ବିଧାନସଭା ସରିଲେ…ଆରମ୍ଭ ବିଜେପିର ସମ୍ପ୍ରସାରଣ ଓ ଥଇଥାନ ପଦ……ଲବି ପାଇଁ କିଏ ଦିଲ୍ଲୀରେ… କିଏ ମନମୋହନଙ୍କ ପଛରେ…

ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବା ଇତି ମଧ୍ୟରେ ଅଢେଇ ମାସ ହୋଇଗଲାଣି। କେନ୍ଦ୍ରରେ ଲଗାତର ତୃତୀୟ ଥର ସରକାର ଗଠନ ହୋଇଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିଛି। ଏହା ପୂର୍ବରୁ ଦୁଇ ପାଳି ଦଳ ବିଜେଡି ସହ ମେଣ୍ଟ କରି କ୍ଷମତାର ସ୍ୱାଦ ଚାଖିଛି। ପ୍ରଥମ ଥର ସରକାର ଗଠନ ହୋଇଥିବାରୁ ସରକାରୀ ନିଯୁକ୍ତି ଓ ଥଇଥାନ ଧିମା ପଡିଯାଇଛି। ତେଣୁ ଦଳର କାର୍ଯ୍ୟକର୍ତ୍ତା ଓ ନେତାଙ୍କ ମଧ୍ୟରେ ଉତ୍ସାହ ଆଣିବା ପାଇଁ ଏକାଧିକ ରାଜନୈତିକ ନିଯୁକ୍ତି ପାଇଁ ରାଜ୍ୟ ବିଜେପି ପ୍ରସ୍ତୁତ ହେବାରେ ଲାଗିଛି। ଏହି କ୍ରମରେ ଆଗାମୀ ଦିନରେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ଚୟନ ଓ ସଦସ୍ୟ ନିଯୁକ୍ତି, ନିଗମ ଅଧ୍ୟକ୍ଷଙ୍କ ମନୋନୟନ ହେବାର ରହିଛି। ଏହା ପୂର୍ବରୁ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ହୋଇଥିବା ରାଜ୍ୟସଭା ନେଇ ମଧ୍ୟ ଜଣଙ୍କୁ ଚୟନ କରାଯିବ। ବିଜେପି ଦ୍ୱାରା ଚୟନ ହୋଇଥିବା ପ୍ରାର୍ଥୀ ବିନା ବାଧାରେ ନିର୍ବାଚିତ ହେବାକୁ ଯାଉଛନ୍ତି। ତେଣୁ ବିଧାନସଭା ଅଧିବେଶନ ଏବଂ ଦଶହରା ପୂର୍ବରୁ ଏହି ସବୁ ନିଯୁକ୍ତି କରାଯିବ ବୋଲି ବିଜେପି ଶିବିରରୁ ଖବର ଆସୁଛି। କେଉଁ ନେତା ଦିଲ୍ଲୀ ଯାଇ ଲବି କରୁଛନ୍ତି ତ କିଏ ମନମୋହନଙ୍କ ସହ ଛାଇ ହୋଇ ରହୁଛନ୍ତି।

ଏହି କ୍ରମରେ ରାଜ୍ୟସଭା ଆସନ ଦୌଡ଼ରେ ସର୍ବାଗ୍ରେ ମମତା ମହନ୍ତ, ସମୀର ମହାନ୍ତି , ମନମୋହନ ସାମଲ ରହିଛନ୍ତି। ଏହା ପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦୌଡରେ ମଧ୍ୟ ମନମୋହନ ସାମଲ, ସମୀର ମହାନ୍ତି, ସମୀର ରଞ୍ଜନ ଦାଶ ପ୍ରମୁଖ ରହିଛନ୍ତି। ସଦସ୍ୟ ବିଭିନ୍ନ ବରିଷ୍ଠ ନେତାଙ୍କ ସୁପାରିସରେ ଚୟନ କରାଯିବ। କେନ୍ଦ୍ର ଦୁଇଟି ନାମ ପ୍ରସ୍ତାବ ଦେବ। ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲଙ୍କ କ୍ୟାମ୍ପ ପକ୍ଷରୁ ମଧ୍ୟ ସଦସ୍ୟଙ୍କ ନାମ ପାଇଁ ସୁପାରିଶ୍ କରାଯିବ ବୋଲି ଜଣାପଡିଛି। ଏହା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଉପରେ ସମସ୍ତଙ୍କ ନଜର ରହିବ। ପ୍ରାୟ ଅଧ ଡର୍ଜନ ଖାଲି ପଦ ପାଇଁ ତିନି ଗୁଣା ଆଶାୟୀ ଚାତକ ପରି ଅନାଇ ରହିଛନ୍ତି। ଏମାନଙ୍କ ମଧ୍ୟରେ ଜୟନାରାୟଣ ମିଶ୍ର, ଅମର ନାୟକ, ଲକ୍ଷ୍ମଣ ବାଗ, ରଘୁରାମ ମାଛ, ଅଶ୍ୱିନୀ ଷଡଙ୍ଗୀ/ଇରାଶିଷ ଆଚାର୍ଯ୍ୟ  ପ୍ରମୁଖଙ୍କ ନାଁ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଭାସ୍କର ମଢେଇ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ମାନସ ଦତ୍ତଙ୍କ ନାମ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲବି କରୁଛି।

ଏହା ପରେ ପ୍ରାୟ ତିନି ଡର୍ଜନରୁ ଉର୍ଦ୍ଧ୍ୱ ନିଗମ ପଦ ମଧ୍ୟ ପୂରଣ ହେବାର ରହିଛି। ଏହା ଉପରେ ଛାମୁଆ ସଙ୍ଗଠନର ବହୁ ବ୍ୟକ୍ତିଙ୍କ ଆଖି ରହିଛି। କେତେକ ପରାଜିତ ପ୍ରାର୍ଥୀଙ୍କୁ ମଧ୍ୟ ନିଗମରେ ଥଇଥାନ କରାଯିବ ବୋଲି ଜଣାପଡିଛି। ଏହି ନିଗମ ଦୌଡରେ ପ୍ରିୟଦର୍ଶୀ ମିଶ୍ର, ଲଲିତ ବେହେରା, ଗୋଲକ ମହାପାତ୍ର, ସଜ୍ଜନ ଶର୍ମା, କସ୍ତୁରୀ ମିଶ୍ର, ଏଶ୍ଚର୍ଯ୍ୟା ବିଶ୍ୱାଳ, ଅଭିଳାଷ ପଣ୍ଡା, ଜୟନ୍ତ କୁମାର ଷଡଙ୍ଗୀ, ଠାକୁର ରଣଜିତ ଦାସ, ଡକ୍ଟର ଜତିନ୍ ମହାନ୍ତି, ଲୁଲୁ ବଡ଼ଜେନା, ପ୍ରକାଶ ରଣବିଜୁଳି, ରଶ୍ମି ମହାପାତ୍ର, ସୁରଥ ବିଶ୍ୱାଳ, ଅନିଲ ବିଶ୍ୱାଳ, ଆରତୀ ଦେବୀ, ଲିଙ୍କନ ସୁବୁଦ୍ଧି, ପ୍ରଭଞ୍ଜନ ମହାପାତ୍ର, ଶଙ୍କର ପରିଡା, ମହେଶ୍ୱର ସାହୁ, ସତ୍ୟବ୍ରତ ପଣ୍ଡା, ପିସି ମହାପାତ୍ର, ରଞ୍ଜିତା ନାୟକ, ମନ୍ଦାଗିନୀ ପାତ୍ର, କୁସୁମ ଟେଟେ, ରାଣାପ୍ରତାପ ପାତ୍ର, ତେଜେଶ୍ୱର ପରିଡା ପ୍ରମୁଖ ରହିଛନ୍ତି। ଏହା ବାଦ୍ ଦିଲ୍ଲୀରୁ ପ୍ରାୟ ଡର୍ଜନ ନାମ ସୁପାରିସ୍ ହେବାର ରହିଛି।

Leave a Reply

Your email address will not be published. Required fields are marked *