ଯାଜପୁର ବିଜେଡ଼ି ନେତାଙ୍କ ମଧ୍ୟରେ ଛନକା, ନବୀନଙ୍କ ଆଗରେ ଗୁହାରି..ସାର ପୁଲିସ୍ – ଅଫିସର ଆମ କଥା ଶୁଣୁନାହାନ୍ତି
ଭୁବନେଶ୍ୱର: ପରାଜୟ ପରେ ଯାଜପୁର ଜିଲ୍ଲା ବିଜେଡି ସମୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁଇଦିନ ତଳେ ନବୀନ ନିବାସର ଜିଲ୍ଲାର ନେତାମାନଙ୍କୁ ନେଇ ଏହି ସମୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଥମ ଦଫାରେ ଦଳରେ କିଛି ନେତୃବୃନ୍ଦ ପ୍ରଥମେ ପ୍ରମିଳା ମଲ୍ଲିକଙ୍କ ବାସଭବନରେ ବସି ନବୀନ ନିବାସ ଯାଇଥିଲେ। ସେଠାରେ ବିଧାନସଭା ନିର୍ବାଚନମଣ୍ଡଳୀଓ୍ୱାରୀ ସମୀକ୍ଷା ହୋଇଥିଲା। ଏହି ବୈଠକରେ ସବୁ ପ୍ରାର୍ଥୀ(ବିଜୟ-ପରାଜିତ) ଅଂଶଗ୍ରହଣ କରିଥିଲେ। ବଡ଼ଟଣାରୁ ହାରିଥିବା ବର୍ଷା ପ୍ରିୟଦର୍ଶିନୀ ନଥିଲେ। ତାଙ୍କର ଜଣେ କା ରହିଥିଲେ। ସେହିପରି ଟିକେଟ୍ ପାଇ ନ ଥିବା ଅମର ପ୍ରସାଦ ଶତପଥୀଙ୍କୁ ମଧ୍ୟ ଦେଖିବାକୁ ମିଳି ନ ଥିଲା।
ବୈଠକରେ ନବୀନ ପଟ୍ଟନାୟକ ସିଧାସଳଖ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ନିଜର ସର୍ବାଧିକ ଅସହାୟତା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ନୂଆ ସରକାର ଗଠନ ପରେ କୌଣସି ଅଫିସର, ପୁଲିସ୍ ତାଙ୍କ କଥା ଶୁଣୁ ନାହାନ୍ତି। ଏମିତି କି ନିର୍ବାଚନମଣ୍ଡଳୀ ଏକ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଆଗାମୀ ଦିନରେ ଆହୁରି ଉଗ୍ର ରୂପ ନେବାକୁ ଯାଉଛି। ସେହିପରି ଏହାର ଦୁଇଦିନ ପରେ ଶ୍ରୀ ବଳବନ୍ତରାୟ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଚାପରେ ରହିଛନ୍ତି। ଯେଉଁ ଅଫିସରମାନଙ୍କୁ ନାଁ ଧରି ଡାକୁଥିଲେ, ସେହି ଅଫିସରମାନେ ତାଙ୍କ ଫୋନ୍ ଉଠାଉନାହାନ୍ତି। ବବି ଏବଂ ପ୍ରଣବଙ୍କୁ ବିଜେପି ଆଗାମୀ ଦିନରେ ସର୍ବାଧିକ ଟାର୍ଗେଟ କରିବ ବୋଲି ଜଣାପଡିଛି। ପ୍ରୀତିରଞ୍ଜନ ଘଡାଇ ନିଜ ନିର୍ବାଚନମଣ୍ଡଳୀ ବ୍ୟାକ୍ ଫୁଟରେ ରହିବେ। ମାତ୍ର ତାଙ୍କୁ ଏତେଟା ଟାର୍ଗେଟ କରାଯିବ ନାହିଁ। ଅନୁରୂପ ଭାବେ ପ୍ରମିଳା ମଲ୍ଲିକଙ୍କୁ ମଧ୍ୟ ଏତେଟା ଟାର୍ଗେଟ କରାଯିବ ନାହିଁ ବୋଲି ଜଣାପଡିଛି।