ରତ୍ନଭଣ୍ଡାର ଲୁଟ୍ ପୂର୍ବରୁ ଆଇ ମା କାହାଣୀ କହିଲେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ୱାଲ

ଭୁବନେଶ୍ୱର : ରାୟଗଡ଼ାର ସିଜୁମାଳି ଅଞ୍ଚଳର ବକ୍ସସାଇଟ୍ ଖଣି ଯେ କୌଣସି ପ୍ରକ୍ରିୟାରେ ଉତ୍ତୋଳନ କରିବାକୁ ଚାହୁଁଛି ବେଦାନ୍ତ। ମାତ୍ର ଏହି ଖନନକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ପ୍ରମୁଖ ଗଣମାଧ୍ୟମ ଗୁଡିକ ଏହି ଖବରକୁ ଠିକ୍ ଢଙ୍ଗରେ ପ୍ରସାରଣ କରନାହାନ୍ତି। ତେଣୁ କିଛିଦିନ ପରେ ଆର୍ଥିକ ପରିଚାଳନା ଏବଂ ସ୍ଥାନୀୟ କୁଜିନେତା-ଠିକାଦାରଙ୍କୁ ହାତେଇ ପୁଣି ଥରେ ଗ୍ରାମସଭାରୁ ସର୍ବସମ୍ମତି ଅନୁମତି ନେବାକୁ ବେଦାନ୍ତ ଚେଷ୍ଟା କରୁଛି। ଏହା ପୂର୍ବରୁ ସମସ୍ତ ପ୍ରକାର ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରାଯାଇଛି। କେବଳ ଶାସକ ଦଳ ବିଜେଡି ନୁହେଁ, ସେଠାରେ ମୁଖ୍ୟ ବିରୋଧୀ ଥିବା କଂଗ୍ରେସର ନିର୍ବାଚିତ ପ୍ରତିନିଧି, ପୂର୍ବ ସାଂସଦଙ୍କୁ ମଧ୍ୟ ବେଦାନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନକୁ ଆଣିଛି। ଏହି କ୍ରମରେ ବିରୋଧୀ ମେଣ୍ଟ ସମୂହ ଇଣ୍ଡିଆ ବୈଠକ ରାୟଗଡ଼ାକୁ ସ୍ଥଗିତ ମଧ୍ୟ କରିସାରିଛି। ଏହି ଗୋଟିଏ ପ୍ରସଙ୍ଗରେ ରାଜ୍ୟ ବିଜେଡି-ବିଜେପି ଏବଂ କଂଗ୍ରେସ ଏକ ସ୍ୱରରେ କଥା କହୁଛନ୍ତି।

ଏହି ପରିବେଶକୁ ଆହୁରି ଲୋକପ୍ରିୟ ଦେଖାଇବା ପାଇଁ କିଛିଦିନ ତଳେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ୱାଲ ଏକ ଲମ୍ବା ଫେସବୁକ୍ ପୋଷ୍ଟ କରିଥିଲେ। ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜାନକୀ ପଟ୍ଟନାୟକଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପରୋକ୍ଷରେ ବିଜୁ ପଟ୍ଟନାୟକ କୁଆଡେ ତାଙ୍କୁ ଶିଳ୍ପ ପାଇଁ ପ୍ରୋତ୍ସାହିତ କରିବା କଥା କହୁଥିଲେ ବୋଲି ଉଲ୍ଲେଖ କରିଛନ୍ତି। ମାତ୍ର ଏହା ଅର୍ଦ୍ଧ ସତ୍ୟ ବୋଲି ଜଣାପଡିଛି। ବିଜୁ ପଟ୍ଟନାୟକ ରାଜ୍ୟର ଖଣି ଗୁଡିକର ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ହାତରେ ରହୁ ବୋଲି ଚାହୁଁଥିଲେ। ତେଣୁ ଓଡ଼ିଶା ଖଣି ନିଗମ ହାତରେ ମୂଲ୍ୟବାନ ଖଣି ରହୁ ବୋଲି ଚାହୁଁଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଯେପରି ଏହା ସୁନିଶ୍ଚିତ ହୋଇପାରିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲେ। ବେସରକାରୀ କମ୍ପାନୀ କୋଟି କୋଟି ଟଙ୍କାର ପୁରସ୍କାର ଅପେକ୍ଷା ରାଜ୍ୟର ନିଜସ୍ୱ ରାଜସ୍ୱ ବୃଦ୍ଧି କରିବା ସପକ୍ଷରେ ସେ ରହିଥିଲେ। ଯାହାକୁ ଉପଲକ୍ଷ୍ୟ କରି ତାଙ୍କର ଅନ୍ୟତମ ଲୋକପ୍ରିୟ ଭାଷଣ-ମୋତେ ଓଡ଼ିଶାର ଗୋଟିଏ ପାହାଡ଼ ବିକିବାକୁ ସୁଯୋଗ ଦିଆଯାଉ। ମୁଁ ଓଡ଼ିଶାର ଭାଗ୍ୟରେଖା ପରିବର୍ତ୍ତନ କରିଦେବି।  ମାତ୍ର ପରବର୍ତ୍ତୀ ସମୟରେ ଓଡ଼ିଶାର ଶାସନ ଭାର ପରିବର୍ତ୍ତନ ହୋଇଛି। ବିର୍ଲା କମ୍ପାନୀକୁ ଲାଭ ଦେବା ପାଇଁ ତତ୍କାଳୀନ କଂଗ୍ରେସ ସରକାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ସରକାରୀ ପ୍ରକ୍ରିୟାକୁ ପରିବର୍ତ୍ତନ କରିଦେଇଥିଲେ। ଏହି ଧାରା କଂଗ୍ରେସ ସରକାର ପରେ ବିଜେପି-ବିଜେଡ଼ି ମେଣ୍ଟ ସରକାର ଏବଂ ବିଜେଡି ଏକାକୀ ସରକାର ସମୟରେ ମଧ୍ୟ ବଳବତ୍ତର ରହିଲା। ଯାହାର ଫାଇଦା ବେଦାନ୍ତ ମଧ୍ୟ ନେଇଛି।

୨୦୧୮ ମସିହାରେ କେବଳ ବେଦାନ୍ତଙ୍କୁ ବକ୍ସସାଇଟ୍ ଖଣି ଯୋଗାଇ ଦେବା ପାଇଁ ରାତି ଅଧିଆ କ୍ୟାବିନେଟ୍ ବୈଠକ ଡକାଯାଇଥିଲା। ନିଲାମୀରେ କେବଳ ବେଦାନ୍ତ ହିଁ ଅଂଶ ଗ୍ରହଣ କରିବ, ତାହା ସୁନିଶ୍ଚିତ କରାଯାଇଥିଲା। ଯାହାର ଫଳ ସ୍ୱରୂପ ଅନ୍ୟ ରାଜ୍ୟ ତୁଳନାରେ ଢେର କମ୍ ଟଙ୍କାରେ ବେଦାନ୍ତ ବକ୍ସସାଇଟ୍ ଖଣି ଗୁଡିକ ହାତେଇଥିଲା। ପ୍ରତି ଟନ୍ ପିଛା ଓଡ଼ିଶା ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ୱ ଟଙ୍କା ରାଜସ୍ୱ ହରାଉଛି। ତେଣୁ ବେଦାନ୍ତ ମୁଖ୍ୟ ଅନିଲ୍ ଅଗ୍ରଓ୍ୱାଲ  କାହାଣୀ କହି ଓଡ଼ିଆ ପ୍ରୀତି ଦେଖାଉଛନ୍ତି। ଏହି ପ୍ରୀତି ତାଙ୍କର ଓଡ଼ିଶା ପ୍ରତି ନୁହେଁ ବରଂ ରାଜ୍ୟର ରତ୍ନଭଣ୍ଡାର ଲୁଟ୍ ପାଇଁ ବୋଲି ଅର୍ଥନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *