ବବିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନା ଖୋଳତାଡ଼…କ’ଣ ହେବାକୁ ଯାଉଛି ୨୭ ତାରିଖ ବିଜେଡି ବୈଠକରେ……….

ଭୁବନେଶ୍ୱର : ଅଫିସରରାଜ୍ ଅଧିକ ହୋଇ ଯାଇଥିଲା। ଭି.କେ ପାଣ୍ଡିଆନଙ୍କ ଉପରେ ଦଳ ଓ ଦଳ ବାହାର ଲୋକଙ୍କ ରାଗ ଥିଲା। ତେଣୁ ଗତ ସାଧାରଣ ନିର୍ବାଚନରେ ବିଜେଡିକୁ ଭୋଟର ପାନେ ଦେଲେ। ଏହାର ନୈତିକ ଦାୟିତ୍ୱ ନେଇ ଭି.କେ ପାଣ୍ଡିଆନ୍ ଭିଡିଓ ଛାଡି ରାଜନୀତିରୁ ସନ୍ୟାସ ନେବା ଘୋଷଣା କଲେ। ସେହି ସନ୍ୟାସକୁ ଆଜି ଯାଏଁ କେହି ବୁଝି ପାରୁନାହାନ୍ତି। କୁଆଡେ ସେ ଏବେ ବି ମଙ୍ଗୁଆଳ। ତାଙ୍କ ପରେ ଦଳର ସର୍ବେସର୍ବା ଥିଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି। ସେ ମଧ୍ୟ କିଛି କମ୍ ନ ଥିଲେ। ତାଙ୍କ ଉପରେ ବହୁତ ପ୍ରଶ୍ନ ଉଠାଗଲାଣି। ପରୋକ୍ଷରେ ଦଳୀୟ ନେତା ଏବଂ ଦଳ ଛାଡିଥିବା ନେତା ଏହି ତାଲିକାରେ ରହିଛନ୍ତି। ବିଜେଡିରେ ଥିବା ରଘୁନାଥ ସାହୁ, ରାଜ୍ୟସଭା ସଦସ୍ୟ ମମତା ମହନ୍ତ ଓ ନିକଟରେ ଛାଡିଥିବା ସୁଜିତ କୁମାର ଏହି ତାଲିକାରେ ରହିଛନ୍ତି। ଯାଜପୁର ସୁକିନ୍ଦାର ବିଜେଡି ରାଜନୀତିର ମଙ୍ଗ ଧରିଥିବା ପ୍ରୀତି ରଞ୍ଜନ ଘଡାଇଙ୍କ ବବିଙ୍କ ପ୍ରତି ଆଭିମୁଖ୍ୟ କାହାକୁ ଅଛପା ନାହିଁ। ତେଣୁ ବବି ବର୍ତ୍ତମାନ କମିଟିରେ ନାହାନ୍ତି। ହେଲେ କରିଥିବା କର୍ମର ଦଣ୍ଡ ଭୋଗିବେ ତ। ତାହା ଏବେ ବଡ଼ ପ୍ରଶ୍ନ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାରେ ବବି ଦାସ ବିଭିନ୍ନ ବରିଷ୍ଠ ନେତାଙ୍କୁ ମଂଚ ଉପରୁ ଭିଡି ଆଣୁଥିବା ଦେଖାଯାଇଥାଏ। କେତେବେଳେ ସେ ନିଜକୁ କ୍ରୀତଦାସ ତ କେତେବେଳେ ନିଜକୁ ଟ୍ରାଫିକ୍ ପୁଲିସ୍ କରି ଦିଅନ୍ତି। ମାତ୍ର ଏହା ଭିକେପିଙ୍କ ନିର୍ଦ୍ଦେଶରେ ନ ଥିଲା। ସେ ସ୍ୱତଃ ପ୍ରବୃତ୍ତ ଭାବରେ ବହୁତ କିଛି କରିଛନ୍ତି। ଦଳର ଜଣେ ରାଜ୍ୟସଭା ସଦସ୍ୟଙ୍କୁ ଜିଲ୍ଲାର ଡିଏସପିଙ୍କ ଦ୍ୱାରା ମଞ୍ଚକୁ ନ ଚଢାଇଦେବା ପାଇଁ ଯୋଜନା କରିଥିଲେ। ଏଥିରେ ଦିବ୍ୟ ଶଙ୍କର ମିଶ୍ର ତାଙ୍କୁ ସାଥ୍ ଦେଇଥିଲେ। ଚିଲିକା ରଘୁ ସାହୁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଭେଟିବାକୁ ଚାହୁଁଥିଲେ। ହେଲେ ବବି ତାଙ୍କୁ ଭେଟାଇ ଦେଉ ନ ଥିଲେ। ମମତା ମହନ୍ତଙ୍କ ସାଂସଦ ପାଣ୍ଡିର ବବି କିପରି ଉପଯୋଗ କରୁଥିଲେ, ତାହା ପ୍ରମୁଖ ଗଣମାଧ୍ୟମ ଗୁଡିକରେ ପ୍ରସାରିତ ହୋଇସାରିଲାଣି। ତେଣୁ ଉପଦେଷ୍ଟା କମିଟି ବୈଠକରେ ବବିଙ୍କ କାରନାମାର ଆଲୋଚନା ହେବ କି ନାହିଁ। ତାହା ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର ୨୭ ତାରିଖରେ ଜଣାପଡିବ।ବିଜେଡିର ଛାତ୍ର ଯୁବ ଅପେକ୍ଷା ବବିଙ୍କ ଆଖପାଖରେ ବୁଲୁଥିବା ପିଲାମାନଙ୍କ ଦୌରାତ୍ମ ଓ ବିଜୁ ଜନତା ଦଳ କର୍ମୀଙ୍କୁ ଖରାପ ବ୍ୟବହାର ମଧ୍ୟ ଦାଣ୍ଡରେ ପଡି ହାଟରେ ଗଢୁଛି। ବିଭିନ୍ନ ସ୍ଥାନରେ ଦଳର ଦୁଇ ଦୁଇଟି ଏଜେନସ୍ସି କରାଇବାରେ ବବିଙ୍କ କମ୍ ଭୂମିକା ନାହିଁ। ବହୁଳ ପ୍ରସାରିତ ଟିଭି ଓଟିଭି ନିଜ ଡିଜିଟାଲରେ କରିଥିବା ଏକ ଖବରରେ ସମନ୍ବୟ କମିଟି ମୁଖିଆ ଦେବୀ ମିଶ୍ର କୁଆଡେ ବବିଙ୍କୁ ରିପୋର୍ଟ କରୁଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ତେଣୁ ବିଜେଡି ବୈଠକ କେତେ ଗଣତାନ୍ତ୍ରିକ ଢଙ୍ଗରେ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।

ଏଠାରେ ଆଉ ଏକ କଥା ଉଲ୍ଲେଖଯୋଗ୍ୟ ଯେ, ବିଜେଡି ହାରିବା ପରେ ବିଧାୟକ ଦଳ ଓ ବରିଷ୍ଠ ନେତାମାନଙ୍କ ଏକ ବୈଠକ ବସିଥିଲା। ସେଥିରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପରାଜୟର କାରଣ କହିଥିଲେ। ତଥ୍ୟ ସହିତ ମାତ୍ର ସେହି ସମୟରେ ଚାନ୍ଦିବାଲି ବିଧାୟକ ବ୍ୟୋମକେଶ ରାୟ ନାରାବାଜି କରି ଡିଷ୍ଟର୍ବ କରିଥିଲେ। ତେଣୁ ଏ ବୈଠକରେ ସେପରି କିଛି ଷ୍ଟେଜ୍ ମ୍ୟାନେଜ ହେବ କି ନାହିଁ, ତାହା ଉପରେ ସମସ୍ତ ନଜର ରହିବ।
