ବିଜେଡି କାହିଁକି ହାରିଲା….ସବୁ ଖୋଲି କହିଦେଲେ ରଘୁ ସାହୁ…….

ଭୁବନେଶ୍ୱର : ମୋତେ ଚିଲିକାରୁ ପ୍ରାର୍ଥୀ ନ କରିବାକୁ କିଛି ବ୍ୟକ୍ତି ଚକ୍ରାନ୍ତ କରିଥିଲେ। ମୋ ବଦଳରେ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ମାତ୍ର କର୍ମୀ ଓ ଲୋକଙ୍କ ମଧ୍ୟରେ ମୋର ଗ୍ରହଣୀୟତା ଥିଲା। ତତ୍କାଳୀନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଖେଳର ମୁଖ୍ୟ କାର୍ପଟଦାର ଥିଲେ। ତାଙ୍କ ପାରିବାରିକ ବନ୍ଧୁ ରବୀନ୍ଦ୍ର ଜେନା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଥିଲେ। ମାତ୍ର ସେ କିଛି ବୁଝୁ ନ ଥିଲେ। ବବି ସବୁଥିରେ ମାମଲାତି କରୁଥିଲେ। ରବୀନ୍ଦ୍ର ତାଙ୍କ କଥା ଭାଙ୍ଗି ପାରୁ ନ ଥିଲେ ବୋଲି ଚିଲିକାର ପୂର୍ବତନ ବିଧାୟକ ରଘୁ ସାହୁ କହିଛନ୍ତି। ଓଡ଼ିଶାର ଏକ ଡିଜିଟାଲ ଗଣମାଧ୍ୟମ ସମ୍ପାଦକଙ୍କୁ ନିଜର ସାକ୍ଷାତକାର ଦେଇ ରଘୁ ସାହୁ ଏହି କଥା କହିଛନ୍ତି। ତାଙ୍କ ସାକ୍ଷାତକାରଟି ଏବେ ଭାଇରାଲ ହେବାରେ ଲାଗିଛି। କେବଳ ସେତକ ନୁହେଁ, ବିରୋଧୀ ଅପେକ୍ଷା ବିଜେଡି ଦଳର ନେତାମାନେ ସେହି ଭିଡିଓ ଦେଖିବା ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି। ବିଶେଷ କରି ଅବିଭକ୍ତ ପୁରୀ ଜିଲ୍ଲାରେ ଏହି ଭିଡିଓ ହଟକେକ୍ ପରି ବିକ୍ରି ହେଉଛି।

ରଘୁ ସାହୁ ଆହୁରି କହିଛନ୍ତି ଯେ, ସେ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ପାଇଁ ଚାହିଁଥିଲେ। ମାତ୍ର ଏହାକୁ ବବି ଦାସ-ମାନସ ମଙ୍ଗରାଜ-ଡିଏସ କୁଟ୍ଟେ ଏବଂ ଆଶିଷ ସିଂ ପ୍ରମୁଖ କରାଇ ଦେଉ ନ ଥିଲେ। ଏପରିକି ପାଣ୍ଡିଆନଙ୍କ ସହ ମଧ୍ୟ ସାକ୍ଷାତ ହୋଇ ପାରୁନ ଥିଲା। ଯେତେବେଳେ ପାଣ୍ଡିଆନଙ୍କୁ ଏହି କଥା କହିଲି, ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏପରିକି ନିର୍ବାଚନ ପୂର୍ବରୁ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଡକାଯାଉ ନ ଥିବା ରଘୁ କହିଥିଲେ। କେନ୍ଦୁଝର ଖଣି ବ୍ୟବସାୟ ସହ ସଂପୃକ୍ତ ଥିବା ପ୍ରଭାବଶାଳୀ ଯୁବକ ରାଜା ଚକ୍ର ଅଘୋଷିତ ପ୍ରଭାରୀ ଭାବେ କାର୍ଯ୍ୟ କରୁଥିଲେ। ମୋ ସହ କୌଣସି ସମ୍ପର୍କ ନ ରଖିବା ପାଇଁ ଚିଲିକାର ପଞ୍ଚାୟତ ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଯାଇଥିଲା। ନିର୍ବାଚନ ସମୟରେ କୌଣସି କାରଣ ନ ଥାଇ ବବି ଦାସ ମୋତେ ଫୋନ୍ କରି ଦୁର୍ବ୍ୟବହାର ପୂର୍ଣ୍ଣ ଭାବେ କଥା ହେଉଥିଲେ। ମନଇଚ୍ଛା ଗାଳି ମନ୍ଦ ଦେଉଥିଲେ। ମୋ ଯୋଗୁ ଦଶନ୍ଧି ପୂର୍ବରୁ ଡିଏସ୍ କୁଟ୍ଟେଙ୍କ ବଦଳି ହୋଇଥିଲା। ତେଣୁ ସେ ମଧ୍ୟ ମୋ ଉପରେ ରାଗ ରଖିପାରନ୍ତି ବୋଲି ରଘୁ କହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋତେ ବିଧାନପରିଷଦ ପଠାଇବା ନେଇ କୁହାଯାଇଥିଲା। ମୋ ବଦଳରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରାଯାଇଥିଲା। ମୁଁ ସମସ୍ତ ସହଯୋଗ କରିଥିଲି। ସେହିପରି ଖୋରଧାରୁ ଜିତୁ ମିତ୍ର ଏବଂ ବେଗୁନିଆରୁ ରାଜେନ୍ଦ୍ର ସାହୁ ଲଢି ବିଜୟ ଲାଭ କରିଥିଲେ। ଏହା ଦ୍ୱାରା ବିଜେଡି ଜିତିଥିଲା କିନ୍ତୁ ଖୋରଧା ଜିଲ୍ଲାରେ ସଙ୍ଗଠନର ପତନ କାରଣ ହୋଇଥିଲା।