ବିଜେଡିର ଦରବୃଦ୍ଧି ଆନ୍ଦୋଳନ ଖବରକୁ ଧୋଇଦେବ କି ପ୍ରବାସୀ ଭାରତୀୟ ଦିବସ ଓ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ

ଭୁବନେଶ୍ୱର : ନୂଆବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି। ଏହି କ୍ରମରେ ପ୍ରତି ଦଳ ନିଜ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଶାସକ ବିଜେପି ଦଳର ସାଙ୍ଗଠନିକ ନିର୍ବାଚନ ଜାରି ରହିଛି। କିଛି ସପ୍ତାହ ପରେ ବିଜେପି ନୂଆ ରାଜ୍ୟ ସଭାପତି ପାଇବ। ଜାତୀୟସ୍ତରରେ ମଧ୍ୟ ବିଜେପି ନୂଆ ସଭାପତି ପାଇବ। ସେହିପରି ରାଜ୍ୟର ନୂଆ ସରକାର ପ୍ରବାସୀ ଭାରତୀୟ ଦିବସ ପାଳନ କରିବାକୁ ଲାଗୁଛି। ଏସବୁ ପରେ ଏ ବର୍ଷର ସବୁଠୁ ବଡ଼ ରାଜନୈତିକ ପଦକ୍ଷେପ ବିଜେପି ନେବାକୁ ଯାଉଛି। ତାହା ହେଉଛି- ମନ୍ତ୍ରିମଣ୍ଡଳ ଅଦଳବଦଳ। ଦୁଇଦିନ ପୂର୍ବରୁ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କରାଯାଇଛି। ତେଣୁ ଆଗାମୀ ମନ୍ତ୍ରିମଣ୍ଡଳ ଅଦଳବଦଳ ମୋହନ ମାଝୀ ସରକାର ଆଭିମୁଖ୍ୟ ନେଇ ସ୍ପଷ୍ଟତା ଆଣିବ ବୋଲି କୁହାଯାଉଛି।

ଦୁଇରୁ ତିନି ମନ୍ତ୍ରୀଙ୍କୁ ବାଦ୍ ଦେଇ ଚାରିରୁ ପାଞ୍ଚ ନୂଆ ମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡିଛି। ତେଣୁ କାହା ମନ୍ତ୍ରୀ ପଦ ଯିବ, କାହାର ବିଭାଗ ବଦଳିବ ସେ ନେଇ ବିଜେପି ମହଲରେ ଟୁପୁରୁଟାପୁର ହେବାରେ ଲାଗିଛନ୍ତି।  ଏହି କ୍ରମରେ ବିଜେଡି ହାରିବା ପରେ ପ୍ରଥମ ଥର ଆନ୍ଦୋଳନକୁ ଓହ୍ଲାଇଛି। ସୋମବାର ବିଜେଡି ଆନ୍ଦୋଳନ କିପରି ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ଇଏ ପ୍ରଥମ ଆନ୍ଦୋଳନ ଯେଉଁଠିକି ନବୀନ ପଟ୍ଟନାୟକ ନିଜ ଯିବେ ନାହିଁ। ଛାମୁଆ ସଙ୍ଗଠକ ମାନେ କରିବେ। ଏଥିରେ ଛାତ୍ର – ଯୁବ ମାନେ ଅଂଶଗ୍ରହଣ କରିବେ। ନିଜ ଅନୁସାରେ ଗଣମାଧ୍ୟମ ଖବର ପରିବେଷଣ କରିବେ ନାହିଁ। ଏହା ଜନମାନସରେ କି ପ୍ରଭାବ ପକାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଚଳିତ ବର୍ଷ ନୂଆ ସଭାପତି ପାଇବାକୁ ଯାଉଛି। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କଂଗ୍ରେସ ଓ ବାମ ଦଳ ରାସ୍ତାଙ୍କୁ ଓହ୍ଲାଇଛନ୍ତି।  

Leave a Reply

Your email address will not be published. Required fields are marked *