ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ମକର ସଂକ୍ରାନ୍ତି ଶୁଭେଚ୍ଛା ସହ ଭୋଜି ଖୁଆଇଲେ ରାଜ୍ୟପାଳ ରଘୁବର
ଭୁବନେଶ୍ୱର : ମୋତେ ଲୋକଙ୍କ କଥା ଶୁଣିବାକୁ ଭଲ ଲାଗେ। ଲୋକଙ୍କ ଭିତରକୁ ଯିବାକୁ ଭଲ ଲାଗେ। ସେମାନଙ୍କ ସମସ୍ୟା ଶୁଣିବା ହିଁ ମାର ପ୍ରାଥମିକତା। ଯେତେବେଳେ ମହାମହିମ ରାଜ୍ୟପାଳ ହେବାର ଶପଥ ନେଲି। ସେ ସମୟରେ ରାଜ୍ୟର ସେବା କରିବାର ମଧ୍ୟ ଶପଥ ନେଇଥିଲି। ଶ୍ରୀଜଗନ୍ନାଥ ଡାକିଲେ ବୋଲି ଓଡ଼ିଶାରେ କାମ କରିବାର ସୁଯୋଗ ପାଇଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ସ୍ଥାନୀୟ ରାଜଭବନ ପରିସରରେ ଥିବା ଅଭିଷକ ହଲରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଭେଟି ଶ୍ରୀ ଦାସ ଏହା କହିଛନ୍ତି। ରାଜ୍ୟପାଳ ଭାବେ ଶପଥ ନେବା ପରେ ରଘୁବର ପ୍ରଥମ ଥର ପାଇଁ ରାଜ୍ୟ ମୁଖ୍ୟାଳୟର ଶହେରୁ ଉର୍ଦ୍ଧ୍ୱ ସାମ୍ବାଦିକ, ଗଣମାଧ୍ୟମ ମାଲିକ, ସମ୍ପାଦକମାନଙ୍କୁ ଭେଟିଛନ୍ତି। ମକର ସଂକ୍ରାନ୍ତି ଥିବାରୁ ପ୍ରଥମ ଭେଟଘାଟ ସ୍ୱରୂପ ଗଣମାଧ୍ୟମ ପ୍ରତିନିଧିଙ୍କ ପାଉଁ ମଧ୍ୟାହ୍ନ ଭୋଜର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବାଦ ସମ୍ପାଦିକା ତନୟା ପଟ୍ଟନାୟକ, ନିର୍ଭୟ ସମ୍ପାଦକ ନବୀନ ଦାସ, ବରିଷ୍ଠ ସାମ୍ବାଦିକ କେ.ରବି, ଶ୍ରୀରାମ ଦାଶ, ରାମଚଣ୍ଡୀପ୍ରସାଦ ରଣସିଂହ, ଅନୀଲ ଦାସ, ଭବାନୀ ତ୍ରିପାଠୀ, ହରିହର ଚାନ୍ଦ, ସୁଜିତ ବିଷୋୟୀ, ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟପାଳ ସମସ୍ତଙ୍କ ପରିଚୟ ପଚାରି ବୁଝିବା ସହ ସାମ୍ବାଦିକମାନଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଥିଲେ। ରଘୁବର ଆଗାମୀ ଦିନରେ ବାକି ଥିବା ତେରୋଟି ଜିଲ୍ଲା ଖୁବ୍ ଶୀଘ୍ର ବୁଲିବେ। କିଛି ଗଣମାଧ୍ୟମ ସମ୍ପାଦକଙ୍କୁ ଅଲଗା ଭାବେ ନିକଟ ଭବିଷ୍ୟତରେ ଭେଟିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ବହୁ ଅଞ୍ଚଳରେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସାଧାରଣ ଜନତା ଅନଭିଜ୍ଞ। ସେମାନେ ଖବରକାଗଜ ଓ ଟିଭି ଠାରୁ ଦୂରରେ,ସେମାନଙ୍କ ସମସ୍ୟା ଖବର କାଗଜ ଓ ଗଣମାଧ୍ୟମରେ ଆସିବା ଦରକାର ବୋଲି ରଘୁବର ଦାସ କହିଛନ୍ତି। ତାଙ୍କ ରାଜଭବନ ସାମ୍ବାଦିକମାନଙ୍କ ପାଇଁ ସବୁ ବେଳେ ଖୋଲା ବୋଲି ଶ୍ରୀ ଦାସ କହିଥିଲେ। ଏହି ଘଟଣା ବାହାରକୁ ଅତି ସାଧାରଣ ମନେ ହେଉଛି। ମାତ୍ର ରାଜ୍ୟ ଗୁଇନ୍ଦା ସଂସ୍ଥା ଏହାକୁ ଗୁରୁତର ସହ ବିଚାର କରୁଛି। ସାମାଜିକ ଗଣମାଧ୍ୟମରେ କେତେକ ସଚିବାଳୟକୁ ସାମ୍ବାଦିକମାନଙ୍କୁ ନ ଛଡା ଯିବା ସହ ରାଜଭବନ ଏହି କାର୍ଯ୍ୟକ୍ରମକୁ ଯୋଡି ଲେଖିଛନ୍ତି। ରାଜ୍ୟପାଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଏକଲବ୍ୟ ବିଦ୍ୟାଳୟ, ଅଙ୍ଗନଓ୍ୱାଡ଼ି କେନ୍ଦ୍ର ବୁଲୁଛନ୍ତି। କୌଣସି ତ୍ରୁଟି ବିଚ୍ୟୁତି ଦେଖିଲେ ତତକ୍ଷଣାତ ସମୃକ୍ତ ଅଧିକାରୀ ଏପରିକି ଜିଲ୍ଲାପାଳଙ୍କୁ ତାଗିଦ୍ ତଥା ସୁଧାରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ଏବଂ ଏପରି ଭାବ ବିନିମୟ କାର୍ଯ୍ୟକ୍ରମ ବୃଦ୍ଧି ପାଇବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ।