ଏଠି ବୋପା ପରେ ପୁଅ ନେତା ହୁଏନି….ଧର୍ମେନ୍ଦ୍ରଙ୍କୁ ବାଣ ମାରି ଚାଲି ଗଲେକି ନଡ୍ଡା….ଜିଲ୍ଲା ଗସ୍ତରେ ପରିବାରବାଦକୁ ମୋହନଙ୍କ ଟାର୍ଗେଟ
ଭୁବନେଶ୍ୱର: ଏକଦା କେନ୍ଦ୍ରୀୟ ବିଜେପି ନେତା ହୁଅନ୍ତୁ କି, ଭାରତ ସରକାରଙ୍କ କୌଣସି ମନ୍ତ୍ରୀ ଓଡ଼ିଶା ଆସିଲେ ଭାୟା ଧର୍ମେନ୍ଦ୍ର ପ୍ରଧାନ ଜାଣୁଥିଲେ। ମାତ୍ର କିଛିମାସ ହେବ ଏଥିରେ ବହୁ ପରିବର୍ତ୍ତନ ଆସିଲାଣି। ଧର୍ମେନ୍ଦ୍ର ପ୍ରଧାନ ଆଉ ଏକ ମାତ୍ର ରାଜ୍ୟ ବିଜେପିର ଶକ୍ତି କେନ୍ଦ୍ର ହୋଇ ନାହାନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ, ତାଙ୍କ ଉପରେ ଭାରି ପଡୁଛନ୍ତି। ମନମୋହନ ସାମଲ ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେବେ ନା ପୂର୍ବପରି ରାଜ୍ୟ ସଭାପତି ପଦରେ ରହି ପୂର୍ଣ୍ଣକାଳୀନ ରାଜ୍ୟସଭାକୁ ଯିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। କୌଣସି ସରକାରୀ ପଦ ଗ୍ରହଣ ପରେ ମନମୋହନ ସାମଲଙ୍କ ପରେ କିଏ ସଭାପତି ହେବ, ସେ ଲଢେଇ ମଧ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସମୟରେ ମୋହନ ମାଝୀଙ୍କୁ କୌଣସି ପ୍ରକାର ବିଚଳିତ କରିବାକୁ କେନ୍ଦ୍ର ଚାହୁଁନାହିଁ। ହେଲେ ବିଜେଡିରୁ ଯାଇ ବିଜେପିରେ ନେତା ହୋଇଥିବା ଗୋଷ୍ଠୀ ଏବଂ ଶ୍ରୀ ପ୍ରଧାନ ସରକାରଙ୍କୁ ପରୋକ୍ଷରେ ଅକଳରେ ପକାଇଛନ୍ତି। ଇଏ ତ ଗଲା। ସଭାପତି କଥା। ବର୍ତ୍ତମାନ ବିଜେପି ପାର୍ଟି ଅଫିସରେ ପରିବାରବାଦ୍ ଚର୍ଚ୍ଚା ଜୋର ଧରିଛି।

ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ଯାଜପୁରରେ ମୋହନ ମାଝୀ ଦେଇଥିବା ବକ୍ତବ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି। ବିଜେପି ସରକାର ଶହେ ଦିନ ପୂରିବା ପରେ ଜେପି ନଡ୍ଡା ପ୍ରଥମ ଥର ଓଡ଼ିଶା ଆସିଥିଲେ। କହିଲେ ବିଜେପିରେ ପରିବାରବାଦ୍ ନାହିଁ। ଏଠି ବାପ ପରେ ପୁଅ ନେତା ହୋଇ ନ ଥାଏ। ଏକଥା କୁଆଡେ ଧର୍ମେନ୍ଦ୍ରଙ୍କୁ ଇସାରା ଥିଲା ବୋଲି ମନମୋହନ ସାମଲଙ୍କ ଗୋଷ୍ଠୀ ଛିଗୁଲାଉଛନ୍ତି। ବିଜେପିର ବର୍ତ୍ତମାନ ବରିଷ୍ଠ ନେତୃମଣ୍ଡଳୀଙ୍କ ମଧ୍ୟରେ ଶ୍ରୀ ପ୍ରଧାନ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଗଧାଡିର। ଉଭୟ ଗୋଟିଏ ଗୋଷ୍ଠୀର। ତେଣୁ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି କୁହାଗଲେଣି। ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ତାଙ୍କୁ ସହଯୋଗ କର। ରାସ୍ତାରେ କଣ୍ଟା ହୁଅ ନାହିଁ। ଦିଲ୍ଲୀରେ ପଦ ମିଳିଛି। ବାହାରେ ଦାୟିତ୍ୱ ମିଳିଛି, ତାକୁ ଧ୍ୟାନ ଦିଅ। ଇଏ ଥିଲା କଟା ଘା। ଏଥିରେ ଦୁଇ ଦିନ ତଳେ ମୋହନ ଚୂନ ମାରିଛନ୍ତି।

ଯାଜପୁର ଜିଲ୍ଲା ଗସ୍ତରେ ଥିବାବେଳେ ଜିଲ୍ଲାର ତିନି ପରିବାରକୁ ଟାର୍ଗେଟ କରିଛନ୍ତି। ଏହି ତିନି ପରିବାର ହେଉଛି- ଘଡେଇ ପରିବାର, ଦାସ ପରିବାର ଏବଂ ବଳବନ୍ତରାୟ ପରିବାର। ସବୁ ଜିଲ୍ଲାରେ ଏବେ କୁଆଡେ ଏକ ପ୍ରକାର ଭାଷଣ ହେବ। ତେଣୁ ପରିବାରବାଦ୍ ବାଣ ପରୋକ୍ଷରେ ଧର୍ମେନ୍ଦ୍ରଙ୍କ ଦେହରେ ହିଁ ବାଜିବ। ଏମିତି କି ମୁଖ୍ୟମନ୍ତ୍ରୀଙ୍କ ପାଖ ଛାଡୁ ନ ଥିବା ଦୁଇ ଧର୍ମେନ୍ଦ୍ର ଅନୁଗାମୀଙ୍କୁ ମଧ୍ୟ କେତେକ ବୈଠକରୁ ଦୂରେଇ ରଖାଗଲାଣି। ଶ୍ରୀ ପ୍ରଧାନଙ୍କ ବିନା ଗୋଚରରେ ଆଇପିଏସ୍ ଅଦଳବଦଳ କରିଦିଆଗଲା। ତେଣୁ ଧର୍ମେନ୍ଦ୍ରଙ୍କ ଗୌଣ କରିବାର ପର୍ବ ଶିଥିଳ ହେଉ ପଛେ ଆରମ୍ଭ ହୋଇଯାଇଛି। ଆଗକୁ ଏହାର ମାତ୍ରା ବଢିବ ବୋଲି ବିଜେପି ମହଲରେ ଚର୍ଚ୍ଚା ଜାରି ରହିଛି। ଅବଶ୍ୟ ନଡ୍ଡାଙ୍କ ଏହି ମନ୍ତବ୍ୟକୁ ସାଧାରଣରେ ବିରୋଧ କରାଯାଇଛି। କୁହାଯାଇଛି- ଶ୍ରୀ ପ୍ରଧାନ, ଶ୍ରୀ ହରିଚନ୍ଦନଙ୍କ ସମେତ ଅନିତା ଶୁଭଦର୍ଶିନୀ, ମନୋରଞ୍ଜନ ଦ୍ୟାନସାମନ୍ତରା, ମାନସ ଦତ୍ତ, ସୂର୍ଯ୍ୟବଂଶୀ, ଉପାସନା ମହାପାତ୍ର, ଅଭିଷେକ ପଣ୍ଡା, ସିଂଦେଓ ପରିବାର ତାହାରେ ବିଜେପିରେ ଏତେ ଗୁରୁତ୍ୱ ପାଉଛନ୍ତି କିପରି ?

