USA – Israeli ବାପ ବେଟେ ଦୋନୋଁ ଜଳିଲ
ଆମେରିକା ଔର ଇସ୍ରାଏଲ :

ନୂଆଦିଲ୍ଲୀ :(ବିଜୟ ସାହୁ )-କିଛି ଦିନ ମହଲତ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ @realDonald Trump ସାଇଟରେ ପୋଷ୍ଟ କରିଛନ୍ତି -(କିଛି ମର୍ମାର୍ଥ ) ଆମେରିକା ଓ ଇରାନ ମଧ୍ୟରେ ଦୁଇ ଦିନ ମଧ୍ୟପ୍ରାଚ୍ୟରେ ଶତ୍ରୁତା ସମ୍ପର୍କରେ ସମ୍ପୂର୍ଣ୍ଣ ସଫଳ ଆଲୋଚନା ହେଇଥିଲା । ଏହି ଆଲୋଚନାକୁ ଆଧାର କରି ଏହି ଶତ୍ରୁତାର ସମ୍ପୂର୍ଣ୍ଣ ସମାଧାନ ଉପରେ ଆଲୋଚନା ହେବ ଓ ସେଥିପାଇଁ ସେ ଯୁଦ୍ଧ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି 5ଦିନ ପାଇଁ ଇରାନର ପାୱାରପ୍ଲାଣ୍ଟ ଓ ଅନ୍ୟାନ୍ୟ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ।
ଅନ୍ୟ ପକ୍ଷରେ ଇରାନ ସରକାରୀ ଭାବରେ ଘୋଷଣା କରିଛି ଏଭଳି କୌଣସି ଆଲୋଚନା ହେଇନାହିଁ କିମ୍ବା ଭବିଷ୍ୟତରେ ହେବାର ସମ୍ବାବନା ନାହିଁ । କୂଟନୈତିକ ମହଲ ଆଲୋଚନା କରୁଛନ୍ତି ଆଲୋଚନା ହେଇ ଥାଉ ବା ହେଇ ନଥାଉ ଏହା ଇରାନର ଏକ ବଡ଼ ଧରଣର ନୈତିକ ଵିଜୟ । କିନ୍ତୁ 5 ଦିନ ପରେ ଆମେରିକାର ପୁନର୍ବାର ବ୍ୟାପକ ପ୍ରସ୍ତୁତି ସହ ଆକ୍ରମଣ ସମ୍ଭାବନାକୁ ମଧ୍ୟ ଅସ୍ବୀକାର କରୁ ନାହାଁନ୍ତି । କାରଣ ରାଷ୍ଟ୍ରପତି ଟ୍ରମ୍ପ ନିଜର କୌଣସି ଘୋଷଣା ଉପରେ ସ୍ଥିର ରହି ନାହାନ୍ତି । ସମ୍ଭବତଃ ବିଶ୍ଵବ୍ୟାପୀ ଯୁଦ୍ଧ ବିରୋଧୀ ହାୱା ସୃଷ୍ଟି ହେବା ପରେ ଏପରି କି ଆମେରିକା ଭିତରେ ଯୁଦ୍ଧ ବିରୋଧୀ ଜନମତ ବୃଦ୍ଧି ପାଇବା ସାଙ୍ଗକୁ କଞ୍ଚା ତୈଳ ମୂଲ୍ୟ କ୍ରମାଗତ ବୃଦ୍ଧି ଓ ସେୟାର ବଜାର କ୍ରମାଗତ ନିମ୍ନଗାମୀ ହେବା କାରଣରୁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯୁଦ୍ଧ ବିରତି ଘୋଷଣା ପରେ ହଠାତ କଞ୍ଚା ତେଲ ବାରେଲ $100 ତଳକୁ ଖସି ଆସିଛି । କିନ୍ତୁ ଇରାନ ଆଲୋଚନାକୁ ଅସ୍ବୀକାର କରିବା ପରେ ପୁଣି ତୈଳ ଦର ବାରେଲ $100 ଉପରକୁ ଯାଇଛି । ଲେଖାଟି ପୋଷ୍ଟ ହେବା ପୂର୍ବରୁ କେତେ ହେଇଥିବ ତାହା ଆମେ ଆକଳନ କରି ପାରିବା ନାହିଁ ।
ପୁଞ୍ଜିବାଦୀ -ସାମ୍ରାଜ୍ୟବାଦୀ ଶକ୍ତି ମଧ୍ୟପ୍ରାଚ୍ୟ ଓ ବିଶେଷକରି କେନ୍ଦ୍ର ଏସିଆର ପ୍ରବେଶ ପଥ ଇରାନ ବିରୁଦ୍ଧରେ ଯୁଦ୍ଧ ନିମ୍ନୋକ୍ତ କାରଣ ଯୋଗୁଁ କରୁଛନ୍ତି –
1) ବିଶ୍ୱର ତୈଳ ଓ ପ୍ରାକୃତିକ ସମ୍ପଦ ଉପରେ ନିଜର ମାଲିକାନା ପ୍ରତିଷ୍ଠା କରିବା । କିନ୍ତୁ ଔପନିବେଶିକ ଶାସନର ଅନ୍ତଃ ଘଟିବା ପରେ ପୁରୁଣା ପଦ୍ଧତିରେ ଉପନିବେଶ ସୃଷ୍ଟି କରିବା ସମ୍ଭବ ନୁହେଁ ,ତେଣୁ ବିଭିନ୍ନ ଦେଶର ସାର୍ବଭୌମତ୍ୱ ଓ ଶାସନ ବ୍ୟବସ୍ଥାକୁ ଯୁଦ୍ଧ ମାଧ୍ୟମରେ ଧ୍ୱଂସ କରି ନିଜର ସଖୀ କଣ୍ଢେଇ ଶାସନ ବ୍ୟବସ୍ଥାଟିଏ ପ୍ରତିଷ୍ଠା କରିବା । ଅର୍ଥାତ ଠିକାଦାରୀ ବ୍ୟବସ୍ଥା । ତମ ଦେଶର ସବୁ ସମ୍ପଦ ଆମର ,ତମେ ଆମ ନିୟମରେ ଶାସନ କରିବା ପାଇଁ କିଛି ପାଉଣା ପାଇବ ଓ ଅବଶିଷ୍ଟ ଆମ ଟ୍ରେଜେରୀରେ ଜମା କରିଦେବ । ଏଥିରେ ଅନ୍ୟ କେହି ହସ୍ତକ୍ଷେପ କଲେ ଆମେ ସୁରକ୍ଷା Out Sourcing କରିବୁ ଓ ସେ ବାବଦରେ ତମେ ଖର୍ଚ୍ଚ ବହନ କରିବ ;
2) ଯୁଦ୍ଧାସ୍ତ୍ର ନିର୍ମାଣ ଓ ବିକ୍ରି ମାଧ୍ୟମରେ ପୁଞ୍ଜିବାଦୀ-ସାମ୍ରାଜ୍ୟ ବାଦୀ ଅର୍ଥନୈତିକ ସଂକଟକୁ କିଛି ପରିମାଣରେ ଜୀବନଦାନ କରିବା ।
3) ଭୌଗଳିକ ସୀମା ବୃଦ୍ଧି କରି ମଧ୍ୟପ୍ରାଚ୍ୟର କେବଳ ମାତ୍ର ଦେଶ ଭାବରେ ଇସ୍ରାଏଲ ଜିଓନିଷ୍ଟ ରାଷ୍ଟ୍ରର ଅସ୍ତିତ୍ବ ବଜାୟ ରଖିବା । ଏହି ମହାନ ଦାୟିତ୍ୱ ପାଳନ କରିବା ପାଇଁ ଇତିମଧ୍ୟରେ ଯେଉଁ କାର୍ଯ୍ୟଟି ଇସ୍ରାଏଲ ଜନ୍ମ ଲଗ୍ନରୁ ଏ ପର୍ଯ୍ୟନ୍ତ ଆମେରିକା ନେତୃତ୍ୱାଧୀନ ନାଟୋ ରାଷ୍ଟ୍ରମାନଙ୍କ ସକ୍ରିୟ ସହଯୋଗିତା ରେ ଯାହା କରିଛି ତାର ଚିତ୍ର ନିମ୍ନ ପ୍ରକାର –
30 ଲକ୍ଷ ଇରାନୀ, 20 ଲକ୍ଷ ଗାଜା ଓ 10 ଲକ୍ଷ ଲେବାନନ ବାସିନ୍ଦା ବାସଚ୍ୟୁତ ହେଇଛନ୍ତି । ପାଲେସ୍ତିନ ତାର ନିଜସ୍ୱ ଭୂମି ଖୋଜୁଛି ।

ଇରାନ ସରକାର ବିଭିନ୍ନ ତଥ୍ୟକୁ ସଂକଳନ କରି କହିଛି ଆମେରିକାର ମେରୀଲ୍ୟାଣ୍ଡ ରାଜ୍ୟର ଯେତେ ବାସଚ୍ୟୁତ ହେଇଥିଲେ ତାହା ସହ ସମାନ ।
ଏଠାରେ ଯେଉଁମାନେ ଯୁକ୍ତରାଷ୍ଟ୍ର ଗଠନର ଇତିହାସ ଭୁଲି ଯାଇଛନ୍ତି ସେମାନଙ୍କ ସ୍ମୃତି ଉଜାଗର କରିବା ପାଇଁ କୁହା ଯାଇ ପାରେ କି ମେରୀଲ୍ୟାଣ୍ଡ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ସପ୍ତମ ରାଜ୍ୟ ଯାହା 1788ରେ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନକୁ ଅନୁମୋଦନ କରି ଯୁକ୍ତରାଷ୍ଟ୍ର ଆମେରିକାର ରାଜ୍ୟ ସଂଘରେ ସାମିଲ ହେଇଥିଲା । ଆମେରିକାର ସ୍ୱାଧୀନତା ସଂଗ୍ରାମ ରେ ମେରୀଲ୍ୟାଣ୍ଡର ଜନତା ଗୌରବୋଜ୍ଵଳ ଭୂମିକା ଗ୍ରହଣ କରିଥିଲେ ।

ବର୍ତ୍ତମାନ ଇରାନ ପ୍ରସଙ୍ଗ ଉପରକୁ ଆସିବା ।
26 ଫେବୃଆରୀରେ ହଠାତ ଇସ୍ରାଏଲ ଓ ଆମେରିକା ଇରାନର ସର୍ବୋଚ୍ଚଶାସକ,ନିରାପତ୍ତା ବାହିନୀ ,ଆଣବିକ ପ୍ରକଳ୍ପ ଓ କ୍ଷେପଣାସ୍ତ୍ର ସ୍ଥଳଗୁଡିକୁ ଟାର୍ଗେଟ କଲେ । ଘୋଷଣା କଲେ ଇରାନର ଶାସନ ପରିବର୍ତ୍ତନ ଓ ଆଣବିକ ପ୍ରକଳ୍ପ ଜନିତ ଉଦ୍ବେଗକୁ ସମାଧାନ କରି ଫେରି ଆସିବୁ । ଏହି କ୍ରମାଗତ ଆକ୍ରମଣରେ କେବଳ ଆୟାତୋଲ୍ଲା ଖୋମେନେଇଙ୍କୁ ହତ୍ୟା କଲେ ନାହିଁ,ପ୍ରାୟ  2400 ପର୍ଯ୍ୟନ୍ତ  ସାମରିକ ଓ ସାଧାରଣ ନାଗରିକ ହତ୍ୟା ହେଲେ । ଏମାନଙ୍କ ମଧ୍ୟରେ ପ୍ରାୟ ଏକ ତୃତୀୟାଂଶ ଶିଶୁ, ମହିଳା, ବୈଜ୍ଞାନିକ, ବିଜ୍ଞାନଗାରର ଗବେଷକ , ହସ୍ପିଟାଲ ରୋଗୀ ଇତ୍ୟାଦି ଅନ୍ତର୍ଭୁକ୍ତ ଯାହାର ତଥ୍ୟ ସମସ୍ତେ ଜାଣନ୍ତି ଓ ଆମେରିକା ମିଡ଼ିଆ ମଧ୍ୟ ଉଲ୍ଲେଖ କରିଛି ।

ଇରାନ ଏସବୁ ଦେଖି ହାତବାନ୍ଧି ଜୁହାର ହେବା ଦେଶ ନୁହେଁ । ଆର୍ଯ୍ୟ ଭୂଇଁ ଭାବରେ ସେମାନେ ଗର୍ଵ ଅନୁଭବ କରନ୍ତି ( Early Indians  ଦ୍ରଷ୍ଟବ୍ୟ )। ଯଦିଓ ଷଷ୍ଠ ଶତାବ୍ଦୀରେ ଇସଲାମ ଧର୍ମ ଆସିବା ପରେ ଏହାକୁ ଗ୍ରହଣ କରିଥିଲେ ।ଧର୍ମ ଓ ସଂସ୍କୃତି ସମ୍ପୂର୍ଣ୍ଣ ଅଲଗା । ତେଣୁ ସେମାନେ କେମିତି ନିଜର ପାରସ୍ୟ ସଂସ୍କୃତି ଉପରେ ନିରନ୍ତର ଆକ୍ରମଣକୁ ବରଦାସ୍ତ କରିଥାନ୍ତେ । ତେଣୁ ଜବାବୀ କ୍ଷେପଣାସ୍ତ୍ର ମାଡ଼ କଲେ । ଇସ୍ରାଏଲ ଓ ଆମେରିକାର ସାମରିକ ଘାଟି ଓ ଆରବ ରାଜ୍ୟଗୁଡିକର ବେସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସମସ୍ତ ତଥାକଥିତ ବେସାମରିକ ପ୍ରତିଷ୍ଠାନଗୁଡିକରେ ଆମେରିକା ସେନା ଆରାମ ଆୟାସରେ ପେଟ୍ରୋଡଲାର ବର୍ଗଙ୍କ ସୁରକ୍ଷା ଦେବା ପାଇଁ ରହୁଥିଲେ । ସୁତରାଂ ଆକ୍ରମଣ ଓ ପ୍ରତି ଆକ୍ରମଣ ଯୋଗୁଁ ସାମଗ୍ରିକ ଯୁଦ୍ଧ ରୂପ ନେଇ ସମଗ୍ର ମଧ୍ୟପ୍ରାଚ୍ୟ ତ୍ରାହି ତ୍ରାହି ହେଉଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାତିସଂଘ ସନନ୍ଦ ଅନୁଛେଦ 2(4) ଅନୁଯାୟୀ କୌଣସି ରାଷ୍ଟ୍ରର ଆଞ୍ଚଳିକ ଅଖଣ୍ଡତା ଓ ରାଜନୈତିକ ସ୍ୱାଧୀନତା ପ୍ରତି ଧମକ ଅଥବା ଶକ୍ତି ପ୍ରୟୋଗ ନିଷେଧ କରା ଯାଇଛି । କେବଳ ନିରାପତ୍ତା ପରିଷଦ ସଶସ୍ତ୍ର ଆକ୍ରମଣକୁ ରୋକିବା ପାଇଁ ବିଶେଷ ବ୍ୟତିକ୍ରମ ବ୍ୟବସ୍ଥା ରହିଛି ଓ ବିଶେଷ କ୍ଷେତ୍ରରେ ଆତ୍ମରକ୍ଷା ପାଇଁ ସ୍ୱୀକୃତି ପ୍ରଦାନ କରିଥାଏ ।  ଏହା ଚାପ୍ଟର (7) ର ଅନୁଛେଦ 51 ରେ ଉଲ୍ଲେଖ ରହିଛି । କିନ୍ତୁ ଏଥର ଜାତିସଂଘର ସ୍ୱୀକୃତି ବିନା ସେକ୍ରେଟାରୀ ଜେନେରାଲ ଆଣ୍ଟନିଓ ଗୁଟେରାସ ଜାତିସଂଘ ନିରାପତ୍ତା ପରିଷଦର ଅନୁଛେଦ 51କୁ ଏଡେଇ ଗଲେ । ଜାତିସଂଘ ରେ ଭାଷଣ ଦେଇ  ଗୋଟିଏ ପଟେ କହିଲେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ର ଆକ୍ରମଣକୁ Blatant act of aggression , Illegal violation of Charter  ଓ ଅନ୍ୟପଟେ ଇରାନର ଆତ୍ମରକ୍ଷା ମୂଳକ ପଦକ୍ଷେପକୁ ମଧ୍ୟ ନିନ୍ଦା କଲେ ।
ବୋଧେ ସେକ୍ରେଟାରୀ ଜେନେରାଲ ଇରାନର ଧ୍ୱଂସ ସ୍ତୁପ ଉପରେ ପୌରହିତ୍ୟି କରିବାକୁ ଚାହୁଁଛନ୍ତି ।ବସ୍ତୁତଃ ଜାତିସଂଘ ନିଜର ଅସ୍ତିତ୍ବକୁ
ହରେଇ ଦେଇଛି ଓ ଯୁଦ୍ଧଖୋର ଆମେରିକାର ରବର ଷ୍ଟାମ୍ପ ହେଇ ଯାଇଛି ।
କିନ୍ତୁ ଇରାନ ନିଜର ମାନବିକତାର ପ୍ରମାଣ ଦେଇ ମଧ୍ୟପ୍ରାଚ୍ୟ ଦେଶଗୁଡିକର ନାଗରିକମାନେ ଆମେରିକା ଘାଟି ଉପରେ ଆକ୍ରମଣ ଯୋଗ୍ୟ ଯେଉଁ ଅସୁବିଧା ଭୋଗୁଛନ୍ତି ସେଥିପାଇଁ କ୍ଷମା ପ୍ରାର୍ଥନା କରିଛି ।
ଏବଂ ଏକଥା ମଧ୍ୟ କହିଛି ସେମାନଙ୍କ ଘାଟିରୁ ଇରାନ ଉପରେ ଆକ୍ରମଣ ନ
ହେଲେ ଇରାନ ମଧ୍ୟ ଆକ୍ରମଣ କରିବ ନାହିଁ । ପ୍ରତ୍ୟେକ ଆକ୍ରମଣ ଏପରି କି ଇସ୍ରାଏଲ ଉପରେ ଆକ୍ରମଣ ପୂର୍ବରୁ ନାଗରିକଙ୍କୁ ସୂଚନା ଦେଉଛି ।
8 ମାସ ବ୍ୟବଧାନ ମଧ୍ୟରେ କୂଟନୈତିକ ଆଲୋଚନା ଚାଲିଥିବା ବେଳେ ଏହା ଥିଲା ଦ୍ଵିତୀୟ ଆକ୍ରମଣ । ପୂର୍ଵଥର ଜୁନ 25 ତାରିଖରେ ଆମେରିକା ଓ ଇସ୍ରାଏଲ ଇରାନର ସାମରିକ ପ୍ରତିଷ୍ଠାନ ଓ ଆଣବିକ ଶକ୍ତି ପ୍ରକଳ୍ପ ଉପରେ 12 ଦିନ ଆକ୍ରମଣ କରିଥିଲେ। ଏଥର ଆକ୍ରମଣ ପୂର୍ବରୁ ଆଲୋଚନା ଶେଷ ଅବସ୍ଥାରେ ପହଞ୍ଚି ଥିଲା ଓ ଇରାନ ପ୍ରତିଶ୍ରୁତି ଦେଇଥିଲା ପରମାଣୁ ଅସ୍ତ୍ର ଶସ୍ତ୍ର ନିର୍ମାଣ କରିବ ନାହିଁ । ଠିକ ସେଇ ସମୟରେ ତଥାକଥିତ ପ୍ରତିରୋଧ ମୂଳକ ଯୁଦ୍ଧ ଆରମ୍ଭ କରିଦେଲା । ତେଣୁ ଦ୍ୱିପାକ୍ଷିକ ଆଲୋଚନା କେବଳ ଇରାନକୁ ଭଣ୍ଡେଇବା ପାଇଁ ଥିଲା । ମୂଳ ଲକ୍ଷ୍ୟ ହେଉଛି ଇରାନ କୁ ନତମସ୍ତକ କରି ନିଜର ଶାସନ ପ୍ରତିଷ୍ଠା କରିବା ।

ଇରାନ ଉପରେ ନିରନ୍ତର ଏହି ଆକ୍ରମଣର ଉଦେଶ୍ୟ କଣ ?
ପ୍ରଥମେ ଇରାକ ଉପରେ ମିଥ୍ୟା ଅଭିଯୋଗ ଆଣି ଧ୍ୱଂସ କରିବା ପରେ ଇରାନକୁ ଏକ Rogue State ବୋଲି ଘୋଷଣା କରୁଛନ୍ତି ଓ Axix of Evils ର ଅଂଶୀଦାର ରାଷ୍ଟ୍ର ଭାବରେ ବର୍ଣ୍ଣନା କରିଛନ୍ତି । ଅନ୍ୟ ଦୁଇଟି ରାଷ୍ଟ୍ର ହେଲେ ସମାଜବାଦୀ କ୍ୟୁବା ଓ ଉତ୍ତର କୋରିଆ । ଜାତିସଂଘର ଅନୈତିକ ଅନୁମୋଦନ ମାଧ୍ୟମରେ ସାମ୍ରାଜ୍ୟବାଦୀ ଆମେରିକା ଇରାନ ଉପରେ କଠୋର ଅର୍ଥନୈତିକ ବାସନ୍ଦ ଲାଗୁ କରିଛି ।ଏହା ପରେ ଇରାନ ଚାରିପାଖରେ ସାମରିକ ଘେରାବନ୍ଦୀ କରିଛି । ତାପରେ ସେଇ ମିଥ୍ୟା ପ୍ରଚାର – ଇରାନ ରୁଷିଆ, ଚୀନ ସହାୟତାରେ ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ନିର୍ମାଣ କରୁଛି । ଏହା ପଶ୍ଚିମ ଏସିଆରେ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି ।
ଏଥର ଆକ୍ରମଣ ବେଳେ ରାଷ୍ଟ୍ରପତି ଟ୍ରମ୍ପ ବାରମ୍ବାର ମିଡ଼ିଆ ନିକଟରେ ଘୋଷଣା କଲେ ,” heavy and pinpoint bombing ,
however ,will continue uniteruppted throughout the week or as long as necessary to achieve our objective of peace through out the middle east and indeed, the world” . ପୁଣି କହିଲେ, “all he wants,is freedom of people “.

କି ବିଡମ୍ବନା !
ପୂର୍ବରୁ ଉଲ୍ଲେଖ କରିଛି ଅର୍ଥନୀତିର ସାମରିକୀକରଣ କରି ପୁଞ୍ଜିବାଦୀ ଅର୍ଥନୀତିର ସଙ୍କଟକୁ ସାମୟିକ ଭାବରେ ମୁକ୍ତ କରିବା । ତେଣୁ କେବଳ ଆମେରିକା ନୁହେଁ, ସମସ୍ତ ଛୋଟବଡ଼ ସାମ୍ରାଜ୍ୟବାଦୀ ଶକ୍ତି ନିଜର ସାମରିକ ଶକ୍ତି ବୃଦ୍ଧି ମଧ୍ୟମରେ ଅର୍ଥନୀତିକୁ ସାମରିକକୁ କରିବା ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ପୁଣି ଏହାକୁ ବ୍ୟବହାର କରିବା ପାଇଁ ଇରାନ ଓ ଅନ୍ୟାନ୍ୟ ପଶ୍ଚିମ ଏସିଆ ଦେଶଗୁଡିକ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି । ଏହି ଯୁଦ୍ଧ ଉନ୍ମାଦନାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆମେରିକା ଡଲାର ।ପ୍ରତ୍ୟେକ ତୈଳ ଆମଦାନୀ ଦେଶପାଇଁ ଡଲାର ଆବଶ୍ୟକ । ସେଇ କାରଣରୁ ଏହି ସମସ୍ତ ଆମଦାନକାରୀ ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଆମେରିକା ଡଲାର ଗଚ୍ଛିତ କରିଥାନ୍ତି । ଯେତେ ଅଧିକ ଡଲାର ମାଧ୍ୟମରେ କାରବାର ହେବ ଅଥବା ଆମେରିକା ସଂସ୍ଥାରେ ପୁଞ୍ଜି ଲଗାଣ ହେବ ଆମେରିକା ସେତେ ଡଲାର ଛାପି ନିଜର ସାମରିକ ଅର୍ଥନୀତିକୁ ସମୃଦ୍ଧ କରିବ । ଅନ୍ୟ ପକ୍ଷରେ ନିଜର ୠଣ ପରିଶୋଧ କରିବା ପାଇଁ ଅଥବା ନିଜର ଆମଦାନୀ ଵସ୍ତୁ ପାଇଁ କାଗଜ ଓ ଜର୍ଜ ୱାଶିଙ୍ଗଟନଙ୍କ ମୁଣ୍ଡ ଚିହ୍ନ କେବଳ ପ୍ରସ୍ତୁତ ରହିବା ଦରକାର । ଏହା ଏକ ବିଚିତ୍ର ଡଲାର ଜାଲ । 
କିଛି ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଡଲାର ପରିବର୍ତ୍ତେ ଇରୋ ଓ ଅନ୍ୟାନ୍ୟ ମୁଦ୍ରା ମୁହାଁ ହେବାରୁ ଡଲାର ଟିକିଏ ଅଡ଼ୁଆରେ ପଡିଲା ।
ଇରାକ ଉପରେ ଆକ୍ରମଣ ପୂର୍ବରୁ  ନିଜର ମୁଦ୍ରା ପ୍ରଚଳନ କରିବା ପାଇଁ ଚାହୁଁଥିଲା । କିନ୍ତୁ ଇରାନ ଯେତେବେଳେ 2006 ମସିହାରେ ନିଜର BuyBack ବ୍ୟବସ୍ଥା ମାଧ୍ୟମରେ ନିଜର ତୈଳ ଓ ଅନ୍ୟାନ୍ୟ ଉର୍ଜା ରାଜସ୍ୱ କ୍ଷେତ୍ରରେ ଡଲାର ନିର୍ଭରଶୀଳତା ଉପରୁ ନିଜକୁ ମୁକ୍ତ କରିବାକୁ ଚାହିଁଲା ସେତେବେଳେ ଆମେରିକା ସମ୍ପୂର୍ଣ୍ଣ ଅର୍ଥନୈତିକ ବାସନ୍ଦ ଘୋଷଣା କଲା ।
ଏହା ସତ୍ତ୍ୱେ ଇରାନ ନିଜର ପରିସ୍ଥିତି କୁ ସମ୍ଭାଳି ନେଇଥିଲା । ସେତେବେଳେ ଭାରତ ମଧ୍ୟ ଟଙ୍କା ବିନିମୟରେ ଇରାନରୁ ଶସ୍ତା ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା କରି ପାରୁଥିଲା ।

ଏଠାରେ ଗୋଟିଏ କଥା ଉଲ୍ଲେଖ କରିବାକୁ ଚାହୁଁଛି । ମହାନ ମାର୍କ୍ସ ବାଦୀ ଦାର୍ଶନିକ କମ୍ରେଡ଼ ଶିବଦାସ ଘୋଷ ପ୍ରାୟ ଛଅ ଦଶନ୍ଧି ତଳେ ତାଙ୍କର ଐତିହାସିକ ଦସ୍ତାବିଜ (SW Vol 2 ) ରେ ଉଲ୍ଲେଖ କରିଥିଲେ ଅର୍ଥନୀତିର ସାମରୀକିକରଣ ଦ୍ଵାରା ଅସ୍ତ୍ରଶସ୍ତ୍ର ମହଜୁଦ ପ୍ରତିଦ୍ବନ୍ଦିତା ଓ ଶେଷରେ ଏହାକୁ ଖାଲି କରିବା ପାଇଁ ଯୁଦ୍ଧ ।ଆମେରିକା ସାମ୍ରାଜ୍ୟବାଦୀ ନେତୃତ୍ୱରେ ଆଧୁନିକ ଯୁଦ୍ଧ ନୀତିର ତିନୋଟି ମୁଖ୍ୟ ଉଦେଶ୍ୟ ରହିଛି –
1- ପୁରୁଣା ଅସ୍ତ୍ର ଗୋଦାମ ଖାଲି
2- ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ପ୍ରଦର୍ଶନ ;
3-ବିଦେଶୀ ରାଷ୍ଟ୍ରକୁ ସାମରିକ ଶକ୍ତି ଭୟ ଦେଖେଇ ନିଜର ଅଧିନସ୍ଥ କରିବା ।
ତେଣୁ ଆମେ ଲକ୍ଷ୍ୟ କରୁଛେ ଆଞ୍ଚଳିକ ସ୍ତରରେ ହେଉ ,ଆଂଶିକ ଭାବରେ ହେଉ ଅଥବା ବ୍ୟାପକ ସ୍ତରରେ ହେଉ ଯୁଦ୍ଧ ପରିସ୍ଥିତି ନିରନ୍ତର ଲାଗି ରହିଛି ।ସିରିଆ ପରେ ଆମେ ୟୁକ୍ରେନ,ପାଲେସ୍ତିନ ଓ ୟେମେନ ଯୁଦ୍ଧ ଦେଖିଲେ । ବର୍ତ୍ତମାନର ଇରାନ ଉପରେ ବୀଭତ୍ସ ଆକ୍ରମଣ ସେଇ ଯୁଦ୍ଧ ନୀତିର ଆଉ ଏକ କଡ଼ି । ଏହାକୁ ସାମଗ୍ରିକ ବିଶ୍ଵ ଦୃଷ୍ଟିଭଙ୍ଗୀ ରେ ବିଚାର ନକଲେ ଇରାନ ଘଟଣା ଟି ଠିକ ବୁଝି ପାରିବା ନାହିଁ ।ସମସ୍ତେ କହିବେ କାହିଁକି ଏ ଯୁଦ୍ଧ ? ଆମେରିକା କାହିଁକି ଯୁଦ୍ଧ କରୁଛି ? ଇସ୍ରାଏଲ କାହିଁକି ଆମେରିକାକୁ ଯୁଦ୍ଧ କ୍ଷେତ୍ରକୁ ଟାଣି ଆଣୁଛି ?
ଏକଥା ଇରାନ ଠିକ ବୁଝି ପାରିଛି । ପାଲେସ୍ତିନ ସ୍ୱାଧୀନ ରାଷ୍ଟ୍ର ବିଷୟଟି ସମାଧାନ ନ ହେବା ପର୍ଯ୍ୟନ୍ତ ଯୁଦ୍ଧ ବିରାମର କୌଣସି ମୂଲ୍ୟ ନାହିଁ । ଇରାନ ଏହି ଯୁଦ୍ଧ ନିଜ ପାଇଁ କେବଳ ଲଢ଼ୁନାହିଁ । ସେମାନେ ଲଢ଼ୁଛନ୍ତି ସାମଗ୍ରିକ ଭାବରେ ମଧ୍ୟପ୍ରାଚ୍ୟ , କେନ୍ଦ୍ର ଏସିଆ ଓ ପୂର୍ଵ ଏସିଆ ଦେଶମାନଙ୍କ ଅର୍ଥନୈତିକ ଓ ରାଜନୈତିକ ସମ୍ପୃଭତା ପାଇଁ । ଏପରି କି ଏହି ଯୁଦ୍ଧର ଫଳାଫଳ ସହ ଆମେରିକା ,ଲାଟିନ ଆମେରିକା, ଆଫ୍ରିକୀୟ ଦେଶମାନଙ୍କ ନିଜ ପ୍ରାକୃତିକ ସମ୍ପଦ ଉପରେ ନିଜର ଅଧିକାର ପ୍ରଶ୍ନ ଅଙ୍ଗାଙ୍ଗୀ ଭାବରେ ଜଡିତ ।
ଶଶୀ ଥରୁର ଭଳି ବିଦ୍ୱାନମାନଙ୍କ  ତଥାକଥିତ ସମଦୂରତ୍ୱ ଓ ଡୋମେଷ୍ଟିକ ଆବଶ୍ୟକତା ନୀତି ଆମକୁ ମଧ୍ୟ ସୁରକ୍ଷିତ ରଖିବ ନାହିଁ ।
ବର୍ତ୍ତମାନର ବୈଶିକ ଅର୍ଥନୀତିରେ
ଗୋଟିଏ ସ୍ଥାନରେ ନିଆଁ ଅନ୍ୟ ଦେଶକୁ ମଧ୍ୟ ଜଙ୍ଗଲୀ ନିଆଁ ଭଳି ଵିସ୍ତାରିତ ହେବ ।
ତେଣୁ ଇରାନବାସୀଙ୍କ ପଛରେ ଆମକୁ କାୟ ମନୋବାକ୍ୟରେ ଠିଆ ହେବାକୁ ପଡ଼ିବ । ଅନ୍ତତଃ ଶିଶୁମାନଙ୍କ ମା କୋଳରେ ସଂହାର ଚିତ୍ର ଗୁଡିକୁ ଦେଖି ।।
ସମୟ ଆମକୁ ମାନବତା ବନାମ ବର୍ବରତା ପ୍ରଶ୍ନର ଉତ୍ତର ଦେବାକୁ ଆହ୍ୱାନ କରୁଛି ।

Leave a Reply

Your email address will not be published. Required fields are marked *