ଏହି କାରଣ ପାଇଁ ହରିୟାଣାରେ ନିଶ୍ଚିତ ପରାଜୟକୁ ବିଜୟରେ ପରିବର୍ତ୍ତନ କଲା ବିଜେପି.. କଣ ଆସିଲା ନିର୍ବାଚନୀ ପରବର୍ତ୍ତୀ ସର୍ଭେ… ଆସନ୍ତୁ ଜାଣନ୍ତୁ..
ଚଣ୍ଡିଗଡ଼- ହରିୟାଣା ନିର୍ବାଚନରେ କଂଗ୍ରେସ ଜିତିବ ବୋଲି ଏକଜିଟ୍ ପୋଲ୍ ମାଧ୍ୟମରେ ଏକ ବାତାବରଣ ତିଆରି କରାଯାଇଥିଲା। ନିର୍ବାଚନ ପ୍ରଚାରରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ପଛୁଆବର୍ଗ ଏବଂ ଦଲିତ ବର୍ଗକୁ ଏକାଠି ହେବାକୁ ସ୍ଲୋଗାନ ଦେଇଥିଲେ। ହେଲେ ପଛୁଆବର୍ଗ ଏବଂ ଦଳିତ ବର୍ଗର ସିଂହଭାଗ ଭୋଟ ଏକାଠି ହୋଇଗଲା। ହେଲେ କଂଗ୍ରେସ ପାଇଁ ନୁହେଁ, ବିଜେପି ପାଇଁ। ଆଉ ବିଜେପି ହରିୟାଣା ବାଜି ଜିତିଗଲା। ଯେମିତି ଖାଇବା ଥାଳି ଛଡାଇ ଆଣିଲା କଂଗ୍ରେସ ମୁହଁରୁ।

ଆସନ୍ତୁ ପୂର୍ଣ୍ଣାଙ୍ଗ ଭାବେ ଆଲୋଚନା କରିବା ଏହି ପ୍ରସଙ୍ଗରେ। କଂଗ୍ରେସର ମୁଖ୍ୟ ଚେହେରା ଥିଲେ ଭୁପିନ୍ଦର ସିଂ ହୁଡା ଏବଂ ତାଙ୍କ ପୁଅ ଦୀପେନ୍ଦ୍ର ହୁଡା। ଏମାନେ ଜାଠ ବର୍ଗରୁ ଆସନ୍ତି। ଏହି ବର୍ଗ ହରିୟାଣାର ଏକ ସମ୍ପନ୍ନ ବର୍ଗ। ଯାହାର ଲୋକସଂଖ୍ୟା ୨୨ ପ୍ରତିଶତ। ମାତ୍ର ଜାଠ କେବଳ କଂଗ୍ରେସର ଭୋଟର ନ ଥିଲେ। ଅନ୍ୟ ଦୁଇ ଆଞ୍ଚଳିକ ଦଳ । ଆଇଏନଏଲଡି ଏବଂ ଜେଜେପିର ମୁଖ୍ୟ ଭୋଟର ମଧ୍ୟ ଜାଠ ବର୍ଗ। ଯାହାର ସୁଯୋଗ ନେଲା ବିଜେପି। ଜାଠ ବହୁଳ ଅଞ୍ଚଳ ଗୁଡିକରେ ବିଜେପି ଅଣ ଜାଠ ତଥା ବହୁଳ ଭାବେ ପଛୁଆ ବର୍ଗଙ୍କୁ ପ୍ରାର୍ଥା କରିଲା। ଜାଠ ଭୋଟ ଗୁଡିକ ଉଣା ଅଧିକେ ତିନୋଟି ଦଳ ସହ ବାଣ୍ଟି ହୋଇଗଲା। ଏହି ଦଳ ଗୁଡିକ ହେଉଛି-କଂଗ୍ରେସ, ଆଇଏନଏଡି ଏବଂ ଜେଜେପି। ଏହାର ଅପରପଟରେ ବିଜେପି ପଛୁଆବର୍ଗର ସିଂହଭାଗ ଭୋଟ ସହ ଦଳିତ ଭୋଟ ପାଇଲା। ଅଶୀ ଦଶକର ଶେଷ ଭାଗରୁ ଉଚ୍ଚ ବର୍ଗର ଭୋଟ(ବ୍ରାହ୍ମଣ, କ୍ଷତ୍ରିୟ, କାୟସ୍ଥ, କ୍ଷତ୍ରି, ରାଜପୁତ୍) ଆଦି ଭୋଟ ବିଜେପି ସହ ରହିଆସିଛି। ତେଣୁ ପୁରୁଣା ଭୋଟ ବ୍ୟାଙ୍କ୍ ସହ ପଛୁଆବର୍ଗର ସିଂହଭାଗ ଏବଂ ଦଳିତ ବର୍ଗର ଏକ ଅଂଶ ବିଜେପିକୁ ବିଜୟ ଆଣିଦେଲା। ଯାହାକୁ ଲୋକନୀତି-ସିଏସଡିଏସ୍ ପକ୍ଷରୁ ଅତି ନିଖୁଣ ଭାବେ ବିଶ୍ଳେଷଣ କରାଯାଇଛି। ବିଜେପି ହରିୟାଣାରେ ବଡ଼ ବଡ଼ ରାଲି କରିବା ଅପେକ୍ଷା ବିଭିନ୍ନ ଜାତି ସମୂହ ଗୁଡିକର ଛୋଟ ଛୋଟ ବୈଠକ ଉପରେ ଗୁରୁତ୍ୱ ଦେଇଥିଲା।

ସେହିପରି ଅତୀତରେ ଦଳିତ ବର୍ଗ ଗୁଡିକ ଉପରେ ଜାଠ ମାନଙ୍କ ଅତ୍ୟାଚାର ଏବଂ ପୂର୍ବ କଂଗ୍ରେସ ସରକାରରେ ଖାପ୍ ପଞ୍ଚାୟତ ନିଷ୍ପତ୍ତିକୁ ଠିକ୍ ଦର୍ଶାଇବା ଫଳ ମଧ୍ୟ କଂଗ୍ରେସକୁ ମହଙ୍ଗା ପଡିଲା। ତେଣୁ ରାହୁଲ ଗାନ୍ଧୀ ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନିର୍ବାଚନୀ ବ୍ୟାକରଣ ବିଜେପି ଚତୁରତାର ସହ ଚୋରେଇ ନେଲା। ନିମ୍ନରେ ଆମେ କେଉଁ ବର୍ଗ ଭୋଟ ହରିୟାଣାରେ କେଉଁ ଆଡକୁ ଯାଉଛି..ତାର ଏକ ପ୍ରତିଫଳନ ଗୋଟିଏ ଛୋଟ ପରିସଂଖ୍ୟନରେ ପରିବେଷଣ କରାଯାଇଛି।

