ଲୋକସଭା ଅପେକ୍ଷା ବିଧାନସଭା ଲଢିବାକୁ ବିଜେପି ନେତାଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର :  ମଧ୍ୟପ୍ରଦେଶ , ଛତିଶଗଡ଼ ଏବଂ ରାଜସ୍ଥାନ ବିଜୟ ସହ ତେଲେଙ୍ଗାନାରେ ଭୋଟ ପ୍ରତିଶତ ବଢିବା ପରେ ବିଜେପି ଶିବିର ଉତ୍ସାହିତ ରହିଛି। ଏହି ସବୁ ରାଜ୍ୟ ଗୁଡ଼ିକରେ ନିଆଯାଇଥିବା କିଛି ରାଜନୈତିକ କୌଶଳ ଓଡ଼ିଶାରେ ପ୍ରୟୋଗ କରାଯିବ ବୋଲି ଜଣାପଡିଛି। ଏନେଇ ପ୍ରଭାରୀ ସୁନୀଲ ବଂଶଲ ଏବଂ ଟିମ୍ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶ, ରାଜସ୍ଥାନ ଆଦିରେ ଯେପରି କେତେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ , ସାଂସଦମାନଙ୍କୁ ବିଧାନସଭା ଲଢିବାକୁ କୁହାଗଲା। ଓଡ଼ିଶାରେ ବିଜେପି ସେହିପରି ଭାବେ ବହୁ ନେତାଙ୍କୁ ବିଧାନସଭା ଲଢିବା ପାଇଁ ଚିନ୍ତା କରୁଛି। ଏହି କ୍ରମରେ କିଏ କେଉଁ ଆସନରେ ଲଢିବ, ତାହାର ଏକ ପ୍ରାକ୍ ଆକଳନ ତାଲିକା କରାଯାଇଛି।

ଏହି ରଣନୀତି ଅନୁଯାୟୀ ସୁନ୍ଦରଗଡ଼ ଏମପି ଥିବା ଜୁଏଲ ଓରାମଙ୍କୁ ବଣାଇ ବିଧାନସଭା, ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ବ୍ରଜରାଜନଗର, ସମ୍ବଲପୁର ଏମପି ନୀତେଶ ଗଙ୍ଗଦେବଙ୍କୁ ଦେଓଗଡ଼, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ନୂଆପଡ଼ା, ବାଲେଶ୍ୱର ଏମପି ପ୍ରତାପ ଷଡଙ୍ଗୀଙ୍କୁ ନୀଳଗିରି/ଜଳେଶ୍ୱର ନଚେତ ବାଲେଶ୍ୱର ସଦର ଆସନରୁ ପ୍ରାର୍ଥୀ କରାଯିବା ନେଇ ବିଚାରବିମର୍ଶ କରାଯାଉଛି। ଅନୁରୂପ ଭାବେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଜିଲ୍ଲାର ଯେ କୌଣସି ବିଧାନସଭା ଆସନରେ ଲଢିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଅପରାଜିତା ଷଡଙ୍ଗୀ ମଧ୍ୟ ବିଧାନସଭା ଲଢିବାକୁ ଇଚ୍ଛା ରଖିଛନ୍ତି। ମାତ୍ର ଶ୍ରୀମତୀ ଷଡଙ୍ଗୀଙ୍କୁ ଖଣ୍ଡପଡ଼ା, ଜଟଣୀ ବିଧାନସଭା ଆସନ ପାଇଁ କୁହାଯାଇଥିଲା। ମାତ୍ର ଗତଥର ତାଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକ-ସୁର ରାଉତରାୟଙ୍କ ବିରୋଧରେ ଲଢିବା ପାଇଁ ଅପରାଜିତା ଆଗ୍ରହୀ ନୁହଁନ୍ତି। ତେଣୁ ବର୍ତ୍ତମାନ ସେ ଭୁବନେଶ୍ୱର ଲୋକସଭା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହା ବ୍ୟତୀତ ଅଶ୍ୱିନୀ ବୈଷ୍ଣବ, ଗିରୀଶ ମୁର୍ମୁ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କନ୍ୟାଙ୍କୁ ମଧ୍ୟ ନିର୍ବାଚନ ଲଢାଇବା ପାଇଁ ବିଚାର କରାଯାଉଛି।

Leave a Reply

Your email address will not be published. Required fields are marked *