ହରିୟାଣା ନିର୍ବାଚନ ଫଳାଫଳ ପରେ ଧର୍ମେନ୍ଦ୍ରଙ୍କୁ ଅପାରଗ ବୋଲି ପ୍ରମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି…ପଣ୍ଡା, ସାମଲ, ଷଡଙ୍ଗୀ ଗୋଷ୍ଠୀ…..ମୁରୁକି ହସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନ କେନ୍ଦ୍ରାପଡ଼ା ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଦଳୀୟ ନିର୍ବାଚନ ପ୍ରଭାରୀ ଭାବେ ଉତ୍ତର ପ୍ରଦେଶରେ ନିଯୁକ୍ତ ହୋଇଥିଲା। ଏହା ପୂର୍ବରୁ ଜେପି ନଡ୍ଡା ଏବଂ ଅମିତ ଶାହା ଏହି ଦାୟିତ୍ୱରେ ରହିଥିଲେ। ତେଣୁ ଶ୍ରୀ ପଣ୍ଡାଙ୍କ ଗୁରୁତ୍ୱ ବଢିଲା ବୋଲି ତାଙ୍କ ଟିଭି ଚ୍ୟାନେଲ ଏବଂ ସମର୍ଥକ ମାନେ କହି ବୋଲିଲେ। ଆଗାମୀ ଦିନରେ ଅନ୍ୟମାନଙ୍କ ଅପେକ୍ଷା ତାଙ୍କ ଗୁରୁତ୍ୱ ବଢିବ ବୋଲି ଏକ ଧାରଣା କରାଗଲା। ଏମିତି କି ସେ ମନ୍ତ୍ରୀମଣ୍ଡଳରେ ବୈଦେଶିକ ବ୍ୟାପାରର ରାଷ୍ଟ୍ରମନ୍ତ୍ରୀ ହେବେ ବୋଲି କୁହାଗଲା। ହେଲେ ସେପରି କିଛି ହେଲା ନାହିଁ। ଶାସକ ଦଳର ସଦସ୍ୟ ହୋଇଥିବାରୁ ଏକ କମିଟିର ଅଧ୍ୟକ୍ଷ ପଦ ମଧ୍ୟ ମିଳିଲା। ହେଲେ ଓଡ଼ିଶା ଗଣମାଧ୍ୟମରେ ତାଙ୍କୁ ୟୁପି ଦାୟିତ୍ୱ ମିଳିବା ସମୟରେ ଯେପରି ଆଲୋଚନା କରିଥିଲା। ୟୁପି ହାରିବା ପରେ ତାହା କରିଲା ନାହିଁ। ତେଣୁ ଏବେ ସେ ପ୍ରସଙ୍ଗ ପୁରୁଣା ହୋଇଗଲାଣି। ହେଲେ ସେହି ସମାନ ଫାଶରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫସାଇବା ପାଇଁ ବିଜେପିର ବ୍ରାହ୍ମଣ ଓ ବିହାର ଲବି ଅନାଇ ବସିଛି।

ବର୍ତ୍ତମାନ ହରିୟାଣାରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। କିଛି ଘଣ୍ଟା ପରେ ପ୍ରଚାର ଥମିବ। ଭୋଟ ପଡିବ। ପ୍ରାରମ୍ଭିକ ଆକଳନ ବିଜେପିର ପ୍ରଦର୍ଶନ ପୂର୍ବାପେକ୍ଷା ଭଲ ରହିବ ନାହିଁ ବୋଲି କୁହାଯାଉଛି। ଏମିତି କି ବିଜେପି ହାରିଯିବାର ସମସ୍ତ ସମ୍ଭାବନା ରହିଛି। ଧର୍ମେନ୍ଦ୍ର ପ୍ରଧାନ ପ୍ରଭାରୀ ଥିବାରୁ ଓଡ଼ିଶା ଗଣମାଧ୍ୟମରେ ତାଙ୍କ ମୁଣ୍ଡରେ ନଡ଼ିଆ ଫଟାଯିବ। ଧର୍ମେନ୍ଦ୍ର ବିରୋଧୀ ରାଜ୍ୟ ବିଜେପି କ୍ୟାମ୍ପ ବିଶ୍ୱାସ କରେ ଯେ, ଓଡ଼ିଶା ଲୋକ ଜାତୀୟ ରାଜନୀତି ସମ୍ପର୍କରେ ବେଶୀ ବୁଝନ୍ତି ନାହିଁ। ହରିୟାଣା ବିଷୟରେ ଏତେଟା ଜାଣନ୍ତି ନାହିଁ। ତେଣୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ଦକ୍ଷତା ଓ ପରିଚାଳନା ବିଜେପିର ହରିୟାଣା ପରାଜୟର ଅନ୍ୟତମ କାରଣ ବୋଲି ପ୍ରଚାର କରାଯିବ। ସେହିପରି ରେଭେନ୍ସା ଓ ଭରତପୁର ପ୍ରସଙ୍ଗରେ ପରୋକ୍ଷରେ ସେ ଦଳକୁ ଅଡୁଆ ପକାଇଥିବା ପ୍ରଚାର କରାଗଲାଣି। ଏହା ଆଗାମୀ ଦିନରେ ତାଙ୍କ କର୍ତ୍ତୃତ୍ୱ ହ୍ରାସ କରିବାରେ ସହାୟକ ହେବ। ତେଣୁ ଏହାକୁ ଧର୍ମେନ୍ଦ୍ର କିପରି ମୁକାବିଲା କରୁଛନ୍ତି, ତାହା ଉପରେ ନଜର ରହିବ।