୂରନ୍ଧର ପରି ଚଳଚ୍ଚିତ୍ରରେ ଥିବା ସଙ୍ଗୀତର ଗୋଟିଏ ଲକ୍ଷ୍ୟ – ଆମକୁ adrenaline rush ଦେବା। ବିଭତ୍ସ ହିଂସାକୁ ଦେଖି ଆମ ଭିତରେ ବଢୁଥିବା ଉତ୍ତେଜନାକୁ ଆହୁରି ଶକ୍ତିଶାଳୀ କରିବା !

ସାମାଜିକ ଗଣମାଧ୍ୟମ ଯୁଗରେ ତଥ୍ୟ ( Facts), ମନୋରଞ୍ଜନ ( Entertainment) ଓ ମିଛ ଖବର ( Propaganda) ଭିତରେ ରହିଥିବା ବିଭେଦ କ୍ଷୀଣ ହେବାରେ ଲାଗିଛି। ଏହାର ଲାଭ ଉଠାଇବା ପାଇଁ “ଧୂରନ୍ଧର” ଖୁବ୍ ସୁନ୍ଦର ଭାବେ ଅନେକ ସତ୍ୟ ଘଟଣା ଓ କଳ୍ପନାର ଏକ କୁହୁଡି ସୃଷ୍ଟି କରିଛି। କିନ୍ତୁ ବୈଧାନିକ ଚେତାବନୀ ( Statutory declaration/ Warning ⚠️) କୁ ଅଣଦେଖା କରି ଦର୍ଶକ ଏହାକୁ ଯଦି ଇତିହାସ ଭାବେ ଗ୍ରହଣ କରିନେବେ, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବରଂ ଏହା ହିଁ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟ, ଲକ୍ଷ୍ୟ। ହାଜି ମସ୍ତାନ, ମନୁଆ ସର୍ବେ, ଦାଉଦ୍ ଇବ୍ରାହିମ୍ ଉପରେ ନିର୍ମିତ ଚଳଚ୍ଚିତ୍ର ଏ ଦିଗରେ ପୂର୍ବରୁ ସଫଳ ହୋଇ ସାରିଛନ୍ତି।

ଆ ବାଦ୍, ଏହାକୁ ବ୍ୟବସାୟିକ ସଫଳତା ପାଇବାରେ ସାହାଯ୍ୟ କରୁଛି ଅନ୍ୟ ଏକ ମାନସିକତା ଯାହା ଦେଶପ୍ରେମ ( Patriotism) ଓ ତର୍କ-ଅସଙ୍ଗତ ଉଗ୍ର ଜାତୀୟତାବାଦ୍ ( Jingoism) ମଧ୍ୟରେ ଥିବା ପର୍ଥକ୍ୟକୁ ନେଇ ସନ୍ଦିହାନ।

ଯାହା ବି ହେଉ, ମାଫିଆ-ଜଗତ ଉପରେ ନିର୍ମିତ ହୋଇଥିବା ସତ୍ୟା, କମ୍ପାନୀ, ୱାନ୍ସ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ, ବାସ୍ତବ – ୧, ଭଳି ଚଳଚ୍ଚିତ୍ର ଗୁଡ଼ିକ ‘କଳାତ୍ମକ ଦୃଷ୍ଟିକୋଣରୁ’ ଏହାଠାରୁ ଖୁବ୍ ଉଚ୍ଚକୋଟୀର।

ମାଧବନ୍ ଙ୍କୁ ଅଭିନୟ ଦକ୍ଷତା ପ୍ରତିପାଦିତ କରିବା ପାଇଁ ବିଶେଷ ସୁଯୋଗ ମିଳିଲା ନାହିଁ। ଅକ୍ଷୟ ଖାନ୍ନାଙ୍କ ଅଭିନୟରେ କିଛି ନୂତନତ୍ବ ନ ଥିଲା। ତାଙ୍କ ଚାହାଣୀ, ହସକୁ ମୁଁ ବହୁ ପୂର୍ବରୁ ତାଙ୍କ ଅଭିନୀତ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଦେଖିଛି। ( ତାଲ୍, ଡୋଲି ସଜା କେ ରଖନା ,   ଆ ଅବ୍ ଲୈଟ ଚଲେଁ , ଦୀୱାନଗୀ, ମୋହବତ ପରି ଫିଲ୍ମର ବିଭିନ୍ନ ଦୃଶ୍ୟକୁ ମନେ ପକାନ୍ତୁ। କିନ୍ତୁ ଜଣେ ଉଚ୍ଚକୋଟୀର ଅଭିନେତା ହୋଇ ମଧ୍ୟ ସେ ଲୋକଲୋଚନକୁ ଆସି ନ ଥିଲେ। ତେଣୁ ତାଙ୍କ ସଫଳତାକୁ ନେଇ ମୁଁ ଖୁସି। ) ରଣବୀର ସିଂଙ୍କୁ ବହୁତ୍ ଦିନ ପରେ ଦେଖିଲି ଓଭରଆକ୍ଟିଂ ନ କରିଥିବାର।

ଏସବୁ ଭିନ୍ନ କଥା। କିନ୍ତୁ ଜଣେ ବାପା ବା ମା’ ହିସାବରେ ଚିନ୍ତା କରନ୍ତୁ, ଏଭଳି ଚଳଚ୍ଚିତ୍ରକୁ ଲୋକପ୍ରିୟ ବା ସଫଳ କରିବା ଦିଗରେ ଆମେ ନିଜ ନିଜ ଅବଦାନ ଦେଇ କଣ ହରାଉ’ଛନ୍ତି ? ନିଜ ପିଲାଙ୍କ ମାନସିକ ସୁସ୍ଥତା ?

ଚିନ୍ତା କରନ୍ତୁ।

( ମୁଁ ହିଂସାକୁ ନେଇ ବିଶେଷ ସମ୍ବେଦନଶୀଳ ନୁହେଁ। କିନ୍ତୁ ଅନାବଶ୍ୟକ, ଅଦରକାରୀ, ଲକ୍ଷ୍ୟ-ହୀନ, ଉଦ୍ଦେଶ୍ୟ-ବିହୀନ ହିଂସାତ୍ମକ ଆଚରଣ ମୋତେ ଅରୁଚିକର ମନେ ହୁଏ। ଏଭଳି ଆଚରଣ ଦେଖାଉଥିବା ଲୋକ ମୋତେ ଚେତନାଗତ ସ୍ତରରେ ନିମ୍ନ ସୋପାନ ( Lowest Rung ) ରେ ଥିବା ଭଳି ମନେ ହୁଅନ୍ତି।)

Leave a Reply

Your email address will not be published. Required fields are marked *