ସଞ୍ଜୀବ ନୁହେଁ କି ଅସିତ୍ ନୁହେଁ…ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ମନ ବଳାଇଲାଣି ବିଜେଡି …….

ଭଦ୍ରକ :  ବର୍ତ୍ତମାନ ବିଧାୟକ ଥିବା ସଞ୍ଜୀବ ମଲ୍ଲିକଙ୍କୁ ପୁନର୍ବାର ପ୍ରାର୍ଥୀ କରିବା ସପକ୍ଷରେ ନାହାନ୍ତି ବିଜେଡି ସୁପ୍ରିମୋ। ଶ୍ରୀ ମଲ୍ଲିକଙ୍କ ପ୍ରାର୍ଥିତ୍ୱକୁ ଅସିତ ପଟ୍ଟନାୟକଙ୍କ ଗୋଷ୍ଠୀ ଠାରୁ ପ୍ରବଳ ବିରୋଧର ସମ୍ମୁଖିନ ହେବାକୁ ପଡୁଛି। ଅନୁରୂପ ଭାବେ ଅସିତ ପଟ୍ଟନାୟକଙ୍କ ସପକ୍ଷରେ ମଧ୍ୟ ସର୍ବ ସହମତି ଯୋଗାଡ଼ ହୋଇପାରୁନାହିଁ। ଇତି ମଧ୍ୟ ଭଦ୍ରକ ବିଧାନସଭା ପାଇଁ ନୂଆ ମୁହଁ ଖୋଜିବା ଓ ଅନ୍ୟ ଆଶାୟୀଙ୍କ ମଧ୍ୟରେ କାହାକୁ ପ୍ରାର୍ଥୀ କଲେ ଦଳ ଫାଇଦାରେ ରହିବ, ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସଞ୍ଜୀବଙ୍କ ପୁନର୍ବାର ପ୍ରାର୍ଥୀତ୍ୱ ଅସିତ ପଟ୍ଟନାୟକଙ୍କୁ କଂଗ୍ରେସ ମୁହାଁ କରିଦେଇପାରେ। ସେ ସ୍ୱାଧିନ ଭାବେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଦେଇପାରନ୍ତି। ଏହା ସିଧାସଳଖ ଦଶରୁ ଚଉଦ ହଜାର ଭୋଟକୁ ପ୍ରଭାବିତ କରିବ। ସଞ୍ଜୀବ ମଲ୍ଲିକ ଶୃଙ୍ଖଳିତ ବିଜେଡି କର୍ମୀ ମାତ୍ର ଅସିତଙ୍କ ପ୍ରାର୍ଥିତ୍ୱ ତାଙ୍କୁ ନିଷ୍କ୍ରିୟ ହେବାକୁ ଏକ ସୁଯୋଗ ଦେବ। ଏହାର ପ୍ରଭାବ ଲୋକସଭା ଭୋଟ୍ ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି। ତେଣୁ ଅସିତ ଏବଂ ସଞ୍ଜୀବଙ୍କ ବ୍ୟତୀତ ଜଣେ ନୂଆ ଚେହେରା ସପକ୍ଷରେ ମତ ପ୍ରକାଶ ପାଇଛି।

ଏହି କ୍ରମରେ ଜିଲ୍ଲା ବିଜେଡି ମହିଳା ନେତ୍ରୀ ବିଦ୍ୟୁତଲତା ନାୟକ, ପୂର୍ବରୁ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବା ଜ୍ୟୋତି ପ୍ରକାଶ ମହାନ୍ତି, ସମାଜସେବୀ ସାଇ ମହାପାତ୍ରଙ୍କ ନାଁ ପ୍ରାଥମିକ ଚିଠା ତାଲିକାରେ ରହିଛି। ସାଇ ମହାପାତ୍ରଙ୍କୁ ନେଇ ପରୀକ୍ଷଣ ମଧ୍ୟମ ପର୍ଯ୍ୟାୟରେ ପହଞ୍ଚିଛି। ବିଦ୍ୟୁତଲତା ନାୟକ ଚାନ୍ଦବାଲି ବିଧାୟକଙ୍କ ବନ୍ଧୁ ପରିବାରର ସଦସ୍ୟା। ଜିଲ୍ଲା ମୁଖ୍ୟାଳୟରେ ମହିଳା ପ୍ରାର୍ଥୀତ୍ୱ ନେଇ ନେତୃତ୍ୱ ବିଚାରବିମର୍ଶ ଜାରି ରଖିଛି। ମହିଳା ବିଧାୟକ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ସପକ୍ଷରେ ବିଜେଡି ରହିଛି।ସେ ପୂର୍ବରୁ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଭାବେ କାମ କରିସାରିଛନ୍ତି। ତେଣୁ ବିଦ୍ୟୁତଲତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ଟିକେ ଜୋର ଧରିଛି। କେତେକ ଗୋଷ୍ଠୀ ବର୍ତ୍ତମାନର ଭଦ୍ରକ ପୌର ପରିଷଦ ଅଧ୍ୟକ୍ଷା ଗୁଲ୍ଲମକୀଙ୍କ ନାଁ ମଧ୍ୟ ଦାବିଦାର ତାଲିକାରେ ରଖିବାକୁ ସର୍ଭେ ଟିମ୍ କୁ ସୁପାରିଶ କରିଛନ୍ତି। ଏହା ଦ୍ୱାରା ପରବର୍ତ୍ତୀ ସମୟରେ ପୌରପରିଷଦ ଅଧ୍ୟକ୍ଷ ପଦ ସିଧାସଳଖ ବିଜେଡି ହାତରେ ରହିପାରିବ। ଜ୍ୟୋତି ପ୍ରକାଶ ମହାନ୍ତି ପୂର୍ବରୁ ଜିଲ୍ଲା କଂଗ୍ରେସର ଛାତ୍ର ଓ ଯୁବ ସଙ୍ଗଠନରେ କାର୍ଯ୍ୟ କରିସାରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ଟିକେଟ୍ ହୋଇଥିଲେ ବି ଶେଷ ମୁହୂର୍ତ୍ତରେ କାଟି ଦିଆଯାଇଥିଲା। ପ୍ରସ୍ତାବିତ ସମସ୍ତ ନାଁ ମଧ୍ୟ ରାଜନୈତିକ ସକ୍ରିୟ ଭାବେ ଜ୍ୟୋତି ପ୍ରକାଶ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଜ୍ୟୋତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଭଣଜା । ଦଳର ବର୍ତ୍ତମାନ ସଙ୍ଗଠନ ଭିତରୁ ଜଣଙ୍କୁ ଦେବା ପାଇଁ ଗୋଟିଏ ଦାବି ରହିଛି। ତେଣୁ ଫେବୃୟାରୀ ଶେଷ ସପ୍ତାହରେ ଆସିବାକୁ ଥିବା ସର୍ଭେ ରିପୋର୍ଟ, ତୃତୀୟ ମହଲାର ନିର୍ବାଚନୀ ଟିମ୍ ଏବଂ ପର୍ଯ୍ୟବେକ୍ଷକଙ୍କ ତର୍ଜମା ପରେ ଭଦ୍ରକ ପ୍ରାର୍ଥିତ୍ୱ ନେଇ ସ୍ପଷ୍ଟ ଚିତ୍ର ଆସିପାରେ ବୋଲି କୁହାଯାଇଛି।ଅପରପକ୍ଷରେ ପୂର୍ବତନ କଂଗ୍ରେସ ନେତା ନରେନ୍ ପଲାଇ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *