Mahabharata ଦ୍ରୌପଦୀଙ୍କ ପ୍ରଶ୍ନ ଓ ବସ୍ତ୍ରହରଣ ପ୍ରସଙ୍ଗ

ସମ୍ବଲପୁର:(ଡ. ଦିଲୀପ କୁମାର ପଣ୍ଡା)-ବସ୍ତ୍ରହରଣ ସମୟରେ ଦ୍ରୌପଦୀ ଏକ ଅସହାୟ ନାରୀ ଭଳି କାନ୍ଦି ନାହାନ୍ତି। ସେ ଏକ ତୀକ୍ଷ୍ଣ ପ୍ରଶ୍ନର ଶର ଛାଡିଥିଲେ ଯାହା ଆଜି ପର୍ଯ୍ୟନ୍ତ ଅନୁତ୍ତରିତ ରହିଛି।
ପ୍ରଶ୍ନ ୧) “ଯୁଧିଷ୍ଠିର ନିଜେ ନିଜକୁ ହାରି ସାରିଲା ପରେ ମୋତେ ବାଜି ଲଗେଇ ପାରିବେ କି?”
ଏ ପ୍ରଶ୍ନ ଭିତରେ ଲୁଚି ରହିଛି ଏକ ଗଭୀର ନ୍ୟାୟଶାସ୍ତ୍ର….
  ଯଦି ଯୁଧିଷ୍ଠିର ପ୍ରଥମ ବାଜିରେ ନିଜର ସ୍ଵାଧୀନତା ହାରି ସାରିଛନ୍ତି, ତାହେଲେ ସେ ଆଉ ମୋ ସ୍ବାମୀ ନୁହନ୍ତି। ଜଣେ ଦାସ ଅନ୍ୟ ଜଣଙ୍କୁ ବାଜି ଲଗେଇ ପାରିବ ନାହିଁ। ତେଣୁ ମୁଁ ଦାସୀ ହୋଇ ନାହିଁ।
ଏ ପ୍ରଶ୍ନ ଆଇନ୍, ନ୍ୟାୟ ଓ ଧର୍ମ — ତିନୋଟି ସ୍ତରରେ ଏକସଙ୍ଗେ ଆଘାତ କଲା।
ପ୍ରଶ୍ନ ୨) “ଏ ସଭାର ବୃଦ୍ଧ ଜ୍ଞାନୀମାନେ ଏ ଅଧର୍ମ ଦେଖି ମୌନ ଅଛନ୍ତି କାହିଁକି?”
    ଏ ପ୍ରଶ୍ନ ହେଉଛି ସାଂସ୍ଥାନିକ ଅଧର୍ମ ଉପରେ ଏକ ଶକ୍ତ ଆଘାତ
ଅର୍ଥାତ୍…. ଧର୍ମ ଯଦି କେବଳ ମାତ୍ର ବ୍ୟକ୍ତିଗତ ଆଚରଣ ନୁହେଁ, ସମାଜ ଓ ସଭ୍ୟତାର ରକ୍ଷାକବଚ, ତା’ହେଲେ ଯେଉଁ ଜ୍ଞାନୀ ଧର୍ମ ଜାଣନ୍ତି ଓ ଅଧର୍ମ ଦେଖି ଚୁପ୍ ରୁହନ୍ତି — ସେ ଧର୍ମରକ୍ଷା କରୁଛନ୍ତି ନା ନଷ୍ଟ କରୁଛନ୍ତି?
    ଦ୍ରୌପଦୀ ଏଇଠି Complicity ର ପ୍ରଶ୍ନ ଉଠେଇଲେ –ଯାହା ଆଧୁନିକ ନ୍ୟାୟଶାସ୍ତ୍ରରେ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ। ସାମ୍ପ୍ରତିକ ପରିପ୍ରେକ୍ଷୀରେ ସବୁ ବୁଦ୍ଧିଜୀବି ନିଜକୁ ଏହି ପ୍ରଶ୍ନ ପଚାରି ଦର୍ପଣରେ ନିଜର ପ୍ରତିଛବି ଦେଖିବା ଉଚିତ୍। ସବୁ କଥାରେ ମାଙ୍କଡଙ୍କ ପରି ଟ୍ରମ୍ପ ବା ଅନ୍ଧଭକ୍ତି ନ ଖୋଜି ନିଜକୁ ଟିକେ ପରଖି ନେବା ଉଚିତ୍।
ପ୍ରଶ୍ନ ୩) ” ଧର୍ମ ଓ ସ୍ତ୍ରୀ ମର୍ଯ୍ୟାଦା — ଏ ଦୁଇ ମଧ୍ୟରୁ ଏ ସଭା କଣ ବାଛୁଛି?”
  ଏହା ହେଉଛି ଅଗ୍ନିବାଣ ତୁଲ୍ୟ ପ୍ରଶ୍ନ। ଦ୍ରୌପଦୀ ପ୍ରଶ୍ନ କଲେ:
    ଯେଉଁ ଧର୍ମ ଏକ ନାରୀର ଶରୀର ଓ ଆତ୍ମସମ୍ମାନ ରକ୍ଷା କରିପାରୁ ନାହିଁ, ସେ ଧର୍ମ ଆଦୌ ଧର୍ମ ନା ଏକ ପୁରୁଷ-ରଚିତ ବ୍ୟବସ୍ଥା ?? ଏ ପ୍ରଶ୍ନ ଆଜିର ଦିନରେ ବି ପ୍ରାସଙ୍ଗିକତା ରଖେ କାରଣ ଏଯାଏଁ ନାରୀକୁ ସମାଜ ଓ ରାଷ୍ଟ୍ର ସମ୍ମାନ ଦେଇ ଶିଖି ନାହାନ୍ତି।
ଭୀଷ୍ମଙ୍କ ଉତ୍ତର ଥିଲା ମହାଭାରତର ସବୁଠାରୁ ଅଦ୍ଭୁତ ଉତ୍ତର। ସେ ପ୍ରଶ୍ନକୁ ଏଡେଇ ଯାଇ ନାହାନ୍ତି, ବରଂ ସ୍ବୀକାର କଲେ ଯେ:
     ” ଧର୍ମ ନିଖୁଣ/ଅତିସୂକ୍ଷ୍ମ (Subtle)। ଶ୍ରେଷ୍ଠ ଜ୍ଞାନୀ ମଧ୍ୟ ଏ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ନାହିଁ।”
ଭୀଷ୍ମ କଣ ଉତ୍ତର ଦେଲେ ନାହିଁ?
ସେ ଦ୍ରୌପଦୀ ଦାସୀ ହୋଇଛନ୍ତି ବୋଲି ସ୍ଥିର ଉତ୍ତର ଦେଲେ ନାହିଁ। ଏ
ନୀରବତା ଦୁଇ ପ୍ରକାର ଅର୍ଥ ରଖେ:
ପ୍ରଥମ ବ୍ୟାଖ୍ୟା ହେଉଛି ଭୀଷ୍ମ ଜାଣନ୍ତି ଯେ ଦ୍ରୌପଦୀ ଠିକ୍
ଦ୍ରୌପଦୀଙ୍କ ଆଇନ୍-ଯୁକ୍ତି ଭୀଷ୍ମ ଖଣ୍ଡନ କରି ପାରୁ ନଥିଲେ।
ଯୁଧିଷ୍ଠିର ନିଜେ ହାରିବା ପରେ ତାଂକୁ ବାଜି ଲଗେଇ ନଥିଲେ –ଏ ଯୁକ୍ତି ଗ୍ରହଣୀୟ।
ଦ୍ଵିତୀୟ ବ୍ୟାଖ୍ୟା ଅନୁସାରେ ଭୀଷ୍ମ ବ୍ୟବସ୍ଥାର ବନ୍ଦୀ
ସ୍ବୀକାର କଲେ ଦ୍ୟୁତ ଅଗ୍ରାହ୍ୟ, ତାହେଲେ ଗୋଟିଏ ସ୍ଵିକା ରୋକ୍ତି ଗୋଟିଏ ଯୁଦ୍ଧ ଆରଂଭ କରାଇ ଦେଇ ପାରନ୍ତା। ଭୀଷ୍ମ ସଂଘର୍ଷ ଏଡାଇ ନୀରବ ରହିଲେ।
ଭୀଷ୍ମଙ୍କ ନିରବତାର ଅନ୍ତର୍ଦ୍ୱନ୍ଦ…
ପରବର୍ତ୍ତୀ ସମୟରେ ଭୀଷ୍ମ ଶରଶଯ୍ୟାରେ ଯୁଧିଷ୍ଠିରଙ୍କୁ କହିଲେ….” ଅନ୍ନ ଦ୍ୱାରା ପ୍ରଭାବିତ ମୋ ବୁଦ୍ଧି ଅଶୁଦ୍ଧ ହୋଇଗଲା। ଅର୍ଥ ଜ୍ଞାନକୁ ଆଚ୍ଛନ୍ନ କରିଦେଲା।”
ଏ ଏକ ଅଭୂତପୂର୍ବ ଆତ୍ମ-ନିଦାନ। ଭୀଷ୍ମ ଏଠାରେ ଯାହା ସ୍ବୀକାର କଲେ ତାହା ହେଲା — ଧର୍ମଜ୍ଞାନ ଥାଇ ମଧ୍ୟ ଧର୍ମ ଆଚରଣ ଭିନ୍ନ। ଆଚରଣ ଦାବି କରେ ଆର୍ଥିକ ଓ ସାଂସ୍ଥାନିକ ସ୍ଵାଧୀନତା।
ଦ୍ରୌପଦୀ — ଭୀଷ୍ମ ଧର୍ମ ସଂଘର୍ଷ ଆଜିର ସଂସ୍ଥା, ସରକାର, ଓ ସମାଜ ପ୍ରତ୍ୟେକ ସ୍ତରରେ ଦୃଶ୍ୟମାନ।
ଯଦି ଜଣେ ଜ୍ଞାନୀ ବ୍ୟକ୍ତି ଅଧର୍ମ ଦେଖି ସଂସ୍ଥାଗତ ଆନୁଗତ୍ୟ ହେତୁ ନୀରବ ରୁହନ୍ତି — ସେ ଭୀଷ୍ମ।
ଯଦି ଜଣେ ଅସହାୟ ନ୍ୟାୟ ଦାବିରୁ ଓହରି ନଯାଇ ଜ୍ଞାନ ଓ ଶକ୍ତି ଥିବା ଲୋକଙ୍କୁ ଜବାବଦାୟୀ କରନ୍ତି, ତେବେ ସେ ଦ୍ରୌପଦୀ।
ଦ୍ରୌପଦୀ ମହାଭାରତର Moral Compass
ଭୀଷ୍ମ ହେଲେ Institutional Conscience
ଯିଏ ଜାଣନ୍ତି କଣ ଠିକ୍, କିନ୍ତୁ ବ୍ୟବସ୍ଥାର ଭାର ତଳେ ଦବି ଯାଆନ୍ତି।
ବ୍ୟାସଦେବ ଏଇ ଦୁଇ ଚରିତ୍ର ମାଧ୍ୟମରେ ଆମକୁ ଏକ ଅନ୍ତହୀନ ଚିର-ପ୍ରଶ୍ନ ଦେଇଗଲେ —
   ” ଧର୍ମ ଜ୍ଞାନ ଏବଂ ଧର୍ମ ସାହସ – ଏଇ ଦୁଇଟା ଏକ ନୁହେଁ। ସଂସ୍ଥା ଓ ଅଭ୍ୟାସ ଆମ ଦୃଷ୍ଟିକୁ ଆଚ୍ଛାଦିତ କରି ଦେଇପାରେ। ଏ ଆଚ୍ଛାଦନ ଭେଦ କରି ଉଠିଆସେ ଦ୍ରୌପଦୀ –ଯିଏ ନିଜକୁ ହଜାଇ ଦେବାକୁ ଭୟ କରେ ନାହିଁ, ସେ ଜ୍ଞାନୀ ଅଟେ।”

Leave a Reply

Your email address will not be published. Required fields are marked *