ଓଡ଼ିଶା ଆସୁଛନ୍ତି  ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱତ୍ ମନ୍, ପରବର୍ତ୍ତୀ ସମୟରେ ଆସିବେ ରାଘବ ଚଢା

ଭୁବନେଶ୍ୱର :  ଓଡ଼ିଶା ଗସ୍ତରେ ଆସିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଭଗଓ୍ୱତ୍ ମନ୍। କେବଳ ମନ୍ ନୁହଁନ୍ତି ଆପ୍ ରାଜ୍ୟସଭା ନେତା ରାଘବ ଚଢା ମଧ୍ୟ ଓଡ଼ିଶା ଆସିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ଏନେଇ ଉଭୟ ଚଢା ଏବଂ ମନ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଗଓ୍ୱତ୍ ମନ ଆସିବାର ସଙ୍କେତ ରାଜ୍ୟ କର୍ମକର୍ତ୍ତାଙ୍କୁ ମିଳିସାରିଛି। ରାଘବ ଚଢାଙ୍କ ଗସ୍ତ ନେଇ ସ୍ପଷ୍ଟ ଚିତ୍ର ଏଯାବତ ଆସିନାହିଁ। ଚଳିତ ସପ୍ତାହ ଶେଷ ସୁଦ୍ଧା କେବେ ମନ୍ ଆସିବେ, ସେ ନେଇ ଆନୁଷ୍ଠାନିକ ଘୋଷଣା ହେବାକୁ ଯାଉଥିବା ଜଣାପଡିଛି।  ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଆପ୍ ତୃତୀୟ ଥର ପାଇଁ ଓଡ଼ିଶାରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। ବର୍ତ୍ତମାନ ଜାତୀୟସ୍ତର ଓ ଓଡ଼ିଶାରେ ଆପ୍ ଇଣ୍ଡିଆ ମେଣ୍ଟରେ ରହିଛି। ପଞ୍ଜାବ, ଗୁଜରାଟ, ଦିଲ୍ଲୀ, ହରିୟାଣା ଆଦି ରାଜ୍ୟରେ ଆପ୍ ଲୋକସଭା ଆସନ ଚାହୁଁଛି। ସ୍ୱାଭାବିକ ଭାବେ ଏହି ରାଜ୍ୟରେ ଦଳର ଭଲ ସଙ୍ଗଠନ ରହିଛି। ଦିଲ୍ଲୀ ଏବଂ ପଞ୍ଜାବରେ ଦଳ ସରକାରରେ ରହିଛି। ମାତ୍ର ଓଡ଼ିଶାରେ ଆପକୁ କୌଣସି ଲୋକସଭା ଆସନ ମିଳିବାର ସମ୍ଭାବନା ଏଯାବତ୍ ନାହିଁ। ହେଲେ ଇଣ୍ଡିଆ ଗଠବନ୍ଧନର କଂଗ୍ରେସକୁ ବାଦ୍ ଦେଲେ ପ୍ରାୟ ୫୦ଟି ବିଧାନସଭା ଆସନ କଂଗ୍ରେସ ପକ୍ଷରୁ ଅନ୍ୟ ଦଳକୁ ଛଡ଼ାଯିବା ନେଇ ବିଚାର କରାଯାଉଛି। ତେଣୁ ଆପ୍ ଭାଗରେ ତିନିରୁ ପାଞ୍ଚ ଆସନ ପଡ଼ିପାରେ ବୋଲି ଏକ ଆଲୋଚନା ହେଉଛି। ବିଶେଷ ସୂତ୍ରରୁ ମିଳିଥିବା  ଖବର ଅନୁଯାୟୀ ଆପ୍ ଆଠରୁ ନଅଟି ଆସନ ଦାବି କରିବ ବୋଲି ଜଣାପଡିଛି। ଏହି ଆସନ ଗୁଡ଼ିକ ହେଉଛି- ଢେଙ୍କାନାଳ, ତାଳଚେର, ଭୁବନେଶ୍ୱର(ଉତ୍ତର), ପାଟକୁରା, ପୁରୀ, ବ୍ରହ୍ମପୁର, ରେଙ୍ଗାଲୀ ଏବଂ ପଦ୍ମପୁର। ପାଟକୁରା ଆସନ ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ଦାବି କରାଯାଉଛି। ସେହିପରି ପୁରୀ ଆସନ ରାଷ୍ଟ୍ରବାଦୀ କଂଗ୍ରେସ(ଏନସିପି) ଏବଂ ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ପକ୍ଷରୁ ମଧ୍ୟ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *