ସୋନପୁରରୁ ଶାହା, ଦକ୍ଷିଣ ଓଡ଼ିଶାରୁ ପାଣ୍ଡିଆନ୍ କଲେ ପ୍ରଚାର ….ଦିନେ ଏକାଠି ହୋଟେଲରେ ବସି ଜଳଖିଆ କରିଥିଲେ…

ସୋନପୁର/ବିଷମକଟକ : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବଭଳି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନ କରି ଟିକେ ସମାଲୋଚନା କରିଛନ୍ତି। ଏହା ଦ୍ୱାରା ଦଳୀୟ କାର୍ଯ୍ୟକର୍ତ୍ତା ଉତ୍ସାହିତ ହୋଇ ରହିବେ ବୋଲି ଆଶା କରିଛନ୍ତି।  ସାଧାରଣରେ ଥିବା ବିଜେପି-ବିଜେଡ଼ି ଭାଇଭାଇ ବାର୍ତ୍ତାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିଛନ୍ତି। ଶ୍ରୀ ଶାହା ନିଜ ସଭାରେ କହିଥିଲେ ଯେ ସରକାର ଓଡ଼ିଶାକୁ ବହୁ ଦୂରରେ ରଖିଛନ୍ତି  । ଏଠାରେ ଭ୍ରଷ୍ଟାଚାର ଚାଲିଛି  । ଓଡ଼ିଶାରେ ଖଣି, ପାଣି ସବୁ ଅଛି  । ହେଲେ ସମୃଦ୍ଧି ଠାରୁ ଓଡ଼ିଶା ଦୂରରେ ରହିଛି  । ମୋଦିଙ୍କ ଶାସନରେ ଦେଶରେ ବିକାଶର ଗଙ୍ଗା ବହୁଛି  । ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାର ବିକାଶ ହୋଇପାରିବ  । ଆଉ ଓଡ଼ିଆ ପିଲାମାନଙ୍କୁ ବାହାରକୁ ଦାଦନ ଯିବାକୁ ପଡ଼ିବ ନାହିଁ  । ମୋଦିଜୀ ଦେଶର ସମୃଦ୍ଧି କରିଛନ୍ତି  । ଦେଶକୁ ସୁରକ୍ଷିତ କରିଛନ୍ତି  । ମୋଦି ସରକାର ଚାଉଳ ପଠାଉଛନ୍ତି, ହେଲେ ନବୀନ ବାବୁ କହୁଛନ୍ତି ଆମେ ଦେଉଛୁ  । ଏହା ମିଛ କଥା  । ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ମୋଦି ପଠାଇଲେ  । ହେଲେ ଅପାରଗ ସରକାର ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିଲେନି  । ଏଠାରେ ମୋଦିଙ୍କ ନେତୃତ୍ୱରେ ପଦ୍ମ ଫୁଲ ସରକାର ଗଢ଼ନ୍ତୁ, ସବୁ ଘରକୁ ପାଇପରେ ପାଣି ପହଁଚିଯିବ  । ଆୟୂଷ୍ମାନ ଯୋଜନାର ଫାଇଦା ଓଡ଼ିଶାବାସୀ ପାଉନାହାନ୍ତି  । ଯଦି ଏହି ଯୋଜନା ଲାଗୁହେବ, ତେବେ ମୋଦି ଲୋକପ୍ରିୟ ହୋଇଯିବେ ବୋଲି ନବୀନ ବାବୁ ଡରୁଛନ୍ତି  । ଓଡ଼ିଶାରେ ନାଁ ପାଇପରେ ପାଣି ମିଳୁଛି, ନା ଚିକିତ୍ସା ଖର୍ଚ୍ଚ ମିଳୁଛି, ନା ବସ୍ତ୍ର କାରଖାନା ହେଉଛି  । ଯଦି ବିଜେପି ସରକାର ଆସିବ ତେବେ ଏଠାରେ ଟେକ୍ସଟାଇଲ୍‌ ମିଲ୍‌ ଆସିବ  । ମତ୍ସ୍ୟଜୀବୀଙ୍କୁ ଆଗକୁ ବଢ଼ାଇବା ପାଇଁ କାର୍ଯ୍ୟ କରାଯିବ  । ସେହିପରି କୃଷିଭିତ୍ତିକ କାରଖାନା ସ୍ଥାପନ କରାଯାଇ ଚାଷୀଙ୍କ ବିକାଶ କରାଯିବ  ବୋଲି ଶାହା କହିଛନ୍ତି।

ଅପରପକ୍ଷରେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକେୟନ ପାଣ୍ଡିଆନ ଆଜି କୋରାପୁଟ ଜିଲ୍ଲା ବିଷମକଟକ ଓ ଗୁଣୁପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ବିରୋଧୀଙ୍କୁ ନିଜ ଭାଷଣରେ ଶାଣିତ ଆକ୍ରମଣ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ଲୋକଙ୍କ ଉତ୍ସାହ ଦେଖି, ସେମାନଙ୍କ ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜିଛି । ସେମାନେ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନ ସମୟରେ ସେମାନେ ମିଠା ମିଠା କଥା କୁହନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ, ଓଡିଶା ପାଇଁ ସେମାନେ ଟଙ୍କାକର କାମ କରିନାହାନ୍ତି। ନିର୍ବାଚନ ସରିଲେ ମୁଁ କିନ୍ତୁ ଆପଣମାନଙ୍କ ପାଖକୁ ଧନ୍ୟବାଦ ଦେବାକୁ ଆସିବି ବୋଲି ସେ କହିଥିଲେ। ତେଣୁ ଆପଣମାନେ ଉଭୟ ବିଧାନସଭା ଓ ଲୋକସଭାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ସଭାରେ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଓ ବିଷମକଟକ ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ସାରକା ଏବଂ ଗୁଣୁପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗଙ୍କ ସହିତ ବିଜୁ ଜନତା ଦଳର ଅନେକ ନେତା ଅଭିଭାଷଣ ରଖିଥିଲେ ।

Leave a Reply

Your email address will not be published. Required fields are marked *