ପୁଣି ଲୋକହସା ହେଲେ ନୀତିଶଙ୍କ ସହଯୋଗୀ ଲଲନ ସିଂ, ନିଜ ମନ୍ତ୍ରାଳୟ କାର୍ଯ୍ୟକ୍ରମରେ ଦେଖିବାକୁ ପାଇଲେନି ନିଜ ଫଟୋ

ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଲଲନ ସିଂ। ଏକଦା ଜନତା ଦଳ ୟୁନାଇଟେଡର ଜାତୀୟ ସଭାପତି ରହିଥିଲେ। ହେଲେ ତାଙ୍କର ଶେଷ ଦୁଇଟି ଓଡ଼ିଶା ଗସ୍ତ ଅତ୍ୟନ୍ତ ଅରୁଚିକର ରହିଛି। ଏହି ଦୁଇ ଗସ୍ତର ଅଭିଜ୍ଞତାକୁ ସେ ନିଜ ମନରୁ ଲିଭାଇବା ପାଇଁ ଚାହିଁବେ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ନୀତିଶ କୁମାର ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ। ସାଥିରେ ଲଲନ ସିଂ ଆସିଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ ଟେବୁଲରେ ଭି.କେ ପାଣ୍ଡିଆନକୁ ବସାଇଥିଲେ। ଲଲନ ବାବୁ ଅନ୍ୟତ୍ର ଭୋଜନ କରିଥିଲେ। ଏହା ଓଡ଼ିଶା ଏବଂ ବହୁଳ ଭାବେ ବିହାର ଗଣମାଧ୍ୟମରେ ଚର୍ଚ୍ଚାର କାରଣ ହୋଇଥିଲା। ନିର୍ବାଚନ ସରିକି ନୂଆ ସରକାର ହେଲା। ମୋଦି ସରକାରରେ ଲଲନ ବାବୁ ପଶୁପାଳନ ମନ୍ତ୍ରୀ ହେଲେ। ନିଜର ପ୍ରଥମ ଓଡ଼ିଶା ଗସ୍ତରେ ଏକ ବୃହତ ଚୁକ୍ତି ସ୍ୱାକ୍ଷର ସମ୍ପର୍କିତ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଲେ। ସେହିଦିନ ରାଜ୍ୟର ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବିଜ୍ଞାପନରେ ଲଲନ ସିଂଙ୍କ ଫଟୋ ନ ଥିଲା। ଏହା ଲଲନ ସିଂଙ୍କ ଟିମ୍ ଜାଣି ତାଙ୍କୁ ଅବଗତ କରାଇଥିଲେ। ମାତ୍ର ନୀତୀଶ କୁମାର କେତେଦିନ ଏନଡିଏରେ ରହିବେ, ତାହା ମୋଦି ଆକଳନ କରିପାରୁ ନାହାନ୍ତି। ତେଣୁ ବିହାର ପରି ଅନ୍ୟ ରାଜ୍ୟ ଗୁଡିକରେ ଜେଡିୟୁ କୋଟାର ମନ୍ତ୍ରୀ ଲଲନ ସିଂଙ୍କୁ ଏତେଟା ଗୁରୁତ୍ୱ ଦିଆଯାଉନାହିଁ। ଏକଥା ଜାଣି ବି ଲଲନ ସିଂ କିଛି କହିପାରୁ ନାହାନ୍ତି। ଲଲନ ସିଂଙ୍କ କଥା ଛାଡନ୍ତୁ ରାଜ୍ୟ ସରକାରଙ୍କ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଫଟୋ ମଧ୍ୟ ଆଜିର ବିଜ୍ଞାପନରେ ସ୍ଥାନ ପାଇନାହିଁ।