ଦିନକୁ ଦିନ କମୁଛି ବିଜେଡ଼ି ଲୋକପ୍ରିୟତା, ଏକାଧିକ ଜାତୀୟ ସଂସ୍ଥା ଦେଲେଣି ମତ

ଭୁବନେଶ୍ୱର : ବିଜୁ ଜନତା ଦଳ ପ୍ରତି ଥିବା ପୂର୍ବ ସମର୍ଥନ ଲଗାତର ହ୍ରାସ ପାଉଛି। ଜନମନ ପୋଲ୍, ଟାଇମ୍ସ ନାଓ ଏବଂ ଇଣ୍ଡିଆ ଟୁଡେ-ସିଭୋଟର ସର୍ଭେରୁ ଏହା ଜଣାପଡିଛି। ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ବିଜେପି ଅଧିକ ଆସନ ଜିତିବ ବୋଲି ସମସ୍ତ ସଂସ୍ଥା ପୂର୍ବାନୁମାନ କରିଛନ୍ତି। ପ୍ରଥମଥର ପାଇଁ ନବୀନ ପଟ୍ଟନାୟକଙ୍କ ଉପରେ ଅସନ୍ତୁଷ୍ଟ ସଂଖ୍ୟା ୫୦ ପ୍ରତିଶତ ଛୁଇଁବାକୁ ବସିଲାଣି। ପ୍ରାୟ ୭୦ ପ୍ରତିଶତ ମତ ନବୀନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି। ୨୦ରୁ ୩୦ ପ୍ରତିଶତ ନବୀନଙ୍କ କାମ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଧାନସଭାରେ ବର୍ତ୍ତମାନ ସ୍ଥିତିରେ ବିଜେଡି ଏକକ ସଂଖ୍ୟାଗରିଷ୍ଠ ସ୍ଥିତିରେ ରହିଛି। ମାତ୍ର ବିଜେଡି ଆସନ ସଂଖ୍ୟା ଦୁଇ ଅଙ୍କକୁ ହ୍ରାସ ପାଇଛି। ହାରାହାରି ଭାବେ ବିଜେଡି ୮୭ରୁ ୯୫ ଆସନ ମଧ୍ୟରେ ରହିଛି। ଏହି ଟ୍ରେଣ୍ଡ ଲାଗି ରହିଲେ ବିଜେଡି ଆଗାମୀ ଦିନରେ ଆହୁରି ବିଧାନସଭା ଆସନ ହରାଇପାରେ ବୋଲି ଆଶଙ୍କା କରାଯାଉଛି। ବିଜେଡିର ନିଜସ୍ୱ ସର୍ଭେରେ ମଧ୍ୟ ଆସନ ଦୁଇ ଅଙ୍କ ଛୁଇଁଲାଣି। ଷଷ୍ଠ ପାଳିରେ ନିଜସ୍ୱ ଗଣମାଧ୍ୟମ, ମାଳମାଳ ସୋସିଆଲ୍ ମିଡିଆ ସଂସ୍ଥା ସତ୍ତ୍ୱେ ସାଧାରଣରେ ବିଜେଡି ପ୍ରତି ଏକ ନକରାତ୍ମକ ବାତାବରଣ ସୃଷ୍ଟି ହେଉଛି। ବିଭିନ୍ନ ସରକାରୀ ପୋଷ୍ଟ ଏବଂ ସୋସିଆଲ ମିଡିଆ ପୋଷ୍ଟକୁ ପ୍ରାୟୋଜିତ କରି ଭାଇରାଲ କରାଯାଉଛି। ଜନ ପ୍ରତିନିଧିଙ୍କ ଅପେକ୍ଷା ଅଫିସରଙ୍କ ପ୍ରଭାବ ପ୍ରଶାସନରେ ଅଧିକ ରହୁଛି। ଏହା ସବୁଠୁ ନକରାତ୍ମକ ବାତାବରଣ ସୃଷ୍ଟି କରିଥିବା ଜଣାପଡିଛି।