ରାଜ୍ୟ ବିଜେପି ପ୍ରଚାର ମଙ୍ଗ ଧରିଲେଣି ରାଜ୍ୟପାଳ ରଘୁବର ଦାସ….ନିଆରା ଢଙ୍ଗରେ କେନ୍ଦ୍ରୀୟ ନେତୃତ୍ୱର କରୁଛନ୍ତି ପ୍ରଚାର

ଭୁବନେଶ୍ୱର :  ଯିଏ ଚାଖିଛି ଥରେ କ୍ଷୀରର ସର…ନିତି ଧାଉଁଥାଏ ଗଉଡ଼ ଘର। ରାଜନୀତି ଏମିତି ଏକ ସର। ଥରେ ଏ ସର ସ୍ୱାଦ ପାଟିରେ ବାଜିଲେ ଛାଡି ହୁଏନି। ଏକଥା ରାଜ୍ୟପାଳ ରଘୁବର ଦାସଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ଜଣାପଡୁଛି। ରାଷ୍ଟ୍ରପତିଙ୍କ ଦ୍ୱାରା ସାମ୍ବିଧାନିକ ପଦରେ ନିଯୁକ୍ତ ରଘୁବର ଦାସ ନିଆରା ଢଙ୍ଗରେ ବିଜେପିର ପ୍ରଚାର କରୁଛନ୍ତି। ତାହା ପୁଣି ବେଶ୍ ଚତୁରତାର ସହ। ଓଡ଼ିଶା ରାଜ୍ୟପାଳ ଏବଂ ରଘୁବର ଦାସଙ୍କ ଦୁଇଟି ଭିନ୍ନ ଭିନ୍ନ ଟୁଇଟର ହ୍ୟାଣ୍ଡେଲ ରହିଛି। ପ୍ରଥମଟି ଆନୁଷ୍ଠାନିକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଉଛି। ଦ୍ୱିତୀୟଟିରେ ରଘୁବର ଦାସ ନିଜ ଗସ୍ତ ବିବରଣୀ ପ୍ରଦାନ କରୁଛନ୍ତି। ଆଦିବାସୀ ବହୁଳ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସ୍ୱତନ୍ତ୍ର ଅନୁଭୂତି ବହନ କରିଥାନ୍ତି। ସେହି ଅନୁଭୂତିକୁ ଆଦିବାସୀ ଅଞ୍ଚଳରେ ବ୍ୟବହାର କରୁଛନ୍ତି। କେନ୍ଦ୍ରୀୟ ଯୋଜନାକୁ ପ୍ରଶଂସା ସହ କେନ୍ଦ୍ରୀୟ ଯୋଜନା ହିତାଧିକାରୀଙ୍କୁ ଭେଟୁଛନ୍ତି। ଏହାକୁ ହିନ୍ଦୀରେ ଟୁଇଟରରେ ମଧ୍ୟ ପୋଷ୍ଟ କରୁଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ବୋଲି ସମ୍ବୋଧନ କରି ତାହାର ସୁଦୀର୍ଘ ସୂଚନା ଦେଉଛନ୍ତି। ନିକଟରେ ନିଜ ଢେଙ୍କାନାଳ ଗସ୍ତର ଅନୁଭୂତିର ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଟ୍ରେଲର ଦେଖାଇଛନ୍ତି। ଆଗାମୀ ଦିନରେ ରଘୁବର କେନ୍ଦ୍ରୀୟ ନେତୃତ୍ୱଙ୍କୁ ପ୍ରଶଂସା କରି ଝାଡଖଣ୍ଡ ରାଜନୀତିକୁ ଫେରିବା ପ୍ରସ୍ତୁତି କରୁଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି। ଝାଡଖଣ୍ଡରେ ବାବୁଲାଲ ମାରାଣ୍ଡି ଏବଂ ଅର୍ଜୁନ ମୁଣ୍ଡାଙ୍କ ରାଜନୈତିକ କାର୍ଯ୍ୟକ୍ରମକୁ ବଳ ଦେବା ପାଇଁ ରଘୁବରଙ୍କୁ ଅଜ୍ଞାତବାସ ପ୍ରଦାନ କରାଯାଇଥିଲା। ମାତ୍ର ପରିପକ୍ୱ ରଘୁବର ସାଧାରଣ ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ରାଜନୀତିରେ ପ୍ରତ୍ୟାବର୍ତ୍ତନ ନେଇ ପ୍ରୟାସ ଆରମ୍ଭ କରି ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *