ପ୍ରଦେଶ କଂଗ୍ରେସ ଦାବିକୁ ସମର୍ଥନ କଲେ ମୋଦିଙ୍କ ମନ୍ତ୍ରୀ ଅଠାଓ୍ୱାଲେ

ଭୁବନେଶ୍ୱର:  ଓଡ଼ିଶା ଜନସଂଖ୍ୟାର ପଛୁଆବର୍ଗ-ଓବିସି ଓ ଏସଇବିସିଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ଯଥାକ୍ରମେ ୨୩ପ୍ରତିଶତ ଓ ୧୬ପ୍ରତିଶତ। ଭାରତବର୍ଷର ସବୁ ରାଜ୍ୟରେ ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସେମାନଙ୍କ ସଂଖ୍ୟାନୁପାତରେ ଡାକ୍ତରୀ ଓ ଇଂଜିନିୟରିଂରେ ସଂରକ୍ଷଣ ପାଇଥାଆନ୍ତି। ସେହିପରି ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିଥାଏ। ହେଲେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଆଦିବାସୀ ଓ ଦଳିତଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ମିଳୁନାହିଁ। ଏହାକୁ ନେଇ ନବେ ଦଶକରୁ ଦାବି ଉଠି ଆସୁଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି ପ୍ରସଙ୍ଗରେ ନିୟମିତ ମତ ରଖିବା ସହ ଦାବି କରି ଆସୁଛନ୍ତି। ବିଜେପି ରାଜ୍ୟରେ ବିରୋଧୀ ଦଳ ଥିବା ସମୟରେ ଏହି ଦାବି ପ୍ରତି ସମର୍ଥନ ଜଣାଇଥିଲା। କଂଗ୍ରେସ ଏହି ପ୍ରସଙ୍ଗରେ ଭୟଙ୍କର ନୀରବତା ଅବଲମ୍ବନ କରିଥିଲା। ମାତ୍ର  ଏଆଇସିସି ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ଏବଂ ରାହୁଲ ଗାନ୍ଧୀ ଜାତି ଜନଗଣନା ଓ ସାମ୍ବିଧାନିକ ସଂରକ୍ଷଣ ସପକ୍ଷରେ ମତ ରଖି ଆସିଥିଲେ। ଗତ ବିଧାନସଭା ଅଧିବେସନରେ କଂଗ୍ରେସ ଏହି ଦାବିକୁ ନେଇ ଗୃହରେ ହଟ୍ଟଗୋଳ କରିବା ସହ ମୁଲତବୀ ଆଲୋଚନା କରିଥିଲା। ବିଜେଡି ମଧ୍ୟ ବାଧ୍ୟ ହୋଇ ଏହି ପ୍ରସଙ୍ଗରେ କଂଗ୍ରେସ ପଛରେ ନାଉ ହୋଇଥିଲା। ରାଜ୍ୟ ସରକାର ଏହି ପ୍ରସଙ୍ଗରେ ବିଚାର କରୁଥିବା ଜଣାପଡିଛି। ଦୁଇଦିନ ତଳେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠାଓ୍ୱାଲେ ଏହି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଷ୍ଟିଅରିଂ କମିଟି ଓ ବିଧାୟକ ଦଳର ଦାବିକୁ ସମର୍ଥନ ଜଣାଇଛନ୍ତି। ଅଠାଓ୍ୱାଲେ ମଧ୍ୟ ଏହି ଦାବିକୁ ସମର୍ଥନ କରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ଜଣାପଡିଛି। ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତିରେ 27 ପ୍ରତିଶତ ସଂରକ୍ଷଣ ଓ ଡାକ୍ତରୀ ଏବଂ ଇଂଜିନିୟରିଂରେ ଏସଟି,ଏସସିଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ଦାବିକୁ ଅଠାଓ୍ୱାଲେ ସମର୍ଥନ କରିଛନ୍ତି।

Leave a Reply

Your email address will not be published. Required fields are marked *