ଆରମ୍ଭ ଯେଉଁଠି, ଶେଷ ବି ସେଇଠି : ଜାତୀୟ କଂଗ୍ରେସରେ ଏନସିପିର ହୋଇପାରେ ସମ୍ମିଶ୍ରଣ

ମୁମ୍ବାଇ : ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏକଦା କଂଗ୍ରେସରୁ ଅଲଗା ହୋଇଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପୁଣି କଂଗ୍ରେସ ସହିତ ସମ୍ମିଶ୍ରଣ ହୋଇପାରେ। ଜାରି ରହିଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏହା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ଦିନରେ ଏନସିପିର ଚିହ୍ନ ଘଣ୍ଟାକୁ ବାତିଲ କରି ଦୁଇଟି ପକ୍ଷକୁ ଅଲଗା ଚିହ୍ନ ଦିଆଯିବାର ସମ୍ଭାବନା ରହିଛି। ଗୋଟିଏ ଗୋଷ୍ଠୀ ଅଜିତ ପାଓ୍ୱାର ଏବଂ ପ୍ରଫୁଲ୍ଲ ପଟେଲଙ୍କ ନିକରେ ରହିଛି। ଅଜିତଙ୍କ ନିଜସ୍ୱ ସଙ୍ଗଠନ ରହିଛି। ତେଣୁ ଅଜିତ ସେହି ଗ୍ରୁପକୁ ନେଇ ଆଗକୁ ବଢିବେ। ମାତ୍ର ଜାତୀୟ ରାଜନୀତିରେ ପାଦ ଥାପିଥିବା ସୁପ୍ରିୟା ସୁଲେ ରାଜ୍ୟ ରାଜନୀତିରେ ଏତେଟା ପରିପକ୍ୱ ନୁହଁନ୍ତି। ସେହିପରି ଶରଦ ପାଓ୍ୱାର ଜାତୀୟ ମେଣ୍ଟ ରାଜନୀତିରେ ଏକ ଗୁରତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ମହାରାଷ୍ଟ୍ର କୈନ୍ଦ୍ରିକ ରାଜନୀତି ଦ୍ୱାରା ବିଶେଷ ପ୍ରଭାବିତ ହେବାକୁ ସେ ଚାହୁଁ ନାହାନ୍ତି। ତେଣୁ ତାଙ୍କ ସହ ଥିବା ଏନସିପି ଗୋଷ୍ଠୀକୁ ଆନୁଷ୍ଠାନିକ ଭାବେ କଂଗ୍ରେସରେ ମିଶ୍ରଣ ପାଇଁ ଚିନ୍ତା କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *