ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଅବଧି ବଢିପାରେ …ନିଷ୍ପତ୍ତିର ପ୍ରଶାସନିକ ଓ ରାଜନୈତିକ ତର୍ଜମା କରିସାରିଛି ତୃତୀୟ ମହଲା….

ଭୁବନେଶ୍ୱର : ଆଗକୁ ସାଧାରଣ ନିର୍ବାଚନ ରହିଛି। ପ୍ରାୟତଃ ଫେବୃୟାରୀ ମାସରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଆଲୋଚନା ହେଉଛି। ଯଦି ଏପରି ନ ହୁଏ, ତେବେ ମାର୍ଚ୍ଚ ମାସରେ ସୁନିଶ୍ଚିତ ଘୋଷଣା ହେବ। ସମାନ ସମୟରେ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ତେଣୁ ନିର୍ବାଚନ ପରିଚାଳନା ପୂର୍ବରୁ ପ୍ରଶାସନିକ ନିଯୁକ୍ତି ଉପରେ ସମସ୍ତଙ୍କ ନଜର ରହିବ। ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ କୁମାର ଜେନାଙ୍କ ଅବଧି ବୃଦ୍ଧି ହେବ କି ନାହିଁ, ସେ ନେଇ ଆଲୋଚନା ଜାରି ରହିଛି। ଏମିତି କି ପ୍ରମୁଖ ଗଣମାଧ୍ୟମ ଗୁଡ଼ିକରେ ପରବର୍ତ୍ତୀ ମୁଖ୍ୟ ସଚିବ କିଏ ବୋଲି ଖବର ପ୍ରସାରଣ କରାଯାଇସାରିଲାଣି। ମାତ୍ର ରାଜ୍ୟ ସରକାର ଏହି ପ୍ରସଙ୍ଗରେ ବିଭିନ୍ନ ସୂତ୍ରରୁ ମତାମତ ସଂଗ୍ରହ କରିଥିବା ଜଣାପଡିଛି। ଏହି ଅନୁସାରେ ନିର୍ବାଚନ ଘୋଷଣାକୁ ଅଳ୍ପଦିନ ଥିବାରୁ ପ୍ରଦୀପଙ୍କ କାର୍ଯ୍ୟକାଳ ବୃଦ୍ଧି ସପକ୍ଷରେ ମତ ରଖାଯାଇଛି। ଯଦି ଏପରି ନ ହେଉଛି-ତେବେ ଏହି ପ୍ରଶାସନିକ ନିଷ୍ପତ୍ତି ଅନେକ ରାଜନୈତିକ ପ୍ରଶ୍ନ ଓ ପ୍ରସଙ୍ଗର କାରଣ ହେବ ବୋଲି ସରକାରଙ୍କ ଅବଗତି କରାଯାଇଛି। ରାଜ୍ୟ ପ୍ରଶାସନ ଉପରେ ନଜର ରଖୁଥିବା କେତେକ ସମୀକ୍ଷକ କୁହନ୍ତି ଯେ, ମୁଖ୍ୟ ଶାସନ ସଚିବ ସରକାରଙ୍କ ନିର୍ଦ୍ଦେଶରେ ହିଁ କାମ କରନ୍ତି। ତେଣୁ କିଏ ହେଲେ ନ ହେଲେ ତାହାର ପ୍ରଶାସନ ଉପରେ ନିୟମିତ ପ୍ରଭାବ ନ ଥାଏ। ମାତ୍ର ସାମ୍ପ୍ରତିକ ପରିସ୍ଥିତିରେ ମୁଖ୍ୟ ଶାସନ ସଚିବ ବଦଳିଲେ, କାହାକୁ ଦିଆଯିବ, ତାହା ହିଁ ସରକାରଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଯେଉଁ ଅଧିକାରୀଙ୍କ କଥା ବିଶେଷ ଚର୍ଚ୍ଚା ହେଉଛି, ତାଙ୍କର କାର୍ଯ୍ୟ ଢେର ଅଧିକ ରହିଛି। ତେଣୁ ତାଙ୍କୁ ନିର୍ବାଚନ ପୂର୍ବରୁ ଲମ୍ବା ସମୟ ଧରି ଏହି ପଦବୀରେ ଅବସ୍ଥାପିତ କରାଇବା ଠିକ୍ ହେବ ନାହିଁ ବୋଲି ସରକାର ଅନୁଭବ କରିଛନ୍ତି। ଏହି ଅଫିସର ଜଣଙ୍କ ମଧ୍ୟ ଅଣ-ଓଡ଼ିଆ, ତେଣୁ ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ-ଅଣ ଓଡ଼ିଆ ବିବାଦରେ ସରକାର ଜାଣିଶୁଣି ଅଧିକ ଘିଅ ଢାଳିବାକୁ ଚାହୁଁ ନାହାନ୍ତି। ସେହିପରି ଅନ୍ୟ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ, ଯିଏ କି ଓଡ଼ିଆ-ମାତ୍ର ସରକାର ତାଙ୍କୁ ବର୍ତ୍ତମାନ ସର୍ବୋଚ୍ଚ ପ୍ରଶାସନିକ ପଦରେ ଅବସ୍ଥାପିତ କରିବାକୁ ଚାହୁଁନି ବୋଲି ଜଣାପଡିଛି। ଅନୁରୂପ ଭାବେ ରାଜନୈତିକ ସମୀକ୍ଷକ କୁହନ୍ତି ଯେ, ପ୍ରଦୀପ ଜେନା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ବାସିନ୍ଦା। ରାଜନେତା-ପ୍ରଶାସନ-ବୁଦ୍ଧିଜୀବୀ-ଗଣମାଧ୍ୟମ ପ୍ରତିନିଧି-କର୍ପୋରେଟ ବର୍ଗ ସହ ଅତ୍ୟନ୍ତ ସୁସମ୍ପର୍କ ରଖୁଥିବା ବ୍ୟକ୍ତି। ଓଡ଼ିଶାର ସବୁ ଅଞ୍ଚଳର ପ୍ରଶାସନିକ ଅନୁଭବ ରହିଛି। ତେଣୁ ତାଙ୍କୁ ନିର୍ବାଚନ ପୂର୍ବରୁ ଅପସାରିତ କରିବା ଏତେଟା ବୁଦ୍ଧିମାନ କାମ ହେବ ନାହିଁ। ମାତ୍ର ଏ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀର। ବିଜ୍ଞପ୍ତି ନ ବାହାରିଲା ଯାଏଁ ଏହା ଏକ ଅଡୁଆ ସୂତା। ଯଦି କାର୍ଯ୍ୟକାଳ ବୃଦ୍ଧି ହୁଏ, ତେବେ ଛଅ ମାସ ବୃଦ୍ଧି ହେବ ବୋଲି ଜଣାପଡିଛି।