ଉପନିର୍ବାଚନ ଫଳ ପରେ ଜାତୀୟ ରଣନୀତି ପରିବର୍ତ୍ତନର ଆଭାସ ଦେଲା ବିଜେଡି, ପଛଦ୍ୱାର ଦେଇ ଇଣ୍ଡିଆ ମେଣ୍ଟ ସହ କଲା ଆଲୋଚନା


ନୂଆଦିଲ୍ଲୀ : ଜି-୨୦ ଏବଂ ଭାରତ-ପାକିସ୍ଥାନ କ୍ରିକେଟ୍ ମ୍ୟାଚର ଖବର ଗହଳି ମଧ୍ୟରେ ଆଉ ଏକ ଖବର ଲୁଚି ଯାଉଛି। ଏହି ଖବରଟି ଜାତୀୟ ଏବଂ ରାଜ୍ୟ ରାଜନୀତି ପାଇଁ ବହୁତ ଗୁରୁତ୍ୱ ବହନ କରୁଛି। ନିକଟରେ ୟୁପି ଏବଂ ଝାଡଖଣ୍ଡରେ ହୋଇଥିବା ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟ ବିଜୟୀ ହୋଇଥିଲେ। ଏପରିକି ପଶ୍ଚିମବଙ୍ଗରେ ମଧ୍ୟ ଇଣ୍ଡିଆ ମେଣ୍ଟର ବିଜୟୀ ହୋଇଥିଲା। ବିଜେପି ବିରୋଧି ଶକ୍ତି ଏକାଠି ହୋଇ ଲଢିଲେ ବିଜୟ ସମ୍ଭାବନା ଅଧିକ, ତାହା ୟୁପି ଘୋସୀ ଉପନିର୍ବାଚନରୁ ପ୍ରମାଣିତ ହୋଇଯାଇଛି। ଏହି ଫଳାଫଳ ପରେ ସାଧାରଣ ନିର୍ବାଚନ ପୂର୍ବ ଏବଂ ପରବର୍ତ୍ତୀ ମେଣ୍ଟ ରଣନୀତି ନେଇ ନୂଆ ଚାଲ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବିଜୁ ଜନତା ଦଳ ଇଣ୍ଡିଆ ମେଣ୍ଟ ସହ ପ୍ରାରମ୍ଭିକ କଥାବାର୍ତ୍ତା ଆରମ୍ଭ କରିଛି। ବିଜେଡି ପରିଚାଳନା କରୁଥିବା ବ୍ୟକ୍ତି ଏବଂ ଇଣ୍ଡିଆ ମେଣ୍ଟର ଦ୍ୱିତୀୟ ପିଢି ନେତାମାନଙ୍କ ସହ ବିଜେଡିର ପ୍ରାକ୍ ଆଲୋଚନା ହୋଇଛି।


ଏକଥାକୁ ଅବିଶ୍ୱାସ ହେଉଥିଲେ ବି ସତ। କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ବିଜେଡିର ନବୀନ ପଟ୍ଟନାୟକଙ୍କୁ ନେଇ ନକରାତ୍ମକ ଆଭିମୁଖ୍ୟ ପୋଷଣ କରିନାହାନ୍ତି। ସେହିପରି ରାହୁଲ ଗାନ୍ଧୀ ମଧ୍ୟ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପରବର୍ତ୍ତୀ ସମୟରେ ଓ୍ୱାଇଲଡ୍ କାର୍ଡ ଏଣ୍ଟ୍ରି ଦେବା ସପକ୍ଷରେ ରହିଛନ୍ତି। ଇଣ୍ଡିଆ ମେଣ୍ଟରେ ଚାରି ପ୍ରମୁଖ ବ୍ୟକ୍ତି ନବୀନଙ୍କୁ ନେଇ ଆଶାବାଦୀ ରହିଛନ୍ତି। ଏହି ନେତାମାନେ ହେଉଛନ୍ତି- ଏନସିପି ମୁଖ୍ୟ ଶରଦ ପାଓ୍ୱାର, ଜେଡିୟୁ ମୁଖ୍ୟ ନୀତିଶ କୁମାର, ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। କିଛି ମାସ ପୂର୍ବରୁ ଦେଶର ବରିଷ୍ଠ ଓକିଲ କପିଲ ସିବଲଙ୍କ ଘରେ ହୋଇଥିବା ଏକ ଅଣ ଆନୁଷ୍ଠାନିକ ବୈଠକରେ ବିଜେଡିର ଜଣେ ଏମପିଙ୍କୁ ଦେଖିବାକୁ ମିଳିଥିଲା। ମଧ୍ୟ ପ୍ରଦେଶ, କର୍ଣ୍ଣାଟକ କଂଗ୍ରେସ ଏବଂ ସିଡବ୍ଲୁସିର ଅଧ ଡର୍ଜନରୁ ଉର୍ଦ୍ଧ୍ୱ ସଦସ୍ୟ ସିଧାସଳଖ ନବୀନଙ୍କ କୋର ଟିମର ଯୋଗାଯୋଗରେ ରହିଛନ୍ତି।


ଜାତୀୟ ରାଜନୀତି ଉପରେ ତୀକ୍ଷ୍ମ ନଜର ରଖୁଥିବା ଏକାଧିକ ସମୀକ୍ଷକ କୁହନ୍ତି ଯେ, ରାଜ୍ୟରେ ଦୁଇ ଦଶନ୍ଧିରୁ ଉର୍ଦ୍ୱ୍ମ ସମୟ ଧରି କ୍ଷମତାରେ ଥିବା ବିଜେଡି ବିରୋଧରେ ଏକ ବଡ଼ ଶାସକ ବିରୋଧି ହାଓ୍ୱା ରହିଛି। ତେଣୁ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ବିଜେଡି ସହ କଦାପି ବୁଝାମାଣା କରିବ ନାହିଁ। ଯଦି ଏପରି ହୁଏ, ତେବେ ରାଜ୍ୟ ରାଜନୀତିରେ ବିଜେପିକୁ ଏକ ବଡ କାନଭାସ୍ ମିଳିଯିବ। ଯାହା ଅଣ ବିଜେପି ଦଳ ତଥା ମେଣ୍ଟ ପାଇଁ ଅଧିକ ଆହ୍ୱାନ କରିବ। ତେଣୁ ବିରୋଧିଙ୍କ ପ୍ଲାନ ନମ୍ବର ଓ୍ୱାନ୍ ଅନୁଯାୟୀ-ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ୟୁପି, କର୍ଣ୍ଣାଟକ, ହରିୟାଣା, ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶରେ ଏକକ ବିରୋଧି ପ୍ରାର୍ଥୀ ପ୍ରଦାନ କରାଯିବ. ଏହା ଦ୍ୱାରା ବିଜେପିର ପ୍ରାୟ ଶତାଧିକ ଆସନ ଇଣ୍ଡିଆ ମେଣ୍ଟ ଦଖଲ କରିପାରିବ। ଏହି ପରିସ୍ଥିତିରେ ପ୍ଲାନ-ବି ନବୀନ ପଟ୍ଟନାୟକଙ୍କ ଭଳି ନେତା ପରୋକ୍ଷ ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *