ଭାରତର ନିର୍ବାଚନ ଆକଳନ ଏକ ଜଟିଳ ବ୍ୟାପାର କାହିଁକି …….

ଭୁବନେଶ୍ୱର :(ବିଜୟ ସାହୁ) ୧୯୫୧-୫୨ମସିହାରୁ ୨୦୧୯ ପର୍ଯ୍ୟନ୍ତ ଯେତେ ନିର୍ବାଚନ ହେଲାଣି । କୌଣସି ଗୋଟିଏ ନିର୍ବାଚନ ଅମୁକ ସରକାର ଗଢ଼ିବା ପାଇଁ ହେଇ ନାହିଁ । ସବୁ ନିର୍ବାଚନର ମୁଖ୍ୟ ସ୍ଲୋଗାନଗୁଡିକୁ ( ସରକାରକୁ ଆସିଥିବା ଦଳ ଓ ସରକାରରୁ ହଟେଇବାକୁ ଦଳ ବା ଦଳସମୂହଙ୍କ )  ଅଧ୍ୟୟନ କଲେ ଏଭଳି ତଥ୍ୟ ମିଳିବ । ୧୯୭୧ ନିର୍ବାଚନ ପରଠାରୁ ସବୁ କଥା ସ୍ପଷ୍ଟ ମନେ ପଡୁଛି । ପୂର୍ବର ନିର୍ବାଚନଗୁଡିକ ସମ୍ପର୍କରେ ଅନେକ ଗବେଷଣାତ୍ମକ ରଚନା ପୁସ୍ତକ ଆକାରରେ ରହିଛି । ଭାରତ ଏକ ବହୁଦା ବିଭକ୍ତ ଦେଶ କେବଳ ନୁହେଁ ଭୌଗଳିକକାରଣରୁ ଭାରତର ରାଜନୈତିକ ସଂସ୍କୃତି ତିନୋଟି ପର୍ବତମାଳା ଦ୍ଵାରା ଗଢିଉଠିଛି ଓ ଏହା ଭୋଟ୍ ର ଙ୍କ ଭୋଟ୍ ଦାନ ବେଳେ ପ୍ରତିଫଳିତ ହେଇଛି । ତେଣୁ କୌଣସି ଏକକ  ପ୍ରସଙ୍ଗ ଦ୍ୱାରା ନିର୍ବାଚନ ଫଳାଫଳ ହେଇନାହିଁ ।

ପ୍ରଥମ ନିର୍ବାଚନରେ ଉତୁଙ୍ଗ ନେତା ନେହେରୁ ଥିଲେ । ଭାରତୀୟ ଜାତୀୟ କଂଗ୍ରେସ କ୍ଷମତାକୁ ଆସିଥିଲା ସତ୍ୟ କିନ୍ତୁ ତାଙ୍କ ବିରୁଦ୍ଧରେ ଯେଉଁମାନେ ନିର୍ବାଚନ ମଇଦାନକୁ ଆସିଥିଲେ ସେମାନେ ମଧ୍ୟ ଜଣେ ଜଣେ ଉତୁଙ୍ଗ ନେତାଥିଲେ । ସମସ୍ତେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ନ କରାଇବା ପାଇଁ ହିଁ ଭୋଟ୍ ରେ ଅବତୀର୍ଣ୍ଣ ହେଇଥିଲେ । ସ୍ୱତନ୍ତ୍ର ପାର୍ଟି ପାଣ୍ଠି ଦିଗରୁ ସର୍ବାଗ୍ରେ ଥିଲା । କାରଣ ସମସ୍ତ ରାଜାମହାରାଜା ପାଣ୍ଠି ଯୋଗାଇଥିଲେ । ଜନସଂଘ ଓ ରାମରାଜ୍ୟ ପରିଷଦ ନେହେରୁଙ୍କୁ ହିନ୍ଦୁ ବିରୋଧୀ , ମୁସଲିମ ସପକ୍ଷବାଦୀ ଇତ୍ୟାଦି କହି ନେହେରୁଙ୍କ ନିର୍ବାଚନ ମଣ୍ଡଳୀରେ ଏତେ ପୋଷ୍ଟର ମାରିଥିଲେ ଯେ କଂଗ୍ରେସ ପାଇଁ ସ୍ଥାନ ଛାଡ଼ି ନଥିଲେ । ରାମ ରାଜ୍ୟ ପରିଷଦ ସହ ଜନସଂଘ ମଧ୍ୟ ଥିଲା ଓ ପଞ୍ଜାବରେ ମେଣ୍ଟ କରିଥିଲା । ପଞ୍ଜାବ ସେତେବେଳେ ଭାରତ ବିଭାଜନର ସମସ୍ତ ପୀଡା ଭୋଗୀ ଥିଲା । ନେହେରୁ ବିଭାଜନ ପାଇଁ ଦାୟୀ ପ୍ରଚାର ହେଇଥିଲା । ଲୋହିୟା ମାତ୍ର ଥରେ ଲୋକସଭାକୁ ଉପ ନିର୍ବାଚନରେ ଜିତିଥିଲେ ବି ବିହାର ,ଯୁକ୍ତ ପ୍ରଦେଶର ତୃଣମୂଳ ସ୍ତରରେ ବ୍ୟାପକ ପ୍ରଚାର , ରାଲି କରିଥିଲେ । କମ୍ୟୁନିଷ୍ଟ ପାର୍ଟି ମଧ୍ୟ ନେହେରୁଙ୍କ ବିରୁଦ୍ଧରେ ଥିଲା । କଂଗ୍ରେସର ଅଧିକାଂଶ ନେତା କେବଳ ଜୟ ପ୍ରକାଶଙ୍କୁ ଛାଡି ନେହେରୁ ବିରୁଦ୍ଧରେ ଥିଲେ । ପ୍ରଥମ ନିର୍ବାଚନ ସମ୍ପୂର୍ଣ୍ଣ ସାମ୍ପ୍ରଦାୟିକ ଉତ୍ତେଜନା ଭିତରେ ହେଇଥିଲା । ଆମ୍ବେଦକର ମଧ୍ୟ ବିରୋଧୀ ଥିଲେ ।

ଅର୍ଥାତ ଯେଉଁ କଥା ଉପରେ ଉଲ୍ଲେଖ କଲି ନେହେରୁ ଙ୍କ ବିରୁଦ୍ଧରେ ବିକଳ୍ପ ରାଜନୈତିକ ପ୍ରସଙ୍ଗ ନ ଥିଲା । କେବଳ ନେତାଙ୍କୁ ହଟାଅ। ୧୯୫୭ ନିର୍ବାଚନରେ ମଧ୍ୟ କଂଗ୍ରେସର ରକ୍ଷଣଶୀଳଗୋଷ୍ଠୀ ଅନୁରୂପ ପନ୍ଥା ଗ୍ରହଣ କରିଥିଲେ । ଯେଉଁମାନେ ଯୁକ୍ତ ପ୍ରଦେଶ ( ଉତ୍ତର ପ୍ରଦେଶରୁ) ପ୍ରାର୍ଥୀ ହେଇଥିଲେ ଅଧିକାଂଶ ନେହେରୁ ବିରୋଧୀ । ୧୯୬୨ ନିର୍ବାଚନ ଭାରତ-ଚୀନ ସୀମା ବିବାଦ ପୃଷ୍ଠଭୂମିରେ ଅନୁଷ୍ଠିତ ହେଇଥିଲା । ସେତେବେଳେ ନେହେରୁ ସୋସାଲିଷ୍ଟ ପାର୍ଟି, ସ୍ୱତନ୍ତ୍ର ପାର୍ଟି, ଜନସଂଘର ମିଳିତ ଆକ୍ରମଣର ଶିକାର ହେଇଥିଲେ । ପାର୍ଲିଆମେଣ୍ଟରେ ନେହେରୁ କଂଗ୍ରେସ ସଭ୍ୟମାନଙ୍କ ଦ୍ଵାରା ବେଶୀ ଆକ୍ରମଣମଣର ଶିକାର ହେଇଥିଲେ । ଏମିତି ହେଲା ଯେ ୧୯୬୨ ନିର୍ବାଚନ ପରେ ନେହେରୁ ପ୍ରଧାନମନ୍ତ୍ରୀ ପଦରୁ ନିଜର ଇସ୍ତଫା କଂଗ୍ରେସ ୱାର୍କିଙ୍ଗ କମିଟିକୁ ଦେଇ କିଛି ଦିନ ହିମାଳୟ ଚାଲି ଯାଇଥିଲେ । ସିଧାସଳଖ କହିଥିଲେ ଯୁବପିଢ଼ି ଦାୟିତ୍ୱ ନେବା ଦରକାର । ମୁଁ ପାରୁନାହିଁ । ଅବଶ୍ୟ କାର୍ଯ୍ୟକାରିଣୀରେ  କମିଟି ସର୍ବସମ୍ମତି ରେ ତାଙ୍କ ଇସ୍ତଫା ନାକଚ କରିଥିଲେ । କାରଣ ଭୋଟ୍ ର ତାଙ୍କ ସପକ୍ଷରେ ଥିଲେ ।

ତାହେଲେ ନେହେରୁଙ୍କୁ ଏତେ ବିରୋଧ ସତ୍ତ୍ୱେ ସେ କିପରି ଦଳକୁ ଜିତାଉଥିଲେ । ଏହାର ଗୁରୁତ୍ୱପୂର୍ଣ କାରଣ ଭାରତର ରାଜନୈତିକ ସଂସ୍କୃତି ସମଗ୍ର ଦେଶରେ ଏକ ପ୍ରକାର ଇସ୍ୟୁ  ଦ୍ଵାରା ପରିଚାଳିତ ହେଉନଥିଲା । ହିନ୍ଦୀ ପ୍ରଦେଶଗୁଡିକର ପ୍ରଚାର ବିନ୍ଧ୍ୟ ପର୍ବତମାଳାରୁ ଗଙ୍ଗାର ସମତଳ ପ୍ରଦେଶ ପୂର୍ଵ ପର୍ଯ୍ୟନ୍ତ ଏବଂ ବିନ୍ଧ୍ୟ ପର୍ବତମାଳା ସେପଟେ ଅର୍ଥାତ ସମୁଦ୍ର ତଟୀୟ ପ୍ରଦେଶ ପର୍ଯ୍ୟନ୍ତ ( କେବଳ କେରଳକୁ ଛାଡି ) ପ୍ରଭାଵ ପକାଉନଥିଲା । ନେହେରୁଙ୍କ ନେତୃତ୍ୱରେ କଂଗ୍ରେସ ଜିତୁଥିଲା । କେବଳ କେନ୍ଦ୍ରରେ ନୁହେଁ ରାଜ୍ୟଗୁଡିକରେ ମଧ୍ୟ । କେନ୍ଦ୍ରର ହିନ୍ଦୀ ଭାଷା ନୀତି ଯୋଗୁଁ ହିଁ ମାଡ୍ରାସ ତଥା ବର୍ତ୍ତମାନର ତାମିଲନାଡୁ କଂଗ୍ରେସ ଠାରୁ ଦୂରେଇ ଯାଇଥିଲା । ଶ୍ରୀମତୀ ଗାନ୍ଧୀ ୧୯୭୧ ନିର୍ବାଚନ ରେ ଯେତେବେଳେ ନେତୃତ୍ୱରେ ରହିଲେ ଓ କଂଗ୍ରେସ ବିଭାଜନ ଘଟି ସଂଗଠନ କଂଗ୍ରେସ ହେଲା ସେତେବେଳର ଅନେକ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତିଲେଖରେ ରହିଛି ଇନ୍ଦିରାଗାନ୍ଧୀଙ୍କ ଜିତିବା ସମ୍ଭାବନା କେହି ଦେଖୁ ନଥିଲେ । ବର୍ତ୍ତମାନ ମହାରାଷ୍ଟ୍ର କଂଗ୍ରେସର ବୟସ୍କ ନେତା  ଓ ଜଣେ ସାମ୍ବାଦିକ କେତେଲକର ଏକ ଆଲୋଚନାରେ କହୁଥିଲେ ଦିଲ୍ଲୀର 6 ଆସନ ମଧ୍ୟ କଂଗ୍ରେସ ହାରୁଛି ବୋଲି ସେ ନିଜେ କଂଗ୍ରେସ ନେତାମାନଙ୍କୁ କହିଥିଲେ । ଏପରି କି ଇନ୍ଦିରା ଗାନ୍ଧୀ ହାରି ପାରନ୍ତି ସନ୍ଦେହ କରୁଥିଲେ ।  କିନ୍ତୁ ଇନ୍ଦିରା ଗାନ୍ଧୀ ସଂଗଠନ କଂଗ୍ରେସର ରଥୀମହାରଥୀଙ୍କୁ ଧୂଳି ଚଟେଇଥିଲେ । ଏପରିକି କାମରାଜ ନାଦେର ମଧ୍ୟ ହାରିଥିଲେ । ଏହା ପ୍ରମାଣ କରୁଛି ନିର୍ବାଚନ ବେଳେ ଗୋଟିଏ ପ୍ରକାର ଇସ୍ୟୁ କାର୍ଯ୍ୟ କରିନାହିଁ ।  ଏବଂ ଏହି ନ୍ୟାରେଟିଭ ମିଡ଼ିଆ ହିଁ ସୃଷ୍ଟି କରେ ଓ ରାଜନୈତିକ ଦଳ ତାହାକୁ ବ୍ୟବହାର କରନ୍ତି ।

୧୯୭୭ରେ ଇନ୍ଦିରାଗାନ୍ଧୀ ଓ କଂଗ୍ରେସ ହାରିବ ବୋଲି କୌଣସି ଭୋଟର ଜାଣି ନଥିଲେ । ଇନ୍ଦିରା ଗାନ୍ଧୀ ବି ଜାଣି ନଥିଲେ । ଜାଣିଥିଲେ କାହିଁକି ନିର୍ବାଚନ କରିଥାନ୍ତେ ? କିନ୍ତୁ ଯେତେବେଳେ ନିର୍ବାଚନ ଘୋଷଣାକଲେ ଓ ଜରୁରୀ ପରିସ୍ଥିତି ହଟେଇଦେଲେ ସେତେବେଳେ ବିରୋଧୀ ଦଳ ବୋଲି କିଛି ନ ଥିଲା । ନେତାମାନେ ଜେଲରୁ ଫେରୁଥିଲେ । କିନ୍ତୁ ସଞ୍ଜୟଗାନ୍ଧୀଙ୍କ ଗୁଣ୍ଡାମୀ, ବନ୍ଧ୍ୟାକରଣ ଏମିତି ପରିସ୍ଥିତି ସୃଷ୍ଟିକଲା ଭୋଟ୍ ର ଚାହିଁଲେ କଂଗ୍ରେସ ହଟୁ ।  କଂଗ୍ରେସ ହଟିଲା, ଇନ୍ଦିରା ଓ ସଞ୍ଜୟ ହାରିଲେ, କିନ୍ତୁ ଦକ୍ଷିଣ ଭାରତରେ ଅଣ କଂଗ୍ରେସ ଦଳ ନିଶ୍ଚିହ୍ନ ହେଇଥିଲେ । ୧୯୮୦ ରେ କେହି ଭାବି ନଥିଲେ ଇନ୍ଦିରା ପୁଣି ଫେରିବେ । ସେଥିପାଇଁ ନିଜର ରାଜନୈତିକ ସ୍ଥିତି ରକ୍ଷା କରିବା ପାଇଁ ପ୍ରଥମେ ରାଜ୍ୟ ସଭାକୁ ଯାଇଥିଲେ । କିନ୍ତୁଯେତେବେଳେ ନିର୍ବାଚନ ହେଲା ଜନତା ପାର୍ଟି ସରକାର ଦୁଇ ବର୍ଷ ତିଷ୍ଠି ନ ଥିବାରୁ ଭୋଟର କହିଲେ ଜନତା ପାର୍ଟି ଇତ୍ୟାଦିଙ୍କୁ ହଟାଅ । ୧୯୮୪ ନିର୍ବାଚନ ଇନ୍ଦିରାଙ୍କ ହତ୍ୟା ପରେ ହେଲା । ଲୋକେ ବିରୋଧୀଙ୍କୁ ନିର୍ମୂଳ କରିଦେଲେ ।

୨୦୦୪  ନିର୍ବାଚନ ବିଚାର କରାଯାଉ ।ଗୋଟିଏ ପଟେ ବାଜପେୟୀଙ୍କ ଭଳି ତୁଙ୍ଗ ନେତା ଓ ଅନ୍ୟ ପଟେ ସୋନିଆଙ୍କ ଭଳି ଅନଭିଜ୍ଞ ନେତ୍ରୀ । ହିନ୍ଦୀ ଜାଣି ନଥିଲେ । ଇଟାଲୀ ରୁ ଆସିଛନ୍ତି । କେହି ବିଶ୍ୱାସ କରି ନଥିଲେ ବାଜପେୟୀ ହାରିବେ । ତେଣୁ ଯେଉଁ ପ୍ରଶ୍ନ ହୁଏ ଲୋକେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦେଖି ଭୋଟ୍ ଦିଅନ୍ତି ତାହା ସତ୍ୟ ନୁହେଁ । ଯଦିଓ ୨୦୧୪ ଓ ୨୦୧୯ ରେ ମୋଦୀ ଆସିଲେ । କିନ୍ତୁ ୨୦୧୪ ରେ କଂଗ୍ରେସ ହଟେଇବାକୁ ଲୋକ ଭୋଟ୍ ଦେଲେ ଓ ୨୦୧୯ ରେ ପାକିସ୍ତାନ ଓ ମୁସଲମାନ ବିରୋଧୀ ସ୍ଲୋଗାନ ଯୋଗୁଁ ଲୋକ ଭୋଟ୍ ଦେଲେ । ଏଥିରେ ସାଧାରଣ ଭୋଟରଙ୍କ କୌଣସି ଇସ୍ୟୁ ନ ଥିଲା । କେବଳ ସାମୟିକ ଭାଵଉଦ୍ଦୀପନା ଫଳାଫଳକୁ ପ୍ରଭାବିତ କରିଥିଲା । ଉପରୋକ୍ତ ସମସ୍ତ ତଥ୍ୟ କହୁଛି ଭାରତୀୟ ଭୋଟ୍ ର ମୂଳରୁ କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ଦେଖି ଭୋଟ୍ ଦେଉ ନାହାନ୍ତି ।ସବୁ ଅଞ୍ଚଳରେ ସମାନ ପ୍ରକାର ଭୋଟ୍ ହେଉନାହିଁ । ବିଭିନ୍ନ ପ୍ରଦେଶରେ ଏପରି କି ଗୋଟିଏ ପ୍ରଦେଶର ଭିନ୍ନ ଭିନ୍ନ ଭାଗରେ ଭୋଟ୍ ର ଭିନ୍ନ ଭିନ୍ନ ପ୍ରସଙ୍ଗ ଦେଖି ଭୋଟ୍ ଦେଉଛନ୍ତି । ତେଣୁ ଗଣମାଧ୍ୟମ ସୃଷ୍ଟି କରୁଥିବା ନ୍ୟାରେଟିଭ ଅଧିକାଂଶ ନିର୍ବାଚନରେ ମିଥ୍ୟା ପ୍ରମାଣିତ ହେଇଛି । ଭୋଟ୍ ର ଆଚରଣ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ହେଉଛି । ଆଗାମୀ ନିର୍ବାଚନ ସେଭଳି ନ ହେବ କିଏ କହିବ ? ତେଣୁ ଆହୁରି ୧୦୦ ଦିନ ପୂର୍ବରୁ ୯୦ କୋଟି ଭୋଟ୍ ର ଙ୍କ ଫଳାଫଳ ଆକଳନ ଲକ୍ଷେ ଦୁଇ ଲକ୍ଷଭୋଟରଙ୍କ ମତ ଦ୍ଵାରା ସଠିକ ତଥ୍ୟ ପ୍ରଦାନ କରିବ ଭାବିବା ଅନ୍ଧାରରେ ବାଡ଼ି ବୁଲେଇବା ସଦୃଶ ।

Leave a Reply

Your email address will not be published. Required fields are marked *