ଜାନୁୟାରୀ ସର୍ଭେକୁ ଅଶ୍ୱିନୀ ବୈଷ୍ଣବଙ୍କ ଅପେକ୍ଷା , ଓଡ଼ିଶାରୁ ଲଢିବେ ନା ନାହିଁ…ନେବେ ନିଷ୍ପତ୍ତି…

ବାଲେଶ୍ୱର : ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ଲୋକ କଣ ଚାହୁଁଛନ୍ତି ? ସେମାନେ କଣ ପୁଣି ଥରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ? ଗତଥର ଥିବା ବିଜେପି ସପକ୍ଷବାଦୀ ପରିବେଶ ଏଥର ରହିବ ତ? ଯଦି ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ନ ହୁଅନ୍ତି, ତେବେ କିଏ ବିଜେପିରୁ ପ୍ରାର୍ଥୀ ହେଲେ ଭଲ? ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀ ହେଲେ ବାଲେଶ୍ୱର ଲୋକସଭାରୁ ଜିତି ପାରିବେ କି ? ଐର ଖାରବେଳ ସ୍ୱାଇଁ-ପ୍ରତାପ ଷଡଙ୍ଗୀ-ଅଶ୍ୱିନୀ ବୈଷ୍ଣବ..ଏମାନଙ୍କ ମଧ୍ୟରୁ କିଏ ବିଜେପି ପ୍ରାର୍ଥୀ ହେବା ଉଚିତ୍ ? ଇଣ୍ଡିଆ ମେଣ୍ଟରୁ କିଏ ପ୍ରାର୍ଥୀ ହେଲେ ବଦଳିବ ସମୀକରଣ ? ଏହିପରି କେତେକ ପ୍ରଶ୍ନାବଳୀକୁ ନେଇ ସମଗ୍ର ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ସର୍ଭେ କରାଯାଉଛି। ପ୍ରାଥମିକ ସର୍ଭେ ସରିଯାଇଛି। ମାତ୍ର ଆଉ ଏକ ସର୍ଭେର ରିପୋର୍ଟ ଆସନ୍ତା ଜାନୁୟାରୀ ମାସରେ ଆସିବାକୁ ଯାଉଛି। ଏହା ପରେ ଅଶ୍ୱିନୀ ଛିଡ଼ା ହେବେ କି ନାହିଁ, ନିଷ୍ପତ୍ତି ନେବେ।

ପ୍ରାୟ ମାସକ ତଳେ ବିଜେପି ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଅଶ୍ୱିନୀଙ୍କୁ ନେଇ ସାଧାରଣରେ ଏତେଟା ଉତ୍ସାହ ନ ଥିବା ପରିଲଖିତ ହୋଇଥିଲା। ମାତ୍ର ଭୁବନେଶ୍ୱର କୈନ୍ଦ୍ରିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଅଶ୍ୱିନୀଙ୍କ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ଅମିତ ଶାହାଙ୍କ ଟିମ୍ ବାଲେଶ୍ୱରରୁ ଆସୁଥିବା ମତାମତକୁ ବିଶେଷ ଗୁରୁତ୍ୱ ଦେଇଥିଲା। ତେଣୁ ସେ ରାଜସ୍ଥାନର ଯେ କୌଣସି ଆସନରୁ ଲୋକସଭା ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ବିଜେପି ସପକ୍ଷବାଦୀ କେତେକ ୟୁଟ୍ୟୁବର ଏହି ଚର୍ଚ୍ଚା ଆରମ୍ଭ କରିଥିଲେ। ପ୍ରାୟ ଦେଢ ମାସ ପରେ ସାଧାରଣ ନିର୍ବାଚନ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ବାଲେଶ୍ୱର ଲୋକସଭା ନେଇ ନୂତନ ବର୍ଷରେ ବିଜେପି ପ୍ରାର୍ଥୀତ୍ୱ ନେଇ ସ୍ପଷ୍ଟତା ଆସିବାର ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।