ହେମନ୍ତ ହେବେ କି ରାଜସାକ୍ଷୀ….ଦାୟିତ୍ୱ ବଢିଲା ସିନା କମିଲାନି…
ଭୁବନେଶ୍ୱର: ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ପ୍ରାୟ ଏକ ମାସ ପରେ ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଥିଲେ। ନୂତନ ମୁଖ୍ୟ ଶାସନ ସଚିବ ନିଯୁକ୍ତ ପରେ ଏହି ଅଦଳବଦଳ ମଧ୍ୟମ ଧରଣର ଥିଲା। ବହୁ ଚର୍ଚ୍ଚିତ ଅଫିସର ଜି.ମାଥିଭାଥନନ୍ ଏବଂ ଭିନିଲ୍ କ୍ରିଷ୍ଣାଙ୍କୁ ଯଥାକ୍ରମେ ଦୁଇ ପ୍ରମୁଖ ବିଭାଗରୁ ଅପସାରଣ କରାଯାଇଥିଲା। ହେଲେ ବିଜେଡି ସରକାରରେ ଥିବା ଜଣେ ଆଇଏଏସଙ୍କୁ ବିଜେପି ଟାର୍ଗେଟ କରୁଥିଲା। ଏପରିକି କୋଭିଡ ସମୟରେ ହୋଇଥିବା ଜିନିଷ ପତ୍ର କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲା। ଏହି ଅଫିସର ଜଣଙ୍କ ହେଉଛନ୍ତି- ହେମନ୍ତ ଶର୍ମା। ସେ ବର୍ତ୍ତମାନ ଶିଳ୍ପ ବିଭାଗର ପ୍ରମୁଖ ସଚିବ ରହିଛନ୍ତି। ତାଙ୍କୁ ବଦଳି କରାଯାଇ ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯିବ ବୋଲି ଆଶା କରାଯାଉଥିଲା। ହେଲେ ଏପରି ନ ହୋଇ ତାଙ୍କୁ ଅତିରିକ୍ତ ଭାବେ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦାୟିତ୍ୱ ମଧ୍ୟ ମିଳିଲା। ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର ଧରିଲା।
ପ୍ରଶାସନିକ ବ୍ୟବସ୍ଥା ଉପରେ ନଜର ରଖିଥିବା ଜଣେ ସମୀକ୍ଷକଙ୍କ କହିବାନୁଯାୟୀ, ବିଜେଡି ସରକାର ସମୟରେ ଇସ୍ପାତ ଓ ଖଣି ବିଭାଗ ସହ ଶିଳ୍ପ ବିଭାଗର ସମନ୍ୱୟରେ ଶ୍ରୀ ଶର୍ମା ମୁଖ୍ୟ କାର୍ପଟଦାର ଥିଲେ। ନବୀନ ଶେଷ ପାଳିରେ ଏକାଧିକ ଜାତୀୟ, ଅର୍ନ୍ତଜାତୀୟ କମ୍ପାନୀ ସହ ଆଲୋଚନା କରିଥିଲେ। ନବୀନ ଏବଂ ପାଣ୍ଡିଆନଙ୍କ ପରେ ହେମନ୍ତ ଶର୍ମା ହିଁ ସବୁ ଆର୍ଥିକ ଆୟ ତଥା କର୍ପୋରେଟ ରାଜନୀତି ଭେଦ ଜାଣିଛନ୍ତି। ତେଣୁ ତାଙ୍କୁ ବଦଳି ନ କରି ପରାମର୍ଶ ନେବାକୁ ସରକାର ଚାହୁଁଛନ୍ତି। ହେମନ୍ତ ଶର୍ମାଙ୍କ ସପକ୍ଷରେ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ମଧ୍ୟ ଲବି କରିଛନ୍ତି। ଆଗାମୀ ଦିନରେ ଏହି ଅମଲା ଜଣଙ୍କ ପରାମର୍ଶଦାତା କିମ୍ବା ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇପାରନ୍ତି। ସେହିପରି ନବୀନଙ୍କ ପ୍ରଥମ ପାଳିର ଚାରି ବର୍ଷରେ କେତେକ ନିର୍ବାଚନ ପରିଚାଳନାରେ ହେମନ୍ତ ଶର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଗାକୁ ବିଜେପି ଦ୍ୱାରା ବ୍ୟାପକ ପରିମାଣରେ ଅନାସ୍ଥା ପ୍ରସ୍ତାବ ଆସିବାକୁ ଯାଉଛି। ତେଣୁ ଶ୍ରୀ ଶର୍ମାଙ୍କ ସେହି ଅଭିଜ୍ଞତାଙ୍କୁ ମଧ୍ୟ ବିଜେପି ସରକାର ବ୍ୟବହାର କରିବାକୁ ଚାହୁଁଛନ୍ତି। ଶିଳ୍ପ ବିଭାଗକୁ ନେଇ ଶ୍ରୀ ଶର୍ମାଙ୍କ ପାଓ୍ୱାରପଏଣ୍ଚ ପ୍ରେଜେଣ୍ଟେସନ୍ କୁଆଡେ ଶୀର୍ଷ ଶାସକ ମାନଙ୍କୁ ପ୍ରଭାବିତ କରିଛି। ସେହିପରି ଦୁଇ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ଗୁଡ୍ ବୁକ୍ ରେ ମଧ୍ୟ ଶ୍ରୀ ଶର୍ମା ନାମ ଲେଖାଇଛନ୍ତି। ତେଣୁ ତାଙ୍କ ଦାୟିତ୍ୱ ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଇଛି।
ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମେ କେନ୍ଦୁଝର ଗସ୍ତ କରି ଖଣି ମାଫିଆ ଓ ଲୁଟେରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ମତ ରଖିଥିଲେ। ହେଲେ ସେହି ଉକ୍ତି ପରେ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଅୟଃଆରମ୍ଭ ଜଣାପଡୁନାହିଁ। ଏପରିକି ବାରମ୍ବାର କାର୍ଯ୍ୟକାଳ ବୃଦ୍ଧି ପାଇ ଥିବା ଖଣି ନିର୍ଦ୍ଦେଶକ ଏବଂ ସଚିବ ମଧ୍ୟ ବଦଳି ହୋଇପାରିନାହାନ୍ତି। ବରଂ ଅନୀଲ ଅଗ୍ରଓ୍ୱାଲ ଏବଂ ନବୀନ ଜିନ୍ଦଲଙ୍କ ପରି କର୍ପୋରେଟ ବ୍ୟକ୍ତିତ୍ୱ ଆସି ଶ୍ରୀ ମାଝୀଙ୍କୁ ଭେଟି ଗଲେଣି। ଏହି ସବୁ କାର୍ଯ୍ୟରେ ଶ୍ରୀ ଶର୍ମାଙ୍କ ପାରିବାପଣିଆ ରହିଛି। ତେଣୁ ଅସ୍ମିତାକୁ କାନ୍ଧରେ ଧରି ବୋହୁଥିବା ଓଡ଼ିଶା ସରକାର ଅଣ ଓଡ଼ିଆ ଅଫିସରରାଜରୁ ବିଜେପି କେମିତି ମୁକୁଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଅତୀତରେ ହେମନ୍ତ ଶର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ କରାଯାଇଥିବା ଖବର ଲିଙ୍କ୍ ନିମ୍ନରେ ପ୍ରଦାନ କରାଯାଇଛି। https://timesofindia.indiatimes.com/city/bhubaneswar/bjp-files-complaint-against-odisha-govt-for-false-claim-of-health-scheme-beneficiaries/articleshow/66403894.cms
One thought on “ହେମନ୍ତ ହେବେ କି ରାଜସାକ୍ଷୀ….ଦାୟିତ୍ୱ ବଢିଲା ସିନା କମିଲାନି…”