ପଛୁଆବର୍ଗ ସଂରକ୍ଷଣ- କାନ୍ଦୁଛନ୍ତି ସମସ୍ତେ..ହେଲେ କାହା ଆଖିରେ ଲୁହ ନାହିଁ….

ଭୁବନେଶ୍ୱର : ଓଡ଼ିଶା ବିଧାନସଭା କିଛିଦିନ ହେବ ସାମାଜିକ ନ୍ୟାୟ ଓ ସଂରକ୍ଷଣ ପ୍ରସଙ୍ଗରେ ପ୍ରଭାବିତ ହେବାରେ ଲାଗିଛି। ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ଦ୍ୱାରା ଏହି ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ମାତ୍ର ଚଳିତ ବର୍ଷ ଏହି ପ୍ରସଙ୍ଗକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହିଁ ଉପସ୍ଥାପିତ କରିଥିଲେ।  କଂଗ୍ରେସର ସମସ୍ତ ବିଧାୟକ ଶ୍ରୀ କାଡାମଙ୍କ ସ୍ୱରରେ ଏକମତ ହୋଇଥିଲା। ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ସାଥ୍ ଦେଇଥିଲା। ହେଲେ ପ୍ରଶ୍ନ ଉଠେ। ପଛୁଆବର୍ଗ ସଂରକ୍ଷଣ ପ୍ରସଙ୍ଗରେ ସମସ୍ତେ ଚିନ୍ତିତ। ହେଲେ ଏହା ଲାଗୁ ହୋଇ ପାରିଲା ନାହିଁ କାହିଁକି।

ବିଶ୍ୱନାଥ ପ୍ରତାପ ସିଂଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ହିଁ ମଣ୍ଡଳ କମିସନ ସୁପାରିସ୍ ହୋଇଥିଲା। ଏହାକୁ ରାଜନୈତିକ ଭାବେ ପ୍ରଥମେ ବିରୋଧ କରୁଥିବା ଦଳ ହେଉଛି ବିଜେପି। ଯିଏ କି ମଣ୍ଡଳ ବିରୋଧରେ ସାରା ଦେଶରେ ଏକ କମଣ୍ଡଳ ରାଜନୀତି ଆରମ୍ଭ କରିଥିଲେ। ଏହି ଯାତ୍ରା ଭାରତର ସାମ୍ପ୍ରଦାୟିକ ସଦଭାବ୍ ନଷ୍ଟ କରିଥିଲା। କଂଗ୍ରେସ ଏବଂ ସିପିଏମ୍ ପରି ଦଳ ମଧ୍ୟ ପ୍ରାଥମିକ ଭାବେ ମଣ୍ଡଳ କମିସନ ବିରୋଧରେ ରହିଥିଲେ। ଇଏ ତ ଗଲା ଦେଶ କଥା। ଆମ ରାଜ୍ୟରେ ଜନତା ଦଳର ସରକାର ଥିଲା। ସେ ସମୟରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ। ନରସିଂହ ମିଶ୍ର ଆଇନ୍ ମନ୍ତ୍ରୀ ଏବଂ ବିଜୟ ମହାପାତ୍ର ଜଳସମ୍ପଦ ମନ୍ତ୍ରୀ ଥିଲେ। ବୟସାଧିକ୍ୟ କାରଣରୁ ବିଜୁ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ୱ ବିଜୟ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ। ଦେଶର ଜନତା ସରକାର ସହ ପ୍ରାୟ ସମସ୍ତ ରାଜ୍ୟ ମଣ୍ଡଳ ସପକ୍ଷରେ ରହିଥିଲେ। ହେଲେ ବିଜୁ ପଟ୍ଟନାୟକ ମଣ୍ଡଳ କମିସନ ଲାଗୁ କରି ନ ଥିଲେ। ବରଂ ଏହା ବିରୋଧରେ କୋର୍ଟ ଯାଇଥିଲେ। ନରସିଂହ ମିଶ୍ର ସାମାଜିକ ନ୍ୟାୟ ବିରୋଧରେ ଆଇନଗତ ସହାୟତା କରିଥିଲେ। ପ୍ରାଥମିକ ଭାବେ ୨୭ପ୍ରତିଶତ ପରେ ୫୦ ପ୍ରତିଶତ ସଂରକ୍ଷଣ ବାହାନା ଦେଇ ୧୧ପ୍ରତିଶତରେ ସୀମିତ କରାଗଲା। ମଣ୍ଡଳ କମିସନ ପରେ ହୋଇଥିବା ନିର୍ବାଚନ ପରେ ଦେଶର ସାଧାରଣ ନିର୍ବାଚନ ଓ ରାଜ୍ୟ ଗୁଡିକରେ ହୋଇଥିବା ଭୋଟର ଫଳାଫଳ ମଣ୍ଡଳବାଦୀ ଦଳ ସପକ୍ଷରେ ଗଲା। ଓଡ଼ିଶାର ଜନତା ଦଳ ଏକମାତ୍ର ସରକାର ଚାଲିଯାଇଥିଲା। ଏହା ପରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଆସିଥିଲା। ପ୍ରାୟ ଚାରି ବର୍ଷ ସରକାରରେ ରହିବା ପରେ ମଧ୍ୟ ଜାନକୀ ପଟ୍ଟନାୟକ ଏହି ଓବିସି ସଂରକ୍ଷଣ ଲାଗୁ କଲେ ନାହିଁ। ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଙ୍ଗ କମ୍ ସମୟ ପାଇଥିଲେ। ଏହା ପରେ ନବୀନ ପଟ୍ଟନାୟକଙ୍କ ସରକାର ଆସିଥିଲା। ସେ ମଧ୍ୟ ପୂର୍ଣ୍ଣ ଭାବେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରି ଏହାକୁ ସୁନିଶ୍ଚିତ କରିବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ। ଇନ୍ଦ୍ରା ସାହାନୀ ମାମଲାରେ ସ୍ୱତନ୍ତ୍ର ନିୟମ ଭାବେ ୫୦ ପ୍ରତିଶତରୁ ଅଧିକ ଯିବା ବାହାନା କରି ନବୀନ ନୀରବ ରହିଲେ। ନବୀନ ପଟ୍ଟନାୟକ ଯଦି ଜୀବନକାଳ ମଧ୍ୟରେ ଓଡ଼ିଶା ପରିସଂଖ୍ୟନକୁ ଠିକ୍ ଭାବେ ଉପସ୍ଥାପିତ କରି ସମ୍ବିଧାନର ନବମ ଅନୁଚ୍ଛେଦରେ ସାମିଲ କରାଇଲେ ନାହିଁ। ଜାତୀୟସ୍ତରରେ ଏହି ପ୍ରସଙ୍ଗ ଜୋର ଧରିବାରୁ ବିଧାନସଭାରେ ଜାତି ଭିତ୍ତିକ ଜନଗଣନା ନେଇ ସଂକଳ୍ପ ଗୃହୀତ କରାଇଲେ। ମାତ୍ର ବୈଷୟିକ ଏବଂ ଡାକ୍ତରୀ ଶିକ୍ଷାରେ ଏସସି,ଏସଟି ମାନଙ୍କୁ ସଂଖ୍ୟାନୁପାତରେ ଯଥାକ୍ରମେ ୨୨ ପ୍ରତିଶତ ଓ ୧୬ ପ୍ରତିଶତ ସଂରକ୍ଷଣ ନ ଦେଇ ତାହାକୁ ଯଥାକ୍ରମେ ୧୨ ଏବଂ ୮ ପ୍ରତିଶତରେ ସୀମିତ ରଖିଥିଲେ। ରାଜ୍ୟରେ ଯେଉଁମାନଙ୍କ ସଂଖ୍ୟା ଜନସଂଖ୍ୟାର ପ୍ରାୟ ଅର୍ଦ୍ଦେକ ସେମାନଙ୍କୁ ଆଦୌ ସଂରକ୍ଷଣ ଦେଇ ନ ଥିଲା। ତେଣୁ ଏସସି,ଏସଟି ଓ ପଛୁଆବର୍ଗର ପ୍ରାୟ ଦଶ ହଜାର ଛାତ୍ରଛାତ୍ରୀ ଡାକ୍ତର ହେବାରୁ ବଞ୍ଚିତ ହୋଇସାରିଛନ୍ତି। ତେଣୁ ବିଜେଡିର ଆନ୍ଦୋଳନ ସଇତାନର ବେଦପାଠ ସଦୃଶ।

ଏବେ ଆସିବ କଂଗ୍ରେସ କଥା। କଂଗ୍ରେସ ଗତ ଦଶ ବର୍ଷ ମଧ୍ୟରେ ଏହି ପ୍ରସଙ୍ଗ ବିଧାନସଭାରେ ଦୃଢତାରେ ସହ ଉଠାଉ ନ ଥିଲା। ତାହାର କାରଣ ଖୋଜିବାକୁ ପଡିବ। ତାରା ପ୍ରସାଦ ବାହିନୀପତି ଆଜି ପୋଡିୟମ ଉପରେ ଚଢି ଯାଉଛନ୍ତି। କେଉଁ ଅଦୃଶ୍ୟ ଶକ୍ତି ତାଙ୍କୁ ସ୍ୱର ଉଠାଇବାକୁ ରୋକୁ ଥିଲା। ଛଅ ବର୍ଷ ତଳେ ଦଳର ଅନୁସୂଚିତ ଜାତି ବର୍ଗ ସେଲ୍ ମୁଖିଆ କୃଷ୍ଣ ସଗରିଆଙ୍କୁ କଂଗ୍ରେସ ଭବନ ପ୍ରବେଶ କରାଇ ଦିଆ ଯାଉ ନ ଥିଲା। ସେ ନିଜ ଗ୍ୟାରେଜରେ ଏସସି ସେଲ୍ ବୈଠକ କରିଥିଲେ। ସେହିପରି ନିର୍ବାଚନ ପୂର୍ବରୁ ସଂରକ୍ଷଣ ଓ ଖଣି ଲୁଟ୍ ରୋକିବା ସମ୍ପର୍କରେ ଇସ୍ତାହାରରେ ରଖିବା ପାଇଁ ପ୍ରସ୍ତାବ ଦେଇଥିବା ଶ୍ରୀକାନ୍ତ ଜେନାଙ୍କୁ ଦଳରୁ ବିଦା କରାଯାଇଥିଲା। ସେ ସମୟରେ ପଛୁଆବର୍ଗର ଜଣେ ପିସିସି ସଭାପତିଙ୍କୁ ସାଧାରଣ ବର୍ଗର ଜଣେ ବିଧାୟକ ଏବଂ ଜଣେ ଖଣି ବେପାରୀ ପରିବାରରୁ ଆସିଥିବା ନେତା କଂଗ୍ରେସର ମଙ୍ଗ ଧରିଥିଲେ। ସେହିପରି ଓଡ଼ିଶାର ଦୁଇ ପ୍ରମୁଖ ଗଣମାଧ୍ୟମ ଟିଭି ଓ ଖବରକାଗଜ ସାଧାରଣ ବର୍ଗ ମାଲିକାନା ହାତରେ। ଏହି ଦୁଇ ମାଲିକ ମଣ୍ଡଳ କମିସନ ବିରୋଧୀ, ତେଣୁ ଗଣମାଧ୍ୟମରେ ଏକ ସାମାଜିକ ନ୍ୟାୟ ବିରୋଧୀ ବାତାବରଣ ରହିଛି। ଏହି ବିଷମ ପରିସ୍ଥିତିରେ ରାଜ୍ୟର 94 ଭାଗ ଲୋକଙ୍କ  ଦାବି କେଉଁ ଆଡକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *