UGCର ନୂଆ ନିୟମ ଓ ଭାଲଚନ୍ଦ୍ରଙ୍କ ଦୃଷ୍ଟିଭଙ୍ଗୀ

ଭୁବନେଶ୍ୱର : (ଭାଲଚନ୍ଦ୍ର ଷଡ଼ଙ୍ଗୀ)-ୟୁଜିସିର ନୂଆ ନିୟମାବଳୀ ଶିକ୍ଷାୟତନରେ କେବଳ ଜାତିଗତ ନୁହେଁ ବରଂ ଧର୍ମ, ଜାତି, ଭାଷା, ଲିଙ୍ଗ, ଆଞ୍ଚଳିକତା ଓ ଶାରୀରିକ ଅକ୍ଷମତା ଉପରେ ଆଧାରିତ ସମସ୍ତ ପ୍ରକାରର ବିଦ୍ଵେଷ ବିରୁଦ୍ଧରେ ଉଦ୍ଦିଷ୍ଟ । ଅତଏବ କେବଳ ଉଚ୍ଚ ଜାତିର ଲୋକଙ୍କୁ ହିଁ ବିଦ୍ଵେଷକାରୀ ବୋଲି ଦର୍ଶାଇ ଏହି ନିୟମ ଅଣାଯାଇଛି ବୋଲି ଯାହା ପ୍ରଚାର କରାଯାଉଛି, ତାହା ଭିତ୍ତିହୀନ ଓ ଉଦ୍ଦେଶ୍ୟ ମୂଳକ ଅଟେ । ଯଦି ଜଣେ ଏସସି ଛାତ୍ର ଆଉ ଜଣେ ଛାତ୍ରୀଙ୍କୁ ଲିଙ୍ଗ ଆଧାରରେ ଘୣଣା କିମ୍ବା ହିଂସା କଲା, ତାହେଲେ ସେ ବି ଅଭିଯୁକ୍ତ ହେବେ । ସେହିପରି ଜଣେ ଆଦିବାସୀ ଛାତ୍ର ଜଣେ ଉତ୍ତର ପୂର୍ବ ରାଜ୍ୟର ଛାତ୍ରକୁ ଚାଇନିଜ୍ କିମ୍ବା ମୋମୋ  ବୋଲି କହି କଟାକ୍ଷ କଲା ତାହେଲେ ବି ସେ ଅଭିଯୋଗର ଶିକାର ହେବେ । ସେହିପରି ଜଣେ ଓବିସି ସମ୍ପ୍ରଦାୟର ଛାତ୍ରୀ ଯଦି ଜଣେ ଭିନ୍ନକ୍ଷମ ଛାତ୍ରଙ୍କୁ ତାଙ୍କ ଶାରୀରିକ ଅକ୍ଷମତାକୁ ନେଇ ପ୍ରତାଡିତ ବା ଅପମାନିତ କରନ୍ତି, ତାହେଲେ ବି ସେ ଅଭିଯୋଗର ଶିକାର ହେବେ । ଅତଏବ ନୂଆ ନିୟମ ଫଳରେ କେବଳ ସାଧାରଣ ବର୍ଗର ବା ଉଚ୍ଚ ଜାତିର ଛାତ୍ର ଛାତ୍ରୀ ଓ ଅଧ୍ୟାପକମାନେ ଶିକାର ହେବେ ବୋଲି କହିବାରେ କିଛି ସତ୍ୟତା ନାହିଁ ।

ସେହିପରି ଆମର ସମାଜ ଓ  ଶିକ୍ଷାୟତନ ଗୁଡିକ ଭେଦଭାବରୁ ଆଦୌ ମୁକ୍ତ ନୁହେଁ । ପ୍ରତିଦିନ ଜାତି, ଧର୍ମ, ଭାଷା, ଆଞ୍ଚଳିକତା ଓ ଲିଙ୍ଗର ଆଧାରରେ ବିଦ୍ଵେଷ ଓ ହିଂସା ଏକ ସାଧାରଣ କଥା . ସୁପ୍ରିମକୋର୍ଟରେ ବିଚାର ସମୟରେ ଖୋଦ କେନ୍ଦ୍ର ସରକାର ଶିକ୍ଷାୟତନମାନଙ୍କରେ ବିଦ୍ଵେଷ ଓ ହିଂସାର ଘଟଣା ଲଗାତାର ଭାବେ ବୣଦ୍ଧି ପାଇବା କଥା ସ୍ଵୀକାର କରିଛନ୍ତି । ନିକଟ ଅତିତରେ ଅତିତରେ ରୋହିତ ଭେମୁଲା ଓ ପାୟଲ ତାଡବ୍ଵି କିଭଳି ଜାତିଗତ ବିଦ୍ଵେଷ କାରଣରୁ ପ୍ରାଣ ହରାଇଲେ ସମସ୍ତେ ଜାଣନ୍ତି । ଖୁବ୍ ନିକଟରେ ଉତ୍ତରାଖଣ୍ଡରେ ପଢୁଥିବା ତ୍ରିପୁରାର ଆଦିବାସୀ ଛାତ୍ର ଏଞ୍ଜେଲ ଚକମାଙ୍କୁ ଚାଇନିଜ୍ ଓ ଚିଙ୍କି କହି କିଭଳି ହତ୍ୟା କରାଗଲା ସମସ୍ତେ ଦେଖିଲେ । ଏଭଳି ସ୍ଥିତିରେ ଯଦି ସୁପ୍ରିମକୋର୍ଟ କ୍ୟାମ୍ପସରେ ଭେଦଭାବ ରୋକିବାକୁ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଲେ ଏବଂ ସେହି ଅନୁସାରେ ୟୁଜିସି ନିୟମ ଜାରୀ କଲା, ସେଥିରେ ଅସୁବିଧା ରହିଲା କେଉଁଠି ? ଅତିତରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ କର୍ମସ୍ଥଳରେ ମହିଳାଙ୍କ ବିରୁଦ୍ଧରେ ହିଂସାକୁ ରୋକିବାକୁ ବିଶାଖା ଗାଇଡଲାଇନ୍ ଅନୁଯାୟୀ କମିଟି ଗଠିତ ହୋଇଛି । କେବଳ ଯେଉଁମାନେ ଆଜି ବି ଅନ୍ୟକୁ ଜାତି, ଧର୍ମ, ଲିଙ୍ଗ, ଆଞ୍ଚଳିକତା ଓ ଶାରୀରିକ ଅକ୍ଷମତା ଆଧାରରେ ଅନ୍ୟକୁ ଭେଦଭାବ କରିବା ନିଜର ଜନ୍ମସିଦ୍ଧ ଅଧିକାର ବୋଲି ଭାବୁଛନ୍ତି, ସେମାନେ ହିଁ ଏଭଳି ଉଦ୍ୟମକୁ ବିରୋଧ କରିବେ । ନଚେତ ସମାଜରେ ସମତା, ଭାଇଚାରା ଓ ମାନବିକ ଅଧିକାରରେ ବିଶ୍ୱାସ କରୁଥିବା ପ୍ରତିଟି ବ୍ୟକ୍ତି ଏହାକୁ ସ୍ଵାଗତ କରିବେ ।

ଏହି ନିୟମର ଅପବ୍ୟବହାର ହେବ ବୋଲି ଯେଉଁମାନେ ଆଶଙ୍କା କରୁଛନ୍ତି, ସେମାନଙ୍କ ଯୁକ୍ତି ବି ଦୁର୍ବଳ ଅଟେ । କାରଣ ଯେକୌଣସି ଆଇନର ଦୁରୁପଯୋଗ ହେବାର ସମ୍ଭାବନା ରହିଛି । କିନ୍ତୁ ଉପଯୋଗ ତୁଳନାରେ ଦୁରୁପଯୋଗର ମାତ୍ରା ବହୁତ କମ୍ ହେବା ଉଚିତ । ଦେଶରେ ମହିଳା ଓ ଜାତିଗତ ଉତ୍ପୀଡନ ସମ୍ପର୍କିତ ଆଇନ ଗୁଡିକର ମଧ୍ୟ ଦୁରୁପଯୋଗର ହେବାର ବାରମ୍ବାର ଅଭିଯୋଗ ହେଇଆସିଛି । କିନ୍ତୁ ତା’ର ଅର୍ଥ କ’ଣ ସେସବୁ ଆଇନକୁ ପ୍ରତ୍ୟାହାର କରାଯିବ ? ସେଭଳି ଦେଖିଲେ ଦୁରୁପଯୋଗର ସମ୍ଭାବନା ରହିଛି କହି ଦେଶରେ କୌଣସି ବି ଆଇନ ରହିବା ସମ୍ଭବ ନୁହେଁ । ବରଂ ଦୁରୁପଯୋଗ ଯେପରି କମ୍ ହେବ ବା ବିଲକୁଲ ନହେବ ସେଥିପାଇଁ ବ୍ୟବସ୍ଥା ରହିବା ଦରକାର । କେବଳ ୟୁଏପିଏ ଓ ମନି ଲଣ୍ଡ୍ରିଂ ଆଇନ (ଇଡି) ପରି ଯେଉଁ କଳା ଆଇନଗୁଡିକ ସାଧାରଣ ମଣିଷକୁ ପ୍ରତାଡିତ କରିବାକୁ ଆମର ରାଷ୍ଟ୍ର ଓ ସରକାର ହାତରେ ଏକଚାଟିଆ କ୍ଷମତା ଦେଉଛି, ତାକୁ ହିଁ ବିରୋଧ କରାଯାଇପାରେ ।

Leave a Reply

Your email address will not be published. Required fields are marked *