ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ, ଏଥର ଓଡ଼ିଶାକୁ ଠକିବାକୁ ଚାହିଁଲେନି..

ଭୁବନେଶ୍ୱର -(ରଙ୍ଗାଚରଣ ପ୍ରଧାନ) କେନ୍ଦ୍ର ସରକାର ୧୨ଟି ଶିଳ୍ପ ସ୍ମାର୍ଟ ସିଟି କରିବେ ବୋଲି ଘୋଷଣା କରିଛନ୍ତି। ସେଥିରେ ଓଡ଼ିଶାରେ ଗୋଟିଏ ବି ନାହିଁ। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛି। କାରଣ ସେ ଏଥର ଓଡ଼ିଶାକୁ ଆଉଥରେ ଠକିବାକୁ ଚାହିଁ ନାହାନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ୧୦୦ ଟି ସ୍ମାର୍ଟ ସିଟି କରିବେ । ସେଥିପାଇଁ ଗୋଟିଏ ପ୍ରତିଯୋଗିତା ବି କରିଦେଲେ। ଭୁବନେଶ୍ୱର ସେ ପ୍ରତିଯୋଗିତାରେ ପ୍ରଥମ ଆସିଥିଲା। ନାଚଗୀତ ଚାଲିଲା । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ବାୟୋଲୋଜିକାଲରୁ ନନ-ବାୟୋଲୋଜିକାଲ୍ ହୋଇ ଗଲେଣି। ଆପଣ ଭୁବନେଶ୍ୱରରେ ସ୍ମାର୍ଟ ସିଟି ଦେଖି ପାରୁଛନ୍ତି କି ? ପ୍ରଥମେ ପ୍ରଥମେ ଗୁପଚୁପ ଦୋକାନୀ ଓ ଚାଟ୍ ଠେଲା ସେମାନଙ୍କ ବୋର୍ଡରେ ସ୍ମାର୍ଟ ସିଟି ବୋଲି ଲେଖୁଥିଲେ। ଏବେ ସେମାନେ ବି ସେ ବୋର୍ଡ କାଢ଼ି ସାରିଲେଣି।

ହଁ। କିଛି ତ ପରିବର୍ତ୍ତନ ହୋଇଛି । କିନ୍ତୁ ଗୈାତମବାବୁ, ୨୦୧୪ର ପୂର୍ବ ୨୦ ବର୍ଷ କଥା ମନେ ପକାଇଲେ। ଆପଣ ହୁଏତ ନିଜେ ଭୁବନେଶ୍ୱରରେ ରହିଥିବାରୁ ଏତେ କଥା ଲକ୍ଷ କରି ନଥିବେ । କିନ୍ତୁ ମୁଁ ରାଉରକେଲାରେ ରହୁଥିଲି । ମଝିରେ ମଝିରେ ଭୁବନେଶ୍ୱର ଆସୁଥିଲି । ମୁଁ ଲକ୍ଷ କରିଛି। ସେହି ୨୦ ବର୍ଷରେ ଭୁବନେଶ୍ୱରର ଆୟତନ ପ୍ରାୟ ୩ ଗୁଣ ହୋଇଛି। ଏପଟେ ଖୋର୍ଦ୍ଧା ପଟକୁ ଲମ୍ବି ଥିବା ବେଳେ ସେପଟେ କଟକକୁ ଛୁଇଁଛି। ଆପଣ ଜୟଦେବ ବିହାରରୁ ପଟିଆ ଆଡ଼କୁ ଗଲାବେଳେ ଦେଖିବେ ଯେତେ ସବୁ ନୂଆ ନୂଆ କମ୍ପାନୀ ଓ ହୋଟେଲ ହୋଇଛି ସେସବୁ ପ୍ରାୟ ସେହି ୨୦ ବର୍ଷ ମଧ୍ୟରେ ହୋଇଛି। ଆପଣ କହିଲେ ଦେଖି । କ’ଣ ସେଥିପାଇଁ କୈାଣସି ଯୋଜନା ଘୋଷଣା ହୋଇଥିଲା। ତା ପୂର୍ବରୁ ନାଚଗୀତ ହୋଇଥିଲା । ନାହିଁ ନା ? ଭୁବନେଶ୍ୱରର ବିସ୍ତାରରେ ଗତି ବୃଦ୍ଧି ହେବା ପଛରେ ମୂଖ୍ୟ କାରଣ ଥିଲା ସେ ସମୟରେ ଦେଶର ( ହଁ ଆଜ୍ଞା ଦେଶର, ଅସ୍ମିତାର ନୁହେଁ) ଦ୍ରୂତ ଆର୍ଥିକ ଅଭିବୃଦ୍ଧି। ବିଶେଷକରି ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀତ୍ବର ଦଶବର୍ଷରେ ଯେଉଁ ବେଗରେ ଆର୍ଥିକ ଅଭିବୃଦ୍ଧି ହୋଇଛି ତାହା ପୂର୍ବରୁ କେଉଁ ବି ଦଶବର୍ଷରେ ହୋଇ ନଥିଲା କି ପରେ ବି ହୋଇନାହିଁ । ଅବଶ୍ୟ ଭୁବନେଶ୍ୱର ବିସ୍ତାରରେ ରାଜ୍ୟ ସରକାରଙ୍କର ମଧ୍ୟ ଭିତ୍ତିଭୂମି ସୁବିଧା ପ୍ରଦାନ କରିବାରେ ଏକ ଭୂମିକା ରହିଥିଲା। ଗୋଟିଏ ସହର ଗଢ଼ି ଉଠିବା ବା ବିସ୍ତ୍ରୁତ ହେବା ପଛରେ ଗୋଟିଏ ଆର୍ଥିକ କାରଣ ରହିଥାଏ । ଇନ୍ଦ୍ର  ଯଦି ନିଦରୁ ଉଠି କହିଦେବେ ମୁଁ ବଳଙ୍ଗା ଗ୍ରାମ ପଞ୍ଚାୟତକୁ ମେଟ୍ରୋ ସିଟି ବନେଇ ଦେବି , ତଥାପି ବନେଇ ପାରିବେ ନାହିଁ।‌ ଏବେ ଛାଡ଼ନ୍ତୁ ସ୍ମାର୍ଟ ସିଟି କଥା। ଆସନ୍ତୁ ଶିଳ୍ପ ସ୍ମାର୍ଟ ସିଟିକୁ । ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ଯଦି ଏହା ଦ୍ବାରା ଶିଳ୍ପପତିଙ୍କୁ କିଛି ସୁବିଧା ଦେଉଛନ୍ତି ତାହା ବେକାର ଯିବନି। କିନ୍ତୁ ବର୍ତ୍ତମାନ ଶିଳ୍ପ ସ୍ଥାପନ ନହେବା ପଛରେ ଏ ପ୍ରକାର ସୁବିଧାର ଅଭାବ ମୂଖ୍ୟ କାରଣ ନୁହେଁ। ମୂଖ୍ୟ କାରଣ ହେଉଛି ଡିମାଣ୍ଡର ଅଭାବ। ଲୋକଙ୍କ ପାଖରେ ଟଙ୍କା ନାହିଁଁ କିଣିବାକୁ। ଲୋକଙ୍କ ଉଧାରି ବଢୁଛି। ଦୁଇମାସ ତଳେ ରିଜର୍ଭ ବ୍ୟାଙ୍କ ତାଗିଦ୍ କରିବା ପରେ ବ୍ୟାଙ୍କମାନେ କ୍ରେଡିଟ କାର୍ଡ ଜରିଆରେ ଲୋନ୍ ଦେବା ଉପରେ ଲଗାମ କଷିଛନ୍ତି। ଗତ ୪/୫ ବର୍ଷ କାଳ ରିଜର୍ଭ ବ୍ୟାଙ୍କ କହି ଆସୁଛି ଶିଳ୍ପାନୁଷ୍ଠାନଗୁଡିକ ସେମାନଙ୍କ ଉତ୍ପାଦନ କ୍ଷମତାର ୭୦% ହିଁ ଉପଯୋଗ କରୁଛନ୍ତି।‌ ଆଜ୍ଞା, ଯଦି ଡିମାଣ୍ଡ ନାହିଁ, ତ ସେମାନେ ସାନି ଇନଭେଷ୍ଟମେଣ୍ଟ କରି ଉତ୍ପାଦନ କ୍ଷମତା କାହିଁକି ବଢେଇବେ ? ଆମ ଓଡ଼ିଶାରେ ସୁନାରେ ତିଆରି ତୋରଣ ବନେଇ ଶିଳ୍ପ ସ୍ମାର୍ଟ ସିଟି ତିଆରି କଲେ ବି ସେମାନେ ଆସିବେ ନାହିଁ। ଯଦି ଆସିବେ ଫଟୋ ଉଠେଇ ପ୍ରତିଶ୍ରୁତି ଦେଇ ଓ ଏମଓୟୁ ଦସ୍ତଖତ କରି ଚାଲିଯିବେ ।‌ ଅତି ବେଶୀରେ ଉଦ୍ଘାଟନ ପର୍ଯ୍ୟନ୍ତ ଯିବ । କିଛି ତ ନିଶ୍ଚୟ ଇନଭେଷ୍ଟମେଣ୍ଟ ହୋଇ ପାରେ । ମାତ୍ର ତାହା ନନବାୟୋଲୋଜିକାଲ୍ ଯୁଗପୁରୁଷଙ୍କ ଶିଳ୍ପ ସ୍ମାର୍ଟ ସିଟି ଯୋଗୁଁ ନୁହେଁ। ତେଣୁ ଗୈାତମବାବୁ, ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ଗତିଶକ୍ତି କଥା କହିଛନ୍ତି।‌ ଏ ଗତିଶକ୍ତି କ’ଣ ଆଜ୍ଞା ?

ଆଗରୁ ଗଡକରି ମହିଶୟଙ୍କ ଅଧୀନରେ ଥିବା NHAI ଋଣ କରି କରି ଦେବାଳିଆ ଅବସ୍ଥାକୁ ଚାଲିଗଲା। କେବଳ ଋଣ କଲେ ନାହିଁ। ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲ୍ ଉପରୁ ୧୮ ଟଙ୍କା ଲେଖାଏଁ ରୋଡ୍ ଇନଫ୍ରାଷ୍ଟ୍ରକଚର୍ ସେସ୍ ତାଙ୍କରି ପାଖକୁ ଯାଉଥିଲା। ଟୋଲଗେଟ ଅସୁଲି ବଢାଇଲେ। ଶେଷରେ ପରିସ୍ଥିତି ଅଣାୟତ୍ତ ହେବାରୁ ନନବାୟୋଲୋଜିକାଲ୍ ଗଡକରିଙ୍କୁ କହିଲେ ତମେ ଆଉ NHAI ଜରିଆରେ ଲୋନ୍ କରି ପାରିବ ନାହିଁ। ଏଣିକି ତମକୁ ଯାହାଟଙ୍କା ଦରକାର ମୁଁ ଦେବି । ବଜେଟରୁ ଦେବି । ତା ନାଁ ଦିଆଗଲା ଗତିଶକ୍ତି। ପ୍ରଧାନମନ୍ତ୍ରୀ ଯଦି ନାଲକୋ ଛକର ଦୋକାନରୁ ବରା ଗୋଟିଏ ଖାଇବେ, ବିନା ଯୋଜନାରେ, ବିନା ଯୋଜନାର ନାମକରଣରେ ଖାଇବେ ନାହିଁ। ପେଟ୍ରୋଲ ଦର ଯେତେବେଳେ ବଢ଼ି ବଢ଼ି ଚାଲିଲା ଆଉ ସେଥିରୁ ରୋଡ୍ ସେସ୍ ଶୋଷି ହେଲା ନାହିଁ। ବାଧ୍ୟ ହୋଇ ଆଚାର ଆଣ୍ଟି ରୋଡ୍ ସେସ୍ କମେଇ ପେଟ୍ରୋଲକୁ ଶହେ ପାଖରେ ରଖିଲେ । ଧର୍ମେନ୍ଦ୍ରବାବୁ ତା ପୂର୍ବରୁ ବିଭିନ୍ନ ଗପ ଶୁଣେଇ ଚାଲିଥିଲେ – ପୂର୍ବ ସରକାର ବଣ୍ଡ୍ କିଣିଛି, ଶୀତଦିନ ଆସିଲେ ଦାମ୍ କମିବ , ଜିଏସଟି ଭିତରକୁ ଆସିଲେ ଦାମ୍ କମିବ । ଏକଥା ସତ ଯେ ଗତିଶକ୍ତି ଜରିଆରେ ଏବେ ସଡକ ଓ ବିଭିନ୍ନ ଇନଫ୍ରାଷ୍ଟ୍ରକଚର୍ ଐତିହାସିକ ପରିମାଣର ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ ସେଥିପାଇଁ ଟଙ୍କା କେଉଁଠୁ ଆସୁଛି ? ଯଦି ଲୋକଙ୍କର ଆୟ ବୃଦ୍ଧି ଘଟୁଛି ଓ ସେଥିପାଇଁ ସେମାନେ ଅଧିକ ଟ୍ୟାକ୍ସ ଦେଉଛନ୍ତି ତେବେ ସେଥିରେ ଆମେ ଆପତ୍ତି କାହିଁକି କରିବା ? କିନ୍ତୁ ଏବେ ଆମେ କ’ଣ ଦେଖୁଚୁ ? ଦେଶରେ ମାତ୍ର ୨-୩% ଆୟକର ଦେଉଥିବା ଲୋକେ ଦେଶର ସମସ୍ତ କମ୍ପାନୀମାନଙ୍କ ଠାରୁ ଅଧିକ ଆୟକର ଦେଉଛନ୍ତି। ଦେଶ ସ୍ବାଧୀନ ହେବା ଠାରୁ ଏମିତି କେବେ ଦେଖା ଯାଇନଥିଲା । ଗତିଶକ୍ତି ପାଇଁ ପୁଣି ଆଉ କେଉଁଠୁ ଟଙ୍କା ଆସୁଛି ? କେନ୍ଦ୍ର ସରକାରଙ୍କ ଅଧିନରେ ଗୁଡ଼ିଏ ସାର୍ବଜନିକ ସଂସ୍ଥା। ତାର ଲମ୍ବା ଲିଷ୍ଟ ସଞ୍ଜୟ ସିଂ ତାଙ୍କ ଭାଷଣରେ କୁହନ୍ତି।  ଯେମିତି ରିଜର୍ଭ ବ୍ୟାଙ୍କ, କୋଲ୍ ଇଣ୍ଡିଆ, ସେଲ୍, ଭେଲ୍ ଇତ୍ୟାଦି। ଏ ସମସ୍ତଙ୍କୁ କୁହାଗଲା ତମେ ଆଉ ଇନଫ୍ରାଷ୍ଟ୍ରକଚର୍ ରେ ଖର୍ଚ୍ଚ କରନାହିଁ। ଯେମିତି କି ଆମ ଦେଶରେ ଅମାପ ପରିମାଣର କୋଇଲା ଥିଲେ ମଧ୍ୟ ଆମ କୋଲ୍ ଇଣ୍ଡିଆ ହାତ ବାନ୍ଧି ବସିଛି। ଆମ ବଡ଼ A ଠାରୁ କୋଇଲା କିଣୁଛୁ । ଏ ସବୁ ସାର୍ବଜନୀକ ସଂସ୍ଥା ଖର୍ଚ୍ଚ ନ କରିବାରୁ ସେମାନଙ୍କ ଲାଭ ସାମାନ୍ୟ ବଢିଲା । ନନବାୟୋଲୋଜିକାଲ୍ ସେସବୁରୁ ଲାଭାଂଶ ଶୋଷିଲେ। ଫଳରେ କ’ଣ ହେଲା ନା, ଯେଉଁ ଇନଫ୍ରାଷ୍ଟ୍ରକଚର୍ ଖର୍ଚ୍ଚ ସାର୍ବଜନୀକ ସଂସ୍ଥାମାନେ କରିବା କଥା ତାହା ସେମାନେ ନକରି କେନ୍ଦ୍ର ସରକାରଙ୍କୁ ଟଙ୍କା ଦେଲେ ଓ କେନ୍ଦ୍ର ସରକାର ଖର୍ଚ୍ଚ କଲେ । ଏହାର ନାମ ହେଲା ଗତିଶକ୍ତି।

ଗତିଶକ୍ତି ଯୋଜନାରେ ଯାହା ସବୁ ହେଉଛି ସେସବୁର ଉଦ୍ଘାଟନ ନନବାୟୋଲୋଜିକାଲ୍ କରୁଛନ୍ତି ଓ ମାସେ ଦୁଇମାସ ପରେ ଉଦଯାପନ ଆଉ ଜଣେ ନନବାୟୋଲୋଜିକାଲ୍ (ଇନ୍ଦ୍ରଦେବ) କରି ଦେଉଛନ୍ତି। ଗତିଶକ୍ତି ମାନେ ହେଲା: ଶାଶୁ ମଲା, ବୋହୁ ଜନ୍ମ କଲା । କିନ୍ତୁ ଗୋଟିଏ କାମ ମୋଦୀ ସଫଳତାର ସହ କରି ଛନ୍ତି। ଅର୍ଥନିତୀରେ ନୂଆ ନୂଆ ଶବ୍ଦ ବାହାର କରିଛନ୍ତି, ଅର୍ଥନିତୀକୁ ନୂଆ ପ୍ରକାରେ ଦେଖିବାକୁ ଶିଖାଇଛନ୍ତି। କିନ୍ତୁ ଅର୍ଥନିତୀରେ କ’ଣ ବିଗିଡିଛି ତାହା ଜାଣିବାକୁ ହେଲେ। ଅର୍ଥନିତୀର ଏଣ୍ଡୋସ୍କୋପି ଦରକାର। ମୁଁ ଏବେ କଳିଙ୍ଗ ହସପିଟାଲରେ ଟିକେଟ କାଟି ବସିଛି। ଡାକ୍ତର ଆସିଲେ ଏଣ୍ଡୋସ୍କୋପି ହେବ । ଭାବିଲି ଏ ସମୟରେ ଆପଣଙ୍କୁ ଟିକେ ବୋର୍ କରିବା ପାଇଁ କିଛି ଲେଖିଦେବି।

Leave a Reply

Your email address will not be published. Required fields are marked *